ଶ୍ରେଷ୍ଠ ପାଞ୍ଚ: ଭଦ୍ରକର ପର୍ଯ୍ୟଟନସ୍ଥଳୀ

ମା’ ଧାମରାଇ

ମା’ ଧାମରାଇ

ଧାମରା ନଦୀ ବଙ୍ଗୋପସାଗରରେ ମିଶିଥିବା ସ୍ଥଳରେ ରହିଛି ମା’ଧାମରାଇଙ୍କ ମନ୍ଦିର। ମା’ଙ୍କ ମହିମା ନେଇ ଅନେକ କଥା ଶୁଣାଯାଇଥାଏ। ମା’ଙ୍କ ପାଞ୍ଚ ଭଉଣୀ ସାତଭାୟାରେ ବାସ କରୁଥିବାର ଶ୍ରଦ୍ଧାଳୁ କହିଥାନ୍ତି। ବିଭିନ୍ନ ପର୍ବପର୍ବାଣିରେ ମା’ଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥାଏ।

ଭଦ୍ରକାଳୀ

ଭଦ୍ରକାଳୀ

ଭଦ୍ରକଠାରୁ ୮ କିଲୋମିଟର ଦୂର ଆହାରପଡା ଗାଁରେ ରହିଛି ମା’ ଭଦ୍ରକାଳୀଙ୍କ ପ୍ରସିଦ୍ଧ ପୀଠ। ମା’ଙ୍କ ନାମ ଅନୁସାରେ ଭଦ୍ରକର ନାମକରଣ କରାଯାଇଥିବା କୁହାଯାଇଥାଏ। କଳା ମୁଗୁନି ପଥରରେ ମା’ଙ୍କ ଭବ୍ୟ ମୂର୍ତ୍ତି ମନ୍ଦିରରେ ଶୋଭା ପାଉଛି। ଏଠାରେ କାଳୀ ପୂଜା ଆଡମ୍ବରରେ ପାଳିତ ହୋଇଥାଏ।

ଆଖଣ୍ଡଳମଣି

ଆଖଣ୍ଡଳମଣି

ଭଦ୍ରକଠାରୁ ୫୨ କିଲୋମିଟର ଦୂରରେ ରହିଛି ପ୍ରଭୁ ଆଖଣ୍ଡଳମଣିଙ୍କ ଆସ୍ଥାନ। ମନ୍ଦିର କନିକା ରାଜା ଶ୍ରୀ ହରିହର ଭଞ୍ଜ ଏବଂ ପାଟରାଣୀ ସତ୍ୟଭାମା ପାଟଦେଈଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ମନ୍ଦିରର ଉଚ୍ଚତା ୧୫୦ ଫୁଟ। ଏହାର ନିର୍ମାଣରେ ବ୍ୟବହୃତ ହୋଇଥିବା ପଥର ଚଣ୍ଡିଖୋଲସ୍ଥିତ ଲଳିତଗିରିରୁ ଅଣାଯାଇଥିଲା। ମହାଶିବ ରାତ୍ରି ଉତ୍ସବ ଏଠାରେ ମହା ଆଡମ୍ବରରେ ପାଳିତ ହୋଇଥାଏ।

ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର

ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିର

ଭଦ୍ରକର ଦକ୍ଷିଣକୁ ୧୫ କିଲୋମିଟର ଦୂରରେ ଚାନ୍ଦବାଲି ରାସ୍ତାରେ ରହିଛି ପ୍ରଭୁ ଶ୍ରୀ ବିରଞ୍ଚି ନାରାୟଣଙ୍କ ପ୍ରସିଦ୍ଧ ମନ୍ଦିର। ମନ୍ଦିରରେ ଚାରି ମୁଖ ବିଶିଷ୍ଟ ସୂର୍ଯ୍ୟଦେବଙ୍କ ଭବ୍ୟ ମୂର୍ତ୍ତି ରହିଛି। ଏହା ୧୩ ଶତାବ୍ଦୀରେ ନିର୍ମିତ ହୋଇଥିଲା। ପରେ ଏହାର ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଛି।

ରକ୍ତତୀର୍ଥ ଇରମ୍‌

ରକ୍ତତୀର୍ଥ ଇରମ୍‌

ଭଦ୍ରକଠାରୁ ୧୬ କିଲୋମିଟର ଦୂରରେ ବାସୁଦେବପୁରରେ ରହିଛି ସ୍ବାଧୀନତା ସଂଗ୍ରାମୀ ପୀଠ ରକ୍ତତୀର୍ଥ ଇରମ୍‌। ୧୯୪୨ ସେପ୍ଟେମ୍ବର ୨୮ରେ ଏଠାରେ ଏକ ସାଧାରଣ ସଭା ଚାଲିଥିବାବେଳେ ବ୍ରିଟିଶ୍‌ ପୋଲିସ ନିରୀହ ଜନତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୨୯ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୬ ଜଣ ଆହତ ହୋଇଥିଲେ।