Dharitri News

ଶ୍ରେଷ୍ଠ ପାଞ୍ଚ: ଶ୍ରେଷ୍ଠ ପାଞ୍ଚ ପାହାଡ

ଲାଙ୍ଗୁଡ଼ି

ଲାଙ୍ଗୁଡ଼ି

ସ୍ବଳ୍ପ ଉଚ୍ଚତା ବିଶିଷ୍ଟ ଏହି ପାହାଡ଼ ଐତିହାସିକ ଦୃଷ୍ଟିକୋଣରୁ ଯଥେଷ୍ଟ ଗୁରୁତ୍ୱ ବହନ କରେ। ଓଡ଼ିଶାର ଯାଜପୁର ଜିଲାର ଜାରକା ଏବଂ ଚଣ୍ଡିଖୋଲ ମଧ୍ୟରେ ରହିଥିବା ଲାଙ୍ଗୁଡ଼ି ପାହାଡ଼ ବୌଦ୍ଧ ସଂସ୍କୃତି ପାଇଁ ପ୍ରସିଦ୍ଧ। କେଲୁଆ ନଦୀ କୂଳରେ ରହିଛି ଏହି ପାହାଡ଼। ଏଠାରେ ପ୍ରାଚୀନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟର ଭଗ୍ନାବଶେଷ ଦେଖିବାକୁ ମିଳେ। ଏହି ବିଶ୍ୱବିଦ୍ୟାଳୟର ତିନୋଟି କ୍ୟାମ୍ପସ ରହିଥିଲା,ସଂଲଗ୍ନ ଲଳିତଗିରି, ରତ୍ନଗିରି ଓ ଉଦୟଗିରି ପାହାଡ଼ରେ। ଲାଙ୍ଗୁଡ଼ି ଏବେ ବୌଦ୍ଧ ସଂସ୍କୃତି ଗବେଷଣାର ସ୍ଥଳୀ ହୋଇଯାଇଛି।

ଗନ୍ଧମାର୍ଦ୍ଦନ

ଗନ୍ଧମାର୍ଦ୍ଦନ

ବଲାଙ୍ଗିର ଓ ବରଗଡ଼ ଜିଲାରେ ଥିବା ଗନ୍ଧମାର୍ଦ୍ଦନ ପାହାଡ଼ ବକ୍‌ସାଇଟ ଖଣିଜ ପଦାର୍ଥରେ ଭରପୂର। ପୁରାଣ କହେ ତ୍ରେତୟା ଯୁଗରେ ବୀର ହନୁମାନ ଏହି ପାହାଡ଼କୁ ହିମାଳୟ ପର୍ବତମାଳାରୁ ଉଠାଇକରି ଆଣିଥିଲେ। ଲକ୍ଷ୍ମଣଙ୍କ ଶକ୍ତିଭେଦ ପରେ ତାଙ୍କୁ ସୁସ୍ଥ କରିବା ସକାଶେ ହନୁମାନଙ୍କୁ ଔଷଧିୟ ଗୁଳ୍ମ ଆଣିବା ପାଇଁ ପଠାଯାଇଥିଲା। ମାତ୍ର ସେ ସେହି ଗୁଳ୍ମକୁ ଖୋଜି ନପାଇ ପୁରା ପାହାଡ଼ ଉଠାଇ ଆଣିଥିଲେ। ସେହି ଦୃଷ୍ଟିରୁ ଗନ୍ଧମାର୍ଦ୍ଦନ ଔଷଧିୟ ବୃକ୍ଷରାଜିର ଭଣ୍ଡାର। ୯୯୦ ମିଟର ଉଚ୍ଚତା ବିଶିଷ୍ଟ ଏହି ପାହାଡ଼ର ଦକ୍ଷିଣରେ ହରିଶଙ୍କର ଏବଂ ଉତ୍ତରରେ ନୃସିଂହନାଥ ପୂଜିତ ହେଉଛନ୍ତି। ବୌଦ୍ଧ ସଂସ୍କୃତିର ଛାପ ମଧ୍ୟ ଏଠାରେ ରହିଛି।

