ଶ୍ରେଷ୍ଠ ପାଞ୍ଚ: ପୁରୀ ଖଜା

ଭରତ ସୁଇଟ୍ସ

ଭରତ ସୁଇଟ୍ସ

ଦୀର୍ଘ ବର୍ଷ ତଳେ ଭରତ ମହାପାତ୍ର ଏହି ଦୋକାନ ଆରମ୍ଭ କରିଥିଲେ। ବାପାଙ୍କ ନାମାନୁସାରେ ତାଙ୍କ ପୁଅ କୁନା ଏହାକୁ ଭରତ ସୁଇଟ୍ସ ନାମ ଦେଇଛନ୍ତି। ଗ୍ରାହକଙ୍କ ସହ ସୁସମ୍ପର୍କ ରଖିଥାଏ ଏହି ଦୋକାନ। ପ୍ରଥମେ ଦୁଇ ପ୍ରକାରର ଖଜା ପ୍ରସ୍ତୁତ କରୁଥିବା କୁନା ଏବେ ଗ୍ରାହକଙ୍କ ଚାହିଦାନୁଯାୟୀ ୪ପ୍ରକାର ଖଜା ପ୍ରସ୍ତୁତ କରୁଛନ୍ତି। ଖଜା କିଲୋପ୍ରତି ୧୨୦ରୁ ୩୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଥିବା ସେ କହିଛନ୍ତି। ଦୈନିକ ୨୦ରୁ ୩୦କେଜି ଖଜା ବିକ୍ରି କରନ୍ତି।

ଭାଇ ଭାଇ ସୁଇଟ୍ସ

ଭାଇ ଭାଇ ସୁଇଟ୍ସ

ଶ୍ରୀକ୍ଷେତ୍ରକୁ ଆସୁଥିବା ଭକ୍ତଙ୍କ ସହିତ ଏହି ଦୋକାନର ଏକ ନିଆରା ସମ୍ପର୍କ ରହିଛି। ଖଜାପଟି ଗଳିରେ ଆଜିକୁ ୪୦ବର୍ଷ ତଳେ ରମାକାନ୍ତ ମହାପାତ୍ର ଏହି ଦୋକାନ ଆରମ୍ଭ କରିଥିଲେ। ଗ୍ରାହକଙ୍କ ସହ ଉତ୍ତମ ସମ୍ପର୍କ କାରଣରୁ ଏହା ପରବର୍ତ୍ତୀ ସମୟରେ ଭାଇ ଭାଇ ସୁଇଟ୍ସ ନାମରେ ନାମିତ ହୋଇଥିବା ଜଣାଯାଏ। ଏଠାରେ ୩ ପ୍ରକାରର ଖଜା ପ୍ରସ୍ତୁତ କରାଯାଇଥାଏ। କିଲୋପ୍ରତି ୧୨୦ରୁ ୩୫୦ଟଙ୍କା ପର୍ଯ୍ୟନ୍ତ ଖଜାର ଦାମ୍‌ ରହିଛି। ସ୍ଥାନୀୟ ଲୋକେ ଏବଂ ପର୍ଯ୍ୟଟକ ଏଠାରୁ ଖଜା କିଣିଥାନ୍ତି।

ଶ୍ରୀ ନୃସିଂହ ସୁଇଟ୍ସ

ଶ୍ରୀ ନୃସିଂହ ସୁଇଟ୍ସ

ଖଜାପଟି ଗଳିରେ ରହିଥିବା ଏହି ଦୋକାନର ଏକ ସ୍ବତନ୍ତ୍ରତା ରହିଛି। ପୁରୀର ଅନ୍ୟତମ ପୁରୁଣା ଖଜା ଦୋକାନ ଭାବେ ଏହାକୁ ଗଣାଯାଏ। ଗ୍ରାହକଙ୍କ ଚାହିଦା ଅନୁଯାୟୀ ଏଠାରେ ୫ ପ୍ରକାରର ଖଜା ପ୍ରସ୍ତୁତ ହୋଇଥାଏ। ନୃସିଂହ ସୁଇଟ୍ସର ପ୍ରତିଷ୍ଠାତା ଗଙ୍ଗାଧର ସାହୁ ଶର୍ମା କୁହନ୍ତି, ଏଠାରେ ଲୋକଙ୍କୁ ଖଜା ସହିତ ଶ୍ରୀବିଷ୍ଣୁ ସହସ୍ରନାମ, ହନୁମାନ ଚାଳିଶା ନିଃଶୁଳ୍କ ଦିଆଯାଏ। କିଲୋପ୍ରତି ୧୫୦ରୁ ୫୦୦ଟଙ୍କା ପର୍ଯ୍ୟନ୍ତ ଖଜାର ଦାମ ରହିଛି। ନରମ ଖଜାର ଚାହିଦା ବେଶି। ବିଶେଷକରି ପୁରୀ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ଏହି ଦୋକାନରେ ଲାଗିଥାଏ।

