ଶ୍ରେଷ୍ଠ ପାଞ୍ଚ: ଶ୍ରୀମନ୍ଦିରର ପଞ୍ଚସ୍ଥାନ

ଅରୁଣସ୍ତମ୍ଭ

ଅରୁଣସ୍ତମ୍ଭ

ଶ୍ରୀମନ୍ଦିର ସମ୍ମୁଖରେ ରହିଛି ଅରୁଣସ୍ତମ୍ଭ। ଅରୁଣ ହେଉଛନ୍ତି ପ୍ରଭୁ ସୂର୍ଯ୍ୟଙ୍କ ରଥ ସାରଥି। ଏହି ସ୍ତମ୍ଭ ପୂର୍ବରୁ କୋଣାର୍କ ମନ୍ଦିରର ଅଂଶ ବିଶେଷ ଥିଲା। ୧୭ଶହ ଶତାବ୍ଦୀ ବେଳକୁ ଏହାକୁ ପୁରୀ ଅଣାଯାଇଥିବାର ଅନୁମାନ କରାଯାଏ। ଏହାର ଉଚ୍ଚତା ୩୨ ଫୁଟ। ଏହାର ଶୀର୍ଷରେ ଅରୁଣ ହାତ ଯୋଡି ଦଣ୍ଡାୟମାନ ମୁଦ୍ରାରେ ଥିବାର ଦେଖାଯାଏ। ଏଥିରେ ସୁନ୍ଦର କଳାକୃତି ରହିଛି।

ଗରୁଡ଼ସ୍ତମ୍ଭ

ଗରୁଡ଼ସ୍ତମ୍ଭ

ଶ୍ରୀମନ୍ଦିର ନାଟ ମଣ୍ଡପରେ ରହିଛି ଗରୁଡ଼ସ୍ତମ୍ଭ। ଗରୁଡ଼ ହେଉଛନ୍ତି ପ୍ରଭୁ ଶ୍ରୀବିଷ୍ଣୁଙ୍କ ବାହନ। ଗରୁଡ଼ସ୍ତମ୍ଭଠାରୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କରିଥାନ୍ତି। ଏଠାରେ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ କରାଯାଇଥାଏ। ଏହି ସ୍ତମ୍ଭର ଉଚ୍ଚତା ୧୦ଫୁଟ। ସ୍ତମ୍ଭରେ ଗରୁଡ଼ଙ୍କର ୭ଫୁଟ ଉଚ୍ଚତା ମୂର୍ତ୍ତି ରହିଛି।

ବାଇଶି ପାହାଚ

ବାଇଶି ପାହାଚ

ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ମନ୍ଦିର ଭିତରକୁ ଯିବା ପାଇଁ ରହିଛି ବାଇଶି ପାହାଚ। ଏହାକୁ ସ୍ପର୍ଶ କଲେ ପାପ ନାଶ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହା ତୃତୀୟ ପାହାଚର ରଙ୍ଗ କଳା। ଏହାକୁ ଯମ ଶୀଳା କୁହାଯାଏ। ଏଠାରେ କିଛି ସମୟ ରହିଲେ ଯମ ଦଣ୍ଡରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏହାର ସପ୍ତମ ପାହାଚକୁ ପିତୃଶୀଳା କୁହାଯାଇଥାଏ। ଏଠାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କରାଯାଇଥାଏ। ଏହାର ୧ରୁ ୫ମ ପାହାଚ ପଞ୍ଚ ଇନ୍ଦ୍ରୀୟକୁ ସୂଚିତ କରିଥାଏ। ୬ରୁ୧୦ମ ପାହାଚ ପ୍ରାଣ, ଆପାନ, ବ୍ୟନ, ଉଦାନ, ସମନ ଆଦି ପଞ୍ଚପ୍ରାଣକୁ ସୂଚିତ କରିଥାଏ। ୧୧ରୁ ୧୫ ପାହାଚ ରୂପ, ରସ, ସ୍ବାଦ, ଗନ୍ଧ, ଶବ୍ଦକୁ ସୂଚିତ କରେ। ୧୬ରୁ ୨୦ ପାହାଚ ଜଳ, ସ୍ଥଳ, ବାୟୁ, ଅଗ୍ନି, ଆକାଶ ଆଦି ପଞ୍ଚ ମହାଭୂତକୁ ସୂଚିତ କରିଥାଏ। ସେହିପରି ୨୧ ପାହାଚ ଜ୍ଞାନକୁ ସୂଚିତ କରୁଥିବାବେଳେ ୨୨ ପାହାଚ ଗର୍ବ ଅହଂକାରକୁ ସୂଚିତ କରିଥାଏ। ଜୈନ ମତରେ ବାଇଶି ପାହାଚ ହେଉଛନ୍ତି ଜୈନଧର୍ମର ୨୨ଜଣ ତୀର୍ଥଙ୍କର।

ରୋଷଘର

ରୋଷଘର

ଶ୍ରୀମନ୍ଦିର ରୋଷଘରେ ମାତା ଲକ୍ଷ୍ମୀ ମହାପ୍ରସାଦ ରାନ୍ଧିଥାନ୍ତି ବୋଲି ବିଶ୍ୱାସ ରହିଛି। ସ୍ନାନଯାତ୍ରା ପରେ ଶ୍ରୀଜୀଉ ଅସୁସ୍ଥ ହେବାରୁ ମାତା ରନ୍ଧାକାର୍ଯ୍ୟରେ ଅମନଯୋଗ ରହିଥାନ୍ତି। ଫଳରେ ସେଦିନ ମହାପ୍ରସାଦ କମ୍‌ ସ୍ବାଦିଷ୍ଟ ରହିଥାଏ ବୋଲି ବିଶ୍ୱାସ ରହିଛି। ଏଠାରେ ଭୀମପାକ, ନଳପାକ, ସୌରୀପାକ ଓ ଗୌରୀପାକ ଆଦି ସମ୍ପନ୍ନ ହୋଇଥାଏ। ରୋଷଘରେ ରାନ୍ଧଣା ପାଇଁ ଗଙ୍ଗା ଓ ଯମୁନା କୂଅରୁ ପାଣି ଆସିଥାଏ।

ରତ୍ନଭଣ୍ଡାର

ରତ୍ନଭଣ୍ଡାର

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଶ୍ରୀଜୀଉଙ୍କର ଅଳଙ୍କାର ରହିଥାଏ। ଏହା ୧୨ଶହ ଶତାବ୍ଦୀରେ ନିର୍ମାଣ ହୋଇଥିବା ସମ୍ପର୍କରେ ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି। ଶ୍ରୀଜୀଉଙ୍କର ସୁନା ବେଶ ସମୟରେ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରୁ ଆସିଥାଏ। ଏହା ରାଜା ଅନଙ୍ଗଭୀମ ଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ।

Model This Week

ରୂପେଶ