Dharitri News

ଶ୍ରେଷ୍ଠ ପାଞ୍ଚ: ପୁରୀର ପଞ୍ଚତୀର୍ଥ

ତୀର୍ଥରାଜ ମହୋଦଧି

ତୀର୍ଥରାଜ ମହୋଦଧି

ଶ୍ରୀକ୍ଷେତ୍ରସ୍ଥ ସାଗରର ନାଁ ମହୋଦଧି। ସମସ୍ତ ପୁଣ୍ୟ ସଲିଳା ନଦୀ ସମୁଦ୍ରରେ ମିଶୁଥିବାରୁ ସମୁଦ୍ର ପୁଣ୍ୟତମ ତୀର୍ଥରାଜ। ଶ୍ରୀକ୍ଷେତ୍ରର ପାର୍ଶ୍ୱରେ ଅର୍ଦ୍ଧଚନ୍ଦ୍ର ଆକାରରେ ଏହା ବିସ୍ତୃତ। ଏଠାରେ ମହାବିଷ୍ଣୁ ମତ୍ସ୍ୟାବତାର ନେଇ ଆବିର୍ଭୂତ ହୋଇଥିଲେ। ଏହା ପୁଣି ମହାଲକ୍ଷ୍ମୀଙ୍କ ପିତ୍ରାଳୟ ହୋଇଥିବାରୁ ପ୍ରତି ଅମାବାସ୍ୟା ତିଥିରେ ଏଠାକୁ ଶ୍ରୀମନ୍ଦିରରୁ ନାରାୟଣ ବିଗ୍ରହ ବିଜେ ହୁଅନ୍ତି। ଏଠାରେ ନାରାୟଣ ଓ ମହୋଦଧିର ଦେବତା ବରୁଣଙ୍କୁ ପୂଜା କରାଯାଇଥାଏ। ସମୁଦ୍ର ମନ୍ଥନରେ ଲକ୍ଷ୍ମୀ ଆବିଭୂର୍ତା ହୋଇଥିଲେ। ଭଗବାନ ବିଷ୍ଣୁ ଚତୁର୍ଭୁଜ ରୂପ ଧାରଣକରି ସମୁଦ୍ରରେ ଲକ୍ଷ୍ମୀଙ୍କ ସହ ଅନନ୍ତଶୟନରେ ବିରାଜମାନ କରନ୍ତି। ପୁନଃ ପରବ୍ରହ୍ମ ଦାରୁ ରୂପରେ ସାଗରରେ ଆବିର୍ଭୂତ ହୋଇଥିଲେ। ମହୋଦଧି ଭଳି ମହୋଦଧି ତଟସ୍ଥ ଚକ୍ରତୀର୍ଥ ଓ ସ୍ବର୍ଗଦ୍ୱାର ପୁଣ୍ୟସ୍ଥଳ ରୂପେ ବିରାଜିତ।

 ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ

ରାଜା ଇନ୍ଦ୍ରଦ୍ୟୁମ୍ନ ସହସ୍ର ଅଶ୍ୱମେଧ ଯଜ୍ଞ କରି କୋଟି କୋଟି ଗୋଦାନ କରିଥିଲେ । ଯଜ୍ଞ ପାଇଁ ଆସିଥିବା ଗୋରୁଙ୍କ ଖୁରାରୁ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା । ଗୋମୂତ୍ର ବା ଗୋମୟର ପବିତ୍ର ଏହି ଗର୍ତ୍ତ ତୀର୍ଥ ପୁଷ୍କରିଣୀ ରୂପେ ରୂପାନ୍ତରିତ ହୋଇଥିଲା । ଏହି ପୁଷ୍କରିଣୀରେ ସ୍ନାନ, ପିତୃ ଓ ଦେବତାଙ୍କ ତର୍ପଣ ବିଧାନରେ ସମ୍ପାଦିତ କଲେ ମନୁଷ୍ୟ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ଲାଭ କରନ୍ତି ବୋଲି ବିଶ୍ୱାସ ରହିଛି । କାର୍ତ୍ତିକ ମାସରେ ବ୍ରତଧାରୀମାନେ ଏହି ପୁଷ୍କରିଣୀରେ ସ୍ନାନକରି ଦାନ ଦକ୍ଷିଣା ଦେବା ପରେ ଯଜ୍ଞନୃସିଂହଙ୍କୁ ଦର୍ଶନ କରିଥାନ୍ତି ।

ମାର୍କଣ୍ଡେୟ ପୁଷ୍କରିଣୀ

ମାର୍କଣ୍ଡେୟ ପୁଷ୍କରିଣୀ

ଶ୍ରୀମନ୍ଦିର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ଏହି ପୁଷ୍କରିଣୀ । କେଶରୀ ବଂଶ ଶାସନ କାଳରେ ମାର୍କଣ୍ଡେୟ ପୋଖରୀ ଚାରିପଟେ ପାଚେରି ଓ ପାହାଚ ନିର୍ମାଣ ହୋଇଥିଲା । ଅନ୍ୟ ପୁଷ୍କରିଣୀ ମଧ୍ୟଭାଗରେ ଦୀପଦାଣ୍ଡି ଥିବାବେଳେ ଏହାର କେନ୍ଦ୍ରସ୍ଥଳରେ ଯଜ୍ଞବେଦୀ ରହିଛି । ଅନ୍ୟ ତୀର୍ଥ ଅପେକ୍ଷା ଏଠାରେ ସର୍ବାଧିକ ତୀର୍ଥଯାତ୍ରୀ ସ୍ନାନ, ଦାନ, ତର୍ପଣ, ଶ୍ରାଦ୍ଧ ଓ ଦଶାହକ୍ରିୟା କରନ୍ତି । ଭାଦ୍ର କୃଷ୍ଣ ଏକାଦଶୀରେ ଶ୍ରୀଜଗନ୍ନାଥଙ୍କ କାଳୀୟଦଳନ ନୀତି ଏହି ପୁଷ୍କରିଣୀରେ ଅନୁଷ୍ଠିତ ହୁଏ । ନେତପିଲାମାନେ ଏଠାରେ ବାଲୁକା ଲିଙ୍ଗ ସ୍ଥାପନାକରି ଶାରଦୀୟ ଦୁର୍ଗାପୂଜା ସମୟରେ ପୂଜା କରିଥାନ୍ତି ।

ଶ୍ୱେତଗଙ୍ଗା

ଶ୍ୱେତଗଙ୍ଗା

ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ତୀର୍ଥରାଜ ମହୋଦଧି ଯିବା ରାସ୍ତାରେ ଶ୍ୱେତଗଙ୍ଗା ବିରାଜିତ। ମହୋଦଧିରେ ସ୍ନାନ କଲାପରେ ବିଧି ଅନୁଯାୟୀ, ମନ୍ତ୍ର ଉଚ୍ଚାରଣ କରି ଶ୍ୱେତଗଙ୍ଗାରେ ସ୍ନାନ କରିବାକୁ ହୁଏ। ଶ୍ୱେତଗଙ୍ଗାରେ ସ୍ନାନ ପରେ ଭକ୍ତ ଦିବ୍ୟଚେତନା ଲାଭକରି ଶ୍ରୀମନ୍ଦିର ଭିତରେ ପ୍ରବେଶକରେ। ଶ୍ୱେତଗଙ୍ଗାରେ ସ୍ନାନ ଗଙ୍ଗା ନଦୀରେ ସ୍ନାନ ସହିତ ସମାନ ବୋଲି ବିଶ୍ୱାସ ରହିଛି। ବିଶିଷ୍ଟ ସାଧ୍ୱୀ ଗଙ୍ଗାମାତା ଗଙ୍ଗାସ୍ନାନ କରିବାକୁ ଯାଇ ନ ପାରି ମନ ଦୁଃଖରେ ଥିବାବେଳେ ସ୍ବପ୍ନାଦେଶ ପାଇଥିଲେ। ଶ୍ୱେତଗଙ୍ଗାରେ ସ୍ନାନକର। ଏଠି ସ୍ନାନ କଲେ ଗଙ୍ଗାସ୍ନାନ ଫଳ ଲାଭ ହେବ। ସେବେଠାରୁ ଏହା ଭକ୍ତମାନସରେ ପ୍ରସିଦ୍ଧ ହୋଇଯାଇଛି।

ରୋହିଣୀକୁଣ୍ଡ

ରୋହିଣୀକୁଣ୍ଡ

ସଂସ୍କୃତ ବ୍ରହ୍ମପୁରାଣ ଓ ସ୍କନ୍ଦପୁରାଣରେ ପଞ୍ଚତୀର୍ଥ ସମ୍ବନ୍ଧରେ ସବିଶେଷ ବର୍ଣ୍ଣନା ରହିଛି। ଏହି ପଞ୍ଚତୀର୍ଥ ମଧ୍ୟରେ ରୋହିଣୀକୁଣ୍ଡ ଅନ୍ୟତମ। ଶାସ୍ତ୍ରରେ ଅଛି ରୋହିଣୀକୁଣ୍ଡରେ କୁଆଟିଏ ପଡ଼ିଯିବାରୁ ଦିବ୍ୟଶରୀର ଲାଭ କରିଥିଲା। ତେଣୁ ଓଡ଼ିଆରେ କଥା ଅଛି-କାକ ପଡ଼ି ହେଲା ଚତୁର୍ଭୁଜ। ଏହି କୁଣ୍ଡ ବର୍ତ୍ତମାନ ଶ୍ରୀମନ୍ଦିିର ଭିତରେ ମା’ ବିମଳାଙ୍କ ମନ୍ଦିର ସାମ୍ନାରେ ଅଛି।