ଶ୍ରେଷ୍ଠ ପାଞ୍ଚ: ପୁରୀ ସାହିଯାତ ମେଢ଼

ଦୁର୍ଗା ମେଢ଼

ଦୁର୍ଗା ମେଢ଼

ପୁରୀ ସାହିଯାତରେ ହେଉଥିବା ମେଢ଼ ମଧ୍ୟରୁ ଦୁର୍ଗା ମେଢ଼ ଅନ୍ୟତମ। ଏହି ମେଢ ଚତୁର୍ଭୁଜା, ଅଷ୍ଟଭୁଜା, ଦଶଭୁଜା ଓ ଅଠରଭୁଜା ଏଭଳି ଚାରି ପ୍ରକାର ହୋଇଥାଏ। ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ଦେବୀଙ୍କୁ ସଜ୍ଜିତ କରାଯାଇଥାଏ। ଦକ୍ଷିଣ ପାର୍ଶ୍ୱ ହସ୍ତରେ ଆୟୁଧ, ଚକ୍ର, ଗଦା, ଖଡ୍‌ଗ, ତୀର, ଅଙ୍କୁଶ, ତ୍ରିଶୂଳ, ବଜ୍ର ଓ ଫାର୍ଶା ଶୋଭା ପାଇଥାଏ। ସେହିପରି ବାମ ପାର୍ଶ୍ୱର ହସ୍ତମାନଙ୍କରେ ଶଙ୍ଖ, ପଦ୍ମ, ଧନୁ, ଢାଲ, ନାଗଫାଶ, ଡମ୍ବରୁ, ଅଗ୍ନିପାତ୍ର ଓ ଭାଲ୍ଲା ରହିଥାଏ।

କାଳୀ ମେଢ

କାଳୀ ମେଢ

ସାହିଯାତରେ ଅନ୍ୟତମ ଆକର୍ଷଣ ହେଉଛି କାଳୀ ମେଢ଼। ଶରୀର ରଙ୍ଗ ସମ୍ପୂର୍ଣ୍ଣ କଳା। କମଳା କିମ୍ବା ଲାଲରଙ୍ଗର ପାଟ ପରିଧାନ କରିଥାନ୍ତି। ମେଢ ଚତୁର୍ଭୁଜା, ଅଷ୍ଟଭୁଜା ହୁଅନ୍ତି। ଦକ୍ଷିଣ ପାର୍ଶ୍ୱ ଦୁଇ ହସ୍ତରେ ଚନ୍ଦ୍ରଭାସ ଖଡ୍‌ଗ ଓ ତ୍ରିଶୂଳ ରହିଥାଏ। ବାମ ହସ୍ତରେ ଅଗ୍ନିପାତ୍ର ଓ କଟାମୁଣ୍ଡ ଧାରଣ କରିଥାନ୍ତି। ବେକରେ ମୁଣ୍ଡମାଳ। କଟିରେ କଟାହାତର ମାଳ ରହେ।

ନୃସିଂହ ମେଢ଼

ନୃସିଂହ ମେଢ଼

ସାହିଯାତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମେଢ଼ ଭାବେ ଏହା ପରିଚିତ। ଏହି ମେଢ଼ ଧାରଣ କରିଥିବା ବ୍ୟକ୍ତି ମାସକ ପୂର୍ବରୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଥାନ୍ତି। ଓଳିଏ ହବିଷାନ୍ନ ଗ୍ରହଣ କରି ରହିଥାନ୍ତି। ଯାତ୍ରା ଦିନ ଇଷ୍ଟ ଦେବଙ୍କୁ ସ୍ମରଣ ପୂର୍ବକ ମେଢ଼କୁ ଧାରଣ କରନ୍ତି। ମାନବ ଓ ପଶୁର ମିଶ୍ରିତ ଏହି ମେଢ଼ ଅନୁଭବୀ ଓ ବଳବାନ ଯୁବକ ପରିଧାନ କରନ୍ତି। ମେଢ଼ର ମୁହଁ ସିଂହର ହୋଇଥିବା ବେଳେ ଶରୀର ମଣିଷର ହୁଏ। ନଖଗୁଡିକ ସିଂହ ଭଳି ବଡ ବଡ ରହେ। ସମ୍ପୂର୍ଣ୍ଣ ଶରୀରର ରଙ୍ଗ ଶ୍ୱେତବର୍ଣ୍ଣ ହୁଏ। ହଳଦିଆ ଖଣ୍ଡୁଆପାଟ ପରିଧାନ କରନ୍ତି। ଚାରିହାତ ବିଶିଷ୍ଟ ଏହି ମେଢର ଦୁଇଟି ହାତରେ ଶଙ୍ଖ ଓ ଚକ୍ର ଆୟୁଧ ଧାରଣ କରିଥାନ୍ତି।

ଗଣେଶ ମେଢ଼

ଗଣେଶ ମେଢ଼

ଶ୍ରୀଗଣେଶ ମେଢ଼ ସାହିଯାତରେ ଆକର୍ଷଣ ସାଜିଥାଏ। ତ୍ରିନେତ୍ର, ପୃଥଳାକାର ଶରୀର। ଉଦର ଉପରେ ନାଗସାପର ପଇତା। ଆଠ ହାତ। ହଳଦିଆ ପାଟ କାଛି କରି ପିନ୍ଧିଥାନ୍ତି। ଦୁଇଟି ହାତ ଅଭୟ ଓ ବରଦା ମୁଦ୍ରାରେ ରହେ। ଅନ୍ୟ ଚାରୋଟି ହାତରେ ଅଙ୍କୁଶ, ତ୍ରିଶୁଳ, ଗଦା ଓ ଲଡୁ ଧାରଣ କରିଥାନ୍ତି। ଏହି ମେଢର ନୃତ୍ୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥାଏ। ତାଣ୍ଡବ ନୃତ୍ୟ ବେଶ ମନୋମୁଗ୍ଧକର ହୋଇଥାଏ।

ପଞ୍ଚମୁଖୀ ହନୁମାନ ମେଢ଼

ପଞ୍ଚମୁଖୀ ହନୁମାନ ମେଢ଼

ଏହି ମେଢ଼ ଧାରଣ କରୁଥିବା ବ୍ୟକ୍ତି ନିଷ୍ଠାର ସହିତ ରହିଥାନ୍ତି। ଇଷ୍ଟ ଦେବଙ୍କ ନିକଟରେ ପୂଜା ପୂର୍ବକ ଜାଗା ଆଖଡାରେ ଥିବା ମହାବୀରଙ୍କ ନିକଟରେ ପୂଜା କରି ବେଶ ପରିଧାନ କରନ୍ତି। ମହାବୀରଙ୍କ ପଞ୍ଚମୁଖ ପରିଧାନ କରିଥାନ୍ତି। ଲାଲ ରଙ୍ଗର ବସ୍ତ୍ର ପରିଧାନ କରନ୍ତି। ହାତରେ ଗଦା ଧାରଣ କରିଥାନ୍ତି। ବାଦ୍ୟ ବାଜଣା ସହିତ ମହାବୀରଙ୍କ ଚାଲି, ଠାଣି ବେଶ ଆକର୍ଷଣୀୟ ହୋଇଥାଏ।

I&PR

Model This Week

ସନ୍ତୋଷ