Dharitri News

ଶ୍ରେଷ୍ଠ ପାଞ୍ଚ: ଶ୍ରୀକ୍ଷେତ୍ରର ପାଣ୍ଡବ

ଶ୍ରୀ ଯମ୍ବେଶ୍ୱର

ଶ୍ରୀ ଯମ୍ବେଶ୍ୱର

ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବଙ୍କ ମଧ୍ୟରୁ ଶ୍ରୀ ଯମ୍ବେଶ୍ୱର ହେଉଛନ୍ତି ଅନ୍ୟତମ। ଶ୍ରୀମନ୍ଦିରର ନୈଋତ କୋଣରେ ଗୌଡବାଡ଼ ସାହିରେ ପ୍ରତିଷ୍ଠିତ ଶ୍ରୀ ଯମ୍ବେଶ୍ୱର ପଞ୍ଚପାଣ୍ଡବଙ୍କ ମଧ୍ୟରେ ଧର୍ମରାଜ ଯୁଧିଷ୍ଠିର ରୂପେ କଳ୍ପିତ। ଏହି ପୀଠ ଶ୍ରୀକ୍ଷେତ୍ରର ବହୁ ପ୍ରାଚୀନ ଆସ୍ଥାନ ମଧ୍ୟରୁ ଅନ୍ୟତମ ା ଶ୍ରୀ ଯମ୍ବେଶ୍ୱର ହରିହର ସ୍ବରୂପ ହିରଣ୍ୟ ଗର୍ଭ ଲିଙ୍ଗ। ଗର୍ଭର ପଶ୍ଚାଦ୍‌ ଦେଶରେ ଗୋଟିଏ ପ୍ରସ୍ତର ମୂର୍ତ୍ତି ଖୋଦିତ। ଏହାକୁ ଦତ୍ତାତ୍ରେୟ କୁହନ୍ତି। ଦିନେ ଯମ୍ବେଶ୍ୱରଙ୍କୁ କେନ୍ଦ୍ର କରି ଯମନିକ ତୀର୍ଥ ପ୍ରସିଦ୍ଧି ଲାଭ କରିଥିଲା। ଶ୍ରୀଯମ୍ବେଶ୍ୱରଙ୍କ ଉପରେ ଶ୍ରୀଜଗନ୍ନାଥଙ୍କ ଜମିଜମାର ଆୟବ୍ୟୟର ହିସାବ ଲିଖିନ ଦାୟିତ୍ୱ ନ୍ୟସ୍ତ।

ଶ୍ରୀ ମାର୍କଣ୍ଡେଶ୍ୱର

ଶ୍ରୀ ମାର୍କଣ୍ଡେଶ୍ୱର

ଶ୍ରୀ ମାର୍କଣ୍ଡେଶ୍ୱର ପଞ୍ଚ ପାଣ୍ଡବଙ୍କ ମଧ୍ୟରେ ଅର୍ଜୁନ। ଋଷି ମାର୍କଣ୍ଡେୟଙ୍କ ଦ୍ୱାରା ଉପାସିତ ଈଶ୍ୱର ହେଉଛନ୍ତି ମାର୍କଣ୍ଡେଶ୍ୱର। ଅଳ୍ପାୟୁ ମାର୍କଣ୍ଡେୟ ମୃତ୍ୟୁ ଭୟରୁ ରକ୍ଷା ପାଇବା ପାଇଁ ଶିବଙ୍କର ଉପାସନା କରୁଥିଲେ। ମୃତ୍ୟୁର ଦେବତା ଯମ ଆସି ଫାଶ ନିକ୍ଷେପ କରିବାରୁ ମାର୍କଣ୍ଡେୟ ଶିବ ଲିଙ୍ଗରେ ବାହୁବେଷ୍ଟନ କରି ପ୍ରାର୍ଥନା କଲେ। ତାଙ୍କୁ ରକ୍ଷା କରିବା ପାଇଁ ଆଶୁତୋଷ ଶିବ ଲିଙ୍ଗ ମଧ୍ୟରୁ ବାହାରି ଯମଙ୍କୁ ତ୍ରିଶୂଳରେ ଆଘାତ କରିଥିଲେ। ସୂତରାଂ ମାର୍କଣ୍ଡେଶ୍ୱରଙ୍କୁ ମୃତ୍ୟୁଞ୍ଜୟ ଶିବ କୁହାଯାଏ। ଶକ୍ତି ମଧ୍ୟସ୍ଥ ଲିଙ୍ଗ ଖଣ୍ଡ ବିଖଣ୍ଡିତ। ମନ୍ଦିରଟି ତ୍ରିରଥ ଶ୍ରେଣୀ ଏବଂ ରେଖ ଶୈଳୀର।

