ଶ୍ରେଷ୍ଠ ପାଞ୍ଚ: ଶ୍ରୀମନ୍ଦିରର ପଞ୍ଚ ଦେବତା

ଶ୍ରୀମଦନମୋହନ

ଶ୍ରୀମଦନମୋହନ

ପ୍ରଭୁ ଶ୍ରୀମଦନମୋହନ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ବା ଚଳନ୍ତି ପ୍ରତିମା। ଦାରୁବ୍ରହ୍ମ ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରର ସମସ୍ତ ରୀତିନୀତି ପାଇଁ ସବୁବେଳେ ରତ୍ନବେଦିରୁ ଅପସାରିତ ହୁଅନ୍ତି ନାହିଁ। ସେସବୁ କାର୍ଯ୍ୟରେ ଶ୍ରୀଜଗନ୍ନାଥଙ୍କ ବଦଳରେ ତାଙ୍କ ପ୍ରତିଭୂ ଚଳନ୍ତି ବିଗ୍ରହ ଶ୍ରୀମଦନମୋହନ ବିଜେ କରିଥାନ୍ତି। ଶ୍ରୀମଦନମୋହନଙ୍କ ଆକୃତି ପ୍ରଭୁ ଶ୍ରୀକୃଷ୍ଣଙ୍କ ଅନୁରୂପ। ଅଷ୍ଟଧାତୁରେ ନିର୍ମିତ ମଦନମୋହନଙ୍କ ଉଚ୍ଚତା ଏକଫୁଟ। ସେ ବଂଶୀଧାରୀ ତ୍ରିଭଙ୍ଗୀ ଠାଣିରେ ଦଣ୍ଡାୟମାନ। ତାଙ୍କର ଆସ୍ଥାନର ଉଚ୍ଚତା ୨ଫୁଟ। ଆସ୍ଥାନଟି ଅଷ୍ଟଧାତୁରେ ନିର୍ମିତ।

ଶ୍ରୀସୁଦର୍ଶନ

ଶ୍ରୀସୁଦର୍ଶନ

ପ୍ରଭୁ ଶ୍ରୀସୁଦର୍ଶନ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଆୟୁଧ ସୁଦର୍ଶନ ଚକ୍ର। ରତ୍ନବେଦିରେ ପ୍ରଭୁ ଏକ ଦଣ୍ଡ ରୂପେ ଶୋଭା ପାଆନ୍ତି। ପୁରାଣ ଅନୁସାରେ ତିନିଯୁଗରେ ସୁଦର୍ଶନ ଚକ୍ର ଗୋଲାକାର ଥିବାବେଳେ କଳିଯୁଗରେ ସ୍ତମ୍ଭାକାର ରୂପେ ବିରାଜିତ। ତିନି ଯୁଗରେ ସେ ପ୍ରଭୁ ବିଷ୍ଣୁଙ୍କର ଦକ୍ଷିଣ ହସ୍ତରେ ଶୋଭା ପାଉଥିବାବେଳେ କଳିଯୁଗରେ ରତ୍ନବେଦିରେ ବାମପାର୍ଶ୍ୱରେ ବିରାଜମାନ।

ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ

ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କର ଅତି ପ୍ରିୟ ଠାକୁର। ତାଙ୍କର ରଙ୍ଗ କଳା। ବ୍ୟାକରଣ ଦୃଷ୍ଟିରୁ ଜଗନ୍ନାଥ ଶବ୍ଦର ଅର୍ଥ ‘ଜଗତି’ ଅଥାତ୍‌ ସର୍ବୋଚ୍ଚ ସ୍ଥାନ, ରତ୍ନବେଦି ଉପରେ ବିଜେ କରିଥିବା ନାଥ। ସଂସ୍କୃତରେ ସନ୍ଧି ପ୍ରକରଣ ଆଧାରରେ ଏହାକୁ ଜଗତ୍‌ + ନାଥ ଭାବେ ଦର୍ଶାଯାଇଥାଏ। ଭକ୍ତ ତାଙ୍କୁ ଶ୍ରଦ୍ଧାରେ ଜଗା, ଜଗବନ୍ଧୁ, କାଳିଆ ସାଆନ୍ତ, ଦାରୁବ୍ରହ୍ମ, ଚକାଆଖି, ଚକାଡ଼ୋଳା ଆଦି ନାମରେ ଡାକିଥାନ୍ତି। କାଳିଆ ଠାକୁରଙ୍କ ନାମର ପ୍ରତିଟି ଅକ୍ଷର ସ୍ବତନ୍ତ୍ର। ଶ୍ରୀ’ର ଅର୍ଥ ଲକ୍ଷ୍ମୀ ଓ ଐଶ୍ୱର୍ଯ୍ୟ, ଜ’ର ଅର୍ଥ ଉତ୍ପତ୍ତି ଓ ତେଜଃ, ଗ’ର ଅର୍ଥ ଗଗନ ଓ ସ୍ବର୍ଗ, ନ୍ନା’ର ଅର୍ଥ ନିରାକାର ଓ ଅବିନାଶୀ, ଥ’ର ଅର୍ଥ ପର୍ବତ ଓ ଭୟତ୍ରାତା। ଶ୍ରୀଜଗନ୍ନାଥଙ୍କର ସ୍ଥାପନ କର୍ତ୍ତା ହେଉଛନ୍ତି ବ୍ରହ୍ମାଙ୍କର ପଞ୍ଚମ ପୁରୁଷ ସୂର୍ଯ୍ୟବଂଶର ରାଜା ଇନ୍ଦ୍ରଦ୍ୟୁମ୍ନ। ସେ ଅବନ୍ତୀ ଦେଶର ରାଜା ଥିଲେ। ସତ୍ୟଯୁଗରେ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ପ୍ରଥମେ ଜଗନ୍ନାଥ ପ୍ରକଟ ହୋଇଥିଲେ ବୋଲି ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ତାଙ୍କର ଷୋଳକଳା ବିଷୟରେ ବିଭିନ୍ନ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ମାତା ସୁଭଦ୍ରା

