ଶ୍ରେଷ୍ଠ ପାଞ୍ଚ: ମଧ୍ୟଯୁଗୀୟ କୀର୍ତ୍ତି

ଅଠରନଳା

ଅଠରନଳା

ପୁରୀ ସହରକୁ ପ୍ରବେଶ କରିବା ବାଟରେ ପଡେ ଅଠରନଳା। ଏହା ମଧୁପୁର ବା ମୁଷା ନାଳ ଉପରେ ନିର୍ମିତ। ଏହା ୧୮ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମରାଠା ଶାସକଙ୍କ ଦ୍ୱାରା ଏହାର ନିର୍ମାଣ ଶେଷ ହୋଇଥିଲା। ଏହାର ନିର୍ମାଣ କାର୍ଯ୍ୟ ୧୩ ଶତାବ୍ଦୀରେ ରାଜା ଭାନୁ ଦେବଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜା ଦ୍ୱିତୀୟ ନରସିଂହ ଦେବଙ୍କ ସମୟରେ ଏହା ଜାରି ରହିଥିଲା।

କଦମ୍‌-ଇ-ରସୁଲ

କଦମ୍‌-ଇ-ରସୁଲ

କଟକ ସହରରେ ଥିବା କଦମ୍‌-ଇ-ରସୁଲ ଦରଘା ୧୭୧୫ ମସିହାରେ ସୁଜାଉଦ୍ଦିନ୍‌ ଖାଁଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ମହାପୁରୁଷ ମହମ୍ମଦଙ୍କ ସମ୍ପର୍କରେ ଅନେକ ତଥ୍ୟ ଏଠାରୁ ଜଣାପଡିଥାଏ। ଓଡ଼ିଶାରେ ମୁସଲମାନ ଶାସକଙ୍କ ସମୟରେ ଏଭଳି ଅନେକ ମଧ୍ୟଯୁଗୀୟ କୀର୍ତ୍ତି ସ୍ଥାପିତ ହୋଇଛି।

ବାରବାଟୀ ଦୁର୍ଗ

ବାରବାଟୀ ଦୁର୍ଗ

ଗଙ୍ଗବଂଶ ରାଜାଙ୍କ ଦ୍ୱାରା ବାରବାଟୀ ଦୁର୍ଗର ନିର୍ମାଣ କାର୍ଯ୍ୟ ୧୪ଶତାବ୍ଦୀରେ ସମ୍ପନ୍ନ ହୋଇଥିଲା। ଏହା ୯ ମହଲା ବିଶିଷ୍ଟ ଥିଲା। ମାଦଳା ପାଞ୍ଜିରେ ଏହି ଦୁର୍ଗ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏହା ମହାନଦୀର ଦକ୍ଷିଣ କୂଳରେ ରହିଛି।

ରତ୍ନଗିରି

ରତ୍ନଗିରି

ଯାଜପୁର ଜିଲାରେ ଥିବା ରତ୍ନଗିରି ମଧ୍ୟଯୁଗୀୟ ବୌଦ୍ଧ କୀର୍ତ୍ତିର ଗାଥା ବହନ କରିଥାଏ। ଏଠାରେ ବୁଦ୍ଧ ଦେବଙ୍କର ଅନେକଗୁଡିଏ ଧ୍ୟାନ ମୁଦ୍ରା ମୂର୍ତ୍ତି ରହିଛି। ୫ ଶତାବ୍ଦୀରୁ ୧୩ ଶତାବ୍ଦୀ ପର୍ଯ୍ୟନ୍ତ ଏଠାରେ ଅନେକ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବାର ଅନୁମାନ କରାଯାଏ।

ଲଳିତଗିରି

ଲଳିତଗିରି

କଟକ ଜିଲା ମାହାଙ୍ଗା ତହସିଲରେ ରହିଛି ବୌଦ୍ଧ କୀର୍ତ୍ତି ଲଳିତଗିରି। ଏଠାରେ ନିର୍ମାଣ କାର୍ଯ୍ୟ ଖ୍ରୀଷ୍ଟପୂର୍ବ ୩୨୨ଠାରୁ ୧୩୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଜାରି ରହିଥିଲା। ମୌର୍ଯ୍ୟ ବଂଶର ଶାସକ ଏଠାରେ ଅନେକ କଳା କୃତି ନିର୍ମାଣ କରିଥିବାବେଳେ ମଧ୍ୟଯୁଗରେ ଅନେକ ଶାସକ ଏଠାରେ ବୌଦ୍ଧ ଧର୍ମର ବିକାଶ ପାଇଁ ନାନା କଳାକୃତି ସ୍ଥାପନ କରିଥିଲେ।