Dharitri News

ଶ୍ରେଷ୍ଠ ପାଞ୍ଚ: ବନ୍ୟପ୍ରାଣୀ ଅଭୟାରଣ୍ୟ

ଉଷାକୋଠି ବନ୍ୟପ୍ରାଣୀ ଅଭୟାରଣ୍ୟ

ଉଷାକୋଠି ବନ୍ୟପ୍ରାଣୀ ଅଭୟାରଣ୍ୟ

ସମ୍ବଲପୁର ଠାରୁ ୪୦କିଲୋମିଟର ଦୂରରେ ଥିବା ଉଷାକୋଠି ହେଉଛି ଏକ ଛୋଟିଆ ସହର। ସହରର ନାମାନୁସାରେ ଏଠାକାର ଅଭୟାରଣ୍ୟର ନାମକରଣ କରାଯାଇଛି। ଏହି ଅଭୟାରଣ୍ୟର ପଶ୍ଚିମପାର୍ଶ୍ୱରେ ରହିଛି ହୀରାକୁଦ ଡ୍ୟାମ। ୩୦୦ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଅଭୟାରଣ୍ୟ ୧୯୬୨ମସିହାରେ ଆରମ୍ଭ ହୋଇଥିଲା। ଏଠାରେ ବିଶେଷକରି ନିମ୍ବ, ଶାଳ, ଆକାଶିଆ, ଚନ୍ଦନ, ଅର୍ଜୁନ ଗଛ ରହିଛି। ଏଠାରେ ହାତୀ ବାଘ, ହରିଣ, ଗଧିଆ ଓ ସାପ ବହୁ ସଂଖ୍ୟାରେ ଦେଖାଯାଆନ୍ତି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ କ୍ୟାମେରାରେ କଏଦି କରିବାକୁ ୨ଗୋଟି ଓ୍ବାଚ ଟାଓ୍ବାର ନିର୍ମାଣ କରାଯାଇଛି।

କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ

କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ

କନ୍ଧମାଳ ଜିଲାରେ ଅବସ୍ଥିତ କୋଟଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ। ଏହା କୋଟଗଡ଼, ତୁମୁଡ଼ିବନ୍ଧ ଓ ଦାରିଙ୍ଗବାଡ଼ି ବନାଞ୍ଚଳର କିଛି ଅଞ୍ଚଳକୁ ନେଇ ଗଠିତ। ଏଠାରେ ବିଭିନ୍ନ ପ୍ରକାରର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। ଏଠାରେ ପକ୍ଷୀ ଉଦ୍ୟାନ ମଧ୍ୟ ରହିଛି। ଏହି ଅଭୟାରଣ୍ୟରେ ହାତୀ, ବାଘ, ବାର୍‌ହା, ହରିଣ, କୁଟୁରା, ବଜ୍ରକାପ୍ତା ଓ ଭାଲୁ ଆଦି ବାସ କରିଥାନ୍ତି। ଏଠାରେ ମୟୂରଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ଉପଭୋଗ୍ୟ ।

ହଦଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ

ହଦଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ

ଘଞ୍ଚ ଶାଳ ବଣ ସହ ବିସ୍ତୀର୍ଣ୍ଣ ଗୁଳ୍ମ ଘାସରେ ପରିପୂର୍ଣ୍ଣ ରହିଛି ହଦଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ। ଏଠାକାର ପରିବେଶ ଅତ୍ୟନ୍ତ ମନୋରମ। ୧୯୭୮ମସିହାରେ ନିର୍ମାଣ କରାଯାଇଥିବା ଏହି ଅଭୟାରଣ୍ୟ ୧୯୧.୬ବର୍ଗ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ। ଭଦ୍ରକଠାରୁ ୨୦କିଲୋମିଟର ତଥା କେନ୍ଦୁଝର ଜିଲା ମଧ୍ୟରେ ଆସୁଥିବା ଏହି ଅଭୟାରଣ୍ୟରେ ଅନେକ ପ୍ରକାରର ବନ୍ୟ ଜନ୍ତୁ ଦେଖିବାକୁ ମିଳିଥାନ୍ତି। ବିଶେଷକରି ବାଘ, ହେଟାବାଘ, ଚିତାବାଘ, ଜଙ୍ଗଲୀ ବିଲେଇ, ଗଧିଆ ଆଦି ରହିଛନ୍ତି। ଏହା ସାଳନ୍ଦୀ ନଦୀ କୂଳରେ ଥିବାରୁ ଏଠାରେ ସାଳନ୍ଦୀ ଡ୍ୟାମ ମଧ୍ୟ ରହିଛି।

ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ

ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ

୫୦୦ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ରହିଛି ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ। ଏହା ଏକ ପ୍ରସ୍ତାବିତ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ। ଏଠାରେ ବିଶାଳ ମାଳଭୂମି ସହ ୧୧ଟି ଜଳପ୍ରପାତ ରହିଛି। ଯାହାକି ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ। ଏଠାରେ ବାଘ, ଜଙ୍ଗଲି ହରିଣ, ଚିତାବାଘ, ଭାଲୁ, ହରିଣ ଆଦି ଜୀବ ରୁହନ୍ତି। ଏଥିସହ ଅନେକ ପ୍ରଜାତିର ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ। ମାଙ୍କଡ଼ଙ୍କ ସଂଖ୍ୟା ମଧ୍ୟ ଏଠାରେ ଅଧିକ।

ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ

ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ

ଦେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ଜାତୀୟ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ପାଇଛି। ଏହି ଅଭୟାରଣ୍ୟରେ ବାଘ, ଚିତା, ଜଙ୍ଗଲି ମଇଁଷି, ଗଧିଆ, ହରିଣ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି। ଏଠାରେ ଥିବା ବତକ ସନ୍ତରଣସ୍ଥଳ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ। ଏହି ଅଭୟାରଣ୍ୟର ଗୋଟିଏ ପାର୍ଶ୍ୱରେ ରହିଛି ହୀରାକୁଦ ଡ୍ୟାମ। ଏଠାକୁ ଶୀତ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ।