ଶ୍ରେଷ୍ଠ ପାଞ୍ଚ: କଟକରେ ପ୍ରମୁଖ କାର୍ଯ୍ୟାଳୟ

ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା

ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା

କଟକ ସହରର ବଜ୍ରକବାଟି ରୋଡ୍‌ଠାରେ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ମୁଖ୍ୟାଳୟ ଅବସ୍ଥିତ। ୧୯୫୬ରୁ ଏହା ସ୍ଥାପିତ ହୋଇଛି। ମାଟ୍ରିକ ପରୀକ୍ଷା ସମେତ ମୋଟ ୧୭ ପ୍ରକାର ପରୀକ୍ଷା ପରିଷଦ ଦ୍ୱାରା ପରିଚାଳିତ ହେଉଛି। ବୋର୍ଡ ମୁଖ୍ୟାଳୟ ବ୍ୟତୀତ ଭୁବନେଶ୍ୱର, ବାଲେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ଜୟପୁରଠାରେ ଗୋଟିଏ ଲେଖାଏ ଜୋନାଲ କାର୍ଯ୍ୟାଳୟ ରହିଛି। ପ୍ରତିବର୍ଷ ପ୍ରାୟ ୬ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଉଛନ୍ତି। ଏବେ ସମସ୍ତ ପରୀକ୍ଷା ନିମନ୍ତେ ଅନଲାଇନ ଜରିଆରେ ଫର୍ମପୂରଣ, ଆଡମିଟ କାର୍ଡ ପ୍ରଦାନ, ପରୀକ୍ଷା ଫଳ ପ୍ରକାଶ ଆଦି କାର୍ଯ୍ୟ ହେଉଛି।

ଓଡ଼ିଶା ଶିଳ୍ପ ନିର୍ଦ୍ଦେଶାଳୟ

ଓଡ଼ିଶା ଶିଳ୍ପ ନିର୍ଦ୍ଦେଶାଳୟ

ଓଡ଼ିଶାରେ ଶିଳ୍ପର ପ୍ରସାର ପାଇଁ ଉନ୍ନୟନ ବିଭାଗ ନାମରେ ଏକ ସରକାରୀ ଦପ୍ତର କଟକ ବକ୍ସିବଜାରଠାରେ ୧୯୪୮ରେ ଖୋଲାଯାଇଥିଲା। ଏଥିରେ ଶିଳ୍ପ, କୃଷି, ମତ୍ସ୍ୟଚାଷ ଓ ଜଳସେଚନ ଆଦି ସମ୍ପର୍କିତ ଉନ୍ନୟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ କେବଳ ଶିଳ୍ପକୁ ନେଇ ଶିଳ୍ପ ନିର୍ଦ୍ଦେଶାଳୟ ଭାବେ ପରିଚିତ ହେଲା। ଓଡ଼ିଶା ସରକାରଙ୍କ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ନିମନ୍ତେ ଯୁବପିଢ଼ିଙ୍କୁ ଆତ୍ମ ନିୟୋଜନ କରାଉଛି। ୧୯୭୯-୮୦ରୁ ଜିଲା ଶିଳ୍ପକେନ୍ଦ୍ରମାନ ସ୍ଥାପନ କରାଯାଇ ଶିଳ୍ପର ବିକାଶ ପାଇଁ ଯୋଜନା ସହ ଉଦ୍ୟୋଗୀମାନଙ୍କୁ ସରକାରଙ୍କ ରିହାତି ଯୋଗାଇ ଦିଆଯାଉଛି।

ଓଡ଼ିଶା ପୋଲିସ ମୁଖ୍ୟାଳୟ

ଓଡ଼ିଶା ପୋଲିସ ମୁଖ୍ୟାଳୟ

କଟକ ସହରର କ୍ୟାଣ୍ଟନମେଣ୍ଟ ରୋଡ୍‌ଠାରେ ରହିଛି ଓଡ଼ିଶା ପୋଲିସ ମୁଖ୍ୟାଳୟ। ୧୯୩୬ ଏପ୍ରିଲ ୧ରେ ଏହା ସ୍ଥାପିତ ହୋଇଥିଲା। ମୁଖ୍ୟାଳୟ ପରିସରରେ କ୍ରାଇମବ୍ରାଞ୍ଚ, ଏଚ୍‌ଆର୍‌ପିସି, ରେଲୱେ ଆଇଜି ଓ କେନ୍ଦ୍ରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟ ଅବସ୍ଥିତ। ଏଠାରେ ଥିବା ପୋଲିସ ସଂଗ୍ରହାଳୟରେ ବ୍ରିଟିଶ ଅମଳର ବ୍ୟବହୃତ ୟୁନିଫର୍ମ, ଅସ୍ତ୍ରଶସ୍ତ୍ର ଆଦି ରହିଛି। ଏହାବାଦ ଆଇପିଏସ୍‌ ମେସ, ରିଜର୍ଭ ପଡ଼ିଆ, ପୋଲିସ କ୍ୟାଣ୍ଟିନ ରହିଛି। ଜଣେ ଡିଜିପିଙ୍କ ସମେତ ୧୨ ଜଣ ଆଇପିଏସ୍‌ ଏଠାରେ କାର୍ଯ୍ୟରତ ଅଛନ୍ତି।

