ଶ୍ରେଷ୍ଠ ପାଞ୍ଚ: ବୌଦ୍ଧର ଲୋକନୃତ୍ୟ

କରମା ନାଚ

କରମା ନାଚ

ବୌଦ୍ଧ ଜିଲାରେ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ କରମା ନାଚ ବେଶ୍‌ ଲୋକପ୍ରିୟ। ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀରେ କରମା ଦେବୀଙ୍କ ପାଖରେ ଆଦିବାସୀ ସମ୍ପ୍ରଦାୟ ମୁଣ୍ଡରେ କରମା ଡାଳ ଖୋସି ମହୁଲି ପିଇ ଏହି ନୃତ୍ୟ କରିଥାନ୍ତି। ଉଭୟ ପୁରୁଷ ଓ ମହିଳା ହାତକୁ ହାତ ଛନ୍ଦି ମାଦଳର ତାଳେ ତାଳେ ଆଗକୁ ପଛକୁ ଝୁଲି ଝୁଲି ଆନନ୍ଦରେ ନାଚିଥାନ୍ତି।

ଦଣ୍ଡନାଚ

ଦଣ୍ଡନାଚ

ବୌଦ୍ଧରେ ହର ପାର୍ବତୀଙ୍କ ଉଦ୍ଦେଶ୍ୟରେ ଦଣ୍ଡନାଚ କରାଯାଇଥାଏ। ପଣା ସଂକ୍ରାନ୍ତି ପୂର୍ବରୁ ଏହା ଆରମ୍ଭ ହୋଇଥାଏ। ଏହାର ଶେଷ ଦିନକୁ ମେରୁ ପର୍ବ କୁହାଯାଇଥାଏ। ଢୋଲ, ମହୁରି ତାଳେ ତାଳେ ଦଣ୍ଡୁଆମାନେ କାଳିଶିଙ୍କ ନିର୍ଦ୍ଦେଶରେ ନାଚ କରିଥାନ୍ତି।

ଶବର-ଶବରୁଣୀ ନାଚ

ଶବର-ଶବରୁଣୀ ନାଚ

ଶବର-ଶବରୁଣୀ ନାଚ ବୌଦ୍ଧ ଜିଲାରେ ବେଶ୍‌ ଲୋକପ୍ରିୟ। ଏହି ନାଚରେ ଜଣେ ଶବର ଭାବେ ଅଭିନୟ କରୁଥିବାବେଳେ ଅନ୍ୟ ଜଣେ ଶବରୀ ଭାବେ ଅଭିନୟ କରିଥାନ୍ତି। ପୁରାଣର ବିଭିନ୍ନ କଥାବସ୍ତୁ ଉପରେ ଏହି ନାଚରେ ଅଭିନୟ କରାଯାଇଥାଏ।

ପତରସୌରା ନାଚ

ପତରସୌରା ନାଚ

ବୌଦ୍ଧର ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ପତରସୌରା ନାଚ ବେଶ୍‌ ଲୋକପ୍ରିୟ। ମହାଭାରତ ଓ ରାମାୟଣର ବିଭିନ୍ନ କଥାବସ୍ତୁ ଉପରେ ଏହି ନାଚର କଳାକାର ଅଭିନୟ କରି ଅନେକ ନୀତିବାଣୀ ମାଧ୍ୟମରେ ସମାଜରେ ସଚେତନତା ସୃଷ୍ଟି କରିଥାନ୍ତି।

 ଡାଲ୍‌ଖାଇ ନାଚ

ଡାଲ୍‌ଖାଇ ନାଚ

ବୌଦ୍ଧ ଜିଲାରେ ଡାଲ୍‌ଖାଇ ନାଚ ବେଶ୍‌ ଲୋକପ୍ରିୟ। ଆଶ୍ୱିନ ମାସରେ ଭାଇଜିଉନ୍ତିଆ ପର୍ବ ସମୟରେ ଝିଅମାନେ ଭାଇଙ୍କ ଶୁଭମନାସୀ ପୂଜାର୍ଚ୍ଚନା କରିଥାନ୍ତି। ଏହି ଅବସରରେ ଅର୍ଦ୍ଧଗୋଲାକାର ଶୈଳୀରେ ହାତକୁ ହାତ ତଥା ଅଣ୍ଟାକୁ ଧରି ଅତି ସୁନ୍ଦର ଭାବେ ବାଜାର ତାଳେ ତାଳେ ଝୁଲି ଝୁଲି ନାଚିଥାନ୍ତି।