ମାତା ସୁଭଦ୍ରା

ଶ୍ରୀମନ୍ଦିରରେ ରତ୍ନବେଦିରେ ପୂଜା ପାଉଥିବା ମାତା ସୁଭଦ୍ରା ହେଉଛନ୍ତି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ଭଗିନୀ। ତାଙ୍କର ରଙ୍ଗ ହଳଦିଆ। ସେ ରୋହିଣୀଙ୍କ ଗର୍ଭରୁ ଜାତ ହୋଇଥିଲେ। ସୁଭଦ୍ରା ତୃତୀୟ ପାଣ୍ଡବ ଅର୍ଜୁନଙ୍କୁ ବିବାହ କରିଥିଲେ। ମାତା ଶ୍ରୀମନ୍ଦିରରେ ଭୁବନେଶ୍ୱରୀ ରୂପରେ ପୂଜା ପାଆନ୍ତି। ସଗୁଣରୁ ନିର୍ଗୁଣ ହେବାକୁ ହେଲେ ଅବା ସ୍ବରାଟକୁ ବିରାଟରେ ମିଶାଇବାକୁ ହେଲେ ମାତୃ ଚେତନା ହିଁ ପ୍ରାଥମିକ ଆବଶ୍ୟକତା ହୋଇଥାଏ। ମାତା ସୁଭଦ୍ରା ହେଉଛନ୍ତି ମାତୃଶକ୍ତି। ମାତା ବଡ଼ଭାଇ ବଳଭଦ୍ର ଓ ସାନଭାଇ କାଳିଆ ଠାକୁରଙ୍କ ମଝିରେ ରତ୍ନବେଦିରେ ପୂଜା ପାଆନ୍ତି। ମାତାଙ୍କୁ ଶକ୍ତିସ୍ବରୂପା କୁହାଯାଇଥାଏ।

ଶ୍ରୀବଳଭଦ୍ର

ଶ୍ରୀବଳଭଦ୍ର

ଶ୍ରୀବଳଭଦ୍ର ହେଉଛନ୍ତି ବଡ଼ଭାଇ। ତାଙ୍କ ରଙ୍ଗ ଗୋରା। ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କର ଜ୍ୟେଷ୍ଠଭ୍ରାତା ବଳରାମ ଜଗନ୍ନାଥ ସଂସ୍କୃତିରେ ବଡ଼ଭାଇ ବଳଭଦ୍ର ଭାବେ ବିରାଜିତ। ସେ ରୋହିଣୀଙ୍କ ଗର୍ଭରୁ ଶ୍ରାବଣପୂର୍ଣ୍ଣିମା ଅର୍ଥାତ୍‌ ଗହ୍ମାପୂର୍ଣ୍ଣମୀରେ ଜନ୍ମଗ୍ରହଣ କରିଥିଲେ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଅନେକ ଭକ୍ତଙ୍କ ମତରେ କାଳିଆ ଠାକୁରଙ୍କୁ କିଛି ମାଗିବା ପୂର୍ବରୁ ବଡ଼ଭାଇଙ୍କୁ ମାଗିଲେ ତାହା ନିଶ୍ଚିତ ପ୍ରାପ୍ତି ହୋଇଥାଏ।


Model This Week

କ୍ରିଷ୍ଣା
Why Dharitri