ଶ୍ରେଷ୍ଠ ପାଞ୍ଚ: ବୌଦ୍ଧ କୀର୍ତ୍ତି

ଜଉଗଡ଼

ଜଉଗଡ଼

ଗଞ୍ଜାମ ଜିଲା ମାଳତି ପାହାଡରେ ଥିବା ଜଉଗଡ଼ ବୋଦ୍ଧ କୀର୍ତ୍ତି ସମ୍ପର୍କରେ ୧୯୫୬ରେ ଜଣାପଡିଥିଲା। ମୌର୍ଯ୍ୟ ବଂଶର ଶାସନ ସମୟରେ ଖ୍ରୀଷ୍ଟପୂର୍ବ ୨୭୨ରୁ ୨୩୨ ମଧ୍ୟରେ ଏହା ବିକଶିତ ହୋଇଥିଲା। ଏଠାରେ ସମ୍ରାଟ ଅଶୋକଙ୍କ ସମୟରେ ପଥରରେ ଖୋଦିତ ହୋଇଥିବା ସନ୍ଦେଶ ରହିଛି। ଏହା ପ୍ରାକୃତ ଭାଷାରେ ଲିଖିତ ହୋଇଛି।

ଚନ୍ଦ୍ରଗିରି

ଚନ୍ଦ୍ରଗିରି

ଗଜପତି ଜିଲାରେ ଥିବା ଚନ୍ଦ୍ରଗିରି ବୋଦ୍ଧ ସ୍ତୂପ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ଅନେକ ଶିକ୍ଷାର୍ଥୀ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ କରିଥାନ୍ତି। ୧୯୬୦ରେ ତିବ୍ଦତ ଉପରେ ଚାଇନାର ଆକ୍ରମଣ ଯୋଗୁ ଭାରତକୁ ପଳାଇ ଆସିଥିବା ଶରଣାର୍ଥୀଙ୍କୁ ଏହା ନିକଟବର୍ତ୍ତୀ ଗ୍ରାମରେ ଥଇଥାନ କରାଯାଇଛି। ଏହି ସ୍ତୂପକୁ ଜୋରାଙ୍ଗ୍‌ ମନ୍ଦିର କୁହାଯାଇଥାଏ।

ଧଉଳିଗିରି

ଧଉଳିଗିରି

ଭୁବନେଶ୍ୱର ଦୟାନଦୀ କୂଳରେ ଥିବା ଧଉଳି ଶାନ୍ତି ସ୍ତୂପ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଶାସନ ସମୟର ପଥର ଖୋଦେଇ ସନ୍ଦେଶ ୧ରୁ ୧୦ ଏବଂ ୧୫ ରହିଛି। ଏଥିରେ ଅଶୋକଙ୍କ ଶାସନର ଦଣ୍ଡନୀତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଧଉଳି ପାହାଡ଼ ଶୀର୍ଷରେ ଶାନ୍ତିସ୍ତୂପ ରହିଛି। ଏହା ୧୯୭୦ରେ ଜାପନ ବୌଦ୍ଧ ସଂଘ ଓ କଳିଙ୍ଗ ନିପ୍ପନ ବୌଦ୍ଧ ସଂଘର ମିଳିତ ଉଦ୍ୟମରେ ନିର୍ମାଣ କରାଯାଇଥିଲା। ଏଠାରେ ଏକ ପ୍ରାଚୀନ ଶିବ ମନ୍ଦିର ରହିଛି। ଜାଗରରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ।

ଲଳିତଗିରି

ଲଳିତଗିରି

କଟକ ଜିଲା ମାହାଙ୍ଗା ତହସିଲର ପରଭାଡ଼ି ଓ ଲଣ୍ଡା ପାହାଡ ମଧ୍ୟରେ ଲଳିତଗିରି ରହିଛି। ପୂର୍ବରୁ ଏହାକୁ ନଳତିଗିରି କୁହାଯାଉଥିଲା। ପ୍ରଥମେ ୧୯୦୫ରେ ଏହା ଆବିଷ୍କୃତ ହୋଇଥିଲା। ଖ୍ରୀଷ୍ଟପୂର୍ବ ୩୨୨ରୁ ୧୮୫ରେ ମୌର୍ଯ୍ୟ ବଂଶର ଶାସନ ସମୟରୁ ୧୩ ଶତାବ୍ଦୀ ପର୍ଯ୍ୟନ୍ତ ଏହାର ବିକାଶ ଧାରା ଜାରି ରହିଥିବାର ଅନୁମାନ କରାଯାଏ। ୧୯୮୫ରେ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା କରାଯାଇଥିବା ଖନନରେ ଏହା ନିକଟରେ ଥିବା ଲାଙ୍ଗୁଡି ପାହାଡରେ ପୁଷ୍ପଗିରି ବୌଦ୍ଧ କୀର୍ତ୍ତିରାଜି ରହିଥିବାର ଜଣାପଡିଥିଲା। ଏଠାରେ ପୂର୍ବକୁ ମୁହଁ କରିଥିବା ଚୈତଗୃହ ରହିଛି। ଯାହାକି ଇଟାରେ ନିର୍ମିତ ହୋଇଛି। ଏହା ନିକଟରେ ଏକ ମ୍ୟୁଜିୟମ୍‌ ରହିଛି।

ରତ୍ନଗିରି

ରତ୍ନଗିରି

ରତ୍ନଗିରି ବୌଦ୍ଧ କୀତ୍ତିରାଜି ଯାଜପୁର ଜିଲାରେ ବ୍ରାହ୍ମଣୀ ଓ ବିରୂପା ନଦୀ ଅବବାହିକାରେ ଅବସ୍ଥିତ। ୧୯୬୦ରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କରାଯାଇଥିବା ଖନନରେ ଏହା ଆବିଷ୍କୃତ ହୋଇଥିଲା। ଏହା ୫ମ ଶତାବ୍ଦୀରୁ ୧୩ ଶତାବ୍ଦୀ ମଧ୍ୟରେ ବିକଶିତ ହୋଇଥିବାର ଅନୁମାନ କରାଯାଏ। ଗୁପ୍ତ ରାଜାଙ୍କ ରାଜୁତି ସମୟରେ ଏହାର କୀର୍ତ୍ତି ଶିଖରରେ ପହଞ୍ଚିଥିବାର ଅନୁମାନ କରାଯାଏ। ଏଠାରେ ବୌଦ୍ଧସ୍ତୂପ ଓ ଧ୍ୟାନ କରିବା ପାଇଁ ବିଭିନ୍ନ ପଥର ଖୋଦେଇ ସ୍ଥାନ ରହିଛି।

Model This Week

ନିକିତା