ଶ୍ରେଷ୍ଠ ପାଞ୍ଚ: ଶ୍ରୀମନ୍ଦିର ବେଢ଼ା ଦେବଦେବୀ

କୁତ୍ତାମ ଚଣ୍ଡୀ

କୁତ୍ତାମ ଚଣ୍ଡୀ

ଶ୍ରୀମନ୍ଦିର ଭିତର ବେଢ଼ା ମୁକ୍ତି ମଣ୍ଡପର ପୂର୍ବ ଦିଗରେ ଥିବା କ୍ଷେତ୍ରପାଳ ମନ୍ଦିରର ପୂର୍ବ ପଟ କାନ୍ଥକୁ ଲାଗି ରହିଛନ୍ତି କୁତ୍ତାମ ଚଣ୍ଡୀ। ଏକ କୁକୁର ଉପରେ ବିରାଜିତା ପ୍ରସ୍ତର ନିର୍ମିତ୍ତ ଦେବୀ ମୂର୍ତ୍ତି ହେଉଛନ୍ତି କୁତ୍ତାମ ଚଣ୍ଡୀ। ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ୱ କାନ୍ଥରେ ଜଗମୋହନ ଆଡକୁ ମୁହଁ କରି ଏକ କୁକୁର ମୂର୍ତ୍ତି ପୂଜା ପାଉଛନ୍ତି। ଏହା ଦେବୀଙ୍କର ବାହାନ। ୧୪୯୮ ଖ୍ରୀଷ୍ଟାବ୍ଦଠାରୁ ଦେବୀଙ୍କୁ ପୂଜା କରାଯାଉଥିବା ଆକଳନ କରାଯାଏ। ଶ୍ରୀମନ୍ଦିରରେ କୁକୁର ପ୍ରବେଶ ଯୋଗୁ ଶ୍ରୀଜୀଉଙ୍କ ଭୋଗ, ସେବା ପୂଜାରେ ବ୍ୟାଘାତ ସୃଷ୍ଟି ହେବାରୁ ଉଜ୍ଜୟିନୀରୁ ଆସିଥିବା ତାନ୍ତ୍ରିକ ପ୍ରତିକାର ସ୍ବରୂପ କୁତ୍ତାମ ଚଣ୍ଡୀଙ୍କୁ ସ୍ଥାପନା କରିଥିବା କୁହାଯାଏ। ଏହାପରଠାରୁ ଶ୍ରୀମନ୍ଦିରରେ କୁକୁର ପ୍ରବେଶ କରି ନ ଥିବା କୁହାଯାଇଥାଏ।

ବଟ ଗଣେଶ

ବଟ ଗଣେଶ

ଶ୍ରୀମନ୍ଦିର ଭିତର ବେଢ଼ାରେ ରହିଛନ୍ତି ପ୍ରଭୁ ବଟ ଗଣେଶ। ସେ କଳ୍ପ ଗଣେଶ, ଚିନ୍ତାମଣି ଗଣେଶ, ବଟ ଗଣେଶ ଓ ସିଦ୍ଧ ଗଣେଶ ଭାବେ ପୂଜା ପାଆନ୍ତି। ବଟ ଗଣେଶଙ୍କ ମନ୍ଦିର ଶ୍ରୀମନ୍ଦିରଠାରୁ ମଧ୍ୟ ପୁରାତନ ବୋଲି କୁହାଯାଏ। ଏହା ପ୍ରାୟ ୭୦୦ ବର୍ଷ ତଳର ହେବ ବୋଲି ଅନୁମାନ କରାଯାଏ।

