ଶ୍ରେଷ୍ଠ ପାଞ୍ଚ: ଭଦ୍ରକର ସ୍ବାଧୀନତା ସଂଗ୍ରାମୀ

ହରେକୃଷ୍ଣ ମହତାବ

ହରେକୃଷ୍ଣ ମହତାବ

ଡକ୍ଟର ହରେକୃଷ୍ଣ ମହତାବ ଭଦ୍ରକ ଜିଲାର ଅଗରପଡାଠାରେ ୧୮୯୯ ମସିଆ ନଭେମ୍ବର ୨୧ରେ ଜନ୍ମଗ୍ରହଣ କରିଥିଲେ। ସେ ଭଦ୍ରକ ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିବା ପରେ କଟକ ରେଭେନ୍‌ଶା କଲେଜରେ ବିଏ ପଢ଼ିଥିଲେ। ୧୯୨୧ରେ ବିଏ ପାଠ ଛାଡି ସ୍ବାଧୀନତା ସଂଗ୍ରାମରେ ଯୋଗଦେଇଥିଲେ। ୧୯୨୧ରେ ବାଲେଶ୍ୱର ଜିଲା କଂଗ୍ରେସ କମିଟିର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୨୯ରେ ସେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୪୨ରେ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ସେ ୧୯୪୨ରୁ୧୯୪୫ ପର୍ଯ୍ୟନ୍ତ କାରାବରଣ କରିଥିଲେ। ଭାରତ ସ୍ବାଧୀନ ହେବା ପରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୫୦ରେ ସେ କେନ୍ଦ୍ରୀୟ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ଯୋଗଦେଇଥିଲେ। ୧୯୫୫ରେ ବମ୍ବେର ରାଜ୍ୟପାଳ ଦାୟିତ୍ୱରେ ଅବସ୍ଥାପିତ ହୋଇଥିଲେ। ୧୯୫୬ରେ ସେ ପୁଣିଥରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିଥିଲେ। ୧୯୮୭ ମସିହା ଜାନୁୟାରୀ ୨ ତାରିଖରେ ସେ ଇହଧାମ ତ୍ୟାଗ କରିଥିଲେ।

 ମହମ୍ମଦ୍‌ ହନିଫ୍‌

ମହମ୍ମଦ୍‌ ହନିଫ୍‌

ମୌଲବୀ ମହମ୍ମଦ୍‌ ହନିଫ୍‌ ଭଦ୍ରକ ସହରର ପୁରୁଣା ବଜାର ସ୍ଥିତ କାଜି ମୋହଲା ଅଞ୍ଚଳରେ ୧୮୯୯ ଜୁଲାଇ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ପାଠପଢ଼ା ପରେ ଅବକାରୀ ନିରୀକ୍ଷକ ଭାବେ ଚାକିରିରେ ଯୋଗଦେଇଥିଲେ। ୧୯୨୧ରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ଚାକିରି ଛାଡି ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ଅସହଯୋଗ ଆନ୍ଦୋଳନରେ ଭଦ୍ରକ ଜିଲାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୧୯୫୨ରେ ସେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଭଦ୍ରକର ମୌଲାନା ଆଜାଦ୍‌ ଭାବେ ସେ ବେଶ୍‌ ପରିଚିତି ହାସଲ କରିଥିଲେ। ୧୯୬୭ ମସିହା ଅକ୍ଟୋବର ୬ତାରିଖରେ ସେ ଦେହତ୍ୟାଗ କରିଥିଲେ।

କାନ୍ତକବି ଲକ୍ଷ୍ମୀକାନ୍ତ

କାନ୍ତକବି ଲକ୍ଷ୍ମୀକାନ୍ତ

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଭଦ୍ରକ ଜିଲା ତିହିଡି ତହସିଲ୍‌ ଅନ୍ତର୍ଗତ ତଳପଦା ଗାଁରେ ୧୮୮୮ ମସିହା ଡିସେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟିଶ୍‌ ସରକାରଙ୍କ ବିରୋଧରେ ଆଇନ ଅମାନ୍ୟ ଆନ୍ଦୋଳନରେ ସେ ଯୋଗଦେଇଥିଲେ। ବ୍ରିଟିଶ୍‌ ସରକାର ତାଙ୍କୁ ଗିରଫ କରି ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ତାଙ୍କ ଦ୍ୱାରା ରଚିତ ବନ୍ଦେ ଉତ୍କଳ ଜନନୀ ସ୍ବାଧୀନତା ସଂଗ୍ରାମୀଙ୍କୁ ଉତ୍ସାହିତ କରୁଥିଲା। ୧୯୫୩ ମସିହା ଫେବୃୟାରୀ ୨୪ ତାରିଖରେ ସେ ଇହଧାମ ତ୍ୟାଗ କରିଥିଲେ।

କବି ବାଞ୍ଛାନିଧି ମହାନ୍ତି

କବି ବାଞ୍ଛାନିଧି ମହାନ୍ତି

ଓଡ଼ିଶାର ଜାତୀୟ କବି ବାଞ୍ଛାନିଧି ମହାନ୍ତି ଭଦ୍ରକ ଜିଲା ବାସୁଦେବପୁର ନିକଟସ୍ଥ ଇରମରେ ୧୮୯୭ ମସିହା ଏପ୍ରିଲ୍‌ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି କାରାବରଣ କରିଥିଲେ। ୧୯୩୮ ମସିହା ଏପ୍ରିଲ୍‌ ୧୯ ତାରିଖରେ ସେ ଦେହତ୍ୟାଗ କରିଥିଲେ।

ନୀଳମଣି ରାଉତରାୟ

ନୀଳମଣି ରାଉତରାୟ

ନୀଳମଣି ରାଉତରାୟ ଭଦ୍ରକ ଜିଲା ମୁକୁନ୍ଦପୁର ଗ୍ରାମରେ ୧୯୨୦ ମସିହା ମେ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବନାରସ ଓ କଲିକତା ବିଶ୍ୱବିଦ୍ୟାଳୟରୁ ଶିକ୍ଷାଗ୍ରହଣ ପରେ ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ସେ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଭି.ପି ସିଂଙ୍କ ମନ୍ତ୍ରିମଣ୍ଡଳରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଯୋଗଦେଇଥିଲେ। ୨୦୦୪ ମସିହା ଅକ୍ଟୋବର ୪ ତାରିଖରେ ସେ ଦେହତ୍ୟାଗ କରିଥିଲେ।