ଶ୍ରେଷ୍ଠ ପାଞ୍ଚ: ଶ୍ରୀକ୍ଷେତ୍ରର ହନୁମାନ

ବେଡ଼ି ହନୁମାନ

ବେଡ଼ି ହନୁମାନ

ଚକ୍ରତୀର୍ଥରେ ଲକ୍ଷ୍ମୀଙ୍କ ବାପଘର ଓ ଚକ୍ରନୃସିଂହ ମନ୍ଦିର ବ୍ୟତୀତ ବେଡ଼ି ହନୁମାନଙ୍କ ମନ୍ଦିର ଅବସ୍ଥିତ। ଚକ୍ରତୀର୍ଥର ମାହାତ୍ମ୍ୟକୁ ବେଡ଼ି ହନୁମାନ ବୃଦ୍ଧି କରନ୍ତି। ବେଡ଼ି ହନୁମାନଙ୍କ ଅନ୍ୟନାମ ଦରିଆ ମହାବୀର। ଦରିଆ କୂଳରେ ପୂଜା ପାଉଥିବାରୁ ଦରିଆ ମହାବୀର ଭାବେ ନାମିତ ହୋଇଛନ୍ତି। ହନୁମାନଙ୍କ ହସ୍ତପଦରେ ବେଡ଼ି ପଡିଥିବାର ଦେଖାଯାଏ। ସେଥିଲାଗି ତାଙ୍କ ନାମ ବେଡ଼ି ହନୁମାନ ହୋଇଛି। ଏଠାରେ ଅନ୍ନଭୋଗ ହୁଏ ନାହିଁ। ସବୁପ୍ରକାର ଫଳ ଭୋଗ ହୁଏ। ପଣା ସଂକ୍ରାନ୍ତିରେ ଏଠାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସେ। ଏଠାରେ ନିତ୍ୟ ଖୁଆମଣ୍ଡା ଭୋଗ ହୁଏ। ଚକ୍ରନୃସିଂହ ମନ୍ଦିରରୁ ଏଠାକୁ ଅନ୍ନଭୋଗ ସମର୍ପଣ ହେବାକୁ ଆସେ।

ଦକ୍ଷିଣଦ୍ୱାର ମହାବୀର

ଦକ୍ଷିଣଦ୍ୱାର ମହାବୀର

ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ରାମାନନ୍ଦୀ ସମ୍ପ୍ରଦାୟର ବଡ଼ଛତା ମଠ ରହିଛି। ଏହି ମଠ ପକ୍ଷରୁ ମହାବୀରଙ୍କ ପୂଜାର୍ଚ୍ଚନା କରାଯାଏ। ଗବେଷକଙ୍କ ମତରେ ଶ୍ରୀମନ୍ଦିରରେ ବିଜେ କରିଥିବା ମହାବୀରଙ୍କୁ ତପସ୍ବୀ ମହାବୀର କୁହାଯାଏ। କିନ୍ତୁ ସାଧାରଣରେ ଏହା ଦକ୍ଷିଣଦ୍ୱାର ମହାବୀର ଭାବେ ପରିଚିତ ଲାଭ କରିଛନ୍ତି। ଶ୍ରୀମନ୍ଦିର ଦର୍ଶନ ସାରି ଫେରୁଥିବା ଭକ୍ତମାନେ ଏଠାରେ ଦର୍ଶନ କରିବାକୁ ଭୁଲି ନ ଥାନ୍ତି। କୁହାଯାଏ, ଦକ୍ଷିଣଦ୍ୱାର ମେଘନାଦ ପାଚେରିକୁ ଲାଗି ଭିତରପଟକୁ ମହାବୀର ପୂଜା ପାଉଛନ୍ତି। ଏହାର ବାହାର ପଟେ ପୂଜା ପାଉଥିବା ମହାବୀରଙ୍କୁ ଦକ୍ଷିଣଦ୍ୱାର ମହାବୀର କହନ୍ତି।

ସୁଗ୍ରୀବ ମହାବୀର

ସୁଗ୍ରୀବ ମହାବୀର

ରାମାୟଣରେ ବର୍ଣ୍ଣିତ ଅଛି ଯେ, ଲଙ୍କା ବିଜୟରେ ସୁଗ୍ରୀବ ଶ୍ରୀରାମଙ୍କୁ ସହଯୋଗ କରିଥିଲେ। ସୁଗ୍ରୀବଙ୍କ ଅବଦାନକୁ ସମ୍ମାନ ଜଣାଇ ଶ୍ରୀକ୍ଷେତ୍ରରେ ପ୍ରାଚୀନ କାଳରୁ ସୁଗ୍ରୀବ ମହାବୀରଙ୍କ ଉପାସନା ପ୍ରଚଳିତ ଅଛି। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଭାବେ ପରିଚିତ ଜଗନ୍ନାଥ ବଲ୍ଲଭ ମଠରେ ସୁଗ୍ରୀବ ମହାବୀର ବିଦ୍ୟାମାନ କରିଛନ୍ତି। ଶ୍ରୀମନ୍ଦିର ଉପାସନା ସହିତ ସୁଗ୍ରୀବ ମହାବୀରଙ୍କ ସମ୍ପର୍କ ଜଡିତ ରହିଛି। ପଣା ସଂକ୍ରାନ୍ତି ଦିନ ମହାପ୍ରଭୁଙ୍କ ଆଜ୍ଞାମାଳ ଏଠାରେ ବିଜେ ହୋଇଥାଏ। ପରେ ଏଠାରୁ ଲାଗିମାଳ ଅନ୍ୟ ମହାବୀରଙ୍କ ନିକଟକୁ ଯାଇଥାଏ।

