ଶ୍ରେଷ୍ଠ ପାଞ୍ଚ: ନିମାପଡ଼ା ଛେନାଝିଲି

ଜଗନ୍ନାଥ ସୁଇଟ୍‌ସ ଷ୍ଟଲ

ଜଗନ୍ନାଥ ସୁଇଟ୍‌ସ ଷ୍ଟଲ

ଟ୍ରେକର ଓ ଟ୍ୟାକ୍ସି ଷ୍ଟାଣ୍ଡରେ ଥିବା ଜଗନ୍ନାଥ ସୁଇଟ୍‌ସ ଷ୍ଟଲର ଛେନାଝିଲି ନିଆରା। ଏହାର ମାଲିକ ଦିବାକର ସାହୁ। ୭ବର୍ଷ ହେଲା ସେ ମିଠା ଦୋକାନ କରିଛନ୍ତି। ଦୈନିକ ଦେଢ଼ରୁ ଦୁଇ ହଜାର ପର୍ଯ୍ୟନ୍ତ ଛେନାଝିଲି ବିକ୍ରି ହୋଇଥାଏ। ଦୋକାନରେ ଛେନାଝିଲି ନ ଥିଲେ ଗ୍ରାହକଙ୍କ ସଂଖ୍ୟା କମିଯାଏ। ଛେନାଝିଲି ନେବା ପାଇଁ କେତେକ ଗ୍ରାହକ ଦୂରଦୂରାନ୍ତରୁ ଏଠାକୁ ଆସିଥାନ୍ତି। ରାଜ୍ୟର ଅନ୍ୟ ସହରଗୁଡ଼ିକରେ ମିଳୁଥିବା ଛେନାଝିଲି ଅପେକ୍ଷା ଏଠାକାର ଛେନାଝିଲିର ସ୍ବାଦ ନିଆରା ବୋଲି ଦିବାକର କୁହନ୍ତି।

ରାଧାକୃଷ୍ଣ ସୁଇଟ୍‌ସ ଷ୍ଟଲ

ରାଧାକୃଷ୍ଣ ସୁଇଟ୍‌ସ ଷ୍ଟଲ

ନିମାପଡ଼ା ବସ୍‌ଷ୍ଟାଣ୍ଡରେ ଥିବା ରାଧାକୃଷ୍ଣ ସୁଇଟ୍‌ସ ଷ୍ଟଲର ମାଲିକ ଜଗତ୍‌ଜୀବନ ପାଥିଆ। ନିମାପଡ଼ା ବଜାରରେ ତାଙ୍କ ବାପାଙ୍କ ଜଳଖିଆ ଥିଲା। ୫ବର୍ଷ ହେଲା ସେ ବସ୍‌ଷ୍ଟାଣ୍ଡରେ ଏକ ମିଠା ଦୋକାନ କରିଛନ୍ତି। ଛେନା ଝିଲି ପ୍ରତି ଗ୍ରାହକଙ୍କ ଏକ ସ୍ବତନ୍ତ୍ର ଆକର୍ଷଣ ରହିଛି। ପର୍ବପର୍ବାଣି, ବିବାହବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମରେ ଛେନାଝିଲିର ବେଶ୍‌ ଚାହିଦା ବୋଲି ପାଥିଆ କୁହନ୍ତି।

