ଶ୍ରେଷ୍ଠ ପାଞ୍ଚ: କଟକର ପିକ୍‌ନିକ୍‌ ସ୍ପଟ୍‌

ଭୂଆସୁଣୀ ପୀଠ

ଭୂଆସୁଣୀ ପୀଠ

ବିଡ଼ାନାସୀ ନୂଆସାହିକୁ ଲାଗି ମହାନଦୀ କୂଳରେ ରହିଛି ଭୂଆସୁଣୀ ପୀଠ । ଏଠାରେ ଥିବା ବିସ୍ତୀର୍ଣ୍ଣ ପ୍ରାନ୍ତର ପିକ୍‌ନିକ କରିବା ପାଇଁ ଏକ ସୁନ୍ଦର ସ୍ଥାନ ପାଲଟିଛି । ଲୋକେ ମା’ ଭୂଆସୁଣୀ ଠାକୁରାଣୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି । ଏକ ପ୍ରାଚୀନ ପୀଠ ହୋଇଥିବାରୁ ଲୋକମାନେ ବର୍ଷର ବିଭିନ୍ନ ସମୟରେ ଏଠାରେ ସମାଗମ ହୋଇଥାନ୍ତି । ଏଥିସହ ବିବାହ, ବ୍ରତ ଆଦି କର୍ମ ମଧ୍ୟ ଏଠାରେ ସମ୍ପାଦନ କରାଯାଏ । ସରକାରଙ୍କ ପକ୍ଷରୁ ଏଠାରେ ସବୁଜିମା ପାଇଁ ଜଙ୍ଗଲ ସୃଷ୍ଟି କରାଯାଇଛି ।

ମହାନଦୀର ହାଡ଼ିଆ ପଠା

ମହାନଦୀର ହାଡ଼ିଆ ପଠା

ମାତାମଠଠାରୁ କିଛି ଦୂରରେ ରହିଛି ମହାନଦୀର ହାଡ଼ିଆ ପଠା । ମହାନଦୀର ପ୍ରାକୃତିକ ଦୃଶ୍ୟରାଜି ଉପଭୋଗ ସହ ପିକ୍‌ନିକ୍‌ କରିବା ପାଇଁ ଲୋକମାନେ ଏଠାରେ ଭିଡ଼ ଜମାଇଥାନ୍ତି । ପଠା ନିକଟରେ ମହାନଦୀ ପାଣି ପ୍ରବାହିତ ହେଉଥିବାରୁ ନୌକାବିହାର ସୁଯୋଗ ମଧ୍ୟ ଥାଏ । ନିକଟରେ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟ ରହିଛି । ଏହାବାଦ୍‌ ସହରର ଅନ୍ୟ ଦର୍ଶନୀୟ ସ୍ଥାନ ମଧ୍ୟ ସହଜରେ ବୁଲି ହେବ ।

ଗଡ଼ଗଡ଼ିଆ ଘାଟ ଅଞ୍ଚଳ

ଗଡ଼ଗଡ଼ିଆ ଘାଟ ଅଞ୍ଚଳ

ମହାନଦୀର ଗଡ଼ଗଡ଼ିଆ ଘାଟ ଅଞ୍ଚଳ ସବୁବେଳେ ଲୋକଙ୍କୁ ଆକୃଷ୍ଟ କରିଆସିଛି । ଶ୍ରାବଣ ମାସରେ ଶିବଙ୍କୁ ଜଳଲାଗି କରିବା ପାଇଁ ଶ୍ରଦ୍ଧାଳୁମାନେ ଏଠାରୁ ପାଣି ଉଠାଇଥାନ୍ତି । ସେହିପରି କାର୍ତ୍ତିକରେ ବାଲିଯାତ୍ରା ସରିଯିବା ପରେ ମହାନଦୀ ସଂଲଗ୍ନ ପଡ଼ିଆ ଫାଙ୍କା ହୋଇଯାଏ । ଫଳରେ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାରେ ପିକ୍‌ନିକ୍‌ କରିବା ପାଇଁ ପହଞ୍ଚତ୍ଥାନ୍ତି । ନିକଟରେ ଗଡ଼ଗଡ଼େଶ୍ୱର ମହାଦେବ ମନ୍ଦିିର, ମା’ ଗଡ଼ଚଣ୍ଡୀ, ମା’ କଟକ ଚଣ୍ଡୀ, ବୁଖାରୀବାବା ପୀଠ ଭ୍ରମଣ କରି ପୂଜାର୍ଚ୍ଚନା କରିଥାନ୍ତି । ସେହିପରି ଐତିହାସିକ ବାରବାଟୀ ଦୁର୍ଗ, ବାରବାଟୀ ଷ୍ଟାଡିୟମ ମଧ୍ୟ ଅନ୍ୟତମ ଆକର୍ଷଣ ପାଲଟିଛି ।

