ଶ୍ରେଷ୍ଠ ପାଞ୍ଚ: ପଞ୍ଚସଖା

ବଳରାମ ଦାସ

ବଳରାମ ଦାସ

ମହାପୁରୁଷ ବଳରାମ ଦାସ ୧୪୮୪ରେ ଯାଜପୁରରେ ଜନ୍ମ ହୋଇଥିବା ଅନୁମାନ କରାଯାଏ। ପରବର୍ତ୍ତୀ ସମୟରେ ସେ ଚୈତନ୍ୟଙ୍କୁ ପୁରୀରେ ଭେଟିବାକୁ ଆସି ସେଠାରେ ରହିଯାଇଥିଲେ। ତାଙ୍କ ମାତାଙ୍କ ନାମ ମନୋମାୟା ବା ମହାମାୟା ଓ ପିତାଙ୍କ ନାମ ସୋମନାଥ ମହାପାତ୍ର ଥିଲା। ସେ କୃପାସିଦ୍ଧା ଓ ମତ୍ତ ବଳରାମ ଦାସ ଭାବେ ବେଶ୍‌ ଜଣାଶୁଣାଥିଲେ। ବଳରାମଙ୍କ ଦ୍ୱାରା ରଚିତ ଲକ୍ଷ୍ମୀପୁରାଣ, ଦାଣ୍ଡି ରାମାୟଣ, ଅମରକୋଷ ଗୀତା ବେଶ୍‌ ଉଚ୍ଚକୋଟୀର।

ଶିଶୁ ଅନନ୍ତ ଦାସ

ଶିଶୁ ଅନନ୍ତ ଦାସ

ଶିଶୁ ଅନନ୍ତ ଦାସ ରାଜା ପୁରୁଷୋତ୍ତମ ଦେବଙ୍କ ୨୫ ଅଙ୍କ ୧୪୮୬ ମସିହାରେ ବାଲିପାଟଣାରେ ଜନ୍ମଗ୍ରହଣ କରିଥିଲେ। କେହି କେହି ସେ ୧୪୭୨ ମସିହାରେ ଜନ୍ମ ହୋଇଥିବା ମଧ୍ୟ କହିଥାନ୍ତି। ତାଙ୍କ ମାତାଙ୍କ ନାମ ଗୌରୀ ଓ ପିତାଙ୍କ ନାମ କପିଳ ମହାନ୍ତି ଥିଲା। ତାଙ୍କର ନାମ ଅନନ୍ତ ମହାନ୍ତି ଥିଲା। ପରବର୍ତ୍ତୀ ସମୟରେ ଏହା ପରିବର୍ତ୍ତନ ହୋଇଥିଲା। ତାଙ୍କ ଦ୍ୱାରା ରଚିତ ହେତୁ ଉଦୟ ଭାଗବତ, ଭବିଷ୍ୟ ପୁରାଣ, ଅଣାକାର ଶବଦ ଆଦି ବେଶ୍‌ ଲୋକପ୍ରିୟ।

ଅତିବଡ଼ି ଜଗନ୍ନାଥ ଦାସ

ଅତିବଡ଼ି ଜଗନ୍ନାଥ ଦାସ

ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସ ୧୪୯୦ ଭାଦ୍ରବ ଶୁକ୍ଳ ଅଷ୍ଟମୀରେ ପୁରୀ କପିଳେଶ୍ୱରପୁର ଶାସନଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାଙ୍କ ନାମ ପଦ୍ମାବତୀ ଓ ପିତାଙ୍କ ନାମ ଭଗବାନ ଦାସ ଥିଲା। ପୁରୀରେ ସମୁଦ୍ରକୂଳରେ ସେ ସାତଲହଡ଼ି ମଠ ସ୍ଥାପନ କରିଥିଲେ। ତାଙ୍କ ରଚିତ ଓଡ଼ିଆ ଭାଗବତ, ନିତ୍ୟଗୁପ୍ତ ମାଳା,ନୀଳାଦ୍ରି ଶତକମ୍‌ ଆଦି ଅତ୍ୟନ୍ତ ଉଚ୍ଚକୋଟୀର। ଜଗନ୍ନାଥ ଦାସ ୧୫୫୦ରେ ଦେହତ୍ୟାଗ କରିଥିବାର ଅନୁମାନ କରାଯାଏ।

ଯଶୋବନ୍ତ ଦାସ

ଯଶୋବନ୍ତ ଦାସ

ମହାପୁରୁଷ ଯଶୋବନ୍ତ ଦାସ ୧୪୮୭ ମାଘ ଶୁକ୍ଳ ଷଷ୍ଠୀରେ ଜଗତ୍‌ସିଂହପୁର ନାଇଲୋ ସ୍ଥିତ ଅଢ଼ଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାଙ୍କ ନାମ ରେଖା ଦେବୀ ଓ ପିତାଙ୍କ ନାମ ଜଗନ୍ନାଥ ମଲ୍ଲିକ ବା ଜଗୁ ମଲ୍ଲିକ ଥିଲା। ତାଙ୍କ ଦ୍ୱାରା ରଚିତ ଗୋବିନ୍ଦଚନ୍ଦ୍ର, ପ୍ରେମଭକ୍ତି ବ୍ରହ୍ମଗୀତା, ଭବିଷ୍ୟ ମାଳିକା ଅତ୍ୟନ୍ତ ଉଚ୍ଚକୋଟୀର। ଯଶୋବନ୍ତ ମାଘ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିବାର ଅନୁମାନ କରାଯାଏ।

ଅଚ୍ୟୁତାନନ୍ଦ ଦାସ

ଅଚ୍ୟୁତାନନ୍ଦ ଦାସ

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୧୫୧୦ ଜାନୁୟାରୀ ମାଘ ଶୁକ୍ଳ ଏକାଦଶୀରେ କଟକ ଜିଲା ନେମାଳର ତିଳକଣାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତାଙ୍କ ନାମ ପଦ୍ମାବତୀ ଓ ପିତାଙ୍କ ନାମ ଦୀନବନ୍ଧୁ ଖୁଣ୍ଟିଆ ଥିଲା ବୋଲି ତାହା ତାଙ୍କ ରଚନାରୁ ଜଣାଯାଏ। ଅନେକ ସ୍ଥାନରେ ଅଚ୍ୟୁତାନନ୍ଦ ନିଜ ମାତା ପିତାଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେ ୩୬ ସଂହିତା, ୭୮ ଗୀତା, ୧୦୦ ମାଳିକା, ୧୬୦ ହଜାର ପଦ୍ୟପଦ୍ୟାବଳୀ ରଚନା କରିଛନ୍ତି। ତାଙ୍କ ଦ୍ୱାରା ରଚିତ ଶୂନ୍ୟ ସଂହିତା, ହରିବଂଶ, ଅଣାକାର ସଂହିତା, କଳିଯୁଗ ମାଳିକା ବେଶ୍‌ ଲୋକପ୍ରିୟ। ଅଚ୍ୟୁତାନନ୍ଦ ଜ୍ୟୋଷ୍ଠ ଶୁକ୍ଳ ଏକାଦଶୀରେ ଦେହତ୍ୟାଗ କରିଥିଲେ।