ରାଜ୍ୟ

ଚିନ୍ତାରେ ଜିଲାନାସୀ ଚାଷୀ : ନଦୀରେ ଲୀନ ହେଉଛି ଚାଷଜମି

ଚିନ୍ତାରେ ଜିଲାନାସୀ ଚାଷୀ : ନଦୀରେ ଲୀନ ହେଉଛି ଚାଷଜମି

କୁଜଙ୍ଗ,୧୮।୫(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଜିଲାନାସୀ ପଞ୍ଚାୟତ ଏକ ଧୋୟା ଅଞ୍ଚଳ। ମହାନଦୀ ଓ ପାଇକା ମଧ୍ୟବର୍ତ୍ତୀ ଏହି ପଞ୍ଚାୟତକୁ ଯାତାୟାତା ପାଇଁ ଏବେ ଗୋଟିଏ ପୋଲ ନିର୍ମାଣ କରାଯାଇଛି। ପୂର୍ବରୁ ଏଠାକୁ ଯିବା ପାଇଁ କେବଳ ଡଙ୍ଗା ହିଁ ଏକମାତ୍ର ଭରସା ଥିଲା। ମହାନଦୀରେ ଏହି ପଞ୍ଚାୟତକୁ ପୋଲ ନିର୍ମାଣ ଯୋଗୁ ପଞ୍ଚାୟତବାସୀ ଖୁସି ହୋଇଥିବାବେଳେ ନଦୀ ସଂଲଗ୍ନ ଚାଷଜମିରୁ ମୃତ୍ତିକା କ୍ଷୟ ଏବେ ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି। ବିଗତ ୩ ବର୍ଷ ହେଲା ଯେଉଁ ପରିମାଣରେ ମୃତ୍ତିକା କ୍ଷୟ ହୋଇଛି, ସେଥିରେ ୧୦ ଏକରରୁ ଅଧିକ ଚାଷଜମି ନଦୀରେ ଲୀନ ହୋଇ ସାରିଲାଣି। ଏହି କ୍ଷୟ ଗତବର୍ଷ ଅଧିକ ମାତ୍ରାରେ ହୋଇଛି। ସ୍ଥାନୀୟ ଲୋକ ପ୍ରତିନିଧି ଓ ମୁରବୀମାନେ ଏହି ସ୍ଥାନରେ ପଥର ସ୍ପର ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରିଥିଲେ। ହେଲେ ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅନ୍ୟପକ୍ଷରେ ଗତ କିଛିଦିନ ହେବ ଏହି ଅଞ୍ଚଳରୁ କେତେକ ମୁଷ୍ଟିମେୟ ବ୍ୟକ୍ତି ବେଆଇନ ଭାବେ ମାଟି ଉଠାଉଛନ୍ତି। ଫଳରେ ଚାଷଜମି କ୍ଷୟ ହେଉଥିବା ବେଳେ ନଦୀ କୂଳରୁ ଅତଡା ଖସୁଛି। ତେଣୁ ତୁରନ୍ତ ବାଲିବସ୍ଥା, ବହ୍ଲା ଆଦି ପୋତି ଅସ୍ଥାୟୀ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଚୟନ ହୋଇପାରୁନି ଜିଲା କଂଗ୍ରେସ ସଭାପତି:ଆଲୋଚନା ପାଇଁ ନେତାଙ୍କୁ ସମ୍ବଲପୁର ଡାକରା

