ଶ୍ରେଷ୍ଠ ପାଞ୍ଚ: ଲୋକନୃତ୍ୟ

କରମା

କରମା

କୋସଲୀ ଭାଷାରେ କରମାକୁ ଭାଗ୍ୟ ବୋଲି କୁହାଯାଇଥାଏ। ଏହି ନୃତ୍ୟ ଭାଗ୍ୟର ଦେବତା କରମା ଦେବତା ଓ କରମାଶୁଣୀ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ କରାଯାଇଥାଏ। ଏହା ସମ୍ବଲପୁର ଜିଲାରେ ବହୁଳ ଭାବେ ପ୍ରଚଳିତ। ଏହି ନୃତ୍ୟ ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ ଜିଲାର ଜନଜାତି ବହୁଳ ଅଞ୍ଚଳରେ ଭାଦ୍ର ଶୁକ୍ଲ ଏକାଦଶୀଠାରୁ ଆରମ୍ଭ ହୋଇଥାଏ। ଅନେକ ଦିନ ଧରି ଏହାକୁ ପାଳନ କରାଯାଇଥାଏ। ମାଦଳ ତାଳେ ତାଳେ ପରସ୍ପର କାନ୍ଧରେ ହାତ ରଖି ହାତକୁ ହାତରେ ଧରି ନୃତ୍ୟଦଳ ନଇଁ ନଇଁ ଆଗପଛ ହୋଇ ସୁନ୍ଦର ଭାବେ ନୃତ୍ୟ କରିଥାନ୍ତି। ରାତି ରାତି ଏହି ନୃତ୍ୟରେ ବିଭୋର ହୋଇ ଜନଜାତି ଯୁବବର୍ଗ ନୃତ୍ୟ କରିଥାନ୍ତି।

ଡାଲ୍‌ଖାଇ

ଡାଲ୍‌ଖାଇ

ସମ୍ବଲପୁର ଜିଲାରେ ଏହି ନୃତ୍ୟ ବେଶ୍‌ ଲୋକପ୍ରିୟ। ଦଶହରା ସମୟରେ ଦଳବଦ୍ଧ ଭାବେ ନୃତ୍ୟଦଳ ଆନନ୍ଦ ମନରେ ଏହି ନୃତ୍ୟ କରିଥାନ୍ତି। ଢୋଲ, ନିଶାନ୍‌, ଟାମ୍‌କି, ତାସା ଓ ମହୁରିର ତାଳେ ତାଳ କାନ୍ଧରେ ହାତ ରଖି ଆଗ ଓ ପଛକୁ ଝୁଲି ଝୁଲି ଏହି ନୃତ୍ୟଦଳ ନାଚ ପରିବେଷଣ କରିଥାନ୍ତି। ଏହି ନୃତ୍ୟରେ ରାଧାକୃଷ୍ଣ, ରାମାୟଣ ଓ ମହାଭାରତର ଅଭିନୟ ମଧ୍ୟ କରାଯାଇଥାଏ। ଏହି ସମୟରେ କୋସଲୀ ଭାଷାରେ ଗୀତ ଗାନ କରାଯାଇଥାଏ।

ବାଘନାଚ

ବାଘନାଚ

ଏହା ସମ୍ବଲପୁରରେ ବହୁଳ ଭାବେ ପ୍ରଚଳିତ ହେଉଥିବା ଲୋକନୃତ୍ୟ। ଚୈତ୍ରମାସରେ ସୁବର୍ଣ୍ଣପୁର ଜିଲାର ବିନିକା, ସୋନପୁର ଅଞ୍ଚଳରେ ହଳଦିଆ ଓ କଳା ପଟା ରଙ୍ଗରେ ବାଘ ଭଳି ଚିତ୍ରବିଚିତ୍ର ହୋଇଥିବା ପୁରୁଷ କଳାକାର ରାସ୍ତାରେ ବୁଲି ବୁଲି ନୃତ୍ୟ କରିଥାନ୍ତି। କଳାକାରଙ୍କ ସହିତ ଜଣେ ବାଜା ବାଲା ବାଦ୍ୟଯନ୍ତ୍ର ବଜାଇଥାନ୍ତି। ବାଦ୍ୟଯନ୍ତ୍ରର ତାଳେ ତାଳେ ବାଘ ଠାଣିରେ କଳାକାର ନୃତ୍ୟ ପରିବେଷଣ କରିଥାନ୍ତି। ବ୍ରହ୍ମପୁରର ଠାକୁରାଣୀ ଯାତ୍ରା ସମୟରେ ଏହି ନୃତ୍ୟ ଦେଖିବାକୁ ମିଳିଥାଏ।

ଛଉ

ଛଉ

ମୟୂରଭଞ୍ଜ ଜିଲାରେ ଏହି ନୃତ୍ୟ ବହୁଳ ଭାବେ ଦେଖିବାକୁ ମିଳିଥାଏ। ବାଲେଶ୍ୱର ଜିଲାର ନୀଳଗିରି ଅଞ୍ଚଳରେ ମଧ୍ୟ ଏହା ଦୃଷ୍ଟିଗୋଚର ହୋଇଥାଏ। ଏହା ଏକ ସାମରିକ କଳା। ଏହି ନୃତ୍ୟରେ ଯୁଦ୍ଧକ୍ଷେତ୍ରରେ ଲଢ଼େଇ କରିବାର ଅଭିନୟ ପ୍ରଦର୍ଶନ କରାଯାଇଥାଏ। ଏଥିରେ ଅଂଶଗ୍ରହଣ କରିଥିବା ନୃତ୍ୟଦଳ ଖଣ୍ଡା, ଢାଲ ଓ ଲାଠିରେ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥାନ୍ତି। ଏହି ନୃତ୍ୟରେ ମହୁରି, ଢୋଲ, ଧୁମୁସା, ଚଡ଼ଚଡ଼ି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଇଥାଏ।

ଘୁମୁରା

ଘୁମୁରା

କଳାହାଣ୍ଡି ଜିଲାରେ ବିଭିନ୍ନ ପର୍ବପର୍ବାଣିରେ ଏହି ନୃତ୍ୟ ଦେଖିବାକୁ ମିଳିଥାଏ। ଚଣ୍ଡୀ ପୁରାଣରେ ଏହି ନୃତ୍ୟ ସମ୍ପର୍କରେ ବର୍ଣ୍ଣନା ରହିଛି। ନୂଆଁଖାଇ ଓ ଦଶହରା ସମୟରେ ଏହା ସ୍ଥାନୀୟ ଜନସାଧାରଣଙ୍କୁ ବିଶେଷ ଆକର୍ଷିତ କରିଥାଏ। ଢୋଲ ଓ ମାଦଳର ତାଳେ ତାଳେ ଏହି ନୃତ୍ୟ ମନରେ ମାଦକତା ଭରିଦିଏ। ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର କେତେକ ଅଞ୍ଚଳରେ ମଧ୍ୟ ଏହି ନୃତ୍ୟ ଦେଖିବାକୁ ମିଳିଥାଏ।

Model This Week

ରୂପେଶ