Dharitri News

ଶ୍ରେଷ୍ଠ ପାଞ୍ଚ: ଭୁବନେଶ୍ୱରର ପର୍ଯ୍ୟଟନ ସ୍ଥଳ

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ। ଏହା ପ୍ରଥମେ ୧୯୩୨ରେ କଟକ ରେଭେନ୍‌ଶା କଲେଜ ପରିସରରେ ସ୍ଥାପିତ ହୋଇଥିଲା। ପରେ ୧୯୬୦ରେ ଏହା ଭୁବନେଶ୍ୱରକୁ ସ୍ଥାନାନ୍ତର ହୋଇଥିଲା। କଳ୍ପନା ଛକ ନିକଟରେ ଥିବା ଏହି ସଂଗ୍ରହାଳୟ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ଅଧୀନରେ ରହିଛି। ଏହା ୧୧ଟି ଭାଗରେ ବିଭକ୍ତ ହୋଇଛି। ପ୍ରତ୍ନତତ୍ତ୍ୱ, ଖନନ, ମୁଦ୍ରାଶାସ୍ତ୍ର, ଶାସ୍ତ୍ରାଗାର ଓ ଭୂବିଜ୍ଞାନ, ପ୍ରାକୃତିକ ଇତିହାସ ବିଜ୍ଞାନ, କଳା ଓ ଶିଳ୍ପ, ସମକାଳୀନକଳା, ପଟଚିତ୍ର, ନୃତତ୍ତ୍ୱ ଓ ତାଳପତ୍ର ପୋଥି ଆଦି ଏଠାରେ ସ୍ଥାନ ପାଇଛି। ସୋମବାରକୁ ଛାଡ଼ିଦେଲେ ପ୍ରତିଦିନ ଏହା ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହେ।

ଲିଙ୍ଗରାଜ ମନ୍ଦିର

ଲିଙ୍ଗରାଜ ମନ୍ଦିର

ମନ୍ଦିରମାଳିନୀ ଭୁବନେଶ୍ୱରର ପ୍ରସିଦ୍ଧ ମନ୍ଦିର ହେଉଛି ଲିଙ୍ଗରାଜ ମନ୍ଦିର। ଏହା କେବଳ ଭୁବନେଶ୍ୱରରେ ନୁହେଁ, ସାରା ବିଶ୍ୱରେ ପରିଚିତ। ରାଜା ଯଯାତି କେଶରୀ ଏହି ମନ୍ଦିର ନିର୍ମାଣ ଆରମ୍ଭ କରିଥିବା ବେଳେ ରାଜା ଲଲାଟେନ୍ଦୁ କେଶରୀ ଶେଷ କରିଥିଲେ। ୧୮୦ ଫୁଟ ଉଚ୍ଚତାର ଏହି ମନ୍ଦିରରେ ମୁଖ୍ୟମନ୍ଦିରକୁ ଛାଡ଼ି ଦେଲେ ନାଟ ମଣ୍ଡପ, ଜଗମୋହନ, ଭୋଗମଣ୍ଡପ ରହିଛି। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଉଭୟ ଶିବ ଓ ବିଷ୍ଣୁ ଭାବେ ପୂଜା କରାଯାଇଥାଏ। କାରଣ ଏହାର ବିଶେଷତ୍ୱ ହେଉଛି ଏଠାରେ ସ୍ବୟମ୍ଭୂ ଲିଙ୍ଗ ଅଛନ୍ତି, ଯାହା ହରିହରଙ୍କ ସମ୍ମିଶ୍ରଣ ଅଟେ। ପୁରୁଣା ଭୁବନେଶ୍ୱରରେ ଅବସ୍ଥିତ ଏହି ମନ୍ଦିରକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଏଠାକୁ ଆସିଥାନ୍ତି।