ଓଡ଼ିଶା ରାଜସ୍ବ ପର୍ଷଦ

ଓଡ଼ିଶା ରାଜସ୍ବ ପର୍ଷଦ

ଓଡ଼ିଶା ହାଇକୋର୍ଟ ନିକଟରେ କାଠଯୋଡ଼ି ପାର୍ଶ୍ୱକୁ ଦଣ୍ଡାୟମାନ ହୋଇଛି ରାଜସ୍ବ ପର୍ଷଦର ୮ ମହଲା ବିଶିଷ୍ଟ କୋଠା। ଏଠାରେ ଭୂସଂସ୍କାର, ଚକବନ୍ଦୀ, ବନ୍ଦୋବସ୍ତ ଆଦି ସମ୍ପର୍କିତ ମାମଲା ସମାଧାନ ପାଇଁ ୬ଟି କୋର୍ଟ ରହିଛି। ପର୍ଷଦର ମୁଖ୍ୟଙ୍କୁ ସଦସ୍ୟ (ମେମ୍ବର) ବୋଲି କୁହାଯାଏ। ଏହାବାଦ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ରାଜସ୍ବ ପର୍ଷଦର କୋର୍ଟ ରହିଛି। ବୋର୍ଡ ଅଫ୍‌ ରେଭେନ୍ୟୁ ଓଡ଼ିଶା ଆକ୍ଟ ୧୯୫୧ ଅନୁସାରେ ସେହିବର୍ଷ ଅଗଷ୍ଟ ୧ରେ ବୋର୍ଡ ଅଫ ରେଭେନ୍ୟୁ ପ୍ରତିଷ୍ଠା ହୋଇ କାର୍ଯ୍ୟ କରିଥିଲା। ବର୍ତ୍ତମାନର ୮ ମହଲା କୋଠା ୧୯୮୮ରେ ଉଦ୍‌ଘାଟିତ ହୋଇଥିଲା।

ଓଡ଼ିଶା ହାଇକୋର୍ଟ

ଓଡ଼ିଶା ହାଇକୋର୍ଟ

କଟକ ସହରର ଚାନ୍ଦିନୀଚୌକଠାରେ ଓଡ଼ିଶା ହାଇକୋର୍ଟ ଅବସ୍ଥିତ। ୧୯୪୮ରେ ଏହା ସ୍ଥାପିତ ହୋଇଥିଲା। ୧୯୧୬ରେ ପାଟନା ହାଇକୋର୍ଟର ସର୍କିଟ ବେଞ୍ଚ ଏଠାରେ ପ୍ରତିଷ୍ଠା ହୋଇ ବିଚାର କାର୍ଯ୍ୟ ଚାଲିଥିଲା। ୨୦୧୨ରେ ଉଦ୍‌ଘାଟିତ ହୋଇଥିବା ହାଇକୋର୍ଟର ନୂତନ ୯ ମହଲା କୋଠାରେ ଦେୱାନୀ, ଫୌଜଦାରି, ଜନସ୍ବାର୍ଥ, ଋଣ ଆଦି ମାମଲା ବିଚାର ପାଇଁ ମୁଖ୍ୟ ବିଚାରପତିଙ୍କ କୋର୍ଟ ସମେତ ମୋଟ ୨୨ଟି କୋର୍ଟ ରହିଛି। ସେହିପରି ମୁଖ୍ୟ ବିଚାରପତିଙ୍କ ସମେତ ମୋଟ ୧୮ ଜଣ ବିଚାରପତି ଏବେ କାର୍ଯ୍ୟରତ ଅଛନ୍ତି। ଏହାବାଦ ବିଚାରପତିମାନଙ୍କର ୨୩ଟି ଚାମ୍ବର, ଗୋଟିଏ ସମ୍ମିଳନୀ କକ୍ଷ, ବିଚାରପତିମାନଙ୍କ ଗୋଟିଏ ବିଶ୍ରାମ କକ୍ଷ, ୬ଟି ଭିଆଇପି ବିଶ୍ରାମକକ୍ଷ ଏଠାରେ ରହିଛି। ସମସ୍ତ ପ୍ରକୋଷ୍ଠଗୁଡିକ ସେଣ୍ଟ୍ରାଲ ଏସି ବ୍ୟବସ୍ଥା କରାଯାଇଛି। କୋଠାରେ ୯୨ଟି ସିସିଟିଭି କ୍ୟାମେରା ଓ ୮ଟି ଏଲସିଡି ରହିଛି। ଉକ୍ତ ଏଲସିଡିରେ ପ୍ରତ୍ୟେକ କୋର୍ଟ ଗୃହରେ ମକଦ୍ଦମା ସମ୍ପର୍କିତ ସୂଚନା ଉପଲବ୍ଧ ହେଉଛି।

Model This Week

ରୂପେଶ