ଶ୍ରେଷ୍ଠ ପାଞ୍ଚ: ଅନୁଗୋଳର ଲୋକନୃତ୍ୟ

ରାବଣ ଛାୟା

ରାବଣ ଛାୟା

ଅନୁଗୋଳ ଜିଲାରେ ରାବଣ ଛାୟା ନାମକ ଏକ ପ୍ରକାର ଲୋକନୃତ୍ୟ ବେଶ୍‌ ଲୋକପ୍ରିୟ। ଏହାକୁ ଛାୟା କଣ୍ଢେଇନାଚ ମଧ୍ୟ କୁହାଯାଇଥାଏ। ଜଡା ତେଲରେ ଦୀପ ଜଳାଇ ଏହା ସମ୍ମୁଖରେ ବିଭିନ୍ନ ଆକୃତିରେ ହାତ ହଲାଇ ତଥା କଣ୍ଢେଇକୁ ବାଉଁଶ ବାଡିରେ ନଚାଇ ଧଳା ପରଦାରେ ହାତର ଛାଇକୁ ଦେଖାଯାଇଥାଏ। ଏହି ପ୍ରକାର କଳାକୁ ଅନୁଗୋଳ ଜିଲାର ଭଟ୍ଟ ସମ୍ପ୍ରଦାୟ ପ୍ରାୟତଃ ପ୍ରଦର୍ଶନ କରି ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି। ଏହି ସମ୍ପ୍ରଦାୟର ଗୁରୁ କାଠିନନ୍ଦ ଦାସଙ୍କୁ ୧୯୮୦ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଲୋକସଂସ୍କୃତିର ବିକାଶ ପାଇଁ ରାବଣ-ଛାୟା ନାଟ୍ୟ ସଂସଦ ସ୍ଥାପନ କରାଯାଇଛି।

ଦଣ୍ଡନାଚ

ଦଣ୍ଡନାଚ

ଅନୁଗୋଳ ଜିଲାର ଲୋକନୃତ୍ୟ ଭାବେ ଦଣ୍ଡନାଚ ବେଶ୍‌ ଲୋକପ୍ରିୟ। ଏହି ଲୋକନୃତ୍ୟ ଜିଲାର ସମସ୍ତ ଅଞ୍ଚଳରେ ବିଶେଷ ପରିଚିତି ହାସଲ କରିପାରିଛି। ପଣା ସଂକ୍ରାନ୍ତିରେ ଏହି ନାଚ ଦଣ୍ଡୁଆମାନଙ୍କ ଦ୍ୱାରା ଉତ୍ତପ୍ତବାଲିରେ ପ୍ରଦର୍ଶିତ ହୋଇଥାଏ। ଏପରି କରି ମାତୃ ଶକ୍ତି ପ୍ରତି ଦଣ୍ଡୁଆମାନେ ନିଜର ନିଷ୍ଠା ଓ ଏକାଗ୍ରତା ପରିପ୍ରକାଶ କରିଥାନ୍ତି।

ହାତୀନାଚ

ହାତୀନାଚ

ଅନୁଗୋଳ ଜିଲାରେ ହାତୀନାଚ ବେଶ୍‌ ଲୋକପ୍ରିୟ। ବିଭିନ୍ନ ଉତ୍ସବ, ପର୍ବପର୍ବାଣି, ବାହାଘର ଆଦିରେ ଏହାର ପ୍ରଦର୍ଶନ କରାଯାଇଥାଏ। ଦୁଇଜଣ କଳାକାର ହାତୀ ଆକୃତିର ଆବରଣରେ ଆଗରେ ଓ ପଛରେ ରହି ଉପଯୁକ୍ତ ସମନ୍ବୟ ଆଧାରରେ ସୁନ୍ଦର ଭାବେ ନାଚିଥାନ୍ତି।

ଭାଲୁନାଚ

ଭାଲୁନାଚ

ଅନୁଗୋଳ ଜିଲାରେ ଭାଲୁନାଚ ବେଶ୍‌ ଲୋକପ୍ରିୟ। ଜଣେ କଳାକାର ଭାଲୁ ଆକୃତିର ପୋଷାକ ପିନ୍ଧି ବାଦ୍ୟଯନ୍ତ୍ରର ତାଳେତାଳେ ସୁନ୍ଦରଭାବେ ଘୂରିଘୂରି ନାଚିଥାନ୍ତି। ବିଭିନ୍ନ ପର୍ବପର୍ବାଣିରେ ଏହି ନାଚ ଦେଖିବାକୁ ମିଳିଥାଏ।

ସାପନାଚ

ସାପନାଚ

ଅନୁଗୋଳ ଜିଲାରେ ସାପନାଚ ବିଶେଷ ପରିଚିତି ହାସଲ କରିପାରିଛି। ଜଣେ କିମ୍ବା ଏକାଧିକ କଳାକାର ସାପ ଆକୃତିର ପୋଷାକ ପିନ୍ଧି କିମ୍ବା ସାଧାରଣ ପୋଷାକରେ ବାଦ୍ୟଯନ୍ତ୍ରର ତାଳେତାଳେ ମାଟିରେ ଶୋଇ ରହି ସୁନ୍ଦରଭାବେ ବିଭିନ୍ନ ଅଙ୍ଗଭଙ୍ଗୀ କରି ନାଚିଥାନ୍ତି। କେଳା ସମ୍ପ୍ରଦାୟ ମଧ୍ୟରେ ଏହି ନାଚ ବେଶ୍‌ ଲୋକପ୍ରିୟ।