Dharitri News

ଶ୍ରେଷ୍ଠ ପାଞ୍ଚ: ପ୍ରସିଦ୍ଧ କାଳୀପୀଠ

କାଳିଆବୋଦାର ମା’ଶ୍ୟାମାକାଳୀ

କାଳିଆବୋଦାର ମା’ଶ୍ୟାମାକାଳୀ

କଟକର ମହାନଦୀ କୂଳ ଶିଖରପୁର କାଳିଆବୋଦା ଶ୍ମଶାନ ନିକଟରେ ରହିଛି ମା’ ଶ୍ୟାମାକାଳୀଙ୍କ ପୀଠ । ଅଚ୍ୟୁତାନନ୍ଦଙ୍କ ମାଳିକାରେ କାଳିଆବୋଦା ପୀଠ ସମ୍ପର୍କରେ ବର୍ଣ୍ଣନା ରହିଛି । ବହୁ ବର୍ଷ ପୂର୍ବେ ଅଘୋରୀ ବାବା କାଳୀମା’ଙ୍କୁ ଏଠାରେ ସ୍ଥାପନା କରି ପୂଜା କରୁଥିବା ଲୋକଶ୍ରୁତିରୁ ଜଣାଯାଏ । ଅଘୋରୀ ବାବାଙ୍କ ଦେହାନ୍ତ ପରେ ଦୀର୍ଘ ଦିନ ଧରି ଦେବୀ ଅପୂଜା ରହିଥିଲେ । ୧୯୩୭ ମସିହାରେ ସିଦ୍ଧ ସାଧକ ବାଇଆବାବା ଓ ପାଗଳାବାବା କାଳିଆବୋଦାରେ ମଠ ସ୍ଥାପନ କରି ଅବସ୍ଥାନ କଲେ । ମା’ ଅପୂଜା ରହୁଥିବା ଜାଣିବା ପରେ ତାଙ୍କର ପୂଜା ଆରମ୍ଭ କରିଥିଲେ । ଏଥିସହ ଅନ୍ନଭୋଗ ଲାଗି କରିବା ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଥିଲା । କେବଳ ଅମାବାସ୍ୟାର ଅର୍ଦ୍ଧରାତ୍ରିରେ ଆମିଷ ଓ ସୋମରସ ଭୋଗ ଅର୍ପଣ କରାଯାଏ । ମହାନଦୀ କୂଳରେ ଅବସ୍ଥିତ ଏହି ପୀଠ କାଳୀପୂଜା ସମୟରେ ଚଳଚଞ୍ଚଳ ହୋଇଉଠେ।

ଖାନନଗର ଦକ୍ଷିଣକାଳୀ

ଖାନନଗର ଦକ୍ଷିଣକାଳୀ

କଟକର କାଠଯୋଡ଼ି ନଦୀପଠା ଖାନନଗରଠାରେ ତ୍ରିଶୂଳ, ଖର୍ପରଧାରିଣୀ ମା’ ଦକ୍ଷିଣକାଳୀଙ୍କ ପୀଠ ରହିଛି । ମା’ ଦକ୍ଷିଣେଶ୍ୱରୀ କାଳୀଙ୍କ ଭଉଣୀ କୁହାଯାଉଥିବା ମା’ ଜଳେଶ୍ୱରୀ ଓ ଶ୍ମଶାନକାଳୀଙ୍କ ପୀଠ ମଧ୍ୟ ନିକଟରେ ରହିଛି । ପ୍ରାୟ ଦେଢ଼ ଶହ ବର୍ଷ ତଳେ ବୀରଭଦ୍ର ବାବା ମା’ଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କରୁଥିଲେ । ପରେ ବାବାଙ୍କ ଶିଷ୍ୟା ଅବିନାଶି ଗିରି ଓ ତାଙ୍କ ପରେ ଭଗତପୁରର ବାସିନ୍ଦା ବୈକୁଣ୍ଠନାଥ ପାଣିଗ୍ରାହୀ (ବଇନବାବା) ପୀଠ ଦାୟିତ୍ୱ ନେଇଥିଲେ । ବଇନବାବା ଏଠାରେ ବଳିପ୍ରଥା ଓ ଆମିଷ ଭୋଗ ପରମ୍ପରାକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ । ସେ ବିନା ପିଆଜ, ରସୁଣରେ ପ୍ରସ୍ତୁତ ଅନ୍ନପ୍ରସାଦ ଦେବୀଙ୍କୁ ଭୋଗ ଲଗାଇବା ପ୍ରଥା ଆରମ୍ଭ କରିଥିଲେ । ସେହିଦିନଠାରୁ ମା’ ପରମ ବୈଷ୍ଣବୀ ଭାବରେ ପୂଜା ପାଇଲେ । କାଳୀପୂଜା ଦିନ ସକାଳେ ମା’ଙ୍କ ଜରିବେଶ ହୁଏ । ସକାଳ ୬ଟାରୁ ୭ଟା ଏକଘଣ୍ଟା ପାଇଁ ଭକ୍ତମାନେ ମା’ଙ୍କ ପାଦ ଦର୍ଶନର ବିରଳ ଦୃଶ୍ୟ କେବଳ କାଳୀପୂଜାରେ ଦେଖିବାକୁ ପାଇଥାନ୍ତି।

ମା’ ଦକ୍ଷିଣକାଳୀ

ମା’ ଦକ୍ଷିଣକାଳୀ

ପୁରୀ କାଳିକାଦେବୀ ସାହିରେ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ଅବସ୍ଥିତ। କିମ୍ବଦନ୍ତୀରୁ ଜଣାଯାଏ ମା’ ଦକ୍ଷିଣକାଳୀ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ହୋଇ ପୂଜା ପାଉଥିଲେ। ପରବର୍ତ୍ତୀ ସମୟରେ ତତ୍କାଳୀନ ଗଜପତି ମହାରାଜାଙ୍କ ଦ୍ୱାରା କାଳିକାଦେବୀ ସାହିରେ ମା’ ପ୍ରତିଷ୍ଠିତ ହୋଇ ପୂଜା ପାଇ ଆସୁଛନ୍ତି। ସେତେବେଳେ ଶ୍ରୀମନ୍ଦିର ଏହାକୁ ପରିଚାଳନା କରୁଥିଲା। କାଳକ୍ରମେ ରାଜତନ୍ତ୍ର ଲୋପ ପରେ କାଳିକାଦେବୀ ସାହି ବାସିନ୍ଦାଙ୍କ ଦ୍ୱାରା ପୀଠର ପରିଚାଳନା କରାଯାଉଛି। ଶାଣ ପଥରରେ ନିର୍ମିତ ମା’ଙ୍କ ଉଚ୍ଚତା ପ୍ରାୟ ୨ ଫୁଟ। ଶ୍ରୀମନ୍ଦିର ରତ୍ନସିଂହାସନ ଉଚ୍ଚତା ସହ ମା’ଙ୍କ ସିଂହାସନର ଉଚ୍ଚତା ସମାନ। ଚତୁର୍ଭୁଜା ମା’ ଦକ୍ଷିଣକାଳୀ ଉପର ଦକ୍ଷିଣ ଭୁଜରେ ଖଡ୍‌ଗ, ତଳ ଭୁଜରେ ଖର୍ପର, ବାମ ଉପର ଭୁଜରେ ଜପମାଳ ଏବଂ ତଳ ଭୁଜରେ କଟା ମୁଣ୍ଡ ଧାରଣ କରିଛନ୍ତି। ଧ୍ୟାନମୁଦ୍ରାରେ ମା’ଙ୍କ ବାମ ପାର୍ଶ୍ୱରେ ଶ୍ରୀ ମହାକାଳେଶ୍ୱରଙ୍କ ଲିଙ୍ଗ ପୂଜା ପାଉଛି। ଏଠାରେ କାଳୀ ପୂଜା ଏବଂ ଶାରଦୀୟ ଦଶହରା ଅବସରରେ ଷୋଳ ପୂଜା ଅନୁଷ୍ଠିତ ହୋଇଥାଏ।