ମଳୟଗିରି

ମଳୟଗିରି

କେନ୍ଦୁଝର ଜିଲାରେ ରହିଛି ମଳୟଗିରି ପାହାଡ଼। ଅନୁଗୋଳର ପାଲଲହଡ଼ା ନିକଟରେ ଏହାର ବିଶାଳତା ଦୃଶ୍ୟମାନ। ଓଡ଼ିଶାର ଅନ୍ୟତମ ଏହି ସୁଉଚ୍ଚ ପାହାଡ଼ର ଉଚ୍ଚତା ୧୧୮୭ ମିଟର। ଏଥିରେ ରହିଛି ଅନେକ ଔଷଧିୟ ବୃକ୍ଷରାଜି। ସବୁଜିମା ଭରା ଏହି ପାହାଡ଼ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି।

ମହେନ୍ଦ୍ରଗିରି

ମହେନ୍ଦ୍ରଗିରି

ଗଜପତି ଜିଲା ପାରଳାଖେମୁଣ୍ଡି ସବଡିଭିଜନରେ ରହିଛି ମହେନ୍ଦ୍ରଗିରି ପାହାଡ଼। ଏହାର ଉଚ୍ଚତା ୧୫୦୧ ମିଟର। ଏହା ମଧ୍ୟ ଇଷ୍ଟର୍ଣ୍ଣ ଘାଟ ପର୍ବତମାଳାର ଏକ ଅଂଶବିଶେଷ। ବହୁ ଔଷଧିୟ ବୃକ୍ଷରାଜି, ବିଭିନ୍ନ ମସଲାଜାତୀୟ ବୃକ୍ଷରେ ପରିପୂର୍ଣ୍ଣ ଏହି ସବୁଜିମା ଭରା ପାହାଡ଼କୁ ନେଇ ରହିଛି ଅନେକ କିମ୍ବଦନ୍ତୀ। କେତେକଙ୍କ ମତରେ ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ବନବାସ ସମୟରେ କିଛିକାଳ ମହେନ୍ଦ୍ରଗିରିରେ ଅବସ୍ଥାନ କରିଥିଲେ। ସେହିଦୃଷ୍ଟିରୁ ଏହି ପାହାଡ଼ ଓଡ଼ିଶାର ଅନ୍ୟତମ ପବିତ୍ର ସ୍ଥାନ।

ଦେଓମାଳି

ଦେଓମାଳି

କୋରାପୁଟ ଜିଲାର ପଟ୍ଟାଙ୍ଗି ସବଡ଼ିଭିଜନରେ ରହିଛି ଓଡ଼ିଶାର ଏହି ସର୍ବୋଚ୍ଚ ପାହାଡ଼ ଦେଓମାଳି। ଏହାର ଉଚ୍ଚତା ୧୬୭୨ ମିଟର। ବକ୍‌ସାଇଟ ଓ ଅନେକ ଖଣିଜ ସମ୍ପଦରେ ଭରପୁର ଏହି ପାହାଡ଼ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ। ଦୁଃସାହସିକ କ୍ରୀଡ଼ାରେ ରୁଚି ରଖିଥିବା ଲୋକେ ଏଠାକୁ ପର୍ବତାରୋହଣ ପାଇଁ ଆସିଥାଆନ୍ତି। କୋରାପୁଟ ସହରଠାରୁ ବିଶାଖାପାଟଣା ଯିବା ରାସ୍ତାରେ ୪୫ କିଲୋମିଟର ଗଲେ ବାମପଟେ ଦୃଶ୍ୟମାନ ହୋଇଥାଏ ଏହି ବିଶାଳ ପାହାଡ଼। ଏହା ଇଷ୍ଟର୍ଣ୍ଣ ଘାଟ ପର୍ବତମାଳାର ଏକ ଅଂଶ।