ଶ୍ରେଷ୍ଠ ପାଞ୍ଚ: ବୌଦ୍ଧର ଯାତ୍ରା

କାଳିସୀ ଯାତ୍ରା

କାଳିସୀ ଯାତ୍ରା

ବୌଦ୍ଧ ଜିଲା ଗିରାସିଂରେ କାଳିସୀ ଯାତ୍ରା ଅନୁଷ୍ଠିତ ହୋଇଥାଏ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଏହି ଯାତ୍ରା ପାଳନ ହୋଇଥାଏ। କାଳିସୀ କୋଠିରେ ବିଭିନ୍ନ ଦେବୀ ଦେବତାଙ୍କୁ ନାନା ରଙ୍ଗରେ ରଙ୍ଗାଯାଇଥାଏ। ଏହି ସମୟରେ ଏକ ପ୍ରକାର ପାରମ୍ପରିକ ବାଦ୍ୟଯନ୍ତ୍ର ଡୁଙ୍କେଲ ବଜାଯାଇ ପୂଜା କରାଯାଇଥାଏ।

ଦୋଳ ଯାତ୍ରା

ଦୋଳ ଯାତ୍ରା

ଚୈତ୍ର ମାସରେ ବୌଦ୍ଧରେ ପାଳିତ ହୋଇଥାଏ ଦୋଳଯାତ୍ରା। ଫଗୁ ପୂର୍ଣ୍ଣିମାଠାରୁ ଚୈତ୍ର କୃଷ୍ଣପକ୍ଷ ପଞ୍ଚମୀ ପର୍ଯ୍ୟନ୍ତ ଏହା ପାଳିତ ହୋଇଥାଏ। ରାଧା-କୃଷ୍ଣଙ୍କୁ ବିମାନରେ ବସାଇ ଶ୍ରଦ୍ଧାଳୁମାନେ ମେଳଣ ହେଉଥିବା ପଡ଼ିଆରେ ଏକତ୍ରିତ ହୋଇଥାନ୍ତି। ମେଳଣ ପଡ଼ିଆଠାରେ ଏହି ଅବସରରେ ମେଳା ଲାଗିଥାଏ।

ରଥଯାତ୍ରା

ରଥଯାତ୍ରା

ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟାରେ ବୌଦ୍ଧର ବିଭିନ୍ନ ଅଞ୍ଚଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ମାଉସୀ ମା’ ମନ୍ଦିର ନିକଟରେ ଏହି ଅବସରରେ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ମେଳା ଲାଗିଥାଏ।

ଚୁଦା ଖାଇ ଯାତ୍ରା

ଚୁଦା ଖାଇ ଯାତ୍ରା

ମାର୍ଗଶିର ମାସ ଶେଷ ଶୁକ୍ରବାରରେ ବୌଦ୍ଧର ଆଦିବାସୀ ସମ୍ପ୍ରଦାୟ ଏହି ଚୁଦା ଖାଇ ଯାତ୍ରା ଉତ୍ସବ ପାଳନ କରିଥାନ୍ତି। ପୂଜା ଆସ୍ଥାନରେ ଉଭୟ ଗାଁର ମହିଳା ଓ ପୁରୁଷ ଏକତ୍ର ହୋଇ ପରସ୍ପରକୁ ଗାଳି ଗୁଲଜ କରିଥାନ୍ତି। ଏପରି କରିବା ଦ୍ୱାରା ଫସଲ ଭଲ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି।

ଦଣ୍ଡ ଯାତ୍ରା

ଦଣ୍ଡ ଯାତ୍ରା

ବୌଦ୍ଧରେ ଚୈତ୍ର ସଂକ୍ରାନ୍ତି ପୂର୍ବରୁ ଆରମ୍ଭ ହୋଇଥାଏ ଦଣ୍ଡ ଯାତ୍ରା। ପଣା ସଂକ୍ରାନ୍ତି ଦିନ ବିଭିନ୍ନ ଦେବୀ ମନ୍ଦିରରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଶ୍ରଦ୍ଧାଳୁ ଜଳନ୍ତା ନିଆଁରେ ଚାଲି ମା’ଙ୍କ ପ୍ରତି ନିଜର ବିଶ୍ୱାସ ପ୍ରଦର୍ଶନ କରିଥାନ୍ତି। ଏହି ଅବସରରେ ଢ଼ୋଲ, ମହୁରି ତାଳେ ତାଳେ ଦଣ୍ଡୁଆମାନେ କାଳିସୀଙ୍କ ନିର୍ଦ୍ଦେଶରେ ନାଚ କରିଥାନ୍ତି।