ଶ୍ରେଷ୍ଠ ପାଞ୍ଚ: ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ରଚିତ କାବ୍ୟ

ଲାବଣ୍ୟବତୀ

ଲାବଣ୍ୟବତୀ

ଉପେନ୍ଦ୍ରଙ୍କ ପତ୍ନୀ ଲାବଣ୍ୟବତୀଙ୍କର ଭାଇ ପୁରୁଷୋତ୍ତମ ଜଣେ ପ୍ରସିଦ୍ଧ କବି ଓ ଭାଉଜ ଶୋଭାବତୀ ଜଣେ ବିଦୁଷୀ ନାରୀ ଥିଲେ । ଥରେ ପୁରୁଷୋତ୍ତମ ଶୋଭାବତୀ ନାମରେ କାବ୍ୟଟିଏ ଲେଖି ଉପେନ୍ଦ୍ରଙ୍କ ପାଖକୁ ପଠାଇଥିଲେ। ଉପେନ୍ଦ୍ର କାବ୍ୟଟିକୁ ନେଇ ଲାବଣ୍ୟବତୀଙ୍କୁ ଦେଖାଇଲେ, କବିତାଟି ପଢି ଲାବଣ୍ୟବତୀ ମନେ ମନେ ଭାଉଜଙ୍କୁ ଈର୍ଷା କଲେ । ଭାଉଜଙ୍କଠାରୁ ସେ ଥିଲେ ବହୁତ ସୁନ୍ଦର, ହେଲେ ତାଙ୍କ ନାଁରେ କଣ ଏମିତି ଗୋଟାଏ କାବ୍ୟ ତାଙ୍କ ସ୍ବାମୀ ଲେଖି ପାରିବେ। ସ୍ତ୍ରୀଙ୍କ ମନଦୁଃଖ ହୋଇଥିବା କଥା ଜାଣିପାରି ସେ ମାତ୍ର ଦୁଇ ମାସ ମଧ୍ୟରେ ଲାବଣ୍ୟବତୀ ନାମରେ କାବ୍ୟଟିଏ ଲେଖି ଆଣି ସ୍ତ୍ରୀଙ୍କ ହାତରେ ଅର୍ପଣ କରିଥିଲେ । ଲାବଣ୍ୟବତୀ କାବ୍ୟଟିକୁ ପଢି ରସପ୍ରେମୀ ପାଠକମାନେ ମୁଗ୍ଧ ହୋଇଯାଆନ୍ତି। ଏହାର ବିଷୟବସ୍ତୁ, ଅଳଙ୍କାର, ଶବ୍ଦ ବିନ୍ୟାସ ଉଚ୍ଚକୋଟୀର। ଏଥିରେ ଓଡ଼ିଶାର ପୁରପଲ୍ଲୀର ଚିତ୍ର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ବର୍ଣ୍ଣନା କରାଯାଇଛି। କାବ୍ୟଟି ଯଦିଓ କାଳ୍ପନିକ ବିଷୟବସ୍ତୁକୁ ନେଇ ଆଧାରିତ ତଥାପି ଏଥିରେ ନାରୀ ଚରିତ୍ରର ସମସ୍ତ ଗୁଣ ଅତି ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି।

ବୈଦେହୀଶ ବିଳାସ

ବୈଦେହୀଶ ବିଳାସ

ଉପେନ୍ଦ୍ର ନିଜର ଆରାଧ୍ୟ ରାମସୀତାଙ୍କର ଲୀଳାକୁ ନେଇ ଲେଖିଥିଲେ ବୈଦେହୀଶ ବିଳାସ । କାବ୍ୟଟିର ବିଶେଷତା ହେଲା ପ୍ରତି ଛନ୍ଦର ପ୍ରଥମ ଅକ୍ଷରଟି ବ ରେ ଆରମ୍ଭ ହେଉଥିଲା । ନାନା ପ୍ରକାର ଅଳଙ୍କାର ଓ ଛନ୍ଦର ପ୍ରୟୋଗ ହୋଇଥିବା ଯୋଗୁଁ କାବ୍ୟଟି ପଣ୍ଡିତ ସମାଜରେ ବେଶ ଆଦରଲାଭ କରିଥିଲା । ଏଥିରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ, ବିବାହ, ବନବାସ ସହିତ ଅଯୋଧ୍ୟାରେ ଅଭିଷେକ ପ୍ରଭୃତି ଘଟଣା ବର୍ଣ୍ଣନା କରାଯାଇଛ। ଏହା ସହିତ ସୀତାଙ୍କର ର୍ନିବାସନ, ବାଲ୍ମୀକି ଆଶ୍ରମରେ ଲବକୁଶଙ୍କର ଜନ୍ମ, ଲବକୁଶଙ୍କଦାରା ହନୁମାନ ଓ ଶ୍ରୀରାମଙ୍କ ପରାଜୟ, ସୀତାଙ୍କର ଅଗ୍ନି ପରୀକ୍ଷା ଓ ପାତାଳପୁରକୁ ଗମନ, ରାମଚନ୍ଦ୍ରଙ୍କର ସର୍ଗପ୍ରାପ୍ତି ଆଦି ଘଟଣା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ

କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ

ବୈଦେହୀଶ ବିଳାସ, ଲାବଣ୍ୟବତୀ ଭଳି ଦୁଇଟି ପ୍ରସିଦ୍ଧ କାବ୍ୟ ଲେଖିସାରିଲା ପରେ ଉପେନ୍ଦ୍ର ନିଜର ତୃତୀୟ କାବ୍ୟ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଲେଖିଥିଲେ । କାବ୍ୟଟିରେ କବି ଚମ୍ପାନଗରୀର ରାଜା ବିଶାସନନ୍ଦକ ଓ ରାଣୀ ବିଚିତ୍ରକଳାଙ୍କର କନ୍ୟା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କର କଥାକୁ ବର୍ଣ୍ଣନା କରାଯାଇଛି। ରାଜାରାଣୀ ଝିଅଟିକୁ କେମିତି ଲାଭ କଲେ, କିପରି ତାର ଲାଳନ ପାଳନ କଲେ ଏସବୁ କଥା ଅତି ସୁନ୍ଦର ଭାବରେ ଲେଖିଛନ୍ତି । ପାଟଳିପୁତ୍ରର ରାଜପୁତ୍ର ପୁଷ୍ପକେତୁଙ୍କ ସହିତ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀଙ୍କ ବିବାହ କବିଙ୍କ ଲେଖନୀମୁନରେ ଅତ୍ୟନ୍ତ ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି। ବିଭିନ୍ନ ଅଳଙ୍କାର, ରସ, ଭାବ ଓ ଶବ୍ଦ ବିନ୍ୟାସଦାରା କାବ୍ୟଟି ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇପାରିଥିଲା। କାବ୍ୟଟିର ବିଷୟବସ୍ତୁ ସମ୍ପୂର୍ଣ୍ଣ କାଳ୍ପନିକ ହେଲେ ମଧ୍ୟ ପଢିଲେ ପାଠକଙ୍କୁ ସତ ବୋଲି ମନେ କରିଥାନ୍ତି।

ଅବନା ରସତରଙ୍ଗ

ଅବନା ରସତରଙ୍ଗ

ଅବନା ରସତରଙ୍ଗ କାବ୍ୟରେ ସୂର୍ପଣଖାର ନାକ କାନ କାଟିବାଠାରୁ ରାମଚନ୍ଦ୍ରଙ୍କର ଅଯୋଧ୍ୟା ଅଭିଷେକ ହେବା ପର୍ଯ଼୍ୟନ୍ତ ରାମାୟଣର ବିଷୟବସ୍ତୁ ଲେଖାଯାଇଛି। କାବ୍ୟଟିରେ ଏକ ଭିନ୍ନପ୍ରକାରର ଶବ୍ଦର ଉପଯୋଗ କରାଯାଇଛି, ଏଥିରେ ସମସ୍ତ ଛନ୍ଦ ଅବନାରେ ଲେଖାଯ଼ାଇଛି ଯାହା ଓଡ଼ିଆ ସାହିତ୍ୟରେ ଏକ ମାଇଲ ଖୁଣ୍ଟ ପ୍ରତିପାଦିତ ହୋଇଥାଏ।

ସୁଭଦ୍ରା ପରିଣୟ

ସୁଭଦ୍ରା ପରିଣୟ

ପ୍ରତି ପଦର ପ୍ରଥମ ଅକ୍ଷରରେ ସ ରଖି ଉପେନ୍ଦ୍ର ଏକ ନୁଆ ଧରଣର କାବ୍ୟ ସୁଭଦ୍ରା ପରିଣୟ ଲେଖିଥିଲେ। ଯେଉଁଥିରେ ସୁଭଦ୍ରା ଓ ଅର୍ଜୁନଙ୍କ ବିଭାଘର ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। ଶ୍ରୀକୃଷ୍ଣଙ୍କର ସଖା ଭାବେ ଅର୍ଜୁନ ସଦାସର୍ବଦା ତାଙ୍କ ପାଖେ ପାଖେ ରହୁଥିଲେ। ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନଙ୍କୁ ପ୍ରାଣଠାରୁ ଅଧିକ ଭଲ ପାଉଥିଲେ, ତେଣୁ ନିଜର ଭଉଣୀ ସୁଭଦ୍ରାଙ୍କୁ ଅର୍ଜୁନଙ୍କ ସହ ବିବାହ ଦେଲେ। ଏହି କଥାବସ୍ତୁର ଲାଳିତ୍ୟପୁର୍ଣ୍ଣ ବର୍ଣ୍ଣନା ଅତ୍ୟନ୍ତ ମନୋମୁଗ୍ଧକର।