Dharitri News

ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ଯାତ୍ରା

ବୁଢ଼ୀ ଠାକୁରାଣୀ ଯାତ୍ରା

ବୁଢ଼ୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁରର ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ପ୍ରତି ଦୁଇବର୍ଷରେ ଥରେ ଏକମାସ ବ୍ୟାପୀ ଅନୁଷ୍ଠିତ ହୋଇଥାଏ। ଶିବରାତ୍ରିଠାରୁ ଏହି ଯାତ୍ରାର ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଦେଶୀ ବେହେରା ସମ୍ପ୍ରଦାୟଙ୍କ ଘରେ ମା’ ବୁଢ଼ୀ ଠାକୁରାଣୀ ଝିଅ ହୋଇ ରହିଛନ୍ତି। ମା’ଙ୍କ ଆଜ୍ଞାମାଳ ମିଳିବା ପରେ ଶୁଭଖୁଣ୍ଟି ସ୍ଥାପିତ ହୋଇଥାଏ। ବିରାଟ ଶୋଭାଯାତ୍ରାରେ ମା’ଙ୍କ ଆଜ୍ଞାମାଳ ମନ୍ଦିରକୁ ଆସିବା ପରେ ଘଟସ୍ଥାପନ ସମ୍ପୂର୍ଣ୍ଣ ହୋଇଥାଏ। ମା’ଙ୍କ ଘଟ ସହିତ ଅନ୍ୟ ୮ଟି ଘଟ ମଧ୍ୟ ସ୍ଥାପିତ ହୋଇଥାଏ। ୧୭୭୯ ଏପ୍ରିଲରେ ପ୍ରଥମେ ସହରରେ ଏହି ଯାତ୍ରା ଆରମ୍ଭ ହୋଇଥିଲା।

ବାଲିଯାତ୍ରା

ବାଲିଯାତ୍ରା

କଟକର ମହାନଦୀ କୂଳରେ ବାରବାଟୀ ଦୁର୍ଗ ନିକଟରେ ଗଡ଼ଗଡ଼ିଆ ଘାଟଠାରେ ଏହି ଯାତ୍ରା କାର୍ତ୍ତିିକ ପୂର୍ଣ୍ଣିମାଠାରୁ ୭ଦିନ ଧରି ଅନୁଷ୍ଠିତ ହୋଇଥାଏ। ଓଡ଼ିଆ ସାଧବ ପୁଅଙ୍କ ସ୍ମୃତିରେ ଏହା କରାଯାଇଥାଏ। ସାଧବମାନେ ଜାଭା, ସୁମାତ୍ରା, ବୋର୍ର୍ଣ୍ଣିଓ, ଶ୍ରୀଲଙ୍କା ସହିତ ବାଣିଜ୍ୟ କାରବାର କରୁଥିବାର ପ୍ରମାଣ ରହିଛି। ଏହି ଯାତ୍ରାରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଯାତ୍ରାରେ ଦହିବରା-ଆଳୁଦମ୍‌, ଠୁଙ୍କାପୁରି, ଗୁପ୍‌ଚୁପ୍‌ ଆଦି କଟକୀ ଖାଦ୍ୟ ପ୍ରତି ଜନସାଧାରଣ ଆକର୍ଷିତ ହୋଇଥାନ୍ତି।

ବିରଜା ଦେବୀଙ୍କ ରଥଯାତ୍ରା

ବିରଜା ଦେବୀଙ୍କ ରଥଯାତ୍ରା

ଯାଜପୁର ମା’ ବିରଜା ଦେବୀଙ୍କ ରଥଯାତ୍ରା ଆଶ୍ୱିନ ମାସ ପ୍ରତିପଦାଠାରୁ ମହା ନବମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ମୂଳାଷ୍ଟମୀରେ ଘଟ ସ୍ଥାପନ ପରେ ମା’ଙ୍କର ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଥାଏ। ଦେବୀଙ୍କ ସିଂହଧ୍ୱଜ ରଥ ଏହି ଅବସରରେ ମନ୍ଦିର ପରିକ୍ରମା କରିଥାଏ। ରଥର ଚକ ସଂଖ୍ୟା ୧୨ ଥିବାବେଳେ ଚତୁର୍ମୁଖ ବ୍ରହ୍ମା ଏହାର ସାରଥି ସାଜିଥାନ୍ତି। ଏହି ଶକ୍ତିପୀଠରେ ସତୀ ଦେବୀଙ୍କ ନାଭିସ୍ଥଳ ପଡ଼ିଥିବାର ବର୍ଣ୍ଣନା ବିଭିନ୍ନ ଶାସ୍ତ୍ରରେ କରାଯାଇଛି।

ଧନୁ ଯାତ୍ରା

ଧନୁ ଯାତ୍ରା

ଓଡ଼ିଶାର ବରଗଡ଼ରେ ହେଉଥିବା ଧନୁଯାତ୍ରା ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହା ପୌଷ ଶୁକ୍ଳ ଚତୁର୍ଥୀଠାରୁ ଆରମ୍ଭ ହୋଇ ପୌଷ ପୂର୍ଣ୍ଣମୀରେ ଶେଷ ହୋଇଥାଏ। ଏହି ଯାତ୍ରାରେ ପ୍ରଭୁ ଶ୍ରୀକୃଷ୍ଣ, ବଳରାମ, ଦେବକୀ, ବସୁଦେବ, ଉଗ୍ରସେନ, କଂସ ଆଦି ଚରିତ୍ରମାନେ ନିଖୁଣ ଅଭିନୟ କରିଥାନ୍ତି। ବରଗଡ଼କୁ ମଥୁରା, ଅମ୍ବାପଲିକୁ ଗୋପପୁର, ସ୍ଥାନୀୟ ଜିରା ନଦୀକୁ ଯମୁନା ନଦୀରେ ଭାବେ ଏହି ଯାତ୍ରାରେ ଅଭିହିତ କରାଯାଇଥାଏ।

ରଥ ଯାତ୍ରା

ରଥ ଯାତ୍ରା

ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହା ଆଷାଢ଼ ଶୁକ୍ଳ ଦଶମୀରେ ଶେଷ ହୋଇଥାଏ। ଏହି ଯାତ୍ରାରେ ଶ୍ରୀଜୀଉମାନେ ଗୁଣ୍ଡିଚା ମନ୍ଦିରର ନିଜର ଜନ୍ମବେଦିକୁ ବଡ଼ଦାଣ୍ଡରେ ରଥରେ ବସି ଗମନ କରିଥାନ୍ତି। ବାଟରେ ମାଉସୀମା ମନ୍ଦିର ନିକଟରେ ଶ୍ରୀଜୀଉଙ୍କ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଅଟକିଥାଏ। ତାଳଧ୍ୱଜ ରଥର ଚକ ସଂଖ୍ୟା ୧୪ ଥିବାବେଳେ ଦର୍ପଦଳନ ରଥର ଚକ ସଂଖ୍ୟା ୧୨ ରହିଥାଏ। ସେହିପରି ନନ୍ଦିଘୋଷ ରଥର ଚକ ସଂଖ୍ୟା ୧୬ ରହିଥାଏ।