ଚୟନ ହୋଇପାରୁନି ଜିଲା କଂଗ୍ରେସ ସଭାପତି:ଆଲୋଚନା ପାଇଁ ନେତାଙ୍କୁ ସମ୍ବଲପୁର ଡାକରା

ଢେଙ୍କାନାଳ ଅଫିସ, ୧୮। ୫:ଢେଙ୍କାନାଳ ଜିଲା କଂଗ୍ରେସ ସଭାପତି ପଦ ଦୁଇବର୍ଷ ହେଲା ଖାଲି ପଡ଼ିଛି। ଜିଲା ମୁଖିଆ ନ ଥିବାରୁ ଦଳର ସାଙ୍ଗଠନିକ କାର୍ଯ୍ୟ ଆଗେଇ ପାରୁନାହିଁ। ଇତିମଧ୍ୟରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ନୂଆ ସଭାପତି ଦାୟିତ୍ୱ ନେଇସାରିଲେଣି। ଏପରି ସ୍ଥିତିରେ ଜିଲା ମୁଖିଆ ପଦବୀ ପାଇଁ ବାହାରିଲେଣି ଏକାଧିକ ଦାବିଦାର। ଶନିବାର ସଭାପତି ଚୟନ ଏବଂ ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଜିଲାର ନେତୃମଣ୍ଡଳୀଙ୍କୁ ସମ୍ବଲପୁର ଡକରା ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ମେ ୨ରେ ଏଆଇସିସି ସମ୍ପାଦକ ଶେଖ୍‌ ମସ୍ତାନ ଭାଲି, ନୂତନ ପିସିସି କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ ଢେଙ୍କାନାଳ ଗସ୍ତରେ ଆସିଥିଲେ। ସ୍ଥାନୀୟ ଗୋପବନ୍ଧୁ ଟାଉନ୍‌ ହଲ୍‌ରେ ଆୟୋଜିତ ଦଳୀୟ ସମାବେଶରେ ଯୋଗଦେଇ ଦୁଇ ତିନି ସପ୍ତାହ ମଧ୍ୟରେ ଜିଲା ସଭାପତି ଚୟନ କରାଯିବ ବୋଲି ଘୋଷଣା କରାଯାଇଥିଲା।

ଆବର୍ଜନାରେ ନିଅଁ। ଲଗାଉଛି ପୌରପାଳିକା:ଧୂଆଁରେ ଅଣନିଃଶ୍ୱାସୀ ଅମଲାପଡ଼ା ବାସିନ୍ଦା

ଆବର୍ଜନାରେ ନିଅଁ। ଲଗାଉଛି ପୌରପାଳିକା:ଧୂଆଁରେ ଅଣନିଃଶ୍ୱାସୀ ଅମଲାପଡ଼ା ବାସିନ୍ଦା

ଅନୁଗୋଳ ଅଫିସ,୧୮। ୫:ସହରକୁ ଅଳିଆ ମୁକ୍ତ ତଥା ସଫା ରଖିବା ଦାୟିତ୍ୱ ହେଉଛି ପୌରପାଳିକାର। କିନ୍ତୁ ଅନୁଗୋଳରେ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ସଫେଇ ନୁହେଁ ବରଂ ସହରକୁ ଅଳିଆ ଗଦାରେ ପରିଣତ କରୁଛି ପୌରପାଳିକା। ଦୈନିକ ସଂଗୃହୀତ ଆବର୍ଜନା ପକାଇବା ପାଇଁ ଜାଗା ମିଳୁ ନ ଥିବାରୁ ସହର ଭିତର ଅନେକ ସ୍ଥାନରେ ଅସ୍ଥାୟୀ ଡମ୍ପିଂୟାର୍ଡ ଭଳି ଆବର୍ଜନା ସବୁ ଗଦା ହେଉଛି। ପରେ ସେଥିରେ ନିଆଁ ଲଗାଇ କାମ ସାରିଦିଆଯାଉଛି। ପୌର ପ୍ରଶାସନର ଏପରି କାର୍ଯ୍ୟ ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅମଲାପଡ଼ା ବାସିନ୍ଦା। ଆବର୍ଜନାର ଗନ୍ଧ ସହ ଧୂଅଁାଳିଆ ପରିବେଶ ସ୍ଥାନୀୟ ଲୋକଙ୍କୁ ଅଣନିଃଶ୍ୱାସୀ କରିଦେଉଛି। ପ୍ରସ୍ତାବିତ ଡମ୍ପିଂୟାର୍ଡ ପାଇଁ ସବୁଠି ବିରୋଧ ପରେ କିଛିବର୍ଷ ହେଲା ଅମଲାପଡ଼ାଠାରେ ଅଳିଆ ଗଦା କରି ପ୍ରଶାସନ ଏପରି ନିଆଁ ଲଗାଉଥିବା ଅଭିଯୋଗ ହେଉଛି।