ନିର୍ମାଲ୍ୟ ସୁଇଟ୍‌ସ ଷ୍ଟଲ

ନିର୍ମାଲ୍ୟ ସୁଇଟ୍‌ସ ଷ୍ଟଲ

ନିମାପଡ଼ାର ବସ୍‌ଷ୍ଟାଣ୍ଡରେ ରହିଛି ନିର୍ମାଲ୍ୟ ସୁଇଟ୍‌ସ ଷ୍ଟଲ। ଏହାର ମାଲିକ ହେଉଛନ୍ତି ପ୍ରସନ୍ନ ସାହୁ। ପ୍ରାୟ ୧୦ବର୍ଷ ହେଲା ପ୍ରସନ୍ନ ଏହି ମିଠା ଦେକାନ ଖୋଲିଛନ୍ତି। ଦୋକାନରେ ଯେତେ ପ୍ରକାର ମିଠା ଜିନିଷ ଥିଲେ ମଧ୍ୟ ଯଦି ଛେନା ଝିଲି ନାହିଁ ତେବେ ଦୋକାନଟି ଖଁ। ଖଁ। ଲାଗେ ବୋଲି ପ୍ରସନ୍ନ କୁହନ୍ତି। ଦୋକାନରେ ଦୈନିକ ୨ ରୁ ୩ହଜାର ପର୍ଯ୍ୟନ୍ତ ଛେନା ଝିଲି ବିକ୍ରି ହୋଇଥାଏ। ରାଜ୍ୟର ବିଭିନ୍ନ ଜିଲାରୁ, ବିଭିନ୍ନ ପ୍ରାନ୍ତରୁ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଓ ଯାତ୍ରୀ କୋଣାର୍କ, ଶକ୍ତିପୀଠ କାକଟପୁରର ମା’ ମାଙ୍ଗଳାଙ୍କୁ ଦର୍ଶନ ପାଇଁ ଯିବାଆସିବାବେଳେ ସେମାନଙ୍କ ଗାଡ଼ି ଏହିଠାରେ ଅଟକି ଯାଏ ବୋଲି ପ୍ରସନ୍ତ କୁହନ୍ତି।

ମା’ ଶାରଳା ସୁଇଟ୍‌ସ ଷ୍ଟଲ

ମା’ ଶାରଳା ସୁଇଟ୍‌ସ ଷ୍ଟଲ

ନିମାପଡ଼ାରେ ଥାନା ଛକରେ ରହିଛି ମା’ ଶାରଳା ସୁଇଟ୍‌ସ ଷ୍ଟଲ। ଏହାର ମାଲିକ ହେଉଛନ୍ତି ନିତ୍ୟାନନ୍ଦ ବେହେରା। ପ୍ରାୟ ୨୫ବର୍ଷ ତଳେ ନିତ୍ୟାନନ୍ଦ ଏହି ଦୋକାନ ଆରମ୍ଭ କରିଥିଲେ। ଜଳଖିଆ ଦୋକାନ ହିସାବରେ ରସଗୋଲା, ଛେନାଗଜା, ଛେନାପୋଡ଼, ଛେନାପୁରି ସମେତ ଅନେକ ପ୍ରକାର ମିଠା ତାଙ୍କ ଦୋକାନରେ ବିକ୍ରି ହୋଇଥାଏ। ମାତ୍ର ଛେନା ଝିଲିର ଚାହିଦା ସବୁଠୁ ଅଧିକ ବୋଲି ନିତ୍ୟାନନ୍ଦ କହିଛନ୍ତି।

ପତିତପାବନ ସୁଇଟ୍‌ସ ଷ୍ଟଲ୍‌

ପତିତପାବନ ସୁଇଟ୍‌ସ ଷ୍ଟଲ୍‌

କୁହାଯାଏ ନିମାପଡ଼ାସ୍ଥିତ ପତିତପାବନ ସୁଇଟ୍‌ସ ଷ୍ଟଲର ମାଲିକ ସ୍ବର୍ଗତ ଆର୍ତ୍ତବନ୍ଧୁ ସାହୁ ହେଉଛନ୍ତି ନିମାପଡ଼ା ଛେନାଝିଲିର ସ୍ରଷ୍ଟା। ୧୯୫୩ ମସିହାରେ ଆର୍ତ୍ତବନ୍ଧୁ ଜଣେ ବଙ୍ଗୀୟ ମିଠା କାରିଗରଙ୍କ ପରାମର୍ଶ ଅନୁସାରେ ଛେନା ଝିଲି ପ୍ରସ୍ତୁତ କରିଥିଲେ। ସମୟକ୍ରମେ ଛେନା ଝିଲିର ଚାହିଦା ବେଶ୍‌ ବୃଦ୍ଧି ପାଇଥିଲା। ସେତେବେଳେ ଗୋଟିଏ ଛେନାଝିଲିର ଦାମ୍‌ ୨୫ପଇସା ଥିଲା। ଏବେ ଏହାର ଦାମ୍‌ ୬ ରୁ ୭ଟଙ୍କା ରହିଛି। ପ୍ରତ୍ୟହ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ଗ୍ରାହକ ଛେନାଝିଲି ନେବାକୁ ଏଠାକୁ ଆସିଥାନ୍ତି।

Model This Week

ପ୍ରଭାତ