Dharitri News

ଶ୍ରେଷ୍ଠ ପାଞ୍ଚ: ସାହିଯାତ ବେଶ

ନାଗା

ନାଗା

ନାଗା ହେଉଛି ବୀରତ୍ୱର ପ୍ରତୀକ। ସାହିଯାତରେ ନାଗା ବେଶ ପରିପାଟୀ ଖୁବ୍‌ ଆକର୍ଷଣୀୟ ହୋଇଥାଏ। ସେଥିଲାଗି ନାଗାର ସାଜ ପ୍ରସ୍ତୁତ ହୋଇରହିଥାଏ। ନାଗା ବେଶଧାରୀ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଥାନ୍ତି। ଏହି ବେଶକୁ ପୁରୀବାସୀ ନିଜକୁ ଗୌରବାନ୍ବିତ ମନେ କରିଥାନ୍ତି। ନାଗାଠାଣି, ନାଗା ଚାହାଣି ଓ ନାଗା ପାହୁଲ ଦର୍ଶକଙ୍କୁ ଆକର୍ଷିତ କରିଥାଏ। ଏହି ନୃତ୍ୟ ଦର୍ଶକଙ୍କ ହୃଦୟକୁ ଚହଲାଇ ଦେଇଥାଏ। ବାଦ୍ୟ ବାଜଣାରେ ନାଗା ବେଶଧାରୀ କଳା କୌଶଳ ପ୍ରଦର୍ଶନ କରି ନିଜ ବୀରତ୍ୱର ପରିଚୟ ଦେଇଥାନ୍ତି। ସାହିଯାତ ସମୟରେ ବିଭିନ୍ନ ସାହିଜାଗା, ଆଖଡ଼ା ପକ୍ଷରୁ ନାଗା ବେଶ ବାହାରିଥାଏ।

ହନୁମାନ

ହନୁମାନ

ପୁରୀ ସାହିଯାତର ଆକର୍ଷଣ ସାଜିଥାଏ ହନୁମାନ। ଏହି ବେଶ ଧାରଣ କରୁଥିବା ବ୍ୟକ୍ତି କିଛିଦିନ ପୂର୍ବରୁ ନିଷ୍ଠାର ସହିତ ରହିଥାନ୍ତି। ଯାତ୍ରା ଦିନ ହବିଷ ଅନ୍ନ ଗ୍ରହଣ କରି ଇଷ୍ଟଦେବଙ୍କୁ ସ୍ମରଣ କରି ବେଶ ଧାରଣ କରନ୍ତି। ଶ୍ରୀରାମଙ୍କ ପାଖେ ପାଖେ ରହିଥାନ୍ତି ହନୁମାନ। ସୁଗ୍ରିବଙ୍କୁ ଶ୍ର୍ରୀରାମଙ୍କ ସହିତ ମିତ୍ରତା ସ୍ଥାପନରେ ସହଯୋଗ କରାଇଥିଲେ। ମାତା ସୀତାଙ୍କୁ ଠାବ କରିଥିଲେ ହନୁମାନ। ଶ୍ରୀରାମ ନବମୀ ଦିନ ସାହିଯାତ ଶୁଭାରମ୍ଭ ହୋଇଥାଏ। ଶ୍ରୀରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ବାହାରିଥାନ୍ତି। ଏଥିସହିତ ବାହାରିଥାନ୍ତି ହନୁମାନ। ହାତରେ ଗଦା, ହନୁ ସଦୃଶ ମୁଖମଣ୍ଡଳ, ଗୈରିକ ବସ୍ତ୍ର ପରିଧାନ କରନ୍ତି। ପଛରେ ଲମ୍ବା ଲାଞ୍ଜ ରହିଥାଏ। ବାଦ୍ୟର ତାଳେ ତାଳେ ଚାଲି ଦର୍ଶକଙ୍କୁ ମନୋରଞ୍ଜନ କରିଥାନ୍ତି।