ଅର୍ଥଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଲୁଟିଲେ

ଅର୍ଥଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଲୁଟିଲେ

ଢେଙ୍କାନାଳ ଅଫିସ,୧୮। ୫:ଢେଙ୍କାନାଳ ଜିଲାରେ ବଢ଼ିଚାଲିଛି ଲୁଟ୍‌, ଛିନ୍‌ତାଇ। ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା। ଢେଙ୍କାନାଳ-ଭାପୁର ରାସ୍ତାର ମଙ୍ଗଳପୁର ନିକଟରେ ଗୁରୁବାର ଅପରାହ୍ନ ସାଢ଼େ ୧ଟାରେ ଭାରତ ଫାଇନାନ୍ସ ସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କଠାରୁ ୧ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ସମ୍ପୃକ୍ତା ମହିଳା କର୍ମଚାରୀ ୩ଜଣ ସହଯୋଗୀଙ୍କ ସହ ୩ଟି ସ୍କୁଟିରେ ଟଙ୍କା ସଂଗ୍ରହ କରି ଢେଙ୍କାନାଳ ଫେରୁଥିବାବେଳେ ମଙ୍ଗଳପୁର ନିକଟରେ ଦୁଇଜଣ ଅଜଣା ଯୁବକ ବାଇକ୍‌ରେ ଆସି ଓଭରଟେକ୍‌ କରିଥିଲେ। ମହିଳାଜଣକ ରାସ୍ତାରେ ପଡ଼ିଯିବା ସୁଯୋଗରେ ସେମାନେ ଟଙ୍କା ବ୍ୟାଗ୍‌ ନେଇ ପଳାଇଥିଲେ। ବ୍ୟାଗରେ ପ୍ରାୟ ୧ ଲକ୍ଷ ଟଙ୍କା ଥିବା ଲୁଟ୍‌ର ଶିକାର ହୋଇଥିବା ମହିଳା କହିଛନ୍ତି। ଗାଡ଼ିରୁ ତଳେ ପଡ଼ିଯିବା ପରେ ତାଙ୍କ ଦୁଇ ଗୋଡ଼ ଜଖମ ହୋଇଛି।

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

ଢେଙ୍କାନାଳ ଅଫିସ,୧୮। ୫:ଢେଙ୍କାନାଳ ପୌରାଞ୍ଚଳର ୧୨ନଂ. ୱାର୍ଡରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ତୀବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ। ଲଟେରି ମାଧ୍ୟମରେ ଉକ୍ତ ମଦ ଦୋକାନକୁ ଶୁକ୍ରବାର ନିଲାମ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଥିଲା। ଏହାକୁ ବାତିଲ କରିବା ଦାବିରେ ଗୁରୁବାର ପୂର୍ବାହ୍ନରେ ଅଞ୍ଚଳବାସୀ ଜିଲାପାଳ ଭେଟିଛନ୍ତି। ପୂର୍ବରୁ ଉକ୍ତ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଏହାକୁ ନେଇ ଉଠିଥିଲା ବିରୋଧାଭାସ। ଅଞ୍ଚଳବାସୀ ଚାପ ଆଗରେ ମୁଣ୍ଡ ନୁହଁାଇଥିଲା ପ୍ରଶାସନ ଏବଂ ମଦ ଦୋକାନ ଖୋଲାଯିବା ପ୍ରକ୍ରିୟା ବନ୍ଦ ରଖାଯାଇଥିଲା। ବର୍ତ୍ତମାନ ପୁଣି ଥରେ ମଦ କୋଦାନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ସହରର ପ୍ରମୁଖ ଅଞ୍ଚଳରେ ଅବସ୍ଥିତ ୧୨ନଂ. ୱାର୍ଡରେ ସ୍କୁଲ, ମନ୍ଦିର ରହିଛି। ବିଦେଶୀ ମଦ ଦୋକାନ ଖୋଲିଲେ ଏହାର ପ୍ରଭାବ କୋମଳମତି ପିଲା, ଯୁବଗୋଷ୍ଠୀଙ୍କ ଉପରେ ପଡ଼ିବ।

ବୁଦ୍ଧେଶ୍ୱର ପୀଠରେ ଶିବ ବିବାହ ପ୍ରସ୍ତୁତି

ବୁଦ୍ଧେଶ୍ୱର ପୀଠରେ ଶିବ ବିବାହ ପ୍ରସ୍ତୁତି

ଭୁବନ, ୧୮। ୫(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା ଭୁବନର ପ୍ରସିଦ୍ଧ ବୁଦ୍ଧେଶ୍ୱର ଶୈବପୀଠରେ ଆସନ୍ତା ଜୁନ୍‌ ୧୮ରେ ପାଳିତ ହେବ ଶୀତଳ ଷଷ୍ଠୀ ଯାତ୍ରା। ଏହାକୁ ସାଙ୍ଗକୁ ଶିବ ବିବାହ ଉତ୍ସବ। ଏଥିପାଇଁ ଗୁରୁବାର ମନ୍ଦିର ପରିସରରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପରିଚାଳନା କମିଟି ସଭାପତି ନନ୍ଦକିଶୋର ସାହୁ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଶ୍ରୀଧର କୁମାର ବେହେରା ପୂର୍ବବର୍ଷର ବିବରଣୀ, ଆୟବ୍ୟୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଆସନ୍ତା ଗୁରୁବାର ଦ୍ୱିତୀୟ ବୈଠକରେ ଶିବ ବିବାହ ପାଇଁ ବର ଓ କନ୍ୟା ମାତାପିତା ଚୟନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଜାପାନ ଯିବେ କୁନି ବୈଜ୍ଞାନିକ ସତ୍ୟସୁନ୍ଦର

