Dharitri News

ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ହସ୍ତତନ୍ତ

ଖଣ୍ଡୁଆ ପାଟ

ଖଣ୍ଡୁଆ ପାଟ

ଖଣ୍ଡୁଆ ପାଟକୁ ମାଣିବନ୍ଧ ଓ କଟକୀ ପାଟ ମଧ୍ୟ କୁହାଯାଇଥାଏ। ଏହାକୁ ବିବାହ ଓ ବିଭିନ୍ନ ପର୍ବପର୍ବାଣୀରେ ପରିଧାନ କରାଯାଇଥାଏ। ଗୀତ ଗୋବିନ୍ଦ ଲିଖିତ ଖଣ୍ଡୁଆ ପାଟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲାଗି ହୋଇଥାଏ। ଏହାକୁ କେହି କେହି କେନ୍ଦୁଲି ଖଣ୍ଡୁଆ ମଧ୍ୟ କହିଥାନ୍ତି। କଟକ ମାଣିବନ୍ଧ ଓ ନୂଆପାଟଣା ଅଞ୍ଚଳର ବୁଣାକାର ଏହାକୁ ପରମ୍ପରା ଭାବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯୋଗାଇ ଆସୁଛନ୍ତି। ଏଥିରେ ମୁଖ୍ୟତଃ ଲାଲ୍‌ ଓ କମଳା ରଙ୍ଗ ବ୍ୟବହୃତ ହୋଇଥାଏ। ଏହି ରଙ୍ଗ ଶାଳ ଗଛରୁ ପ୍ରସ୍ତୁତ ହୋଇଥାଏ।

ପଶାପାଲି

ପଶାପାଲି

ବରଗଡ଼ର ବୁଣାକାର ସମ୍ପ୍ରଦାୟ ଏହି ପ୍ରକାର ଶାଢ଼ି ପ୍ରସ୍ତୁତ କରିଥାନ୍ତି। ଏଥିରେ ପଶା ଖେଳରେ ଥିବା ଛୋଟ ଛୋଟ ବର୍ଗାକାର କ୍ଷେତ୍ର ରହିଥାଏ। ଏହାକୁ ବିଭିନ୍ନ ରଙ୍ଗରେ ପ୍ରସ୍ତୁତ କରାଯାଇଥାଏ। ପର୍ବପର୍ବାଣୀରେ ଏଭଳି ଶାଢ଼ିର ଚାହିଦା ଅଧିକ ରହିଥାଏ।

ସମ୍ବଲପୁରୀ

ସମ୍ବଲପୁରୀ

ସୋନପୁର, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ ଜିଲାର ବୁଣାକାର ସମ୍ପ୍ରଦାୟ ଏଭଳି ଶାଢ଼ି ପ୍ରସ୍ତୁତ କରିଥାନ୍ତି। ଏହାର ସୂତାକୁ ବିଭିନ୍ନ ରଙ୍ଗ ଦିଆଯିବାପରେ ଡିଜାଇନିଂ ଅନୁସାରେ ସୂତାକୁ ତନ୍ତରେ ଖଞ୍ଜା ଯାଇଥାଏ। ଏହାର ଲମ୍ବ ୪ରୁ ୯ ମିଟର ପର୍ଯ୍ୟନ୍ତ ହୋଇଥାଏ। ଏଥିରେ ଶଙ୍ଖ, ଚକ୍ର, ଫୁଲ ସହିତ ବିଭିନ୍ନ ସାଙ୍କେତିକ ଚିହ୍ନର ଚିତ୍ର ରହିଥାଏ। ଏହି ଶାଢ଼ିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପିନ୍ଧିବାକୁ ପସନ୍ଦ କରୁଥିଲେ। ୧୯୮୦ରୁ ୧୯୯୦ ମଧ୍ୟରେ ସମ୍ବଲପୁରୀ ଶାଢ଼ି ଲୋକପ୍ରିୟତା ହାସଲ କରିଥିଲା। ଏହି ଶାଢ଼ିକୁ ଚୌହ୍ବାନ ରାଜପରିବାର ଓ ମୋଗଲମାନେ ବିଶେଷ ପସନ୍ଦ କରୁଥିଲେ।

ବୋମକାଇ

ବୋମକାଇ

ବୋମକାଇ ଶାଢ଼ି ମୁଖ୍ୟତଃ ଗଞ୍ଜାମ ଜିଲା ବୋମକାଇ ଗାଁର ବୁଣାକାର ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ପ୍ରଥମେ ଏହାକୁ ସୁବର୍ଣ୍ଣପୁର ଜିଲା ଭୁଲିଆ ସମ୍ପ୍ରଦାୟ ପ୍ରସ୍ତୁତ କରୁଥିଲେ। ପରବର୍ତ୍ତୀ ସମୟରେ ଏହାକୁ ବିଭିନ୍ନ ବୁଣାକାର ସମ୍ପ୍ରଦାୟ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ବଲିଉଡ୍‌ ଅଭିନେତ୍ରୀ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ବିବାହରେ ଚତୁର୍ଭୁଜ ମେହେର ବୋମକାଇ ଶାଢ଼ି ପ୍ରସ୍ତୁତ କରିଥିଲେ।

ବାଲେଶ୍ୱରୀ ବନ୍ଧ

ବାଲେଶ୍ୱରୀ ବନ୍ଧ

ବାଲେଶ୍ୱରୀ ବନ୍ଧ ଶାଢ଼ି ମୁଖ୍ୟତଃ ବାଲେଶ୍ୱର ବୁଣାକାର ସମ୍ପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ। ଏହାର ଆକର୍ଷଣୀୟ ବାନ୍ଧକଳା ଗ୍ରାହକଙ୍କୁ ବିଶେଷ ଆକୃଷ୍ଟ କରିଥାଏ। ଏହାର ପ୍ରସ୍ତୁତିରେ ବିଭିନ୍ନ ରଙ୍ଗର ବ୍ୟବହାର କରାଯାଇଥାଏ। ଏହି ଶାଢ଼ିକୁ ସାମାଜିକ ଉତ୍ସବ, ପର୍ବପର୍ବାଣୀରେ ପିନ୍ଧିବାକୁ ମହିଳାମାନେ ପ୍ରସନ୍ଦ କରିଥାନ୍ତି।