Dharitri News

ଶ୍ରେଷ୍ଠ ପାଞ୍ଚ: ପୁରୀର ଜାଗା ଘର

ଜଗତ ପ୍ରତିହାରୀ ଜାଗା

ଜଗତ ପ୍ରତିହାରୀ ଜାଗା

ଦୋଳମଣ୍ଡପ ସାହିର ୫ଟି ମେଳ ମଧ୍ୟରୁ ଜଗତ ପ୍ରତିହାରୀ ଜାଗା ହେଉଛି ଅନ୍ୟତମ। ଶ୍ରୀକ୍ଷେତ୍ର ସୁରକ୍ଷା ଥିଲା ଏହି ଜାଗାର ଅନ୍ୟତମ ପ୍ରମୁଖ କାର୍ଯ୍ୟ। କଥିତ ଅଛି ଜଗତ ପ୍ରତିହାରୀ ଥିଲେ ମହାପ୍ରଭୁଙ୍କ ପ୍ରତିହାରୀ ସେବକ। ମୋଗଲ ଶାସନ ଅମଳରେ କେସୋ ଦାସମାରୁ ନାମକ ଜଣେ ରାଜପୁତ ସେନାପତି ଶରଧାବାଲିରେ ତିନୋଟି ଯାକ ରଥରେ ନିଅଁା ଲଗାଇ ଶ୍ରୀମନ୍ଦିରକୁ ଲୁଣ୍ଠନ କରି ପଳାଉଥିଲେ। ଜଗତ ପ୍ରତିହାରୀ ତାଙ୍କୁ ଗୋଡାଇ ଗୋଡାଇ ପିପିଲି ନିକଟରେ କାବୁ କରି ଲୁଣ୍ଠିତ ଦ୍ରବ୍ୟ ଆଣି ଗଜପତିଙ୍କୁ ଭେଟି ଦେଇଥିଲେ। ଗଜପତି ପୁରସ୍କାର ସ୍ବରୂପ ଗୋଟିଏ ଆସ୍ଥାନ ଦେଇ ତାଙ୍କ ନାମରେ ଏକ ଜାଗା ପ୍ରତିଷ୍ଠା କରିଥିଲେ। ଏଠାରେ ଯୁବକମାନେ ଆସି ଶାରୀରିକ ଅଭ୍ୟାସ କରନ୍ତି। ଏକ ବଡ଼ ବଗିଚା ଏବଂ ପୋଖରୀ ରହିଛି। କିନ୍ତୁ ପୋଖରୀଟି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏଠାରେ ପହିଲି ଭୋଗ ବଡ ପର୍ବ ଭାବେ ପାଳନ କରାଯାଏ।

ଯଦୁ ତିଆଡ଼ି ଜାଗା

ଯଦୁ ତିଆଡ଼ି ଜାଗା

ପୁରୀର ପୁରାତନ ଜାଗା ଆଖଡା ମଧ୍ୟରୁ ଯଦୁ ତିଆଡି ଜାଗା ଅନ୍ୟତମ। ଦୋଳମଣ୍ଡପ ସାହିର ୫ ଜାଗା ମଧ୍ୟରୁ ଏହା ପ୍ରମୁଖ। ଏହାକୁ ଦୋଳମଣ୍ଡପ ସାହିର ନିଶାନ ଜାଗା ବୋଲି କୁହାଯାଏ। ଏଠାରୁ ମେଳ ଓ ବିଭିନ୍ନ ପ୍ରକାର ଖେଳ ବାହାରେ। ଏଠାରେ ଯୁବକମାନେ କୁସ୍ତି ଇତ୍ୟାଦି ସମରକଳା ଅଭ୍ୟାସ କରୁଛନ୍ତି। କୁସ୍ତି ପାଇଁ ସ୍ବତନ୍ତ୍ର ଖେଳଜାଗା ମଧ୍ୟ ଅଛି। ୨୦ରୁ ୩୦ ଯୁବକ ପ୍ରତିଦିନ ଏଠାରେ ବ୍ୟାୟାମ କରିଥାନ୍ତି। ଶ୍ରୀମନ୍ଦିର ସହିତ ଏହି ଜାଗାର ନିବିଡ଼ ସମ୍ପର୍କ ଅଛି। ଜାଗା ଘର ପରିସରରେ ମହାବୀର ଏବଂ ବୁଢୀ ମା’ଙ୍କ ମନ୍ଦିର ରହିଛି। ଶୀତଳଷଷ୍ଠୀ ଅବସରରେ ଦୋଳମଣ୍ଡପ ସାହିର ବାନାମ୍ବର ଏଠାକୁ ଆସନ୍ତି।