ଜାପାନ ଯିବେ କୁନି ବୈଜ୍ଞାନିକ ସତ୍ୟସୁନ୍ଦର

ଢେଙ୍କାନାଳ ଅଫିସ, ୧୮। ୫:ବିଜ୍ଞାନ ବିଷୟରେ ଅଧିକ ଜ୍ଞାନ ଆହରଣ କରିବାକୁ ଜାପାନ ଗସ୍ତ କରିବେ କୁନି ବୈଜ୍ଞାନିକ ସତ୍ୟସୁନ୍ଦର ପରିଡ଼ା। ଏଥିପାଇଁ ସାରା ଦେଶରୁ ୩୨ଜଣ ଛାତ୍ରୀଛାତ୍ରଙ୍କୁ ମନୋନୀତ କରାଯାଇଛି। ଓଡ଼ିଶାରୁ ଚୟନ ହୋଇଥିବା ୪ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସତ୍ୟସୁନ୍ଦର। ଏଥିପାଇଁ ସେ ଗୁରୁବାର ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ମାର୍ଗଦର୍ଶକ ଭାବେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜଗତ୍‌ସିଂହପୁର ବିଜ୍ଞାନ ପର୍ଯ୍ୟବେକ୍ଷକ ସୁବାସ ଚନ୍ଦ୍ର ରାଉତ ଦିଲ୍ଲୀ ଯାଏ ଯିବେ। ସେଠାରୁ ଶନିବାର ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି ବିଭାଗ ଅଧିକାରୀଙ୍କ ସହ ସମସ୍ତେ ଜାପାନ ଗସ୍ତ କରିବେ।

ନୂତନ ଚିକିତ୍ସାଳୟରେ ଆରମ୍ଭରୁ ଅବ୍ୟବସ୍ଥା:ଶଯ୍ୟା ଅଭାବ, ଚଟାଣରେ ରୋଗୀ

ନୂତନ ଚିକିତ୍ସାଳୟରେ ଆରମ୍ଭରୁ ଅବ୍ୟବସ୍ଥା:ଶଯ୍ୟା ଅଭାବ, ଚଟାଣରେ ରୋଗୀ

ଢେଙ୍କାନାଳ ଅଫିସ,୧୮। ୫:ଢେଙ୍କାନାଳ ସହର ଉପକଣ୍ଠ ଦକ୍ଷିଣକାଳୀ ରୋଡ୍‌ରେ ଲୋକାର୍ପଣ ଅପେକ୍ଷାରେ ଥିବା ନବନିର୍ମିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ରୋଗୀସେବା। ତେବେ ପ୍ରାରମ୍ଭରୁ ହିଁ ଏଠାରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଦେଖାଦେଇଛି। ୩୦୦ ଶଯ୍ୟା ବିଶିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ମିଳୁନି ଶଯ୍ୟା। ଗୁରୁବାର ବେଡ୍‌ ଅଭାବରୁ ରୋଗୀମାନେ ଚଟାଣରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଏ ସଂକ୍ରାନ୍ତରେ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଦିନତମାମ ରୋଗୀମାନେ ତଳେ ଶୋଇ ରହିଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପଟେ ସେବା ଆରମ୍ଭ ହେବାପରେ ଉଭୟ ଇନ୍‌ଡୋର ଏବଂ ଆଉଟ୍‌ଡୋରରେ ରୋଗୀ ସଂଖ୍ୟା ବଢ଼ିଚାଲିଛି। ଏପରି ସ୍ଥିତିରେ ଶଯ୍ୟା ଅଭାବ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାସୁଦେବ ବେହେରା କୁହନ୍ତି, ନୂତନ ବେଡ୍‌ଗୁଡିକୁ ଧୀରେ ଧୀରେ ଚିକିତ୍ସାଳୟକୁ ଅଣାଯାଉଛି। କିଛି ଦିନ ସାମାନ୍ୟ ଅସୁବିଧା ହେବ। ଖୁବ୍‌ଶୀଘ୍ର ଶଯ୍ୟା ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଲକ୍ଷ୍ୟ ସ୍ଥିର କଲେ ଉପାୟ ଆପେ ଆସେ

