ଶ୍ରେଷ୍ଠ ପାଞ୍ଚ: ସଂକ୍ରାନ୍ତି

ମକର

ମକର

ମାଘ ମାସରେ ପଡୁଥିବା ମକର ସଂକ୍ରାନ୍ତିରେ ସୂର୍ଯ୍ୟ ମକର ରାଶିକୁ ଗମନ କରିଥାନ୍ତି। ଏହି ଅବସରରେ ବିଭିନ୍ନ ସ୍ଥାନରେ ମାଘମେଳା ଅନୁଷ୍ଠିତ ହୋଇଥାଏ। ଘରେ ଘରେ ମକର ଚାଉଳ ତିଆରି ହୋଇଥାଏ।ଶ୍ରଦ୍ଧାଳୁ ପବିତ୍ର ନଦୀ, ମହୋଦଧି, ପବିତ୍ର ପୁଷ୍କରିଣୀରେ ବୁଡ ପକାଇ ସୂର୍ଯ୍ୟ ଦେବତାଙ୍କ ଉପାସନା କରିଥାନ୍ତି। ଏହି ଅବସରରେ ପବିତ୍ର ସଙ୍ଗମରେ କୁମ୍ଭ ମେଳା ଆୟୋଜିତ ହୋଇଥାଏ। ଏହି ଅବସରରେ ଭୁବନେଶ୍ୱରରେ ମାଘ ସପ୍ତମୀ ମେଳା ଆୟୋଜିତ ହୋଇଥାଏ।

ଧନୁ

ଧନୁ

ଧନୁ ସଂକ୍ରାନ୍ତିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହିଲି ଭୋଗ ଲାଗି ହୋଇଥାଏ। ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ଧନୁରାଶିକୁ ଗମନ କରିଥାନ୍ତି। ମନ୍ଦିରରେ ଠାକୁରଙ୍କୁ ଧନୁ ମୁଆଁ ଭୋଗ ଅର୍ପଣ କରାଯାଇଥାଏ। ବରଗଡ଼ରେ ଏହି ଅବସରରେ ୧୧ ଦିନ ଧରି ପୃଥିବୀ ପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହୋଇଥାଏ। ପବିତ୍ର ନଦୀ ,ସଙ୍ଗମ ଓ ପବିତ୍ର ପୁଷ୍କରିଣୀରେ ବୁଡ଼ ପକାଯିବା ସହିତ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରାଯାଇଥାଏ।

ଗର୍ଭଣା

ଗର୍ଭଣା

ଗର୍ଭଣା ସଂକ୍ରାନ୍ତିକୁ ତୁଳା ସଂକ୍ରାନ୍ତି କୁହାଯାଇଥାଏ। ଏହି ଦିନ ସୂର୍ଯ୍ୟ ତୁଳା ରାଶିକୁ ଗମନ କରିଥାନ୍ତି। ଚାଷ ଜମିରେ ଫସଲ ସୁରକ୍ଷା ପାଇଁ କୃଷକମାନେ କ୍ଷେତରେ ଗର୍ଭଣା ଗଛର ଡାଳ ପୋତିଥାନ୍ତି। କୁଆଁରୀ ଝିଅମାନେ ସେମାନଙ୍କର ବାପା ଓ ଭାଇଙ୍କ ଚାଷ କାମରେ ଯେପରି ଅସୁବିଧା ନ ହେବ, ସେଥି ପାଇଁ ଘରେ ତିଆରି ହୋଇଥିବା ପିଠାକୁ ନେଇ ଚାଷ ଜମିରେ ପୋତି ପ୍ରାର୍ଥନା କରିଥାନ୍ତି।

ରଜ

ରଜ

ରଜ ସଂକ୍ରାନ୍ତି ଓଡ଼ିଶାର ଏକ ଗଣ ପର୍ବ। ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ମିଥୁନ ରାଶିକୁ ଗମନ କରିଥାନ୍ତି। ତେଣୁ ଏହାକୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ପ୍ରାକ୍‌ ମୌସୁମୀର ପରିବେଶରେ ଘରେ ଘରେ ପିଠାପଣା ହୋଇଥାଏ। ତିନିଦିନ ଧରି ପାଳିତ ହେଉଥିବା ପର୍ବରେ ମାଟି ମା’ରଜସ୍ବଳା ହୋଇଥିବାରୁ ଖନନ କାର୍ଯ୍ୟ ବନ୍ଦ ରହିଥାଏ। ଚତୁର୍ଥ ଦିନ ବସୁମତୀ ସ୍ନାନ ଉତ୍ସବ ପାଳିତ ହୋଇଥାଏ। ମହିଳା ଓ ଝିଅମାନଙ୍କୁ ଏହି ସମୟରେ ଘରକାମରୁ ମୁକ୍ତି ମିଳିଥାଏ। ଏହି ଅବସରରେ ଚକୁଳି ପିଠା, ପୋଡ଼ପିଠା ଆଦି ପ୍ରସ୍ତୁତ ହୋଇଥାଏ। ରଜ ସଂକ୍ରାନ୍ତିରେ ଝିଅ ବୋହୂମାନେ ଦୋଳିରେ ଝୁଲିଥାନ୍ତି। ଏହି ସଂକ୍ରାନ୍ତିରେ ରଜପାନର ଚାହିଦା ଅଧିକ ରହିଥାଏ।

ପଣା

ପଣା

ପଣା ସଂକ୍ରାନ୍ତିକୁ ମହା ବିଷୁବ ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ଏହି ଦିନ ସୂର୍ଯ୍ୟ ମେଷ ରାଶିକୁ ଗମନ କରିଥାନ୍ତି। ଓଡ଼ିଶାରେ ଏହି ଅବସରରେ ଝାମୁ ଯାତ୍ରା, ଦଣ୍ଡନାଚ ଆଦି ଅନୁଷ୍ଠିତ ହୋଇଥାଏ। ଦଣ୍ଡପାଟୁଆମାନେ ୨୧ ଦିନ ଧରି ଦଣ୍ଡବ୍ରତ ପାଳନ କରିଥାନ୍ତି। ତୁଳସୀ ଚଉରାରେ ଏହି ଅବସରରେ ବସୁନ୍ଧରା ଠେକି ବନ୍ଧା ଯାଇଥାଏ। ଏହି ଦିନ ପ୍ରଭୁ ହନୁମାନଙ୍କ ଆରାଧନା କରାଯାଇଥାଏ।

Model This Week

Model This Week