ଶ୍ରେଷ୍ଠ ପାଞ୍ଚ: ପୁରୀ ଜିଲାର ପର୍ଯ୍ୟଟନସ୍ଥଳୀ

ଶ୍ରୀଜଗନ୍ନାଥ ମନ୍ଦିର

ଶ୍ରୀଜଗନ୍ନାଥ ମନ୍ଦିର

ପୁରୀ ଜିଲାରେ ରହିଛି ଶ୍ରୀଜଗନ୍ନାଥ ମନ୍ଦିର। ମନ୍ଦିରର ପୁନଃନିର୍ମାଣ ଗଙ୍ଗ ବଂଶ ରାଜା ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ଦଶମ ଶତାବ୍ଦୀ ପରେ ସମ୍ପନ୍ନ ହୋଇଥିବା ଅନୁମାନ କରାଯାଏ। ମନ୍ଦିର ରତ୍ନବେଦିରେ ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା, ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନଙ୍କୁ ପୂଜା କରାଯାଇଥାଏ। ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମନ୍ଦିରର ବିଭିନ୍ନ ନୀତିରେ ଯୋଗ ଦେଇଥାନ୍ତି। ମନ୍ଦିରରେ ପ୍ରବେଶ ପାଇଁ ଚାରି ଦ୍ୱାର ରହିଛି।

ମା’ ମଙ୍ଗଳା ମନ୍ଦିର

ମା’ ମଙ୍ଗଳା ମନ୍ଦିର

ପୁରୀ ଜିଲା କାକଟପୁରରେ ରହିଛି ମା’ ମଙ୍ଗଳାଙ୍କର ପ୍ରସିଦ୍ଧ ମନ୍ଦିର। ମା’ଙ୍କ ମନ୍ଦିର ୧୫ ଶତାବ୍ଦୀରେ ନିର୍ମିତ ହୋଇଥିବାର ଜଣାଯାଏ। ପ୍ରାଚୀ ନଦୀକୂଳରେ ୧୫୪୮ ମସିହାରେ ସ୍ଥାନୀୟ ଜମିଦାର ପଞ୍ଚାନନ ମିତ୍ର(ରାୟ ଚୂଡ଼ାମଣି)ଙ୍କ ଦ୍ୱାରା ଏହି ମନ୍ଦିର ନିର୍ମାଣ ହୋଇଥିଲା। ମା’ଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ନବକଳେବର ସମୟରେ ବନଯାଗ ଦଳ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦାରୁ ସନ୍ଧାନରେ ମା’ଙ୍କ ପାଖରେ ଅଧିଆ ପଡ଼ିଥାନ୍ତି। ମା’ ସ୍ବପ୍ନରେ ଦାରୁ ସମ୍ପର୍କରେ ସୂଚନା ଦେଇଥାନ୍ତି।

କୋଣାର୍କ

କୋଣାର୍କ

ପୁରୀ ଜିଲାରେ ରହିଛି ପ୍ରଭୁ ସୂର୍ଯ୍ୟ ଦେବଙ୍କର ପ୍ରସିଦ୍ଧ ପୀଠ। ଏହି ପ୍ରାଚୀନ ମନ୍ଦିର ଗଙ୍ଗ ବଂଶ ରାଜା ପ୍ରଥମ ନରସିଂହଦେବଙ୍କ ଦ୍ୱାରା ୧୨୫୦ ମସିହାରେ ନିର୍ମିତ ହୋଇଥିବାର ଅନୁମାନ କରାଯାଏ। ରଥ ଆକୃତିରେ ମନ୍ଦିର ନିର୍ମାଣ କରାଯାଇଛି। ମନ୍ଦିର ନିକଟରେ ନବଗ୍ରହ ମନ୍ଦିର ରହିଛି। ଏହାଠାରୁ ପ୍ରାୟ ୩ କିଲୋମିଟର ଦୂରରେ ରହିଛି ଚନ୍ଦ୍ରଭାଗା ସମୁଦ୍ରକୂଳ। ଏଠାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଶୋଭା ଅତ୍ୟନ୍ତ ମନୋରମ।

ସାକ୍ଷୀଗୋପାଳ

ସାକ୍ଷୀଗୋପାଳ

ପୁରୀ ଜିଲାରେ ରହିଛି ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର। ପୁରୀ ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂର ସତ୍ୟବାଦୀ ନିକଟରେ ଏହି ମନ୍ଦିର ରହିଛି। ଏହି ମଧ୍ୟଯୁଗୀୟ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣ ପୂଜା ପାଉଛନ୍ତି। ପ୍ରଭୁ ଶ୍ରୀକୃଷ୍ଣଙ୍କ ମହିମା ନେଇ ଅନେକ କାହାଣୀ ଶ୍ରଦ୍ଧାଳୁଙ୍କ ମୁଖରୁ ଶୁଣାଯାଏ। ଅଁଳା ନବମୀରେ ମାତା ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ଶ୍ରୀଲୋକନାଥ

ଶ୍ରୀଲୋକନାଥ

ପୁରୀ ଜିଲାରେ ରହିଛି ପ୍ରଭୁ ଭୋଳାନାଥଙ୍କର ପ୍ରସିଦ୍ଧ ଶ୍ରୀଲୋକନାଥ ମନ୍ଦିର। ପୁରୀ ସହରରେ ଥିବା ଏହି ମନ୍ଦିର ଶ୍ରୀଜଗନ୍ନାଥ ମନ୍ଦିରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି। ମନ୍ଦିର ନିର୍ମାଣ ଦଶମରୁ ଏକାଦଶ ଶତାବ୍ଦୀ ମଧ୍ୟରେ ହୋଇଥିବାର ଅନୁମାନ କରାଯାଏ। ପ୍ରଭୁଙ୍କ ମହିମା ଅପାର ବୋଲି ଶ୍ରଦ୍ଧାଳୁ କହିଥାନ୍ତି। ଯେକୌଣସି ପ୍ରକାର ରୋଗ ପ୍ରଭୁଙ୍କ କୃପାରୁ ଭଲ ହେଉଥିବା ଶ୍ରଦ୍ଧାଳୁଙ୍କ ବିଶ୍ୱାସ ରହିଛି। ଜାଗରରେ ଏଠାରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।