ଶ୍ରେଷ୍ଠ ପାଞ୍ଚ: ମହାପ୍ରଭୁଙ୍କ ପଞ୍ଚକ ବେଶ

ସୁନାବେଶ

ସୁନାବେଶ

କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଠାକୁର ୨୩ ପ୍ରକାରର ସ୍ବର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି। ସୁବର୍ଣ୍ଣ ଶ୍ରୀଭୁଜ, କିରୀଟ, ଶ୍ରୀପୟର, କାନ, କଦମ୍ବମାଳି, ହରିଡା କଦମ୍ବମାଳି, ବାହାଡା ମାଳି, ତାବିଜ ମାଳି, ବାଘନଖି ମାଳି, ସେବତୀ ମାଳି, ହଳମୁଷଳ, ଚକ୍ର, ତ୍ରିଶାଖା, ଅଳକା, ଶ୍ରୀମୁଖ ପଦ୍ମ, ରୁପା ଶଙ୍ଖ, ଓଡିଆଣି, ଚନ୍ଦ୍ରସୂର୍ଯ୍ୟ, ତିଳକ (ଚିତା), ଘାଘଡା ମାଳି, କୁଣ୍ଡଳ ଓ ତଡଗୀ ଲାଗି ହୋଇଥାନ୍ତି। ଠାକୁରମାନଙ୍କ ମସ୍ତକରେ ସ୍ବର୍ଣ୍ଣ କିରୀଟ ଶୋଭାପାଏ।

ଲକ୍ଷ୍ମୀନୃସିଂହ ବେଶ

ଲକ୍ଷ୍ମୀନୃସିଂହ ବେଶ

ପଞ୍ଚକର ଚତୁର୍ଥ ଦିବସରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ। ଲକ୍ଷ୍ମୀନୃସିଂହ ବେଶରେ ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, କିରୀଟ, କୁଣ୍ଡଳ, ଚନ୍ଦ୍ରିକା ଆଦି ଧାରଣ କରିଥାନ୍ତି। ବଡ଼ଠାକୁର ସୁବର୍ଣ୍ଣର ହଳମୁଷଳ ଏବଂ ଜଗନ୍ନାଥ ମହାପ୍ରଭୁ ରୁପାର ଶଙ୍ଖ ଏବଂ ସୁବର୍ଣ୍ଣ ଚକ୍ର ଧାରଣ କରିଥାନ୍ତି। ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଚୂଳରେ ସୁବର୍ଣ୍ଣ କିଆ ଖଞ୍ଜାଯାଇଥାଏ। ଏହାସହିତ ସୋଲ ଓ ଜରିରେ ନିର୍ମିତ ବିଭିନ୍ନ ଫୁଲ ଠାକୁର ଧାରଣ କରିଥାନ୍ତି। ଏହି ବେଶରେ ଠାକୁରମାନେ ପାଟବସ୍ତ୍ରରେ ବିଭୂଷିତ ହେବା ସହିତ ବିଭିନ୍ନ ସୁବାସିତ ପୁଷ୍ପରେ ମଣ୍ଡିତ ହୋଇଥାନ୍ତି।

ତ୍ରିବିକ୍ରମ ବେଶ

ତ୍ରିବିକ୍ରମ ବେଶ

ପଞ୍ଚକର ତୃତୀୟ ଦିବସରେ ରତ୍ନସିଂହାସନରେ ତିନି ଠାକୁରଙ୍କ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଶ୍ରୀମସ୍ତକରେ ସୋଲ, କନା, ବେତ, ଜମ୍ବୁରା କଇଥ ଅଠା ଇତ୍ୟାଦିରେ ନିର୍ମିତ ଦୁଇଟି ଚୂଳ ଲାଗି ହୋଇଥାଏ । ଚୂଳରେ ସୋଲ, ଜରି ଓ ରଙ୍ଗ ଲଗାଯାଇ ପ୍ରସ୍ତୁତ ଫୁଲ ଶ୍ରୀମସ୍ତକରେ ସଜ୍ଜା ଯାଇଥାଏ । ଏଥିରେ ସୁନାର କିଆ ମଧ୍ୟ ଖଞ୍ଜା ଯାଇଥାଏ। ଏଥିସହ ଅନେକ ସୁବର୍ଣ୍ଣ ଅଳଙ୍କାରରେ ଠାକୁରଙ୍କୁ ବିଭୂଷିତ କରାଯାଇଥାଏ। ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର ଏବଂ ଶ୍ରୀବଳଭଦ୍ର ହଳ, ମୁଷଳ ଧାରଣ କରିଥାନ୍ତି।

ବାଙ୍କଚୂଡ଼ା ବେଶ

ବାଙ୍କଚୂଡ଼ା ବେଶ

ପଞ୍ଚକର ଦ୍ୱିତୀୟ ଦିବସରେ ରତ୍ନସିଂହାସନରେ ତିନି ଠାକୁରଙ୍କ ବାଙ୍କଚୂଡ଼ା ତଥା ବାମନ ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶରେ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପକାଯାଇଥାଏ। ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ଏକ ଛୋଟ ସ୍ବର୍ଣ୍ଣ କିରୀଟ ମହାପ୍ରଭୁଙ୍କ କପାଳର ଶୀର୍ଷ ଭାଗରେ ଶୋଭାପାଏ। ଲକ୍ଷ୍ମୀନାରାୟଣ ବେଶରେ ବ୍ୟବହୃତ ହେଉଥିବା ଅଧିକାଂଶ ଅଳଙ୍କାର ଏହି ବେଶରେ ମହାପ୍ରଭୁ ଲାଗି ହୋଇଥାନ୍ତି।

ଲକ୍ଷ୍ମୀ ନାରାୟଣ ବେଶ

ଲକ୍ଷ୍ମୀ ନାରାୟଣ ବେଶ

ପଞ୍ଚକ ବ୍ରତର ପ୍ରଥମ ଦିନ ରତ୍ନସିଂହାସନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ତଥା ଠିଆକିଆ ବେଶ ହୋଇଥାଏ। ଏଥିରେ ଠାକୁର ୨୩ ପ୍ରକାର ସ୍ବର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି। ସୁନାବେଶ ଭଳି ଏହି ବେଶରେ ଠାକୁରମାନଙ୍କ ମସ୍ତକରେ ସ୍ବର୍ଣ୍ଣକିରୀଟ ଶୋଭାପାଇଥାଏ। କିରୀଟ ପଛ ପାର୍ଶ୍ୱରେ ସୁବର୍ଣ୍ଣ କିଆ ଲଗା ଯାଇଥାଏ। ମସ୍ତକରେ ସୁବର୍ଣ୍ଣ କିଆ ଠିଆ ହୋଇରହିଥିବାରୁ ଏହି ବେଶର ନାମ ଠିଆକିଆ ବେଶ।

Model This Week

ନିକିତା