ଶ୍ରେଷ୍ଠ ପାଞ୍ଚ: ଓଡ଼ିଶାର ବାଦ୍ୟଯନ୍ତ୍ର

ଘଣ୍ଟ

ଘଣ୍ଟ

ଘଣ୍ଟ ବାଦ୍ୟଯନ୍ତ୍ର ବିଭିନ୍ନ ମନ୍ଦିରରେ ସକାଳ ତଥା ସନ୍ଧ୍ୟା ଆଳତି ସମୟରେ ବାଦନ କରାଯାଇଥାଏ। ଏହା ପିତ୍ତଳରେ ନିର୍ମିତ ଏହାକୁ କାଠ ବାଡିରେ ପିଟା ହୋଇଥାଏ। ଫଳରେ ଶ୍ରୁତି ମଧୁର ଶବ୍ଦ ସୃଷ୍ଟି ହୋଇଥାଏ।

ଝାଞ୍ଜ ଓ ଗିନି

ଝାଞ୍ଜ ଓ ଗିନି

ଝାଞ୍ଜ ଓ ଗିନିକୁ ଦୁଇ ହାତରେ ଧରି ବଜା ଯାଇଥାଏ। ଏହା ପିତ୍ତଳରେ ନିର୍ମିତ ହୋଇଥାଏ। ମନ୍ଦିରରେ ଝାଞ୍ଜ ଓ ଗିନି ଠାକୁରଙ୍କ ଆଳତି ସମୟରେ ବଜାଯାଇଥାଏ। ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମରେ ଗିନି ବାଦନ କରାଯାଇଥାଏ। ଏହାର ଶବ୍ଦ ମନରେ ଭକ୍ତି ଭାବ ଜାଗ୍ରତ କରିଥାଏ।

କେନ୍ଦରା

କେନ୍ଦରା

ଓଡ଼ିଶାର ପୁରପଲ୍ଲୀରେ କେନ୍ଦରା ବେଶ୍‌ ଲୋକପ୍ରିୟ। ଏହାକୁ ପ୍ରାୟତଃ ଯୋଗୀମାନେ ବଜାଇ ଟୀକା ଗୋବିନ୍ଦ ଚନ୍ଦ୍ର ଗୀତ ଗାନ କରି ଜନସମାଜକୁ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଅବଗତ କରାଇଥାନ୍ତି। ଗୀତ ମାଧ୍ୟମରେ ଆତ୍ମା ଓ ପରମାତ୍ମାଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ସରଳ ଭାଷାରେ ବୁଝାଇଥାନ୍ତି।

ମୃଦଙ୍ଗ

ମୃଦଙ୍ଗ

ମୃଦଙ୍ଗ କାଠରେ ନିର୍ମିତ ଏକ ପ୍ରକାର ଲୋକପ୍ରିୟ ବାଦ୍ୟଯନ୍ତ୍ର। ବିଭିନ୍ନ ମନ୍ଦିର ତଥା କୀର୍ତ୍ତନ ସମୟରେ ଏହାକୁ ବଜା ଯାଇଥାଏ। ମୃଦଙ୍ଗର ତାଳେ ତାଳେ ସନ୍ଧ୍ୟାରେ ମନ୍ଦିରରେ ଭାଗବତ ପାଠ ପରେ ଭକ୍ତି ସଙ୍ଗୀତ ଗାନ କରାଯାଇଥାଏ। ଦୋଳଯାତ୍ରାରେ ଠାକୁର ଘରଘର ବୁଲି ଭୋଗ ଖାଇବା ସମୟରେ ଏହାର ବାଦନ କରାଯାଇଥାଏ।

ଖଞ୍ଜଣି

ଖଞ୍ଜଣି

ଖଞ୍ଜଣି ହାତରେ ଧରି ବାଦନ କରାଯାଉଥିବା ଏକ ଛୋଟ ବାଦ୍ୟଯନ୍ତ୍ର। ଏହାକୁ ବଜାଇ ମହିମା ଧର୍ମାବଲମ୍ବୀମାନେ ସନ୍ଧ୍ୟା ସମୟରେ ଭକ୍ତି ସଙ୍ଗୀତ ଗାନ କରିଥାନ୍ତି। ସନ୍ଥ କବି ଭୀମଭୋଇଙ୍କ ସମୟରୁ ଏହା ଓଡ଼ିଶାରେ ବହୁଳ ଭାବେ ବ୍ୟବହୃତ ହେଉଥିବାର ଅନୁମାନ କରାଯାଏ।