ଶ୍ରେଷ୍ଠ ପାଞ୍ଚ: କଟକର ନଦୀଘାଟ

ଯୋବ୍ରା ଘାଟ

ଯୋବ୍ରା ଘାଟ

ଓଡ଼ିଶା ନୌବାଣିଜ୍ୟର ମୂକସାକ୍ଷୀ ହୋଇଛି ଯୋବ୍ରା ଘାଟ। ଏବେ ବି ଏଠାରେ ରହିଛି ବତି ଖୁଣ୍ଟ। ଇଂରେଜମାନେ ବାଣିଜ୍ୟର ବିକାଶ ନିମନ୍ତେ ଜଳ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିଥିଲେ। ଏଠାରୁ ବିଭିନ୍ନ ସ୍ଥାନକୁ ଲଞ୍ଚ, ଷ୍ଟିମର, ନୌକା ଯାତାୟାତ କରିବା ସହ ମାଲ ପରିବହନ ହେଉଥିଲା। ଯୋବ୍ରା ଘାଟର କିଛି ଦୂରରେ ରହିଛି ନୌବାଣିଜ୍ୟ ସଂଗ୍ରହାଳୟ ଓ ଯୋବ୍ରା ଆନିକଟ।

ଗଡ଼ଗଡ଼ିଆ ଘାଟ

ଗଡ଼ଗଡ଼ିଆ ଘାଟ

୧୫୧୦ରେ ଶ୍ରୀଚୈତନ୍ୟ ଦେବ ପ୍ରଥମ କରି କଟକ ଆସିଥିଲେ। ସେ ମହାନଦୀ ପାର ହେବାବେଳେ ଉପସ୍ଥିତ ସଂକୀର୍ତ୍ତନ ମଣ୍ଡଳୀ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦେଇଥିଲେ। ସେଥିରେ ସେ ଭାବବିହ୍ବଳ ହୋଇ ନଦୀବାଲିରେ ଗଡ଼ି ଯାଇଥିଲେ। ସେଥିପାଇଁ ଘାଟର ନାମକରଣ ଏପରି ହୋଇଥିବା କୁହାଯାଏ। ସେହି ଅନୁସାରେ ଏଠାରେ ପୂଜିତ ମହାଦେବଙ୍କ ନାମ ଗଡ଼ଗଡ଼େଶ୍ୱର ହୋଇଛି। ଶ୍ରାବଣ ମାସରେ କାଉଡ଼ିଆମାନେ ମହାନଦୀର ଗଡ଼ଗଡ଼ିଆ ଘାଟରୁ ପାଣି ଉଠାଇ ମହାଦେବଙ୍କୁ ଲାଗି କରିବାକୁ ବହୁ ଦୂର ଯାଇଥାନ୍ତି। ଏହି ସ୍ଥାନ ବ୍ୟବସାୟ ଦୃଷ୍ଟିରୁ ବେଶ ସମୃଦ୍ଧ ଥିଲା। ଏହିସ୍ଥାନରେ ହେଉଥିବା ବାଲିଯାତ୍ରା ତାହାର ସ୍ମୃତିବହନ କରୁଛି। ଘାଟର ଅନତି ଦୂରରେ ରହିଛି ବାରବାଟୀ ଷ୍ଟାଡିୟମ ଓ ଦୁର୍ଗ।

ଚହଟା ଘାଟ

ଚହଟା ଘାଟ

କଟକରୁ ଆଠଗଡ଼, ଧବଳେଶ୍ୱରକୁ ଚହଟା ଘାଟ ଦେଇ ଲୋକେ ଯାଉଥିଲେ। ଲୋକେ ଜଙ୍ଗଲରୁ ଦାନ୍ତକାଠି, ଶାଳପତ୍ର ଆଦି ଧରି ନଦୀ ଶୁଖିଲା ସମୟରେ ଏହି ଘାଟରେ କଟକ ଯାତାୟାତ କରୁଥିଲେ। ଏହି ଘାଟ ଅତ୍ୟନ୍ତ ଓସାରିଆ ହୋଇଥିବା କାରଣରୁ ଘାଟର ଏପରି ନାମକରଣ ହୋଇଥିବା କୁହାଯାଏ। ଏଠାରେ ଚହଟେଶ୍ୱର ମହାଦେବଙ୍କ ମନ୍ଦିର ରହିଛି।

ବାଇମୁଣ୍ଡି ଘାଟ

ବାଇମୁଣ୍ଡି ଘାଟ

କୁହାଯାଏ ବାଇମୁଣ୍ଡି ନାମକ ବ୍ୟକ୍ତିଙ୍କ ଅନୁରୋଧ କ୍ରମେ ରାଜା ମର୍କତକେଶରୀ କଟକକୁ ବନ୍ୟାଦାଉରୁ ରକ୍ଷାକରିବା ପାଇଁ ପଥରବନ୍ଧ ନିର୍ମାଣ କରିଥିଲେ। ଆଉ କେତେକ ରାଜା ମର୍କତକେଶରୀ ହିଁ ବାଇମୁଣ୍ଡି ବୋଲି ଆଖ୍ୟା ଦେଇଥାନ୍ତି। ତେବେ ସେ ଯାହାହେଉ ବାଇମୁଣ୍ଡିଙ୍କ ନାମରେ ସ୍ଥାନୀୟ ଲୋକେ ଏହି ଘାଟକୁ ନାମକରଣ କରିଛନ୍ତି। ଏହି ଘାଟର ଅନତି ଦୂରରେ ଥିଲା ହରହରି ଘାଟ। ନୌକାରେ ମାଲପରିବହନ ପାଇଁ ଘାଟଟି ଥିଲା ପ୍ରମୁଖ କେନ୍ଦ୍ରସ୍ଥଳ।

ପୁରୀ ଘାଟ

ପୁରୀ ଘାଟ

ସେତେବେଳେ ନଦୀ ପାର ପାଇଁ କୌଣସି ପୋଲ ନ ଥିଲା। ପୁରୀ ତୀର୍ଥଯାତ୍ରୀମାନେ କାଠଯୋଡ଼ି ନଦୀର ଏହିଠାରେ ନଦୀ ପାର ହେଉଥିଲେ। ସେଥିପାଇଁ ନଦୀଘାଟ ସମେତ ସଂଲଗ୍ନ ଅଞ୍ଚଳକୁ ପୁରୀଘାଟ ଭାବେ ନାମିତ କରାଯାଇଛି। ସ୍ବାଧୀନତା ଆନ୍ଦୋଳନ ସମୟରେ ମହାତ୍ମା ଗାନ୍ଧୀ ଓଡ଼ିଶା ଆସି ଏହି ଘାଟର ନଦୀବାଲିରେ ଏକ ବଡ଼ ସଭା କରିଥିଲେ। ତା’ର ସ୍ମାରକୀ ସ୍ବରୂପ ପୁରୀଘାଟରେ ଗାନ୍ଧୀସ୍ମୃତି ପୀଠ ନିର୍ମିତ ହୋଇଛି। ଏହାବ୍ୟତୀତ ମର୍କତକେଶରୀଙ୍କ ଦ୍ୱାରା ନିର୍ମିତ ପଥର ବନ୍ଧ ବର୍ତ୍ତମାନ କେବଳ ଏହିଠାରେ ହିଁ ଦୃଶ୍ୟମାନ ହେଉଛି।

Model This Week

ରୂପେଶ