Dharitri News

ଶ୍ରେଷ୍ଠ ପାଞ୍ଚ: ଜଳ ଭଣ୍ଡାର

ହୀରାକୁଦ

ହୀରାକୁଦ

ସମ୍ବଲପୁର ଜିଲାରେ ମହାନଦୀ ଉପରେ ନିର୍ମିତ ହୀରାକୁଦ ଜଳଭଣ୍ଡାର ଏକ ବୃହତ ବହୁମୁଖୀ ପ୍ରକଳ୍ପ। ଏହାଦ୍ୱାରା ବନ୍ୟା ନିୟନ୍ତ୍ରଣ, ଜଳ ବିଦ୍ୟୁତ୍‌ ଉତ୍ପାଦନ ଓ ଜଳସେଚନ ସୁବିଧା ଉପଲବ୍ଧ ହେଉଛି। ଏହି ଜଳଭଣ୍ଡାରର ଆୟତନ ୭୪୩ ବର୍ଗ କି.ମି. ହୋଇଥିବାବେଳେ ଏହାର କ୍ୟାଚମେଣ୍ଟ ଏରିଆ ୮୩,୪୦୦ ବର୍ଗ କି.ମି.। ଏହି ଜଳଭଣ୍ଡାର ଦ୍ୱାରା ୨୩୫,୪୭୭ ହେକ୍ଟର ଜମି ଜଳସେଚିତ ହୋଇପାରୁଛି।

ମନ୍ଦିରା

ମନ୍ଦିରା

ସୁନ୍ଦରଗଡ଼ ଜିଲା କାଂଶବାହାଲ ନିକଟରେ ଏହା ଅବସ୍ଥିତ। ଶଙ୍ଖ ନଦୀ ଉପରେ ଏହି ଜଳଭଣ୍ଡାର ନିର୍ମିତ ହୋଇଛି। ବିଶେଷକରି ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ଏହି ଜଳଭଣ୍ଡାରରୁ ଜଳ ଯୋଗାଇ ଦିଆଯାଇଥାଏ। ଅନ୍ୟପକ୍ଷରେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବେଶ ପରିଚିତ।

ହଦଗଡ଼

ହଦଗଡ଼

କେନ୍ଦୁଝର ଜିଲା ଆନନ୍ଦପୁର ସବ୍‌ଡିଭିଜନରେ ଏହା ଅବସ୍ଥିତ। ହଦଗଡ଼ ଜଳଭଣ୍ଡାରରୁ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଜିଲାର ପ୍ରାୟ ୪୨,୭୨୦ ହେକ୍ଟର ଜମି ଜଳସେଚିତ ହୋଇପାରୁଛି। ଏହାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ ଓ ଏହା ଏକ ପର୍ଯ୍ୟଟନ ସ୍ଥଳୀ।

ଅପର କୋଲାବ

ଅପର କୋଲାବ

କୋରାପୁଟ ଜିଲାରେ ଅପର କୋଲାବ ଜଳଭଣ୍ଡାର ଅବସ୍ଥିତ। ଏହା ଏକ ବହୁମୁଖୀପ୍ରକଳ୍ପ। ଜଳଭଣ୍ଡାରରୁ ଜୟପୁର, ବୋରିଗୁମ୍ମା, କୋଟପାଡ଼ ଓ କୁନ୍ଦୁରା ବ୍ଲକର ଚାଷଜମି ଜଳସେଚିତ ହୋଇପାରୁଛି। ଏହାଛଡ଼ା ଜଳଭଣ୍ଡାରରୁ ଜଳ ବିଦ୍ୟୁତ୍‌ ଉତ୍ପାଦନ କରାଯାଉଛି।

ରେଙ୍ଗାଲି

ରେଙ୍ଗାଲି

ରେଙ୍ଗାଲି ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ଜଳଭଣ୍ଡାର। ଏହା ଅନୁଗୋଳ ଜିଲାରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ହୋଇଛି। ଜଳଭଣ୍ଡାରର ଆୟତନ ୩୭୮.୪ ବର୍ଗ କି.ମି.। ଏହାର ଜଳ ସଂଗୃହୀତ ଅଞ୍ଚଳ(କ୍ୟାଚମେଣ୍ଟ ଏରିଆ) ୨୫,୨୫୦ ବର୍ଗ କି.ମି.।