ସିଡିଏ ବିଜୁ ପଟ୍ଟନାୟକ ପାର୍କ ସଂଲଗ୍ନ ଅଞ୍ଚଳ

ସିଡିଏ ବିଜୁ ପଟ୍ଟନାୟକ ପାର୍କ ସଂଲଗ୍ନ ଅଞ୍ଚଳ

ସିଡିଏ ସେକ୍ଟର-୧୩ଠାରେ ରହିଛି ବିଜୁ ପଟ୍ଟନାୟକ ପାର୍କ । ମହାନଦୀ ବନ୍ଧଠାରୁ ଏହାର ଦୂରତା ପ୍ରାୟ ୪୦ ମିଟର । ଶୀତ ଋତୁ ଆସିଗଲେ ପିକ୍‌ନିକ୍‌ କରିବାକୁ ଲୋକମାନେ ଏଠାରେ ଭିଡ଼ ଜମାନ୍ତି । ସମ୍ପୃକ୍ତ ଅଞ୍ଚଳର ଅପର ପାର୍ଶ୍ୱରେ କାଠଯୋଡ଼ି ନଦୀ ବେଶି ଦୂର ନୁହେଁ । ତେଣୁ ପାର୍କ, ମହାନଦୀ ପଠାରେ ବୁଲିବା ସହ ଫଟୋ ଉଠାଇବା ନିମନ୍ତେ ଲୋକମାନେ ବିଶେଷ ଆଗ୍ରହୀ ହୋଇଥାନ୍ତି ।

ନରାଜ

ନରାଜ

କଟକ ରେଳଷ୍ଟେଶନଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ନରାଜ । ଏହିଠାରୁ ମହାନଦୀର ଶାଖାନଦୀ କାଠଯୋଡ଼ି ବାହାରିଛି। ସମ୍ପୃକ୍ତ ଅଞ୍ଚଳର ଜଙ୍ଗଲିଆ ପରିବେଶ ସାଙ୍ଗକୁ ଦୁଇ ନଦୀର ଜଳରାଶି ଓ ବାଲୁକା ମନରେ ପ୍ରକୃତି ପ୍ରତି ଏକ ଆବେଗ ସୃଷ୍ଟି କରିଥାଏ । ଏଠାରେ ଅନେକ ବୌଦ୍ଧ ମୂର୍ତ୍ତି ଦେଖିବାକୁ ମିଳେ । ବିଶେଷ କରି ଅକ୍ଟୋବରରୁ ମାର୍ଚ୍ଚ ଏହି ଅଞ୍ଚଳ ବୁଲିବା ପାଇଁ ପ୍ରକୃଷ୍ଟ ସମୟ । ଏଠାରୁ ପ୍ରାୟ ୩ କିଲୋମିଟର ଦୂରରେ ବାବା ସିଦ୍ଧେଶ୍ୱରଙ୍କ ମନ୍ଦିର ରହିଛି । ପଞ୍ଚୁପାଣ୍ଡବଙ୍କ ଅଜ୍ଞାତବାସ ବେଳେ ଯୁଧିଷ୍ଠିର ଏଠାରେ ସିଦ୍ଧି ପାଇଁ ଯଜ୍ଞ କରିଥିବା କଥା ପ୍ରଚଳିତ ରହିଛି । ସେଥିପାଇଁ ବହୁସଂଖ୍ୟକ ପର୍ଯ୍ୟଟକ ପିକ୍‌ନିକ୍‌ କରିବା ସହ ପ୍ରକୃତିକୁ ଉପଭୋଗ କରିବାକୁ ଏଠାକୁ ଆସିଥାନ୍ତି ।

Model This Week

ପ୍ରଭାତ