ଶ୍ରୀ ନୀଳକଣ୍ଠେଶ୍ୱର

ଶ୍ରୀ ନୀଳକଣ୍ଠେଶ୍ୱର

ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନିକଟରେ ଶ୍ରୀନୀଳକଣ୍ଠେଶ୍ୱରଙ୍କ ଉପାସନା ହୋଇଆସୁଛି। ଇନ୍ଦ୍ରଦ୍ୟୁମ୍ନ ତୀର୍ଥ ନିକଟରେ ପରିଦୃଶ୍ୟମାନ ମନ୍ଦିର ପଦ୍ମକେଶରୀଙ୍କ ଦ୍ୱାରା ଅଷ୍ଟମ ଶତାବ୍ଦୀର ଚତୁର୍ଥ ଦଶନ୍ଧୀରୁ ସପ୍ତମ ଦଶନ୍ଧୀ ମଧ୍ୟରେ ନିର୍ମିିତ ହୋଇଥିଲା। ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବଙ୍କ ମଧ୍ୟରେ ଶ୍ରୀ ନୀଳକଣ୍ଠେଶ୍ୱର ସହଦେବ ରୂପେ କଳ୍ପିତ। ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ବିଧାନରେ ରହିଛି ଯେ, ଇନ୍ଦ୍ରଦ୍ୟୁମ୍ନ ତୀର୍ଥରେ ସ୍ନାନ କରି ଶ୍ରୀନୀଳକଣ୍ଠେଶ୍ୱରଙ୍କୁ ଦର୍ଶନ କଲେ ଏହି ଜୀବନରୁ ମୁକ୍ତି ମିଳେ।

ଶ୍ରୀ କପାଳମୋଚନ

ଶ୍ରୀ କପାଳମୋଚନ

ଶ୍ରୀଜଗନ୍ନାଥ ମନ୍ଦିରର ଦକ୍ଷିଣ ପଶ୍ଚିମ କୋଣରେ ମେଘନାଦ ପ୍ରାଚୀରଠାରୁ ପ୍ରାୟ ୩୦ ମିଟର ଦୂରରେ ଶ୍ରୀକପାଳମୋଚନ ମନ୍ଦିର ଅବସ୍ଥିତ। କପାଳମୋଚନଙ୍କ ପଶ୍ଚାତ୍‌ଦେଶରେ ଦତ୍ତାତ୍ରେୟଙ୍କ ମୂର୍ତ୍ତି ରହିଛି। କପାଳମୋଚନଙ୍କ ଆସ୍ଥାନ ମଣିକର୍ଣ୍ଣିକା ଭାବରେ ପରିଚିତ। ମନ୍ଦିରକୁ ଲାଗି ଜନବସତି ମଣିକର୍ଣ୍ଣିକା ସାହି ଭାବେ କଥିତ। ବର୍ଷା ଦିନରେ ମଣିକର୍ଣ୍ଣିକା ତୀର୍ଥ ଭାବେ କଥିତ କୂପର ଜଳସ୍ତର ବୃଦ୍ଧି ହେଲେ କପାଳମୋଚନ ମଧ୍ୟ ଜଳମଗ୍ନ ରୁହନ୍ତି। ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବଙ୍କ ରୂପେ ପ୍ରସିଦ୍ଧ ପଞ୍ଚଶିବଙ୍କ ମଧ୍ୟରେ ଶ୍ରୀକପାଳମୋଚନ ହେଉଛନ୍ତି ନକୁଳ।

ଶ୍ରୀଲୋକନାଥ

ଶ୍ରୀଲୋକନାଥ

ଶ୍ରୀଲୋକନାଥ ପଞ୍ଚପାଣ୍ଡବଙ୍କ ମଧ୍ୟରେ ଭୀମ ରୂପରେ କଳ୍ପିତ। ବେଢା ସମ୍ମୁଖରେ ପାର୍ବତୀ ସାଗର ନାମକ ଜଳାଶୟ ରହିଛି ା କଥିତ ଅଛି ତ୍ରେତୟା ଯୁଗରେ ଜନପଦୀୟ ଲୋକେ ଦେଇଥିବା ଏକ ଲାଉକୁ ଶ୍ରୀରାମଚନ୍ଦ୍ର ଏଠାରେ ଶିବ ଲିଙ୍ଗ ରୂପେ ପୂଜା କରିଥିଲେ। ପରବର୍ତ୍ତୀ କାଳରେ ଏହା ଲାଉକେଶ୍ୱର ରୂପେ ପୂଜିତ ହେଲେ। ଲାଉକେଶ୍ୱର ହିଁ ଜନମାନସରେ ଲୋକମାନଙ୍କ ନାଥ ଅର୍ଥାତ୍‌ ଲୋକନାଥ ମହାଦେବ ଭାବେ ପରିଚିତ ହୋଇଆସିଛନ୍ତି।