ଶ୍ରେଷ୍ଠ ପାଞ୍ଚ: ଶକ୍ତିପୀଠ

ବିରଜା

ବିରଜା

ଯାଜପୁରରେ ମା’ ବିରଜା ପୂଜା ପାଉଛନ୍ତି। ମା’ଙ୍କ ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ ହୋଇଛି। ମା’ଙ୍କ ନାମାନୁସାରେ ଯାଜପୁରକୁ ବିରଜାକ୍ଷେତ୍ର ମଧ୍ୟ କୁହାଯାଏ। ମା’ ଦ୍ୱିଭୁଜା। ମା’ଙ୍କର ଗୋଟିଏ ପାଦ ସିଂହ ଓ ଅନ୍ୟ ପାଦଟି ମହିସାସୁର ଉପରେ ରହିଛି। ଏଠାରେ ଷୋଡ଼ଶ ଦିନାତ୍ମକ ପୂଜା, ରଥଯାତ୍ରା, ତ୍ରିବେଣୀ ଅମାବାସ୍ୟା, ଦୋଳ ପୂର୍ଣ୍ଣିମା, ଚନ୍ଦନ ପୂର୍ଣ୍ଣିମା ଆଦି ପର୍ବ ପାଳନ କରାଯାଏ।

ମଙ୍ଗଳା

ମଙ୍ଗଳା

କଳିଙ୍ଗର ପ୍ରାଚୀନ ଐତିହ୍ୟର ପ୍ରତୀକ ମା’ ମଙ୍ଗଳା ମନ୍ଦିର। ଏହା ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଉଲ୍ଲେଖ ରହିଛି। କିମ୍ବଦନ୍ତୀ କହେ, ମା’ ପ୍ରାଚୀ ନଦୀର ଗଭୀର ଜଳରେ ବୁଡ଼ି ରହିଥିଲେ। ଦିନେ ଜଣେ ନାଉରିଆ ଡଙ୍ଗା ନେଇ ନଦୀକୁ ଯାଇଥିଲେ। ହଠାତ୍‌ ନଦୀର ପାଣି ବୃଦ୍ଧିପାଇ ବନ୍ୟା ଆସିଲା। ସେ ନଦୀ ମଧ୍ୟରୁ କୂଳକୁ ଆସି ପାରିଲେ ନାହିଁ। ସାରା ରାତି ସେଠାରେ ରହିଲେ। ରାତିରେ ହଠାତ୍‌ ମା’ଙ୍କ ସ୍ବପ୍ନାଦେଶ ହେଲା। ସେ ନଦୀ ଗର୍ଭରେ ଲମ୍ଫ ମାରି ମା’ଙ୍କୁ ଉଦ୍ଧାର କରି ଆଣି ନିକଟସ୍ଥ ଗ୍ରାମରେ ପ୍ରତିଷ୍ଠା କଲେ। ସେହିଦିନଠାରୁ ମା’ ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରାଯାଉଛି।

ଶାରଳା

ଶାରଳା

ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ଶାରଳା ପୂଜିତ ହେଉଛନ୍ତି। ମା’ ଉଭୟ ଶିବ ଓ ଶାକ୍ତଙ୍କୁ ପ୍ରତିନିଧିତ୍ୱ କରୁଛନ୍ତି। ତେଣୁ ମା’ଙ୍କୁ ଉଭୟ ବୈଷ୍ଣବ ଓ ଶାକ୍ତ ମତେ ପୂଜା କରାଯାଇଥାଏ। ଶାରଳା ବାଗ୍‌ଦେବୀ ଭାବେ ପରିଚିତ। ମା’ଙ୍କ ପୀଠରେ ପାର୍ବଣ, ଶାରଦୀୟ ଉତ୍ସବ, ପଣା ସଂକ୍ରାନ୍ତି, ଦୋଳ ପୂର୍ଣ୍ଣିମା ଓ ଚନ୍ଦନଯାତ୍ରା ଆଦି ପାଳନ କରାଯାଇଥାଏ।

ସମଲେଶ୍ୱରୀ

ସମଲେଶ୍ୱରୀ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ସମଲେଇ ବା ସମଲେଶ୍ୱରୀ ପୂଜା ପାଉଛନ୍ତି। ଅତି ପ୍ରାଚୀନ କାଳରୁ ସମଲେଇଙ୍କୁ ଜଗତ୍‌ଜନନୀ, ଆଦିଶକ୍ତି, ମହାଲକ୍ଷ୍ମୀ ଓ ମହାସରସ୍ବତୀ ଭାବେ ପୂଜାର୍ଚ୍ଚନା କରାଯାଉଛି। ସମଲେଶ୍ୱରୀ ମନ୍ଦିର ଏକ ସ୍ବତନ୍ତ୍ର ଗ୍ରାନାଇଟ ପଥରରେ ନିର୍ମିତ ହୋଇ ଏହା ଉପରେ ପ୍ଲାଷ୍ଟର ଓ ଚୂନର ପ୍ରଲେପ ଦିଆଯାଇଛି। ମନ୍ଦିର ଦୁଇଟି ପୃଥକ୍‌ ଗଠନ ସଂରଚନାରେ ନିର୍ମିତ। ମା’ଙ୍କ ପୀଠରେ ନବରାତ୍ରି ଓ ନୂଆଖାଇ ଧୂମଧାମରେ ପାଳନ କରାଯାଏ।

କଟକ ଚଣ୍ଡୀ

କଟକ ଚଣ୍ଡୀ

କଟକ ସହରର ମଧ୍ୟସ୍ଥଳରେ ଅବସ୍ଥିତ କଟକ ଚଣ୍ଡୀମନ୍ଦିର ଏକ ପ୍ରାଚୀନ ମନ୍ଦିର। ଏଠାରେ ମା’ ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରାଯାଏ। ମା’ଙ୍କ ପୀଠରେ ଦୁର୍ଗାପୂଜା ଓ କାଳୀପୂଜା ଧୂମ୍‌ଧାମରେ ପାଳନ କରାଯାଏ। ମା’ ପ୍ରତ୍ୟକ୍ଷ ଦେବୀ ବୋଲି ବିଶ୍ୱାସ ରହିଛି। ମା’ଙ୍କୁ ଭୁବନେଶ୍ୱରୀ ମନ୍ତ୍ରରେ ପୂଜା କରାଯାଏ।