ଶ୍ରେଷ୍ଠ ପାଞ୍ଚ: ଗଜପତି ଜିଲାର ପର୍ବପର୍ବାଣି

ଖଣ୍ଡାସାଧନା

ଖଣ୍ଡାସାଧନା

ଦୁର୍ଗାପୂଜା ସମୟରେ ଅଷ୍ଟମୀ ତିଥିରେ ଗଜପତି ଜିଲାରେ ଖଣ୍ଡାସାଧନା ପର୍ବ ପାଳିତ ହୋଇଥାଏ। ଏହି ଦିନ ରାଜପରିବାରରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ମା’ ଦୁର୍ଗାଙ୍କ ସମ୍ମୁଖରେ ପୂଜା ହୋଇଥାଏ। ଆଶ୍ୱିନ ମାସରେ ରାଜପରିବାରରେ ଇଷ୍ଟ ଦେବୀ ମାଣିକେଶ୍ୱରୀଙ୍କ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଖଣ୍ଡାସାଧନା ପର୍ବରେ ଗଜପତି ଜିଲାର ବକ୍ସି, ଭୁଜବଳ, ନାୟକ, ଗନ୍ତାୟତ, ରଣସିଂ, ପାଇକରାୟ, ଦଣ୍ଡସେନା ଆଦି ପାଇକ ସମ୍ପ୍ରଦାୟ ସେମାନଙ୍କର ପୂର୍ବ ପୁରୁଷଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଅସ୍ତ୍ରଶସ୍ତ୍ର ପୂଜା କରିଥାନ୍ତି।

ଜହ୍ନି ଓଷା

ଜହ୍ନି ଓଷା

ଭାଦ୍ରବ ମାସ ପୂର୍ଣ୍ଣିମାଠାରୁ ଆଶ୍ୱିନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଗଜପତି ଜିଲାରେ ଜହ୍ନି ଓଷା ପର୍ବ ଆନନ୍ଦ ଉଲ୍ଳାସ ମଧ୍ୟରେ ପାଳିତ ହୋଇଥାଏ। କୁଆଁରୀ ଝିଅମାନେ ମା’ ବୃନ୍ଦାବତୀଙ୍କ ସମ୍ମୁଖରେ ସକାଳେ ଓ ସନ୍ଧ୍ୟାରେ ଦୀପ ଜାଳି ଭଲ ବର ପାଇଁ କାମନା କରିଥାନ୍ତି।

ଭୋଗି

ଭୋଗି

ମକର ସଂକ୍ରାନ୍ତି ପୂର୍ବ ଦିନ ଗଜପତି ଜିଲାରେ ଭୋଗି ପର୍ବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥାଏ। ଏହି ଦିନ ପ୍ରଭୁ ଶ୍ରୀରାମ ଚନ୍ଦ୍ର ରାବଣ ବଧ କରିଥିବାରୁ ଶ୍ରଦ୍ଧାଳୁମାନେ ଉତ୍ସବ ପାଳନ କରିଥାନ୍ତି। ଏହା ପରଦିନ ମକର ପର୍ବ ମଧ୍ୟ ମହା ଆଡମ୍ବରରେ ପାଳିତ ହୋଇଥାଏ।

ଗଜମୁହାଣ ପୂଜା

ଗଜମୁହାଣ ପୂଜା

ଚୈତ୍ର ମାସର ପ୍ରତି ମଙ୍ଗଳବାରରେ ଗଜପତି ଜିଲାର ବିଭିନ୍ନ ଅଞ୍ଚଳରେ ଆଦିମାତା ଆଦିଶକ୍ତିଙ୍କ ପୂଜା ରାତି ସମୟରେ କରାଯାଇଥାଏ। ଏହାକୁ ଗଜମୁହାଣ ପୂଜା କୁହାଯାଇଥାଏ। ଗଜମୁହାଣ ଖଇ ଓ ଗୁଡରେ ୩ରୁ ୫ ଫୁଟ ଉଚ୍ଚ ଏକ କାଠ ପଟା ଉପରେ ପ୍ରସ୍ତୁତ ହୋଇଥାଏ। ଏହା ଉପରେ ନଡିଆ ଚଅଁର ଖୋସା ଯାଇଥାଏ। ରାତିସାରା ପୂଜାପରେ ଗଜମୁହାଣକୁ ସକାଳେ ପାଣିରେ ବିସର୍ଜନ କରାଯାଇଥାଏ।

ମହାଳୟା ଅମାବାସ୍ୟା

ମହାଳୟା ଅମାବାସ୍ୟା

ଆଶ୍ୱିନ ମାସ ଅମାବାସ୍ୟାରେ ମହାଳୟା ପର୍ବ ପାଳିତ ହୋଇଥାଏ। ଏହି ଅବସରରେ ଗଜପତି ଜିଲାରେ ଅନେକ ଲୋକ ସାତଟି ଘରୁ ଚାଉଳ ଓ ପନିପରିବା ଭିକ୍ଷା କରି ବିଭିନ୍ନ ଖାଦ୍ୟପଦାର୍ଥ ପ୍ରସ୍ତୁତ କରି ମାତା ମହାକାଳୀଙ୍କୁ ପୂଜା କରିଥାନ୍ତି। ମହାକାଳୀ ପରିବାରରେ ଶାନ୍ତି ରକ୍ଷା କରିବା ସହିତ ସମସ୍ତଙ୍କୁ ନୀରୋଗ ରଖିଥାନ୍ତି ବୋଲି ଶ୍ରଦ୍ଧାଳୁ ବିଶ୍ୱାସ କରିଥାନ୍ତି। ଏହି ଅବସରରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ।