ଶ୍ରେଷ୍ଠ ପାଞ୍ଚ: ମହାପ୍ରଭୁଙ୍କ ବେଶ

ଅବକାଶ ବେଶ

ଅବକାଶ ବେଶ

ଦୈନନ୍ଦିନ ପ୍ରାତଃ ସମୟରେ ଏହି ବେଶ ଅନୁଷ୍ଠିତ ହୋଇଥାଏ। ମଙ୍ଗଳ ଆଳତି ନୀତି ସମାପନ ପରେ ରନତ୍ସିଂହାସନାଧିଷ୍ଠିତ ଶ୍ରୀବିଗ୍ରହମାନଙ୍କର ସ୍ନାନବିଧି ନିମିତ୍ତ ଅବକାଶ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଠାକୁର ମାନେ ତଡ଼ପ ଓ ଉତ୍ତରୀୟ ସୂତା ବସ୍ତ୍ର ପରିଧାନ କରିଥାନ୍ତି। ପୁଷ୍ପାଳକ ସେବକମାନେ ଏହି ବେଶ କରାଇ ଠାକୁରମାନଙ୍କ ଦନ୍ତମାର୍ଜନ ଓ ସ୍ନାନପୂଜା କରିଥାନ୍ତି। ଶ୍ରୀମନ୍ଦିର ରନତ୍ସିଂହାସନ ବ୍ୟତୀତ ଏହି ବେଶ ସ୍ନାନବେଦିରେ, ରଥ ଉପରେ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ ଅନୁଷ୍ଠିତ ହୋଇଥାଏ।

ତ୍ରିବିକ୍ରମ ବେଶ

ତ୍ରିବିକ୍ରମ ବେଶ

କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ରନତ୍ସିଂହାସନ ଉପରେ ଅନୁଷ୍ଠିତ ହୋଇଥାଏ। ଅବକାଶ ନୀତି ସମ୍ପନ୍ନ ହେବା ପରେ ଏହି ବେଶ ପୁଷ୍ପାଳକ ସେବକନ୍‌ମାନଙ୍କ ଦ୍ୱାରା ସମାହିତ ହୋଇଥାଏ। ଆଡ଼କିଆ ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଇ ତହିଁରେ ସ୍ବର୍ଣ୍ଣକିଆ ଖୋସା ଯାଇଥାଏ। ବିଭିନ୍ନ ରଙ୍ଗର ମୂଲ୍ୟବାନ ପାଟବସ୍ତ୍ର ଓ ସ୍ବର୍ଣ୍ଣ ଅଳଙ୍କାର, ଆୟୁଧ ଆଦିରେ ଠାକୁରମାନଙ୍କୁ ଦିବ୍ୟବେଶରେ ଭୂଷିତ କରାଯାଇଥାଏ।

ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ

କାର୍ତ୍ତିକ ମାସର ପଞ୍ଚକରେ ଯେଉଁ ବର୍ଷ ମଳତିଥି ପଡ଼ିଥାଏ, ସେହି ମଳତିଥିରେ ଠାକୁରମାନଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। ରନତ୍ସିଂହାସନରେ ଅଧିଷ୍ଠିତ ଦାରୁଦିଅଁ ମୁଖ୍ୟତଃ ସୋଲ, କନା, ଜରି, ବେତ, କଇଥ ଅଠାରେ ପ୍ରସ୍ତୁତ ହାଣ୍ଡିଆ, ଢେଣୁ ନିଶଦାଢି, ସୋଲର ଛୁରି, କଟାରି, ବାଘଛାଲ, ସିଂଘଡା, କଲିଫି, ସ୍ବର୍ଣ୍ଣ ନିର୍ମିତ ଶ୍ରୀଭୁଜ, ଶ୍ରୀପୟର, ବିଭିନ୍ନ ମାଳି, ଆୟୁଧ ଆଦି ଧାରଣ କରି ବୀରବେଶରେ ସଜ୍ଜିତ ହୋଇଥାନ୍ତି। ଅବକାଶ ନୀତି ପରେ ଏହି ବେଶ ରନତ୍ସିଂହାସନ ଉପରେ ସମାହିତ ହୋଇଥାଏ।

କୃଷ୍ଣ ବଳରାମ ବେଶ

କୃଷ୍ଣ ବଳରାମ ବେଶ

ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ରନତ୍ସିଂହାସନ ଉପରେ ଶ୍ରୀବିଗ୍ରହଙ୍କର ଏହି ବେଶ ଅନୁଷ୍ଠିତ ହୋଇଥାଏ। ମଧ୍ୟାହ୍ନ ଧୂପ ନୀତି ପରେ ଶ୍ରୀବଳଭଦ୍ରଙ୍କୁ ବଳରାମ ରୂପରେ, ଶ୍ରୀଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ଏବଂ ଦେବୀ ସୁଭଦ୍ରାଙ୍କୁ ଭଗିନୀ ବେଶରେ ସଜ୍ଜିତ କରାଯାଇଥାଏ। ଏହି ବେଶରେ କୃଷ୍ଣ ବଳାରାମଙ୍କ ବାଲ୍ୟକାଳର ଗୋବତ୍ସଚାରଣର ଦୃଶ୍ୟପଟ ପ୍ରତୀୟମାନ ହୋଇଥାଏ। ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଚାରି ଗାଈ, ବାଛୁରୀ, ସୋଲ ମୂର୍ତ୍ତିଙ୍କୁ ଅଧିଷ୍ଠିତ କରାଯାଏ।

ଲକ୍ଷ୍ମୀନାରାୟଣ ବେଶ

ଲକ୍ଷ୍ମୀନାରାୟଣ ବେଶ

କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଲକ୍ଷ୍ମୀ ନାରାୟଣ ବା ଠିଆକିଆ ବେଶ କରାଯାଏ। ଠିଆକିଆ ବେଶରେ ୨୨ ପ୍ରକାର ସ୍ବର୍ଣ୍ଣ ଅଳଙ୍କାରରେ ଠାକୁରମାନଙ୍କୁ ଭୂଷିତ କରାଯାଇଥାଏ। ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଏକ କ୍ଷୁଦ୍ର ଟୋପର ଲାଗି କରାଯାଇ ଏଥିରେ ସ୍ବର୍ଣ୍ଣ ନିର୍ମିତ କିଆ ଖଞ୍ଜାଯାଇଥାଏ। ଶ୍ରୀ ସମ୍ପ୍ରଦାୟର ବୈଷ୍ଣବମାନଙ୍କ ଅତିପ୍ରିୟ ଲକ୍ଷ୍ମୀନାରାୟଣ ବେଶ ଅତ୍ୟନ୍ତ ମନୋରମ।


Model This Week

କ୍ରିଷ୍ଣା
Why Dharitri