ସତ୍ୟକାଳୀ ମନ୍ଦିର

ସତ୍ୟକାଳୀ ମନ୍ଦିର

ଭୁବନେଶ୍ୱରର ସତ୍ୟନଗରଠାରେ ଅବସ୍ଥିତ ସତ୍ୟକାଳୀ ମନ୍ଦିର। ୨୪ବର୍ଷ ତଳର ଏହି ମନ୍ଦିରରେ ମା’ ଦକ୍ଷିଣ କାଳୀ ପୂଜା ପାଆନ୍ତି। ପ୍ରତିଦିନ ଏଠାରେ ଶହ ଶହ ଭକ୍ତଙ୍କ ଆଗମନ ହୋଇଥାଏ। ସକାଳେ ସୂର୍ଯ୍ୟ ପୂଜା ପରେ ମା’ଙ୍କର ମଙ୍ଗଳ ଆରତି ହୋଇଥାଏ। ଏହାପରେ ମା’ଙ୍କର ସ୍ନାନ ଦର୍ପଣ କରାଯାଇଥାଏ। ଖିରି ଭୋଗ ହେଉଛି ମା’ଙ୍କ ମନ୍ଦିରର ବିଶେଷତ୍ୱ। ତେଣୁ ମଧ୍ୟାହ୍ନରେ ଅନ୍ନଭୋଗ ସହ ଖିରି ଭୋଗ ହୋଇଥାଏ। କାଳୀ ପୂଜା ହେଉଛି ମା’ଙ୍କର ବଡ଼ ଉତ୍ସବ। ଏଥିରେ ମା’ଙ୍କ ମନ୍ଦିରରେ ୧୦ଦିନ ବ୍ୟାପୀ ଉତ୍ସବ ପାଳନ କରାଯାଇଥାଏ। ୧୦ ମହାବିଦ୍ୟାରେ ପ୍ରତ୍ୟେକ ଦିନ ସୁସଜ୍ଜିତ ହୋଇ ମା’ ପୂଜା ପାଆନ୍ତି। ସେହିପରି ଶରତକାଳୀନ ଦୁର୍ଗାପୂଜାରେ ମା’ଙ୍କ ମନ୍ଦିର ମଧ୍ୟ ଉତ୍ସବମୁଖର ହୋଇଉଠେ। ଏହି ଅବସରରେ ୧୬ଦିନ ଧରି ବ୍ୟାପକ ପୂଜା ହୋଇଥାଏ।

ଭଦ୍ରକାଳୀ

ଭଦ୍ରକାଳୀ

ଭଦ୍ରକରେ ମା’ ଭଦ୍ରକାଳୀଙ୍କ ପୀଠକୁ ଶକ୍ତିପୀଠ ଭାବେ ପୂଜା କରାଯାଏ ା ମା’ଙ୍କ ନାମାନୁସାରେ ସହର ଓ ଜିଲାର ନାମ ଭଦ୍ରକ ହୋଇଛି ା ସପ୍ତଦଶ ଶତାବ୍ଦୀରୁ ଏହି ପୀଠ ସ୍ଥାପିତ ହୋଇଥିବା ଇତିହାସ କହେ ା ଉଗ୍ର ଓ କମନୀୟ ରୂପର ସମ୍ମିଶ୍ରଣରେ ମା’ ଏହି ପୀଠରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଏଣୁ ଏହି ପୀଠକୁ କେହି କେହି ଦୁର୍ଗାମାଧବ ପୀଠ ବୋଲି କୁହନ୍ତି ା ମା’ଙ୍କ ଇତିହାସ ପୃଷ୍ଠାକୁ ଓଲଟାଇଲେ ସାଳନ୍ଦୀ ନଦୀରେ ଭାସି ଭାସି ମା’ ଆସି ଏହି ପୀଠରେ ସ୍ବପ୍ନାଦେଶ ହୋଇ ଆତଙ୍ଗ ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ପୁରୁଖା ଲୋକେ କହନ୍ତିି ା ମା’ଙ୍କ ସେବା ନୀତିରେ ୫୦ରୁ ଊର୍ଦ୍ଧ୍ୱ ଦୀକ୍ଷିତ ପରିବାର ନିୟୋଜିତ ା ଏହି ପୀଠ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଛି ା ଅକ୍ଟୋବର ୧୯ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଏଠାରେ ମହାଯଜ୍ଞ ସାଙ୍ଗକୁ ସପ୍ତମାତୃକା ବେଶ ଅନୁଷ୍ଠିତ ହେବ ା କାଳୀପୂଜା ପାଇଁ ଭଦ୍ରକ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଅର୍ଜନ କରିଆସିଛି। ଭଦ୍ରକ ସହରରୁ ଭଦ୍ରକାଳୀ ପୀଠ ୧୦କି.ମି. ରାସ୍ତା ଏହି ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭିଡ ହୁଏ ା