ଶ୍ରେଷ୍ଠ ପାଞ୍ଚ: ବଲାଙ୍ଗୀରର ଯାତ୍ରା

ପାଟଖଣ୍ଡା ଯାତ୍ରା

ପାଟଖଣ୍ଡା ଯାତ୍ରା

ବଲାଙ୍ଗୀର ଜିଲା ପାଟଣାଗଡ଼ ଅନ୍ତର୍ଗତ ଜରାସିଂରେ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ପାଟଖଣ୍ଡା ଯାତ୍ରା ବେଶ୍‌ ଲୋକପ୍ରିୟ। ଏହା ଆଶ୍ୱିନ ପୂର୍ଣ୍ଣିମାରେ ପାଳିତ ହୋଇଥାଏ। ପାଟଖଣ୍ଡା ଦେବୀଙ୍କ ସୁନଗଡ଼ ନଦୀ କୂଳରେ ଥିବା ମନ୍ଦିରରେ ଏହି ଅବସରରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ। ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀରେ କରମା ଦେବୀଙ୍କ ପାଖରେ ଆଦିବାସୀ ସମ୍ପ୍ରଦାୟ ମୁଣ୍ଡରେ କରମା ଡାଳ ଖୋସି ମହୁଲି ପିଇ ଏହି ନୃତ୍ୟ କରିଥାନ୍ତି। ଉଭୟ ପୁରୁଷ ଓ ମହିଳା ହାତକୁ ହାତରେ ଛନ୍ଦି ମାଦଳର ତାଳେ ତାଳେ ଆଗକୁ ପଛକୁ ଝୁଲି ଝୁଲି ଆନନ୍ଦରେ ନାଚିଥାନ୍ତି।

ସୁଲିଆ ଯାତ୍ରା

ସୁଲିଆ ଯାତ୍ରା

ସୁଲିଆ ଯାତ୍ରା ବଲାଙ୍ଗୀରର ଏକ ଲୋକପ୍ରିୟ ପର୍ବ। ପୌଷ ମାସ ଦ୍ୱିତୀୟ ମଙ୍ଗଳବାରରେ ଏହି ଯାତ୍ରା ପାଳିତ ହୋଇଥାଏ। ଏହି ଅବସରରେ ଖଇରାଗୁଡ଼ା ବଡ଼ଖଳାସ୍ଥିତ ସୁଲିଆ ପୀଠରେ ବଳି ପଡ଼ିଥାଏ। ସେହିପରି କୁମୁରିଆ ସାନଖଳାରେ ମଧ୍ୟ ବଳି ପଡ଼ିଥାଏ। ମାନସିକଧାରୀ ମା’ଙ୍କ କରୁଣା ଲାଭ ପାଇଁ ଏପରି କରୁଥିବା ବିଶ୍ୱାସ କରାଯାଇଥାଏ।

ଶ୍ରାବଣ ପୂର୍ଣ୍ଣିମା ଯାତ୍ରା

ଶ୍ରାବଣ ପୂର୍ଣ୍ଣିମା ଯାତ୍ରା

ଶ୍ରାବଣ ପୂର୍ଣ୍ଣିମାରେ ବଲାଙ୍ଗୀର ଟିଟିଲାଗଡ଼ ନିକଟସ୍ଥ ହରିଶଙ୍କର ଏବଂ ବେଲଖଣ୍ଡିରେ ପ୍ରଭୁ ମହାଦେବଙ୍କ ପୀଠରେ ଶ୍ରାବଣ ପୂର୍ଣ୍ଣିମା ଯାତ୍ରା ଆନନ୍ଦ ଉଲ୍ଳାସରେ ପାଳିତ ହୋଇଥାଏ। ଏହି ଅବସରରେ ଠାକୁରଙ୍କର ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ। ଏଠାରେ ପ୍ରଭୁ ଶିବ ଶଙ୍କରଙ୍କୁ ଜଳଲାଗି ପାଇଁ ଶ୍ରଦ୍ଧାଳୁ କେଉଁ ଦୂର ଦୂରାନ୍ତରୁ ଆସିଥାନ୍ତି।

ଦୋଳ ଯାତ୍ରା

ଦୋଳ ଯାତ୍ରା

ଚୈତ୍ର ମାସରେ ବଲାଙ୍ଗୀରରେ ପାଳିତ ହୋଇଥାଏ ଦୋଳଯାତ୍ରା। ଫଗୁ ପୂର୍ଣ୍ଣିମାଠାରୁ ଚୈତ୍ର କୃଷ୍ଣପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଏହା ପାଳିତ ହୋଇଥାଏ। ରାଧା-କୃଷ୍ଣଙ୍କୁ ବିମାନରେ ବସାଇ ଶ୍ରଦ୍ଧାଳୁମାନେ ମେଳଣ ହେଉଥିବା ପଡ଼ିଆରେ ଏକତ୍ରିତ ହୋଇଥାନ୍ତି।

ରଥଯାତ୍ରା

ରଥଯାତ୍ରା

ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ବଲାଙ୍ଗୀରର ବିଭିନ୍ନ ଅଞ୍ଚଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ମାଉସୀ ମା’ ମନ୍ଦିରକୁ ନିଆଯାଇଥାଏ। ମାଉସୀ ମା’ ମନ୍ଦିର ନିକଟରେ ଏହି ଅବସରରେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ମେଳା ଲାଗିଥାଏ।