Dharitri News

ଶ୍ରେଷ୍ଠ ପାଞ୍ଚ: ମେଳା

ତ୍ରିନାଥ ମେଳା

ତ୍ରିନାଥ ମେଳା

ଓଡ଼ିଶାର ଗାଁ ଗହଳି ତଥା ସହରରେ ବିଭିନ୍ନ ସମୟରେ ମନ୍ଦିରଗୁଡ଼ିକରେ ତ୍ରିନାଥ ମେଳା ଆୟୋଜିତ ହୋଇଥାଏ। ଏଥିରେ ସୃଷ୍ଟିକର୍ତ୍ତା ବ୍ରହ୍ମା, ପାଳନକର୍ତ୍ତା ବିଷ୍ଣୁ ଓ ସଂହାରକର୍ତ୍ତା ମହେଶ୍ୱରଙ୍କୁ ପୂଜା କରାଯାଇଥାଏ। ମେଳା ସନ୍ଧ୍ୟା ସମୟରେ ଆଳତି ପରେ ଆରମ୍ଭ ହୋଇ ରାତିରେ ଶେଷ ହୋଇଥାଏ। ମେଳା ଶେଷରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥାଏ। ଅନେକ ମାନସିକଧାରୀ ମନସ୍କାମନା ପୂରଣ ପରେ ଏହି ମେଳା କରିଥାନ୍ତି।

 ଶନି ମେଳା

ଶନି ମେଳା

ଶନିବାରରେ ପ୍ରଭୁ ଶନିଶ୍ଚରଙ୍କୁ ପୂଜା କରାଯାଇଥାଏ। ଏହାକୁ ଶନିମେଳା କୁହାଯାଇଥାଏ। ମେଳାରେ ପ୍ରଭୁ ଶନିଙ୍କ ମହିମା ପୁରାଣ ପାଠ କରାଯାଇଥାଏ। ମେଳାରେ ଖଇ, ରାଶିଲଡୁ, ନଡ଼ିଆ, କଦଳୀ ଆଦି ଭୋଗ ଶନିଶ୍ଚରଙ୍କୁ ଅର୍ପଣ କରାଯାଇଥାଏ। ଶନିଙ୍କ ସମଗ୍ରହ ରାହୁ ଓ କେତୁଙ୍କୁ ମଧ୍ୟ ମେଳାରେ ପୂଜନ କରାଯାଇଥାଏ।

ସୋମନାଥ ମେଳା

ସୋମନାଥ ମେଳା

ଭୋଳାନାଥ ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଶ୍ରଦ୍ଧାଳୁ ସୋମନାଥ ମେଳା ଆୟୋଜନ କରିଥାନ୍ତି। ଏହା ସୋମବାରରେ ଅନୁଷ୍ଠିତ ହୋଇଥାଏ। ଏହି ମେଳା ଆୟୋଜନ କଲେ ମାନସିକ ପୂରଣ ହୋଇ ପ୍ରଭୁ ଶଙ୍କରଙ୍କର ଅଶେଷ କୃପା ମିଳିଥାଏ ବୋଲି ଶ୍ରଦ୍ଧାଳୁ ବିଶ୍ୱାସ କରିଥାନ୍ତି।

ସତ୍ୟନାରାୟଣ ମେଳା

ସତ୍ୟନାରାୟଣ ମେଳା

ପ୍ରଭୁ ଶ୍ରୀହରିଙ୍କ କୃପାଲାଭ ପାଇଁ ସତ୍ୟନାରାୟଣ ମେଳା ଆୟୋଜନ କରାଯାଇଥାଏ। ସନ୍ତାନକାମୀ ଦମ୍ପତିମାନେ ଏହିପୂଜା କରିଥାନ୍ତି। ଏହି ମେଳା ସମ୍ପର୍କରେ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି। ଏଥିରେ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ମିଷ୍ଟାନ୍ନ ପ୍ରଭୁ ସତ୍ୟନାରାୟଣଙ୍କୁ ଅର୍ପଣ କରାଯାଇଥାଏ।

ରାସ ମେଳା

ରାସ ମେଳା

ରାସ ମେଳାକୁ ଶରତ୍‌ ରାସ ମେଳା ବା ରାସୋତ୍ସବ କୁହାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମାରେ ଏହା ଆୟୋଜିତ ହୋଇଥାଏ। ମେଳାରେ ରାଧା କୃଷ୍ଣଙ୍କ ସମ୍ପର୍କରେ ବର୍ଣ୍ଣନା କରାଯିବା ସହିତ ସ୍ବତନ୍ତ୍ର ପୂଜା ସମ୍ପନ୍ନ ହୋଇଥାଏ। ଏହି ଅବସରରେ ଅଷ୍ଟପ୍ରହରୀ ତଥା ନାମ କୀର୍ତ୍ତନ କରାଯାଇ ହରେ କୃଷ୍ଣ ହରେ ରାମ ନିତାଇ ଗୌର ରାଧେଶ୍ୟାମ ନାମ ଜପ କରାଯାଇଥାଏ। ପ୍ରଭୁ ଚୈତନ୍ୟଙ୍କ ସମୟରେ ଏହି ମେଳା ଆରମ୍ଭ ହୋଇଥିବା ଅନୁମାନ କରାଯାଏ।