କାଶୀ ବିଶ୍ୱନାଥ

କାଶୀ ବିଶ୍ୱନାଥ

ଶ୍ରୀମନ୍ଦିର ବାଇଶି ପାହାଚର ବାମ ପାର୍ଶ୍ୱରେ ରହିଛି କାଶୀ ବିଶ୍ୱନାଥଙ୍କ ମନ୍ଦିର। ଏହାର ଉଚ୍ଚତା ପ୍ରାୟ ୧୫ ଫୁଟ। ଏହା ୧୬୧୧ ଖ୍ରୀଷ୍ଟାବ୍ଦରେ ସ୍ଥାପିତ ହୋଇଥିଲା। ଯୋଗଶାସ୍ତ୍ର ମତରେ ବିଷ୍ଣୁଙ୍କ ଦର୍ଶନ ପୂର୍ବରୁ ଯୋଗେଶ୍ୱରଙ୍କୁ ଦର୍ଶନ କରିବାକୁ ପଡିଥାଏ। ଯୋଗେଶ୍ୱରଙ୍କ ପ୍ରତୀକ ହେଉଛନ୍ତି ପ୍ରଭୁ ଶିବ ଶଙ୍କର ଏବଂ ବିଷ୍ଣୁ ହେଉଛନ୍ତି ସ୍ବୟଂ ଶ୍ରୀଜଗନ୍ନାଥ। କାଶୀ ବିଶ୍ୱନାଥଙ୍କ ଲିଙ୍ଗର ଉଚ୍ଚତା ପ୍ରାୟ ୧୦ ଇଞ୍ଚ। ମନ୍ଦିରର ପ୍ରବେଶ ଦ୍ୱାର ଓସାର ଅଢ଼େଇ ଫୁଟ ଓ ଉଚ୍ଚତା ୪ ଫୁଟ। ଶୀତଳ ଷଷ୍ଠୀ, ଶିବ ବିବାହ ଆଦିରେ ପ୍ରଭୁଙ୍କ ଜଳଶାୟୀ ନୀତି ସମ୍ପନ୍ନ ହୋଇଥାଏ।

ଫତେ ହନୁମାନ

ଫତେ ହନୁମାନ

ଶ୍ରୀମନ୍ଦିର ଗୁମୁଟର ପ୍ରବେଶ ପଥରେ ବାମ ଭାଗରେ ଫତେ ହନୁମାନ, ରାଧାକୃଷ୍ଣ, ଗଣେଶ ଓ ଦୁର୍ଗାଙ୍କ ଚିତ୍ର ପ୍ରତିମା ରହିଛି। ଫତେ ହନୁମାନ ସିଂହଦ୍ୱାର ଗୁମୁଟର କାନ୍ଥରେ ଏକ ଠଣା ସଦୃଶ କ୍ଷୁଦ୍ର ମନ୍ଦିରରେ ବିରାଜିତ। ପୂର୍ବ ଦିଗରୁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଫତେ ହନୁମାନ ରହିଛନ୍ତି। ସେ ହେଉଛନ୍ତି ପୂର୍ବ ଦ୍ୱାରର ରକ୍ଷକ।

ପତିତପାବନ

ପତିତପାବନ

ଶ୍ରୀଜଗନ୍ନାଥ ପତିତମାନଙ୍କୁ ଉଦ୍ଧାର କରୁଥିବାରୁ ତାଙ୍କର ଅନ୍ୟ ନାମ ପତିତପାବନ। ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଭିତରେ ଡାହାଣ ପଟରେ ଥିବା ପୂର୍ବାଭିମୁଖୀ ଶ୍ରୀଜଗନ୍ନାଥ ମୂର୍ତ୍ତିଙ୍କୁ ପତିତପାବନ କୁହାଯାଇଥାଏ। ଧର୍ମାନ୍ତରିତ ଭକ୍ତ ମନ୍ଦିର ମଧ୍ୟକୁ ନ ଯାଇପାରି ଅରୁଣସ୍ତମ୍ଭଠାରୁ ପତିତପାବନଙ୍କୁ ଦର୍ଶନ କରିପାରନ୍ତି। ପରମ୍ପରା ଅନୁସାରେ ପତିତପାବନଙ୍କର ଅଣସର ନୀତି, ଦୁଆରଫିଟା, ମଙ୍ଗଳ ଆଳତି ଓ ବିଭିନ୍ନ ବେଶ ସମ୍ପନ୍ନ ହୋଇଥାଏ।

Model This Week

ରୂପେଶ