ଲକ୍ଷ୍ୟ ସ୍ଥିର କଲେ ଉପାୟ ଆପେ ଆସେ

ଅନୁଗୋଳ ଅଫିସ,୧୮। ୫:କଠିନ ପରିଶ୍ରମ ସହ ଏକାଗ୍ରତା ରଖିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ। ତେଣୁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ହେଲେ ନିଷ୍ଠାପର ହୋଇ ଅଧ୍ୟୟନ କରିବାକୁ ପଡ଼ିବ ବୋଲି ଗୁରୁବାର ଅନୁଗୋଳ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଜିଲାସ୍ତରୀୟ ମାଟ୍ରିକ୍‌ ମେଧାବୀଙ୍କ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ ଅନିଲ କୁମାର ସାମଲ ଏହା କହିଛନ୍ତି। ଜିଲାରେ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ (ଶତକଡ଼ା ୯୦ ପ୍ରତିଶତରୁ ଅଧିକ ନମ୍ବର) ରଖି ଉତ୍ତୀର୍ଣ୍ଣ ହୋଇଥିବା ୬୫ ଜଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ପାଇଁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜିଲାପାଳ କହିଥିଲେ ଯେ, ଲକ୍ଷ୍ୟ ସ୍ଥିର କଲେ ଉପାୟ ଆପେ ଆସିଥାଏ। ଅନ୍ତର୍ନିହିତ ଗୁଣର ବିକାଶ କରିବା ସହ ଛାତ୍ରୀଛାତ୍ରମାନେ ସର୍ବଦା ଭଲ ବହି ପଢ଼ିବା ଅଭ୍ୟାସ ଜାରି ରଖିବା ଉଚିତ। ଚଳତବର୍ଷ ମାଟ୍ରିକ ପରୀକ୍ଷାରେ ଯେଉଁ ସଫଳତା ମିଳିଛି ସେହି ଆଧାରରେ ଭବିଷ୍ୟତର ଲକ୍ଷ୍ୟ ସ୍ଥିର କରିବାକୁ ଜିଲାପାଳ ଛାତ୍ରୀଛାତ୍ରମାନଙ୍କୁ ଉପଦେଶ ଦେଇଥିଲେ।

ଫୁଲବାଣୀରେ ଡିଜିପି:ମାଓବାଦୀ ସମସ୍ୟା ଉପରେ କଲେ ଆଲୋଚନା

ଫୁଲବାଣୀରେ ଡିଜିପି:ମାଓବାଦୀ ସମସ୍ୟା ଉପରେ କଲେ ଆଲୋଚନା

ଫୁଲବାଣୀ ଅଫିସ, ୧୮।୫:କନ୍ଧମାଳ ଜିଲା ଖଜୁରିପଡା ବ୍ଲକ ଅଞ୍ଚଳରେ ଗତ ୧୩ ତାରିଖରେ ପୋଲିସ ଗୁଳିରେ ୫ ମାଓବାଦୀଙ୍କ ମୃତ୍ୟୁ ଘଟଣା ପରେ ମାଓବାଦୀ ଜନୀତ ସମସ୍ୟା ଉପରେ ଗୁରୁବାର ଡିଜିପି ଡ. ଆର.ପି. ଶର୍ମା ଫୁଲବାଣୀରେ ସମୀକ୍ଷା କରିଛନ୍ତି । ମାଓବାଦୀଙ୍କୁ ଯବାନମାନେ ମାରିଥିବାରୁ ଡିଜିପି ପ୍ରଥମେ ସେମାନଙ୍କୁ ପ୍ରଶଂସା କରିଥିଲେ । ଭବିଷ୍ୟତରେ ଏଭଳି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସେ ପରାମର୍ଶ ଦେବା ସହିତ ଯବାନମାନଙ୍କୁ ପୁରସ୍କାର ଅର୍ଥ ରାଶି ପ୍ରଦାନ କରିଥିଲେ। ଆଗାମୀ ରଣନୀତି ନେଇ କନ୍ଧମାଳ ଏସ୍‌ପି ପ୍ରତୀକ ପ୍ରତୀକ ସିଂଙ୍କ ସହ ଆଲୋଚନା କରିଥିଲେ। ମାଓବାଦୀମାନେ ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଡିଜିପି ଆହ୍ବାନ ଦେଇଥିଲେ। ବୈଠକରେ ଗୋଇନ୍ଦା ନିର୍ଦ୍ଦେଶକ ସନୀଲ ରାୟ, ଗୋଇନ୍ଦା ଆଇଜି ଆର.କେ.ଶର୍ମା, ଅତିରିକ୍ତ ଡ଼ିଜି ଅପରେସନ ଆର.ପି. କୋଚ୍ଚେ, ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଗଞ୍ଜାମ  ଜିଲା: ଜିଏସ୍‌ଟି ଠକୁଛନ୍ତି ୧୮କେବୁଲ ଟିଭି ସଂସ୍ଥା

