ଶ୍ରେଷ୍ଠ ପାଞ୍ଚ: ଝାରସୁଗୁଡ଼ା ଜିଲାର ପର୍ଯ୍ୟଟନସ୍ଥଳୀ

କୋଇଲି ଘୁଗାର ଜଳପ୍ରପାତ

କୋଇଲି ଘୁଗାର ଜଳପ୍ରପାତ

ଝାରସୁଗୁଡ଼ା ଜିଲା ଲଖନପୁରସ୍ଥିତ କୁଶମେଲବାହାଲ ଗାଁ ନିକଟରେ ରହିଛି କୋଇଲି ଘୁଗାର ଜଳପ୍ରପାତ। ଏହାର ଉଚ୍ଚତା ୨୦୦ଫୁଟ। ଜଳପ୍ରପାତ ଛୁଇଖାଞ୍ଚତ୍ ଜଙ୍ଗଲରେ ପ୍ରବାହିତ ଏକ ଛୋଟ ନଦୀ ଅହିରାଜରୁ ସୃଷ୍ଟି ହୋଇଛି। ଏହା ପଶ୍ଚିମକୁ ପ୍ରବାହିତ ହୋଇ ମହାନଦୀ ସହିତ ମିଶିଛି। ପର୍ଯ୍ୟଟନ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥାଏ।

ବିକ୍ରମଖୋଲ

ବିକ୍ରମଖୋଲ

ଝାରସୁଗୁଡ଼ାଠାରୁ ୨୫ କିଲୋମିଟର ଦୂରରେ ରହିଛି ବିକ୍ରମଖୋଲ। ଝାରସୁଗୁଡ଼ା-ଲଖନପୁର ରାସ୍ତାପାର୍ଶ୍ୱରେ ଏହି ପ୍ରାକ୍‌ ଐତିହାସିକ ଗୁମ୍ଫା ରହିଛି। ଖ୍ରୀଷ୍ଟପୂର୍ବ ୧୫୦୦ ତଳର ଅନେକ ପ୍ରାଚୀନ ଚିତ୍ର ଏଠାରେ ଦେଖିବାକୁ ମିଳେ। ବର୍ଷସାରା ଏଠାକୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି।

ଝାଡ଼େଶ୍ୱର ମନ୍ଦିର

ଝାଡ଼େଶ୍ୱର ମନ୍ଦିର

ଝାରସୁଗୁଡ଼ା ରେଳଷ୍ଟେଶନଠାରୁ ଏକ କିଲୋମିଟର ଦୂରରେ ରହିଛି ଝାଡ଼େଶ୍ୱର ମନ୍ଦିର। ପୁରୁଣା ବସ୍ତି ମଧ୍ୟରେ ଏକ ବୁଦୁବୁଦୁକିଆ ଜଙ୍ଗଲରେ ରହିଛି ଏହି ମନ୍ଦିର। ଏଠାରେ ସ୍ବୟଂମ୍ଭୁ ଶିବଲିଙ୍ଗଙ୍କ ଆବିର୍ଭାବ ଘଟିଛି। ପୂର୍ବରୁ ପତ୍ର କୁଡ଼ିଆ ମଧ୍ୟରେ ଶିବଲିଙ୍ଗ ପୂଜାର୍ଚ୍ଚନା କରାଯାଉଥିଲା। ୧୯୧୬ରେ ଏଠାରେ ଜଣେ ଗୁଜରାଟୀ ଠିକାଦାର ମନ୍ଦିର ନିର୍ମାଣ କରିଥିଲେ। ମନ୍ଦିରରେ ଠାକୁରଙ୍କୁ ପୂଜା ପାଇଁ ସେବାୟତ ନିଯୁକ୍ତି କରିବା ସହିତ ଠିକାଦାର ଠାକୁରଙ୍କ ନୀତି ସମ୍ପନ୍ନ ପାଇଁ ଜମି ଖଞ୍ଜିଥିଲେ।

ଚଣ୍ଡୀ ମନ୍ଦିର

ଚଣ୍ଡୀ ମନ୍ଦିର

ଝାରସୁଗୁଡ଼ା ରେଳଷ୍ଟେଶନଠାରୁ ୩୦ କିଲୋମିଟର ଦୂରରେ ରହିଛି ଚଣ୍ଡୀ ମନ୍ଦିର। ଇବ୍‌ ନଦୀ କୂଳରେ ପଥର କଟା ହୋଇ ଗୁମ୍ଫାରେ ଏହି ମନ୍ଦିର ନିର୍ମିତ ହୋଇଛି। ମନ୍ଦିରକୁ ଯିବା ପାଇଁ ପଥର ପାହାଚ ରହିଛି। ବର୍ଷସାରା ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ।

ପାହାଡ଼ୀ ମନ୍ଦିର

ପାହାଡ଼ୀ ମନ୍ଦିର

ଝାରସୁଗୁଡ଼ା ରେଳଷ୍ଟେଶନଠାରୁ ୩ କିଲୋମିଟର ଦୂରରେ ରହିଛି ପାହାଡ଼ୀ ମନ୍ଦିର। ଏକ ଛୋଟ ପାହାଡ଼ର ଶିଖରରେ ରହିଛି ମହାଦେବଙ୍କର ଏହି ପ୍ରସିଦ୍ଧ ମନ୍ଦିର। ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ। ଜାଗରରେ ମନ୍ଦିରରେ ଠାକୁରଙ୍କ ସ୍ବତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ।