Dharitri News

ଶ୍ରେଷ୍ଠ ପାଞ୍ଚ: ଦାରୁଦିଅଁଙ୍କ ସୁନାବେଶ

ଦୋଳ ପୂର୍ଣ୍ଣିମା

ଦୋଳ ପୂର୍ଣ୍ଣିମା

ଦୋଳ ପୂର୍ଣ୍ଣିମା ବା ଫାଲ୍‌ଗୁନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ସୁନାବେଶ କରାଯାଇଥାଏ। ଏହି ବେଶରେ ଦର୍ଶନାର୍ଥୀମାନେ ଠାକୁରଙ୍କୁ ଅବିର ଲାଗି କରିଥାନ୍ତି। ଏହି ବେଶ ଅତ୍ୟନ୍ତ ଆକର୍ଷୀଣୀୟ। ଭକ୍ତ ଏହି ବେଶକୁ ଦର୍ଶନ କରି ପୁଣ୍ୟପ୍ରାପ୍ତି କରିଥାନ୍ତି। ଏହି ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥାଏ।

ପୌଷ ପୂର୍ଣ୍ଣିମା

ପୌଷ ପୂର୍ଣ୍ଣିମା

ପୌଷ ପୂର୍ଣ୍ଣିମା ଦିନ ହେଉଥିବା ସୁନାବେଶରେ ମହାପ୍ରଭୁ ରାମ ରାଜା ଭାବେ ଶୋଭା ପାଇଥାନ୍ତି। ମଧ୍ୟାହ୍ନ ଧୂପ ପରେ ଏହି ବେଶ ହୋଇଥାଏ। ଏହି ବେଶରେ ଭିତରଚ୍ଛ ମହାପାତ୍ର ଲକ୍ଷ୍ମଣ ଭାବେ ଛତ୍ର ଧାରଣ କରି ମହାପ୍ରଭୁଙ୍କ ନିକଟରେ ଦଣ୍ଡାୟମାନ ହୋଇଥାନ୍ତି। ଏହି ଛତ୍ରର ମୂଳକୁ ଭଣ୍ଡାରମେକାପ ଧାରଣ କରି ଆଣ୍ଠୁମାଡି ବସି ହନୁମାନ ଭାବେ ରହିଥାନ୍ତି। ଏହି ବେଶ ଥାଇ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥାଏ।

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା ଦିନ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି ବେଶର ନାମ ରାଜରାଜେଶ୍ୱର ବେଶ। ଏହି ବେଶରେ ମହାପ୍ରଭୁ ରାଜା କୃଷ୍ଣ ଭାବେ ଶୋଭା ପାଆନ୍ତି। ଶ୍ରୀବିଗ୍ରହମାନଙ୍କ ଅବକାଶ ନୀତି ପରେ ଏହି ବେଶ କରାଯାଏ। ଏହିଦିନ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହୋଇଥାଏ। ଧର୍ମ ମାସ କାର୍ତ୍ତିକ ଶେଷରେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିବାକୁ ବହୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସିଥାନ୍ତି। ମହୋଦଧିରେ ଡଙ୍ଗା ଭସାଇ ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କଲେ କୋଟି ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।

ବିଜୟା ଦଶମୀ

ବିଜୟା ଦଶମୀ

ଆଶ୍ୱିନ ଶୁକ୍ଳ ଦଶମୀ ବା ବିଜୟା ଦଶମୀରେ ରତ୍ନସିଂହାସନରେ ତିନିଠାକୁର ସୁନାବେଶ ହୋଇଥାନ୍ତି। ଏହି ସୁନାବେଶ ପୂର୍ବରୁ ସପ୍ତମୀ ଦିନଠାରୁ ଶ୍ରୀବଳଭଦ୍ର ଦେବଙ୍କ ହଳ ଓ ମୂଷଳ, ସୁଭଦ୍ରା ଦେବୀଙ୍କ ତଡ଼ଗୀ (ସୂର୍ଯ୍ୟ, ଅଳଙ୍କାର, ଆୟୁଧ), ଶ୍ରୀଜଗନ୍ନାଥଙ୍କର ଶଙ୍ଖ, ଚକ୍ର ଆୟୁଧ ଭଣ୍ଡାର ଦ୍ୱାରଠାରେ ପୂଜା ବସିଥାଏ। ଦଶହରା ଦିନ ସକାଳ ଧୂପ ସରିବା ପରେ ପୂଜାରେ ବସିଥିବା ଆୟୁଧମାନଙ୍କୁ ମହାସ୍ନାନ କରାଯାଏ। ବଡ଼ଦେଉଳକୁ ତିନିଥର ପ୍ରଦକ୍ଷିଣ କରି ସିଂହାସନକୁ ଅଣାଯାଇ ତିନିଠାକୁରଙ୍କୁ ଲାଗି କରାଯାଏ। ବିଜୟ ମୂର୍ତ୍ତିର ଚିହ୍ନ ସ୍ବରୂପ ଏହିଦିନ ଠାକୁରଙ୍କ ସୁନାବେଶ ହୋଇଥାଏ।

ଆଷାଢ଼ ଶୁକ୍ଳ ଏକାଦଶୀ

ଆଷାଢ଼ ଶୁକ୍ଳ ଏକାଦଶୀ

ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ଦାରୁବିଗ୍ରହଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ। ଲକ୍ଷାଧିକ ଭକ୍ତ ଠାକୁରଙ୍କ ଏହି ଦିବ୍ୟବେଶକୁ ଦର୍ଶନ କରିଥାନ୍ତି। ଏହିଦିନ ଠାକୁର ଶୌର୍ଯ୍ୟ ବୀଯର୍ର୍‌ୟର ତେଜ ସ୍ବରୂପ ଭାବେ ପ୍ରକାଶିତ ହୁଅନ୍ତି। ରଥ ଉପରେ ହେଉଥିବା ସୁନାବେଶର ଅନ୍ୟନାମ ବଡ଼ତଢାଉ ବେଶ। ଏହି ବେଶର ନାମକରଣ ଏପରି ହେବାର ଏକ କାରଣ ରହିଛି। ପୂର୍ବେ ରାଜା ତଢାଉକରଣ ମାର୍ଫତରେ ସୁନା ଅଳଙ୍କାର ମାନ ଦେଇ ବେଶ ପାଇଁ ବ୍ୟବସ୍ଥା କରାଉଥିବାରୁ ତାହା ଲୋକମୁଖରେ ବଡ଼ତଢାଉ ବେଶ ଭାବେ ପ୍ରଚଳିତ ହୋଇଛି।