ଗଞ୍ଜାମ ଜିଲା: ଜିଏସ୍‌ଟି ଠକୁଛନ୍ତି ୧୮କେବୁଲ ଟିଭି ସଂସ୍ଥା

ଛତ୍ରପୁର,୧୮।୫(ଡି.ଏନ.ଏ.):ଗଞ୍ଜାମ ଜିଲାରେ ଥିବା କେବୁଲ ଟିଭି ସଂସ୍ଥାଗୁଡିକ ଟିକସ (ବର୍ତ୍ତମାନ ଜିଏସଟି) ଫାଙ୍କୁଥିବା ଜଣାପଡିଛି। ଫଳରେ ଭାରତ ସରକାରଙ୍କ ଅଧୀନ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବ୍ୟାପକ କ୍ଷତି ସହୁଛି। ସିଧାସଳଖ ମନ୍ତ୍ରଣାଳୟର ଆକାଉଣ୍ଟରେ କେବୁଲ ଟିଭି ସଂସ୍ଥା ଟିକସ ଜମା କରିବା କଥା। ମାତ୍ର ଗଞ୍ଜାମ ଜିଲାର ଗୋଟିଏ ବି କେବୁଲ ଟିଭି ସଂସ୍ଥା ଏଣ୍ଟରଟେନ୍‌ମେଣ୍ଟ ଟିକସ ପୈଠ କରୁନାହାନ୍ତି। ଭାରତ ସରକାରଙ୍କ ଅଧୀନ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଚିଠି ଆସିବା ପରେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଏପରିକି କେବୁଲ ଟିଭି ସଂସ୍ଥାଗୁଡିକ କମ୍‌ ଗ୍ରାହକ ବୋଲି ଦର୍ଶାଇ ଠକୁଛନ୍ତି। ଏଥିସହ ସେଟ୍‌ ଟପ୍‌ ବକ୍ସର ସ୍ମାର୍ଟକାର୍ଡ ଗ୍ରାହକମାନଙ୍କୁ ସଂସ୍ଥାଗୁଡିକ ଦେଉନାହାନ୍ତି। ଯାହାଫଳରେ କି ସଂସ୍ଥାଗୁଡିକୁ ଠକିବାରେ ସୁବିଧା ହେଉଛି। ଗ୍ରାହକମାନଙ୍କୁ ଦିଆଯାଇଥିବା ସେଟ୍‌ ଟପ୍‌ ବକ୍ସ ମେଶିନର ନଂ. ଆଧାର କାର୍ଡ ନଂ. ସହ ସଂଯୋଗ କରି ରେଜିଷ୍ଟ୍ରେଶନ କରିବା କଥା।

ଭାଙ୍ଗିଲା ବାଲିବଗଡ଼ ରେଲୱେ ଫାଟକ

ଭାଙ୍ଗିଲା ବାଲିବଗଡ଼ ରେଲୱେ ଫାଟକ

ଛତ୍ରପୁର,୧୮।୫(ଡି.ଏନ.ଏ.):ଛତ୍ରପୁର ମୁଖ୍ୟ ଷ୍ଟେଶନ ନିକଟରେ ରହିଛି ବାଲିବଗଡ ରେଲୱେ ଲେଭଲ କ୍ରସିଂ ଫାଟକ। ଏହି ଫାଟକଟି ଗୁରୁବାର ଭାଙ୍ଗିଯାଇଥିଲା। ଫଳରେ ଏହି ଫାଟକ ଦେଇ ଯିବା ଆସିବା ବାଧାପ୍ରାପ୍ତ ହୋଇଥିଲା। କେତେକ ୨ ଚକିଆ ଯାନ ଭାଙ୍ଗିଯାଇଥିବା ଫାଟକରେ ଗଳି କି ଯାଉଥିବା ଦେଖିବାକୁ ମିଳିଥିଲା। ଏହି କାରଣରୁ ୪ ଚକିଆ ଯାନର ଯାତାୟାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା। ଫଳରେ ଲୋକେ ଗାଡି ନେଇ ସେଠାରୁ ଫେରିବାକୁ ପଡୁଥିଲା ଏବଂ କୋର୍ଟ ଷ୍ଟେଶନ ଦେଇ ୩ କିମି ଅଧିକା ଅତିକ୍ରାନ୍ତ କରି ଲୋକେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। ପରେ ଏହି ଫାଟକର ମରାମତି କରାଯାଇଥିଲା। ପୂର୍ବରୁ ମଧ୍ୟ କୋର୍ଟ ଷ୍ଟେଶନ ଲେଭଲ କ୍ରସିଂ ଫାଟକ ମଧ୍ୟ ଭାଙ୍ଗିଯାଇଥିଲା। ଫଳରେ ଯାତାୟାତରେ ବାଧା ଉପୁଜିଥିବା ନଜିର ରହିଛି।