ମକରଧ୍ୱଜ ମହାବୀର

ମକରଧ୍ୱଜ ମହାବୀର

ଶ୍ରୀକ୍ଷେତ୍ରକୁ ପ୍ରବେଶ କରିବାର ମୁଖ୍ୟ ଘାଟ ଥିଲା ଅଠରନଳା ଘାଟ। ଏହାକୁ ବସାଇଥିଲେ ଗଜପତି ନରସିଂହଦେବ। ତାହା ପୂର୍ବରୁ ଏହି ଘାଟର ନାମ ଥିଲା ଆଲାମଚଣ୍ଡୀ ଘାଟ। ଆଲାମଚଣ୍ଡୀଙ୍କ ମନ୍ଦିର ସମ୍ମୁଖରେ ରହିଛି ପଥର ପୋଖରୀ। ଏହି ପୋଖରୀ ପାର୍ଶ୍ୱରେ ରହିଛନ୍ତି ମକରଧ୍ୱଜ ମହାବୀର। ରାମାୟଣରେ ବର୍ଣ୍ଣିତ ଅଛି ଯେ, ମହିରାବଣ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ନେଇ ପାତାଳପୁରୀରେ ଲୁଚାଇଥିଲେ। ସେଠାରେ ମହାବୀରଙ୍କ ସହିତ ମକରଧ୍ୱଜ (ମହିରାବଣର ଦ୍ୱାରପାଳ)ଙ୍କ ଭେଟ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା। ସେହିଦିନଠାରୁ ପରମ୍ପରାନୁଯାୟୀ ଶ୍ରୀହନୁମାନଙ୍କ ପୁତ୍ର ରୂପେ ମକରଧ୍ୱଜଙ୍କୁ ସମ୍ମାନର ସହିତ ଶ୍ରୀରାମଙ୍କ ଉପାସକମାନେ ଗ୍ରହଣ କରିଆସିଛନ୍ତି। ଶ୍ରୀମକରଧ୍ୱଜଙ୍କୁ ମହାବୀର ଭାବେ ଶ୍ରୀକ୍ଷେତ୍ରରେ ଗ୍ରହଣ କରାଯାଇଛି।

ଶ୍ରୀ ସିଦ୍ଧମହାବୀର

ଶ୍ରୀ ସିଦ୍ଧମହାବୀର

ପୁରୀ ବାଲୁଖଣ୍ଡ ମୌଜାରେ ଶ୍ରୀ ସିଦ୍ଧମହାବୀର ମନ୍ଦିର ବିଦ୍ୟମାନ। ଏହି ମନ୍ଦିରର ପ୍ରତିଷ୍ଠା ବିଷୟରେ ଭିନ୍ନ ଭିନ୍ନ ମତ ରହିଛି। କେତେକଙ୍କ ମତରେ ଅଯୋଧ୍ୟାର ସନ୍ଥ ରାମକୃଷ୍ଣ ଦାସ ଏଠାରେ ମହାବୀରଙ୍କୁ ଉପାସନା କରି ନିଜ ସାଧନାରେ ସିଦ୍ଧି ଲାଭ କରିଥିଲେ। ଅନ୍ୟ କେତେକଙ୍କ ମତରେ ସନ୍ଥ ଗୋସ୍ବାମୀ ତୁଳସୀ ଦାସ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିବା ସମୟରେ ଏହିଠାରେ ଅବସ୍ଥାନ କରି ଶ୍ରୀ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା କରିଥିଲେ। ସେତେବେଳେ ଏହି ସ୍ଥାନ ନାନାଦି ବୃକ୍ଷଲତା ପରିପୂର୍ଣ୍ଣ ତପୋବନ ସଦୃଶ ଥିଲା। ତନ୍ମମଧ୍ୟରେ ତିନୋଟି ପଦ୍ମ ପୁଷ୍କରିଣୀ ମଧ୍ୟ ରହିଥିଲା। ବର୍ତ୍ତମାନ ଗୋଟିଏ ପୁଷ୍କରିଣୀ ରହିଛି। ଶ୍ରୀ ସିଦ୍ଧମହାବୀର ମନ୍ଦିରଟି ବିମାନାକୃତି, ଯାହାର ଉଚ୍ଚତା ପ୍ରାୟ ୩୫ ଫୁଟ, ଲମ୍ବ ୩୦ ଫୁଟ ଓ ପ୍ରସ୍ଥ ୨୫ ଫୁଟ ହେବ।