ଶ୍ରେଷ୍ଠ ପାଞ୍ଚ: ଓଡ଼ିଆ ପିଠା

ଆରିସା ପିଠା

ଆରିସା ପିଠା

ଏହି ପିଠା ଚାଉଳ ଚୂନା ଓ ଗୁଡ଼ରେ ପ୍ରସ୍ତୁତ ହୋଇଥାଏ। ପ୍ରତ୍ୟେକ ଓଡିଆ ଘରେ ବିଭିନ୍ନ ପର୍ବପର୍ବାଣିରେ ଏହା ତିଆରି ହୋଇଥାଏ। ଶ୍ରୀଜଗନ୍ନାଥଙ୍କ ଛପନଭୋଗ ମଧ୍ୟରେ ଆରିସା ପିଠା ଠାକୁରଙ୍କୁ ଅର୍ପଣ କରାଯାଇଥାଏ। ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ସମୟରୁ ଏହି ପିଠା ଲୋକପ୍ରିୟତା ହାସଲ କରିଥିବାର ଅନୁମାନ କରାଯାଏ। ବୁଦ୍ଧଦେବ କଳିଙ୍ଗରେ ଦୁଇ ବଣିକ ତପସୁ ଓ ବହ୍ଲିକଙ୍କଠାରୁ ଏହି ପିଠା ଖାଇଥିବାର ବୌଦ୍ଧଗ୍ରନ୍ଥରେ ଉଲ୍ଲେଖ କରାଯାଇଛି।

ମଣ୍ଡା ପିଠା

ମଣ୍ଡା ପିଠା

ମଣ୍ଡା ପିଠା ଚାଉଳ ଚୂନା, ଗୁଡ଼ ଓ ନଡ଼ିଆ ପୁରରେ ପ୍ରସ୍ତୁତ ହୋଇଥାଏ। ଓଡ଼ିଶାରେ ମୌସୁମୀ ଋତୁର ଆରମ୍ଭ ସମୟରେ ଓ ମାଣବସା ଗୁରୁବାର, ଦୁର୍ଗାପୂଜା, କୁଆଁର ପୂନେଇଁ, ଗହ୍ମା ପୂନେଇଁ ଆଦି ପର୍ବରେ ଏହି ପିଠା ଘରେ ଘରେ ପ୍ରସ୍ତୁତ ହୋଇଥାଏ। ଚାଉଳ ଚୂନାକୁ ଜନ୍ତା ଯିବା ପରେ ଏଥିରେ ପୁର ଦେଇ ଏହାକୁ ବାମ୍ଫ ପାତ୍ରରେ ସିଝାଇ ପ୍ରସ୍ତୁତ କରାଯାଇଥାଏ।

କାକରା ପିଠା

କାକରା ପିଠା

କାକରା ପିଠା ଅଟା, ମଇଦା, ଗୁଡ଼ ଓ ନଡ଼ିଆରୁ ପ୍ରସ୍ତୁତ କରାଯାଇଥାଏ। ପ୍ରତି ଓଡ଼ିଆ ଘରେ ବିଭିନ୍ନ ପର୍ବ ପର୍ବାଣିରେ ଏହି ପିଠା ତିଆରି କରାଯାଇଥାଏ। ୧୮୧୦ ମସିହାରେ ଖଣ୍ଡପଡ଼ା ଗଡ଼ଜାତର ଶାସନ ସମୟରେ ରାଜା ପୁରୁଷୋତ୍ତମ ମର୍ଦ୍ଦରାଜ ଖଣ୍ଡପଡାର ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଥମଥର ପାଇଁ ପୁର କାକରା ଓ ବସା ଦହି ଭୋଗ ଖଞ୍ଜିଥିଲେ।

ପୋଡ଼ ପିଠା

ପୋଡ଼ ପିଠା

ପୋଡ଼ ପିଠା ଏକ ପାରମ୍ପରିକ ଓଡିଆ ପିଠା। ଚାଉଳ ଚୂନା, ଗୁଡ, ନଡ଼ିଆ ଆଦିର ମିଶ୍ରଣରେ ଏହାକୁ ପ୍ରସ୍ତୁତ କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ଛପନଭୋଗରେ ଏହା ଠାକୁରଙ୍କୁ ଅର୍ପଣ କରାଯାଇଥାଏ। ବାହୁଡ଼ା ଦିନ ରଥାରୂଢ଼ ଶ୍ରୀଜୀଉଙ୍କ ନିକଟରେ ମାଉସୀ ମା’ ମନ୍ଦିରରୁ ଆସିଥିବା ଏହି ପିଠା ଭୋଗ ଲାଗି ହୋଇଥାଏ। ଏହାପରେ ରଥ ଆଗକୁ ଗଡି ଥାଏ। ପୁରୁଷାନୁକ୍ରମେ ମାଉସୀ ମା’ ମନ୍ଦିରର ସେବକ ଏହି ପରମ୍ପରା କରୁଛନ୍ତି। ହେରା ପଞ୍ଚମୀଠାରୁ ପୋଡ଼ପିଠା ପ୍ରସ୍ତୁତି ଆରମ୍ଭ ହୋଇଥାଏ। ସେବକଙ୍କ ତତ୍ତ୍ୱାବଧାନରେ ୩ ଜଣ ବ୍ରାହ୍ମଣ ଏହାକୁ ପ୍ରସ୍ତୁତ କରିଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପୋଡ଼ପିଠା ଅତି ପ୍ରିୟ।

ଚକୁଳି ପିଠା

ଚକୁଳି ପିଠା

ଚକୁଳି ପିଠା ଚାଉଳ ଚୂନା ଓ ବିରିରୁ ପ୍ରସ୍ତୁତ ହୋଇଥାଏ। ଅରୁଆ ଚାଉଳ ଚୂନା, ବିରି ଓ ଲୁଣ ଆଦିକୁ ମିଶାଇ କିଛି ସମୟ ରଖାଯାଇଥାଏ। ଏହା ଫୁଲି ଗଲେ ଏଥିରୁ ପିଠା ତିଆରି ହୋଇଥାଏ। ବରିର ପରିମାଣ ଉପରେ ଚକୁଳି ନରମ ହେବା ନିର୍ଭର କରିଥାଏ। ବିଭିନ୍ନ ପ୍ରକାର ଚକୁଳି ମଧ୍ୟରେ ସରୁ ଚକୁଳି, ବୁଢ଼ା ଚକୁଳି, ଅଟା ଚକୁଳି, ରଜ ଚକୁଳି ଆଦି ଓଡ଼ିଶାରେ ବେଶ୍‌ ଲୋକପ୍ରିୟ।