କେଏଟିଏସ୍‌ ଆୟୁର୍ବେଦ ମହାବିଦ୍ୟାଳୟ:ଅଧ୍ୟାପକ ଅଭାବକୁ ନେଇ ଆୟୁଷ ଟିମ୍‌ କ୍ଷୁବ୍ଧ

ବ୍ରହ୍ମପୁର ଅଫିସ, ୧୮।୫:ବ୍ରହ୍ମପୁର ଉପକଣ୍ଠ ଆଙ୍କୁଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମା (କେଏଟିଏସ) ଆୟୁର୍ବେଦ ମହାବିଦ୍ୟାଳୟର ଭିତ୍ତିଭୂମି ଯାଞ୍ଚ ପାଇଁ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ଦୁଇଜଣିଆ ଟିମ୍‌ ବୁଧବାର ମହାବିଦ୍ୟାଳୟ ଗସ୍ତରେ ଆସିଥିଲେ। ଗୁରୁବାର ପ୍ରଫେସର ଡା. ଅତୁଲ ବ୍ରାସ୍ନେ ଓ ପ୍ରଫେସର ଡା. ବିଦୁଷୀ ତ୍ୟାଗୀଙ୍କୁ ନେଇ ଗଠିତ ଏହି ଟିମ୍‌ ୨୦୧୮-୧୯ ଶିକ୍ଷାବର୍ଷରେ ନାମଲେଖା ସକାଶେ ଆବଶ୍ୟକ ଭିତ୍ତିଭୂମିର ଯାଞ୍ଚ କରି ଫେରିଛନ୍ତି।

ବିଏମ୍‌ସିର ସାଧାରଣ ପରିଷଦ ବୈଠକ:କାର୍ଯ୍ୟକାରୀ ହେବ ସହରାଞ୍ଚଳ ନୂଆ ଆବାସ ଯୋଜନା

ବିଏମ୍‌ସିର ସାଧାରଣ ପରିଷଦ ବୈଠକ:କାର୍ଯ୍ୟକାରୀ ହେବ ସହରାଞ୍ଚଳ ନୂଆ ଆବାସ ଯୋଜନା

ବ୍ରହ୍ମପୁର ଅଫିସ,୧୮।୫:ବିଏମ୍‌ସି (ବ୍ରହ୍ମପୁର ମହାନଗର ନିଗମ)ର ସାଧାରଣ ପରିଷଦ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରେଶମ ନଗରୀରେ ନୂଆ ଆବାସ ଯୋଜନା କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେବାକୁ ଥିବା ଏହି ନୂଆ କାର୍ଯ୍ୟକ୍ରମରେ ବାସହୀନଙ୍କୁ ଚିହ୍ନଟ ପାଇଁ ଖୁବ୍‌ଶୀଘ୍ର ସର୍ଭେ ଆରମ୍ଭ ହେବ ଏବଂ ଭଡ଼ାଘରେ ରହୁଥିବା ପରିବାରଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯିବ। ତେବେ ଘର ଭଡ଼ାରେ ଦେଇଥିବା ମାଲିକଙ୍କଠାରୁ ରେଣ୍ଟ ଏଗ୍ରିମେଣ୍ଟ ପ୍ରମାଣପତ୍ର, ଆଧାରକାର୍ଡ, ଭୋଟର ପରିଚୟପତ୍ର ଏବଂ ମହାନଗରରେ ଘର କିମ୍ବା ଜମି ନ ଥିବାର ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ୩୦ ବର୍ଗଫୁଟରେ ବାସଗୃହ ନିର୍ମାଣ କରାଯିବ ଏବଂ ବ୍ୟୟ ଅଟକଳର ୩୫% ଅର୍ଥ ହିତାଧିକାରୀ ବହନ କରିବାର ବ୍ୟବସ୍ଥା ରହିଛି। ସର୍ଭେ କାର୍ଯ୍ୟ ଏକ ଘରୋଇ ସଂସ୍ଥାକୁ ନ୍ୟସ୍ତ କରାଯାଇଛି ବୋଲି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ବୈଠକରେ ସୂଚନା ଦେଇଥିଲେ। ସମ୍ପୃକ୍ତ ସଂସ୍ଥା ପ୍ରକଳ୍ପର ଚିତ୍ର (ପ୍ରେଜେଣ୍ଟେଶନ) ପ୍ରଦର୍ଶିତ କରି ଉପସ୍ଥିତ କର୍ପୋରେଟରଙ୍କୁ ଦେଖାଇଥିଲେ।