ଚମ୍ପାଗଡ଼ ଜାଗା ପଞ୍ଚାୟତ

ଚମ୍ପାଗଡ଼ ଜାଗା ପଞ୍ଚାୟତ

ଶ୍ରୀକ୍ଷେତ୍ରର ଅନ୍ୟତମ ଜାଗା ଘର ହେଉଛି ଚମ୍ପାଗଡ଼ ଜାଗା ପଞ୍ଚାୟତ (ମଲ୍ଲ ବିଦ୍ୟାଳୟ)। ଦୋଳମଣ୍ଡପ ସାହିରେ ରହିଥିବା ଏହି ଜାଗା ନିଜସ୍ବ ଉଦ୍ୟମରେ ଚାଲିଛି। ଏହା ପରିସରରେ ଜିମ୍‌ ଓ ଖେଳ ଜାଗା ରହିଛି। ଏଠାରୁ ବହୁ ପିଲା କୁସ୍ତି ଓ ଭାରୋତ୍ତୋଳନରେ ରାଜ୍ୟ ଓ ଜାତୀୟସ୍ତରରେ ସଫଳତା ପାଇଛନ୍ତି। ଏଠାରେ ଏକ ବଡ ବଗିଚା ଓ ପୋଖରୀ ରହିଛି। ଜାଗା ଘରର କିଛି ଅଂଶ ଭଡା ଦିଆଯାଇଛି। ସେଥିରୁ ଯାହା ଆୟ ହେଉଛି ଏହାର ବିକାଶ କ୍ଷେତ୍ରରେ ଖର୍ଚ୍ଚ କରାଯାଉଛି। ପ୍ରତିଦିନ ୨୦ରୁ ୨୫ ଯୁବକ ଏଠାକୁ ଆସି ବିଭିନ୍ନ ପ୍ରକାର ଶାରୀରିକ ଅଭ୍ୟାସ କରୁଛନ୍ତି। ଏହା ପରିସରରେ ମହାବୀରଙ୍କ ମନ୍ଦିର ରହିଛି। ସାହିଯାତ୍ରାର ରାମଲୀଳା ଓ କୃଷ୍ଣଲୀଳାରେ ଏହି ଜାଗା ମନ୍ଦିର ସେବା ସହିତ ମଧ୍ୟ ସମ୍ପୃକ୍ତ ରହିଆସିଛି।

ମଲ୍ଲିଗଡ଼ ଜାଗା

ମଲ୍ଲିଗଡ଼ ଜାଗା

ପୁରୀର କୁଣ୍ଢାଇବେଣ୍ଟ ସାହିରେ ରହିଛି ମଲ୍ଲିଗଡ଼ ଜାଗା। ଯଦୁ ତିଆଡ଼ି ଜାଗା ଓ ମଲ୍ଲିଗଡ଼ ଜାଗା ପାଖାପାଖି ରହିଛି। ମଲ୍ଲିଗଡ଼ ଜାଗାର ପୂର୍ବ ନଁା କଣ୍ଡରାକୋଟ୍‌ ରହିଥିଲା। ପରବର୍ତ୍ତୀ ସମୟରେ ଏହାର ନାମ ପରିବର୍ତ୍ତନ ହୋଇଛି। ଅନେକ ସେବାୟତ ପରିବାର ଏହି ଜାଗାର ସାଙ୍ଗ। ଶରୀରକୁ ସୁସ୍ଥ ଏବଂ ସୁନ୍ଦର ରଖିବା ଲାଗି ଯୁବକମାନେ ନିଜସ୍ବ ଉଦ୍ୟମରେ ଜିମ୍‌ ସୁବିଧା କରିଛନ୍ତି। ସେମାନେ ପ୍ରତ୍ୟହ ଏଠାକୁ ଆସି ବିଭିନ୍ନ ପ୍ରକାର ଶାରୀରିକ ଅଭ୍ୟାସ ଚଳାଇଥାନ୍ତି। ବାର୍ଷିକ ଉତ୍ସବ ମଧ୍ୟରେ ପଣାସଂକ୍ରାନ୍ତି ଏବଂ ପଞ୍ଚମହାବୀରଙ୍କ ଜନ୍ମ ବାର୍ଷିକ ଶ୍ରାବଣ କୃଷ୍ଣ ଦ୍ୱାଦଶୀରେ ଅନୁଷ୍ଠିତ ହୁଏ। ଏହି ଜାଗାର ଇଷ୍ଟ ହେଉଛନ୍ତି ଦକ୍ଷିଣମୁଖା ପଞ୍ଚମହାବୀର।

ମାଜଣା ଜାଗା

ମାଜଣା ଜାଗା

କୁଣ୍ଢାଇବେଣ୍ଟ ସାହିର ୨୫ ମେଳ ମଧ୍ୟରୁ ମାଜଣା ଜାଗା ଅନ୍ୟତମ। ଏହା ବଳଗଣ୍ଡି ନିକଟରେ ବଡ଼ଦାଣ୍ଡ କଡ଼ରେ ଅବସ୍ଥିତ। ଏହି ଜାଗାର ଶ୍ରୀଜଗନ୍ନାଥଙ୍କ ଉପାସନା ସହିତ ସମ୍ପର୍କ ଥିଲା। ପୂର୍ବେ ମହାପ୍ରଭୁଙ୍କ ଗୁରୁବାର ମାଜଣା ପାଇଁ ଦହି ଓ ହଳଦୀ ଏହି ଜାଗା ଯୋଗାଉଥିଲା। ଏହା ପରିସରରେ ଗୋଟିଏ ବଡ଼ ପୋଖରୀ ରହିଛି। ଏଥିସହ ଶରୀର ଚର୍ଚ୍ଚା ପାଇଁ ବ୍ୟାୟାମଶାଳା ଅଛି। ଏହାର ପରିଚାଳନା ପାଇଁ ପରିସରରେ ଏକ କଲ୍ୟାଣ ମଣ୍ଡପ ରହିଛି। ସାମାନ୍ୟ କେତୋଟି ଦୋକାନ ଘର ମଧ୍ୟ ଭଡ଼ା ଲାଗିଛି। ଏଥିରୁ ଯାହା କିଛି ଆୟ ହୁଏ ସେଥିରେ ଜାଗାଘରର ପରିଚାଳନା କରାଯାଉଛି। ବନଭୋଜି ମହୋତ୍ସବ ଏହି ଜାଗାର ଅନ୍ୟତମ ବଡ଼ ପର୍ବ। ଆଶ୍ୱିନ ମାସରେ ମାଜଣା ଜାଗାରୁ ବିଶାଳ ନାଗା ମୂର୍ତ୍ତି ଉପାସିତ ହୁଅନ୍ତି। ରଥଯାତ୍ରା ବେଳେ ରଥ ବଡ଼ଶଙ୍ଖ ଭିତରେ ରହିଲେ ଏହି ଜାଗା ରୋଷରୁ ମହାପ୍ରସାଦ ତିଆରି ହୋଇ ରଥରେ ଭୋଗ ହୁଏ।