ଶ୍ରେଷ୍ଠ ପାଞ୍ଚ: ସନ୍ତରଣାଗାର

ଓସନ ଓ୍ବାଲର୍‌ଡ ଓ୍ବାଟର ପାର୍କ

ଓସନ ଓ୍ବାଲର୍‌ଡ ଓ୍ବାଟର ପାର୍କ

କଟକ ଫୁଲନଖରାସ୍ଥିତ କୁରାଙ୍ଗଶାସନରେ ରହିଛି ଓସନ ଓ୍ବାଲର୍‌ଡ ଓ୍ବାଟର ପାର୍କ। ଏଠାରେ ରହିଛି କ୍ରୁତ୍ରିମ ଲହଡ଼ି ଯୁକ୍ତ ସନ୍ତରଣାଗାର(ଓ୍ବେଭ ପୁଲ) । ଏଥିସହ ଏଠାରେ କିଡ୍ସ ଫୁଲ୍‌, ରେନ୍‌ ଡ୍ୟାନ୍ସ ଏବଂ ଲ୍ୟାଣ୍ଡିଂ ପୁଲର ସୁବିଧା ରହିଛି। କ୍ରୁତ୍ରିମ ଲହଡ଼ି ସନ୍ତରଣାଗାରର ବେଶ୍‌ ମଜା ଉଠାନ୍ତି ପର୍ଯ୍ୟଟକମାନେ। ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଆଗମନ ଥିବାବେଳେ ଖରାଦିନେ ଅଧିକ ଦେଖା ଯାଇଥାଏ। କଟକ ଓ ଭୁବନେଶ୍ୱରର ମଧ୍ୟ ଭାଗରେ ଏହା ଅବସ୍ଥିତ ଥିବାରୁ ଏଠାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଆସି ସନ୍ତରଣ ଓ ଜଳ କ୍ରିଡ଼ାର ମଜା ନେଇଥାନ୍ତି।

ସମ୍ବଲପୁର ଝସକେତନ ସନ୍ତରଣାଗାର

ସମ୍ବଲପୁର ଝସକେତନ ସନ୍ତରଣାଗାର

ସମ୍ବଲପୁର ସହର ମଧ୍ୟଭାଗରେ ରହିଛି ଝସ୍‌କେତନ ସାହୁ ସନ୍ତରଣାଗାର। ୧୯୭୭ମସିହାରେ ଇଡ୍‌କୋ ଦ୍ୱାରା ନିର୍ମାଣ କରାଯାଇଥିଲା ଏହି ସନ୍ତରଣ। ଗତ ବର୍ଷେ ତଳେ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ୫କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହାର ପୁନରୁଦ୍ଧାର କାର୍ଯ୍ୟ ଶେଷ ହେବାପରେ ଗତ ଅଗଷ୍ଟ ମାସରେ ଲୋକଙ୍କ ଉଦ୍ଦେଶ୍ୟରେ ଏହା ଖୋଲାଯାଇଛି। ପୁନରୁଦ୍ଧାର ପରେ ଏହାର ଆକାର ବୃଦ୍ଧି ପାଇଛି। ଏଠାରେ ସନ୍ତରଣ ପ୍ରଶିକ୍ଷଣ ଦେବାକୁ ୨ଜଣ ଅଭିଜ୍ଞ ପ୍ରଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ସହର ତଥା ପଡ଼ୋଶୀ ରାଜ୍ୟର ବହୁ ସନ୍ତରଣକାରୀ ଏଠାରେ ପ୍ରଶିକ୍ଷଣ ମଧ୍ୟ ନେଇଥାନ୍ତି।

ରାଉରକେଲା ବ୍ରାହ୍ମଣୀ କ୍ଲବ ସନ୍ତରଣାଗାର

ରାଉରକେଲା ବ୍ରାହ୍ମଣୀ କ୍ଲବ ସନ୍ତରଣାଗାର

ରାଉରକେଲା ସହରର ଶେଷ ଭାଗରେ ରହିଛି ବ୍ରାହ୍ମଣୀ କ୍ଲବ। ୧୯୫୭ ମସିହାରେ ଆରମ୍ଭ ହୋଇଥିବା ଏହି କ୍ଲବରେ ରହିଛି ଏକ ସୁନ୍ଦର ସନ୍ତରଣାଗାର। ୩୦ଫୁଟ ଓସାର ଏବଂ ୭୦ଫୁଟ ଲମ୍ବ ବିଶିଷ୍ଟ ଏହି ସନ୍ତରଣାଗାରରେ ଉଭୟ ବଡ଼ ଲୋକ ଏବଂ ଛୋଟ ପିଲାଙ୍କ ନିମନ୍ତେ ସନ୍ତରଣ କରିବାର ସୁବିଧା ରହିଛି। ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ ଏହି ସନ୍ତରଣାଗାରର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ବିମୁଗ୍ଧକର । ଏହାର ସୁନ୍ଦର ନୀଳ ଜଳରାଶି ଆଗନ୍ତୁକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ।

ବିଜୁ ପଟ୍ଟନାୟକ ସନ୍ତରଣାଗାର

ବିଜୁ ପଟ୍ଟନାୟକ ସନ୍ତରଣାଗାର

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ରହିଛି ଏକ ସନ୍ତରଣାଗାର। ଏଠାରେ ଉଭୟ ବଡ଼ ଏବଂ ପିଲାମାନଙ୍କୁ ସନ୍ତରଣ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଉତ୍ତମ ଏବଂ ଅଭିଜ୍ଞ ପ୍ରଶିକ୍ଷକମାନେ ଏଠାରେ ପ୍ରଶିକ୍ଷଣ ଦେଉଛନ୍ତି। ରାଜ୍ୟର ବହୁ ପ୍ରତିଭାବାନ ସନ୍ତରଣ କ୍ରୀଡ଼ାବିତ୍‌ ଏଠାରେ ପ୍ରଶିକ୍ଷଣ ନେଇ ଦେଶ ବିଦେଶରେ ନାମ ଅର୍ଜନ କରିଛନ୍ତି। ସନ୍ତରଣାଗାର ପୁନରୁଦ୍ଧାର ନିମନ୍ତେ ସାମୟିକ ସମୟ ପାଇଁ ଏହାକୁ ବନ୍ଦ କରାଯାଇଛି।

ଓସିଏ ସନ୍ତରଣାଗାର

ଓସିଏ ସନ୍ତରଣାଗାର

କଟକ ବାରବାଟୀ ଷ୍ଟାଡିୟମସ୍ଥିତ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କମ୍ପ୍ଲେକ୍ସରେ ରହିଛି ସନ୍ତରଣାଗାର। ଏହାକୁ ୨୦୧୩ ଏପ୍ରିଲ ୧ତାରିଖରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ସନ୍ତରଣାଗାରକୁ ସାଧାରଣତଃ ଓସିଏର ସଦସ୍ୟମାନେ ବ୍ୟବହାର କରିଥାନ୍ତି। ମାତ୍ର ଯେଉଁମାନେ ସଦସ୍ୟ ନୁହନ୍ତି ସେମାନେ ମଧ୍ୟ ଦେୟ ପଇଠ କରି ଏହାକୁ ବ୍ୟବହାର କରୁଛନ୍ତି। ଏଠାରେ ଛୋଟ ପିଲାମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦେବାକୁ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସନ୍ତରଣକୁ କ୍ୟାରିୟର କରିବାକୁ ଚାହୁଁଥିବା ପିଲାମାନଙ୍କ ପାଇଁ ଏହା ଉପଯୁକ୍ତ ସ୍ଥାନ।