ରିଜିଓନାଲ ମ୍ୟୁଜିୟମ୍‌ ଅଫ୍‌ ନାଚୁରାଲ ହିଷ୍ଟ୍ରି

ରିଜିଓନାଲ ମ୍ୟୁଜିୟମ୍‌ ଅଫ୍‌ ନାଚୁରାଲ ହିଷ୍ଟ୍ରି

ଆଚାର୍ଯ୍ୟ ବିହାର ଛକସ୍ଥିତ ରିଜିଓନାଲ ମ୍ୟୁଜିୟମ୍‌ ଅଫ୍‌ ନାଚୁରାଲ ହିଷ୍ଟ୍ରି(ଆଞ୍ଚଳିକ ପ୍ରାକୃତିକ ସଂଗ୍ରହାଳୟ) କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅଧୀନରେ ରହିଛି। ଏଠାରେ ଗଛ ଲତା, ଜୀବଜନ୍ତୁ, ଓଡ଼ିଶା ତଥା ଭାରତର ପୂର୍ବାଞ୍ଚଳର ଭୌଗୋଳିକ ଦୃଶ୍ୟ ଆଦି ସ୍ଥାନ ପାଇଛି। ସଂଗ୍ରହାଳୟର ପ୍ରତ୍ୟେକ ଗ୍ୟାଲେରିରେ ସ୍ଥାନ ପାଇଥିବା କୋଣ ପ୍ରକୃତି ଓ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଉପରେ ବାର୍ତ୍ତା ଦେଉଛି। ଏଠାରେ ପ୍ରଦର୍ଶିତ ହେଉଥିବା ବାଲିନ ପ୍ରଜାତିର ତିମିର କଙ୍କାଳ ଭାରତରେ ପ୍ରଦର୍ଶିତ ହେଉଥିବା ସମସ୍ତ ସଂଗ୍ରହାଳୟଠାରୁ ବଡ଼ ଅଟେ। ସୋମବାର ବ୍ୟତୀତ ଏହା ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ଥାଏ।

ପଠାଣି ସାମନ୍ତ ପ୍ଲାନେଟାରିୟମ୍‌

ପଠାଣି ସାମନ୍ତ ପ୍ଲାନେଟାରିୟମ୍‌

ଭୁବନେଶ୍ୱରର ଆଚାର୍ଯ୍ୟ ବିହାର ଛକ ନିକଟରେ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଅବସ୍ଥିତ। ମହାକାଶ ବିଜ୍ଞାନ, ଗ୍ରହ, ନକ୍ଷତ୍ର ସମ୍ପର୍କରେ ସଚେତନତା କରିବା ଏହାର ଉଦ୍ଦେଶ୍ୟ। ଏଠାରେ ରାତିର ଆକାଶ ପ୍ରଦର୍ଶନ, ଅଡିଓ ଭିଜୁଆଲ ପ୍ରୋଗ୍ରାମ ଓ ପୋଷ୍ଟର ଶୋ ପ୍ରଦର୍ଶନ ହୋଇଥାଏ। ଏହା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଏହାପ୍ରତି ସୋମବାର ଦିନ ବନ୍ଦ ରହିଥାଏ। ଅନ୍ୟ ଦିନରେ ସକାଳ ୮ଟା ୪୫ମିନିଟ୍‌ରୁ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଖୋଲା ରହେ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଏହା ୧୯୬୦ ଡିସେମ୍ବର ୨୦ରେ ପ୍ରତିଷ୍ଠିତ । ୪୩୭ ହେକ୍ଟର ପରିମିତ ଜାଗାରେ ଥିବା ଏହି ପ୍ରାଣୀ ଉଦ୍ୟାନରେ ପ୍ରାୟ ୧୫୨ପ୍ରଜାତିର ୨୬୬୯ ଜୀବ ଅଛନ୍ତି। ତେବେ ଏଠାରେ ଥିବା ବାଘ ସଫାରୀ, ସିଂହ ସଫାରୀ, ପ୍ରଜାପତି ଉଦ୍ୟାନ, ଅର୍କିଡ୍‌ ହାଉସ୍‌ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ। ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ସୋମବାରକୁ ଛାଡ଼ିଦେଲେ ଏହା ପ୍ରତିଦିନ ସକାଳ ସାଢ଼େ ୭ଟାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲା ରହେ।