ତ୍ରିଶିରା

ତ୍ରିଶିରା

ସାହିଯାତରେ ଅନ୍ୟତମ ଆକର୍ଷଣ ହେଉଛି ତ୍ରିଶିରା। ତିନୋଟି ମୁଣ୍ଡ ଧାରଣ କରିଥିବାରୁ ତାଙ୍କୁ ତ୍ରିଶିରା କୁହାଯାଏ। ଖରର ସେନାପତି ହେଉଛନ୍ତି ତ୍ରିଶିରା। ଦଣ୍ଡକାରଣ୍ୟରେ ଶ୍ରୀରାମଙ୍କ ସହ ଯୁଦ୍ଧ କରିବାକୁ ଆସିଥିବା ଶତାଧିକ ସୈନ୍ୟ ଶ୍ରୀରାମଙ୍କ ବାଣରେ ନିହତ ହେବା ପରେ କେବଳ ତ୍ରିଶିରା ରହିଯାଇଥିଲେ। ଶ୍ରୀରାମଙ୍କ ସହ ଯୁଦ୍ଧ ବେଳେ ଶ୍ରୀରାମଙ୍କ ତିନୋଟି ବାଣରେ ତାଙ୍କ ତିନୋଟିଯାକ ମୁଣ୍ଡ ଅଲଗା ହୋଇଯାଇଥିଲା। ଏଣୁ ଏହି ପରମ୍ପରା ସାହିଯାତରେ ଦେଖିବାକୁ ମିଳେ। ଏଥିସହିତ ପଞ୍ଚଶିରା, ସପ୍ତଶିରା ଓ ନବଶିରା ବେଶ ବାହାରିଥାଏ। ମୂଳ ରାମାୟଣରେ ଏମାନଙ୍କ କୌଣସି ଚରିତ୍ର ସମ୍ପର୍କରେ ଉଲ୍ଲେଖ ନାହିଁ।

ରାବଣ

ରାବଣ

ପୁରୀ ସାହିଯାତରେ ରାବଣ ବେଶ ଦେଖିବାକୁ ମିଳିଥାଏ। ପୂର୍ବେ ପରମ୍ପରାନୁସାରେ ମହାସୁଆର, ସାହିନାୟକ ବଂଶର ବିବାହିତ ଯୁବକମାନେ ରାବଣ ବେଶ ବନ୍ଧାଇବାର ବିଧି ଥିଲା। ଦୋଳମଣ୍ଡପ ସାହି ଓ କୁଣ୍ଢେଇବେଣ୍ଟ ସାହିର ଯୁବକମାନେ ରାବଣ ବେଶ ବନ୍ଧାଇଥାନ୍ତି। ଏହି ବେଶ ବନ୍ଧାଇବା ଯୁବକ ଏକମାସ ପୂର୍ବରୁ ନିଜ ଜାଗାରେ ରାବଣ ନୃତ୍ୟାଭ୍ୟାସ କରନ୍ତି। ଯାତ୍ରା ଦିନ ରାବଣ ତାଟି ପୂଜା ହୁଏ। ବେଶ ଧାରଣ କରୁଥିବା ଯୁବକ ଏକମାସ ପୂର୍ବରୁ ନିଷ୍ଠାର ସହିତ ରହିଥାନ୍ତି। ରାବଣ ବେଶ ହେବା ପରେ ନିଜ ଜାଗାର ଠାକୁରାଣୀଙ୍କୁ ଆରାଧନା କରନ୍ତି। ଶ୍ରୀମନ୍ଦିର ଗରୁଡ଼ସ୍ତମ୍ଭ ନିକଟରେ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ବୀରଦର୍ପରେ ବେଢା ପରିକ୍ରମା କରନ୍ତି। ତାଳ ଅନୁଯାୟୀ ରାବଣ ବୀର ପାହୁଲ ବା ଯୋଦ୍ଧାର ଠାଣିମାଣିରେ ପାଦ ପକାନ୍ତି।

ପର୍ଶୁରାମ

ପର୍ଶୁରାମ

ସାହିଯାତର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ପର୍ଶୁରାମ ବେଶ। ପର୍ଶୁରାମ ହେଉଛନ୍ତି ମହର୍ଷି ଜମଦଗ୍ନିଙ୍କର ପୁତ୍ର। ବିଶାଳ ବାହୁ। ବାହୁ ଦୁଇଟି ଧନୁଗୁଣର ଆଘାତରେ ଚିହ୍ନିତ। ଆଖି ଉଦିତ ସୂର୍ଯ୍ୟ ପରି ପାଟଳପୂର୍ଣ୍ଣ। କାନ୍ଧରେ କୁଠାର। ହାତରେ ଧନୁଶର ଓ ଅନ୍ୟ ହାତରେ ଅକ୍ଷମାଳା। ପିଠିରେ ଦୁଇଟି ତୂଣୀର। ସମସ୍ତ ଶରୀର ଭସ୍ମ ବିଲେପିତ, କାନ୍ଧରେ ନଅଖିଅ ପଇତା। ଗୈରିକ ବସ୍ତ୍ର ପରିଧାନ କରିଥାନ୍ତି। କଟିରେ ମଞ୍ଜୁମେଖଳା। ବାଲ୍ମୀକି ରାମାୟଣ ଅନୁସାରେ ମୁଣ୍ଡରେ ତାଙ୍କର ବଡ ଜଟା। ମୁଖମଣ୍ଡଳ ତେଜିୟାନ ଦେଖାଯାଏ।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା