ଶ୍ରେଷ୍ଠ ପାଞ୍ଚ: ହସ୍ତକଳା

ତାରକସି କାମ

ତାରକସି କାମ

ଅଳଙ୍କାରରେ ସରୁ ତାରରେ ହୋଇଥିବା ଆକର୍ଷଣୀୟ କଳାକୃତୀକୁ ତାରକସି କାମ କୁହାଯାଏ। କଟକର ତାରକସୀ କାମ ଅତ୍ୟନ୍ତ ଉଚ୍ଚକୋଟୀର। ଏହା ଓଡ଼ିଶାର କଳା ସଂସ୍କୃତିକୁ ପରିପ୍ରକାଶ କରିଥାଏ। ତାରକସି କାମ ପାଇଁ କଟକର ପ୍ରସିଦ୍ଧି ରହିଛି।

ଝୋଟି ଚିତା

ଝୋଟି ଚିତା

ପର୍ବପର୍ବାଣିରେ ଓଡ଼ିଆ ଘରେ ଝୋଟି ଚିତା ପଡ଼ିଥାଏ। ଅରୁଆ ଚାଉଳକୁ ବାଟି ଝୋଟି ଚିତା ପକାଯାଇଥାଏ। ମାର୍ଗଶିର ମାସ ଗୁରୁବାରରେ ଝୋଟି ଚିତା ଘରର ପରିବେଶକୁ ଆଧ୍ୟାତ୍ମିକ କରି ଗଢ଼ିତୋଳିଥାଏ।

ପୋଡ଼ାମାଟି କାମ

ପୋଡ଼ାମାଟି କାମ

ଓଡ଼ିଶାର ପୋଡ଼ାମାଟି କାମ ବେଶ୍‌ ଉଚ୍ଚକୋଟୀର। ଚିକିଟା ମାଟିରେ ସୁନ୍ଦର ସୁନ୍ଦର ହାତୀ, ଘୋଡ଼ା, ବର କନ୍ୟା, ବାଜାବାଲା, ନର୍ତ୍ତକୀ ଆଦିର ମୂର୍ତ୍ତି ଗଢ଼ାଯାଇ ଏହାକୁ ନିଆଁରେ ପୋଡ଼ାଯାଇଥାଏ। ପରେ ଏଥିରେ ନାନା ପ୍ରକାର ରଙ୍ଗ ଦିଆଯାଇଥାଏ। ଏହା ଓଡ଼ିଶାର ଉତ୍କର୍ଷ କଳାକୁ ପ୍ରଦର୍ଶିତ କରିଥାଏ।

ଚାନ୍ଦୁଆ

ଚାନ୍ଦୁଆ

ଚାନ୍ଦୁଆ କାମ ପାଇଁ ପୁରୀ ଜିଲା ପିପିଲିର ବିଶେଷ ଖ୍ୟାତି ରହିଛି। ଏଥିରେ ପ୍ରାୟତଃ ହାତରେ ସିଲେଇ କରିବାକୁ ପଡ଼ିଥାଏ। ଏହାଛଡ଼ା ସିଲେଇ ପାଇଁ ସିଲେଇ ମେଶିନ୍‌ର ବ୍ୟବହାର ମଧ୍ୟ କରାଯାଇଥାଏ। ଏଥିରେ ବିଭିନ୍ନ ରଙ୍ଗର କପଡ଼ାରେ ଏମ୍ବ୍ରୋଡେରୀ କାମ କରାଯାଇଥାଏ। ପିପିଲି ଚାନ୍ଦୁଆ କାମର ଆଦର ବିଦେଶରେ ମଧ୍ୟ ରହିଛି।

ପଟଚିତ୍ର

ପଟଚିତ୍ର

ପୁରୀ ଜିଲା ରଘୁରାଜପୁର ଗାଁ ପଟଚିତ୍ର ପାଇଁ ପ୍ରସିଦ୍ଧ। ଓଡ଼ିଶାରେ ପୁରୀ, କୋଣାର୍କ, ପାରଳାଖେମୁଣ୍ଡି, ଚିକିଟି, ସୋନପୁର ଓ ଭୁବନେଶ୍ୱର ଆଦି ଅଞ୍ଚଳରେ ୫ମ ଶତାବ୍ଦୀଠାରୁ ପଟଚିତ୍ର କାମ ଆରମ୍ଭ ହୋଇଥିବାର ଅନୁମାନ କରାଯାଏ। ଏଥିରେ ମୁଖ୍ୟତଃ ଲାଲ୍‌, ହଳଦିଆ, ଧଳା ଓ କଳା ଆଦି ୪ଟି ରଙ୍ଗ ବହୁଳ ଭାବେ ବ୍ୟବହୃତ ହୋଇଥାଏ।