Dharitri News

ଶ୍ରେଷ୍ଠ ପାଞ୍ଚ: ବିଷ୍ଣୁ ମନ୍ଦିର

କ୍ଷୀରଚୋରା ଗୋପୀନାଥ ମନ୍ଦିର

କ୍ଷୀରଚୋରା ଗୋପୀନାଥ ମନ୍ଦିର

ବାଲେଶ୍ୱର ଜିଲାର ରେମୁଣାଠାରେ କ୍ଷୀରଚୋରା ଗୋପୀନାଥ ମନ୍ଦିର ରହିଛି। ଏଠାରେ ଶ୍ରୀଗୋବିନ୍ଦ ଓ ମଦନମୋହନଙ୍କ ମୂର୍ତ୍ତି ରହିଛି। ମନ୍ଦିରରେ ଠାକୁରଙ୍କୁ ଅମୃତକେଳି ଭୋଗ ଲାଗି ହୋଇଥାଏ। ୧୩ଶହ ଶତାବ୍ଦୀରେ ଏହି ଭବ୍ୟ ମୂର୍ତ୍ତି ଚିତ୍ରକୂଟରୁ ଅଣାଯାଇଥିବା ଅନୁମାନ କରାଯାଏ। ଏଠାରେ ବ୍ରଜପୋଖରୀ ଓ କୂଟପୋଖରୀ ନାମକ ଦୁଇଟି ଜଳାଶୟ ରହିଛି।

ଅନନ୍ତ ବାସୁଦେବ ମନ୍ଦିର

ଅନନ୍ତ ବାସୁଦେବ ମନ୍ଦିର

ଭୁବନେଶ୍ୱରରେ ଥିବା ଅନନ୍ତ ବାସୁଦେବ ମନ୍ଦିର ୧୩ଶହ ଶତାବ୍ଦୀରେ ଗଙ୍ଗବଂଶ ରାଜା ତୃତୀୟ ଅନଙ୍ଗ ଭୀମଙ୍କ ପୁତ୍ରୀ ରାଣୀ ଚନ୍ଦିକା ଦେବୀଙ୍କ ଦ୍ୱାରା ରାଜା ଭାନୁଦେବଙ୍କ ସମୟରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ। ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣ, ଶ୍ରୀବଳରାମ ଓ ମାତା ସୁଭଦ୍ରାଙ୍କ ମୂର୍ତ୍ତି ରହିଛି।

ମାଧବ ମନ୍ଦିର

ମାଧବ ମନ୍ଦିର

କଟକ ଜିଲା ନିଆଳି ବ୍ଲକ୍‌ରେ ରହିଛି ମାଧବ ମନ୍ଦିର। ଏହି ମନ୍ଦିର ପଞ୍ଚରଥ ଶୈଳୀରେ ନିର୍ମିତ ହୋଇଛି। ୧୩ଶହ ଶତାବ୍ଦୀରେ ଏହାକୁ ଗଙ୍ଗବଂଶୀ ରାଜା ନିର୍ମାଣ କରିଥିବାର ଅନୁମାନ କରାଯାଉଛି। ମନ୍ଦିର ଗାତ୍ରରେ କୃଷ୍ଣ ଲୀଳା ଓ ମହାଭାରତର ବିଭିନ୍ନ ଦୃଶ୍ୟ ଖୋଦିତ ହୋଇଛି। ଏହା ସହିତ ଶ୍ରୀବିଷ୍ଣୁଙ୍କ ଅନନ୍ତ ଶୟନ ଓ ଦଶାବତାର ଜଗମୋହନର କାନ୍ଥରେ ଖୋଦିତ ହୋଇଛି। ଜନ୍ମାଷ୍ଟମୀ ଓ ଏକାଦଶୀରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ପରିଲକ୍ଷିତ ହୋଇଥାଏ।

ନୀଳମାଧବ ମନ୍ଦିର

ନୀଳମାଧବ ମନ୍ଦିର

ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ୍‌ କଣ୍ଟିଲୋର ମହାନଦୀ ତଟରେ ରହିଛି ଶ୍ରୀନୀଳମାଧବଜୀଉ ମନ୍ଦିର। ଏଠାରେ ନୀଳମାଧବଙ୍କ ପାଦ ତଳେ ଜଳଧାରା ପ୍ରବାହିତ ହୋଇଥାଏ। ଶ୍ରୀମନ୍ଦିର ପରି ଏହି ମନ୍ଦିର ପରିସରରେ ମଧ୍ୟ ମାତା ମହାଲକ୍ଷ୍ମୀଙ୍କ ମନ୍ଦିର ରହିଛି।

ଶ୍ରୀମନ୍ଦିର

ଶ୍ରୀମନ୍ଦିର

ଶ୍ରୀକ୍ଷେତ୍ର ପୁରୀରେ ଥିବା ଶ୍ରୀମନ୍ଦିର ୧୧୬୧ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ। ଶ୍ରୀମନ୍ଦିରରେ ରତ୍ନବେଦି ଉପରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମାତା ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ପୂଜା ପାଆନ୍ତି। ଏହା ସହିତ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ ଓ ବିଶ୍ୱଧାତ୍ରୀ ମଧ୍ୟ ବେଦିରେ ପୂଜା ପାଇଥାନ୍ତି। ଶ୍ରୀମନ୍ଦିରକୁ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କରିଥିବାର ପୁରାଣରେ ବର୍ଣ୍ଣନା କରାଯାଇଛି। ଶ୍ରୀମନ୍ଦିର ପରିସରରେ ରତ୍ନବେଦିର ବାମ ପାର୍ଶ୍ୱରେ ମାତା ଲକ୍ଷ୍ମୀଙ୍କର ମନ୍ଦିର ରହିଛି।