Dharitri News

ଶ୍ରେଷ୍ଠ ପାଞ୍ଚ: ସନ୍ଥ ପୀଠ

ବାଲି ଗାଁ

ବାଲି ଗାଁ

ପୁରୀ ଜିଲା ପିପିଲି ବ୍ଲକ୍‌ ତେଇଶିପୁର ଗ୍ରାମ ପଞ୍ଚାୟତର ବାଲି ଗାଁଠାରେ ରହିଛି ସନ୍ଥ ଦାସିଆ ବାଉରୀଙ୍କ ପବିତ୍ର ପୀଠ। ୧୫ଶହ ଶତାବ୍ଦୀରେ ସେ ଏକ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ପ୍ରଭୁ ଶ୍ରୀଜଗନ୍ନାଥଙ୍କର ସେ ଜଣେ ପରମ ଭକ୍ତ ଥିଲେ। ଗାଁ ମୁଣ୍ଡରେ ଥିବା ଏହି ପୀଠ ନିକଟରେ ପବିତ୍ର ଗୋଠଗାଡ଼ିଆ ପୋଖରୀ ରହିଛି।

ଛତିଆ ବଟ

ଛତିଆ ବଟ

ଯାଜପୁର ଜିଲା ଛିତିଆରେ ରହିଛି ଛତିଆବଟ। ଏଠାରେ ରହିଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର। ଏଠାରେ ଶ୍ରୀଜଗନ୍ନାଥଙ୍କ କଳ୍‌କୀ ଅବତାର ମୂର୍ତ୍ତି ରହିଛି। ନିକଟରେ ରହିଛି ସନ୍ଥ ହାଡ଼ି ଦାସଙ୍କ ଗାଦି। ହାଡ଼ି ଦାସ ୧୭୭୨ରେ ନିକଟସ୍ଥ ଚମ୍ପାପୁର ଗାଁରେ ଏକ କମାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ଆଧ୍ୟାତ୍ମିକ ଗୁରୁ ମସ୍ତରାମ ଦାସଙ୍କ ନିର୍ଦ୍ଦେଶରେ ସେ ପରମାତ୍ମାଙ୍କ ମାର୍ଗରେ ପରିଚାଳିତ ହୋଇଥିଲେ।

ଯୋରନ୍ଦା

ଯୋରନ୍ଦା

ଢେଙ୍କାନାଳ ଜିଲା ଯୋରନ୍ଦାଠାରେ ସନ୍ଥ କବି ଭୀମଭୋଇଙ୍କ ମହିମା ଗାଦି ରହିଛି। ଏଠାରେ ମହିମା ମନ୍ଦିର ଯୋରନ୍ଦା, ନତିମା ଓ ପାଟଣା ଆଦି ତିନୋଟି ଗାଁର ସୀମାରେ ରହିଛି। ପ୍ରତିବର୍ଷ ମାଘ ପୂର୍ଣ୍ଣିମାରେ ଏଠାରେ ବଡ଼ ମେଳା ଆୟୋଜିତ ହୋଇଥାଏ। ଏଠାରେ ବିଂଶ ଶତାବ୍ଦୀରେ ମହିମା ମନ୍ଦିର ନିର୍ମିତ ହୋଇଥିଲା। ତେବେ ୧୪ଶହ ଶତାବ୍ଦୀଠାରୁ ଏଠାରେ ଆଶ୍ରମ ରହିଛି। ଏଠାରେ ମହିମା ଗୋସାଇଁ ଭୀମଭୋଇଙ୍କ ସମାଧି ରହିଛି। ମହିମା ଧର୍ମରେ ପରମାତ୍ମାଙ୍କୁ ଶୂନ୍ୟବ୍ରହ୍ମ ଭାବେ ସୂଚିତ କରାଯାଇଛି।

ଓଳାଶୁଣୀ

ଓଳାଶୁଣୀ

ଯାଜପୁର ଜିଲା ବଡ଼ଚଣା ବ୍ଲକ୍‌ ପଲାଇ ମୌଜାରେ ରହିଛି ଓଳାଶୁଣୀ ପୀଠ। ଏଠାରେ ସନ୍ଥ ଅରକ୍ଷିତ ଦାସଙ୍କ ଗାଦି ରହିଛି। ସେ ଏଠାରେ ୧୮୩୭ ମସିହା ଜାନୁୟାରୀ ୧୯ ମାଘ କୃଷ୍ଣ ଏକାଦଶୀରେ ଆତ୍ମ ସମାଧି ନେଇଥିବାର ଜଣାଯାଏ। ପ୍ରତିବର୍ଷ ଏହି ଦିନ ଏଠାରେ ମେଳା ବସିଥାଏ। ସନ୍ଥ ଅରକ୍ଷିତ ଦାସ ଗଞ୍ଜାମ ବଡ଼ଖେମୁଣ୍ଡିରେ ରାଜୁତି କରୁଥିବା ଗଙ୍ଗବଂଶର ଦାୟାଦ ଥିଲେ। ତାଙ୍କ ନାମ ଯୁବରାଜ ବଳଭଦ୍ର ଦେବ ଥିଲା। ସେ ରାଜଭୋଗ ତ୍ୟାଗ କରି ପରମାତ୍ମାଙ୍କ ମାର୍ଗରେ ସାଧନା ଜାରି ରଖିଥିଲେ। ଏହି ପୀଠରେ ଶୁଖୁଆ ଭୋଗ ହୋଇଥାଏ।

ନେମାଳ

ନେମାଳ

କେନ୍ଦ୍ରାପଡ଼ା ଜିଲା ନେମାଳଠାରେ ରହିଛି ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠ। ଏହି ପୀଠ ସର୍ବଧର୍ମ ସମନ୍ବୟର ବାର୍ତ୍ତା ବହନ କରିଥାଏ। ଚିତ୍ରୋତ୍ପଳା ଓ ଲୁଣା ନଦୀର ତ୍ରିକୋଣ ଭୂମିରେ ଏହି ପବିତ୍ର ପୀଠ ରହିଛି। ପୂର୍ବରୁ ଏହି ଅଞ୍ଚଳରେ ସନକ, ଅଙ୍ଗିରା, ପୁଲହ, ପୁଲସ୍ତ, କାଳିଞ୍ଜନ, ଭୃଗୁ, ମାର୍କଣ୍ଡେୟ, ବଶିଷ୍ଠ ଆଦି ମହାନ ଋଷିଗଣ ଆସିଥିବାର ପୁରାଣରେ ବର୍ଣ୍ଣିତ ହୋଇଛି। ଦ୍ୱାପର ଯୁଗରେ ଏଠାରେ ଋଷି ଆଶ୍ରମ ଥିବାର ପୁରାଣରୁ ଜଣାପଡେ। ମହାପୁରୁଷ ଅଚ୍ୟୁତାନନ୍ଦ ତିଳକଣା ଗ୍ରାମରେ ଜନ୍ମଗ୍ରହଣ କରି ପରେ ଏଠାରେ ଆଶ୍ରମ ପ୍ରତିଷ୍ଠା କରିଥିଲେ।