ଟେଷ୍ଟି ଆଣ୍ଡ ଟୁଇଷ୍ଟ ସୁଇଟ୍ସ

ଟେଷ୍ଟି ଆଣ୍ଡ ଟୁଇଷ୍ଟ ସୁଇଟ୍ସ

ହରଚଣ୍ଡୀ ସାହିରେ ରହିଛି ଏହି ଦୋକାନ। ୫୦ବର୍ଷ ତଳେ ଏକ ଛୋଟ ଦୋକାନରୁ ଆରମ୍ଭ କରିଥିଲେ ଭୀମସେନ ପଣ୍ଡା। ତାଙ୍କ ପରେ ପୁଅ କୃଷ୍ଣଚନ୍ଦ୍ର ପଣ୍ଡା ଏହି ଦୋକାନର ନବକଳେବର କରିଛନ୍ତି। କୃଷ୍ଣ କୁହନ୍ତି, ତିନି ପ୍ରକାର ଖଜା କରାଯାଏ। ୨ବର୍ଷ ହେଲା ମଧୁମେହ ରୋଗୀଙ୍କ ଆଗ୍ରହକୁ ଦେଖି ଏଠାରେ ସୁଗାର ଫ୍ରି ଖଜା ମଧ୍ୟ ପ୍ରସ୍ତୁତ କରାଯାଉଛି। ଏହାର ବେଶ୍‌ ଚାହିଦା ରହିଛି। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଏହି ଦୋକାନରୁ ଅର୍ଡର ଦେଇ ସୁଗାର ଫ୍ରି ଖଜା ନେଇଥାନ୍ତି ବୋଲି କୃଷ୍ଣ କହିଛନ୍ତି। କିଲୋପ୍ରତି ୧୨୦ରୁ ୩୫୦ଟଙ୍କା ପର୍ଯ୍ୟନ୍ତ ଦାମ୍‌ରେ ଖଜା ବିକ୍ରି କରାଯାଏ।

ଜୟ ଜଗନ୍ନାଥ ସୁଇଟ୍ସ

ଜୟ ଜଗନ୍ନାଥ ସୁଇଟ୍ସ

କାକୁଡ଼ିଖାଇ ଛକରେ ରହିଛି ଜୟ ଜଗନ୍ନାଥ ସୁଇଟ୍ସ। ଆଜିକୁ ୪୦ବର୍ଷ ତଳେ ଭୀମସେନ ସାହୁ ଏହାକୁ ଆରମ୍ଭ କରିଥିଲେ। ଏଠାରେ ବିଭିନ୍ନ ପ୍ରକାରର ଖଜା ପ୍ରସ୍ତୁତ ହୁଏ। ବଜାରର ଚାହିଦା ଅନୁଯାୟୀ ଖଜା ପ୍ରସ୍ତୁତ କରାଯାଏ। ସାଧାରଣତଃ ନରମ ହାଲୁକା ଖଜା ପାଇଁ ଲୋକଙ୍କ ଅଧିକ ଚାହିଦା ରହିଛି। ଏଣୁ ଜୟ ଜଗନ୍ନାଥ ସୁଇଟ୍ସ ଗ୍ରାହକଙ୍କ ପସନ୍ଦକୁ ପ୍ରାଧାନ୍ୟ ଦେଇଥାଏ। ଏହାର କେଜି ପିଛା ମୂଲ୍ୟ ୧୦୦ରୁ ୩୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଦୈନିକ ୩୦ରୁ ୩୫କେଜି ଖଜା ବିକ୍ରି ହୋଇଥାଏ।

Model This Week

ନିକିତା