ସଞ୍ଜ ନଇଁଲେ ଅଶାନ୍ତ ହେଉଛି ଯୋଡ଼ା ସହର

ସଞ୍ଜ ନଇଁଲେ ଅଶାନ୍ତ ହେଉଛି ଯୋଡ଼ା ସହର

ଯୋଡା, ୧୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ସହରର ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ଖୋଲାଖୋଲି ଭାବେ ବିଦେଶୀ ମଦ ଦୋକାନ ଖୋଲା ଯାଇଥିବାବେଳେ ହଟିଂ, ବସ୍ତି, ସାହିମାନଙ୍କରେ ଦେଶୀ ମଦର ଅବାଧ କାରବାର ଚାଲୁଛି। ଯୋଡ଼ାବସଷ୍ଟାଣ୍ଡ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ,ପାନ ଦୋକାନ ଏବଂ ହୋଟେଲରେ ବିଦେଶୀ ମଦ ବିକ୍ରି ଚାଲିଛି। ବିଭିନ୍ନ ପାନ ଦୋକାନମାନଙ୍କରେ ଡେନଡ୍ରାଇଟ, ଗଞ୍ଜେଇ, ମୋଦକ, କୋରେକ୍ସ ,ପ୍ଲାଜମୋ,ଏନଟେନ୍‌ ଭଳି ନିଶା ଔଷଧ ମିଳୁଥିବା ଅଭିଯୋଗ ହୋଇଛି। ଯୋଡ଼ା ସହରରେ ଛତୁ ଫୁଟିଲା ଭଳି ଔଷଧ ଦୋକାନ ଖୋଲାଯାଉଥିବା ବେଳେ କୋରେକ୍ସ, କଫ ସିରପ, ପ୍ଲାଜମୋ,ଏନ୍‌ଟେନ୍‌, ମେଗାପେନ୍‌ ଭଳି ନିଶା ଔଷଧକୁ ବିନା ଡ଼ାକ୍ତରି ଚିଠାରେ ବିକ୍ରି କରାଯାଉଛି

ବିଦ୍ୟୁତ୍‌ ବିଭ୍ରାଟ ଦାଉ ସାଜୁଛି

ବିଦ୍ୟୁତ୍‌ ବିଭ୍ରାଟ ଦାଉ ସାଜୁଛି

ବଡବିଲ, ୧୮।୫ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଅଞ୍ଚଳରେ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ ବିଭ୍ରାଟ ଦାଉ ସାଜୁଛି। ଦିନକୁ ୧୫ରୁ ଊର୍ଦ୍ଧ୍ୱ ଥର ବିଜୁଳି କାଟ୍‌ ହେଉଥିବାବେଳେ ଦୀର୍ଘ ଘଣ୍ଟା ଧରି ବିଜୁଳି ସଂଯୋଗ କରାଯାଉ ନ ଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ବଡବିଲରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ ଓପିଟିସିଏଲ ତରଫରୁ ଏକ ବିଦ୍ୟୁତ ଗ୍ରୀଡର ସ୍ଥାପନା କରାଯାଇଥିଲା। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ନିତିଦିନ ହେଉଛି। ସମୟାନୁସାରେ ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି କରାଯାଉ ନ ଥିବା ଯୋଗୁ ସାମାନ୍ୟ ପବନ କିମ୍ବା ବର୍ଷା ହେଲେ ବିଦ୍ୟୁତ ବିଚ୍ଛିନ୍ନ ହୋଇଯାଉଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ସରବରାହ ବ୍ୟାହତ ଯୋଗୁଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡିକରେ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇଯାଉଥିବା ଦେଖିବାକୁ ମିଳିଛି।

ଶିଶୁକନ୍ୟା ଘରକୁ ନେବାକୁ ମା’ବାପା ଅମଙ୍ଗ

ଶିଶୁକନ୍ୟା ଘରକୁ ନେବାକୁ ମା’ବାପା ଅମଙ୍ଗ

ଆନନ୍ଦପୁର,୧୮।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଜଣେ ଆଦିବାସୀ ମହିଳା ଗର୍ଭଧାରଣର ୫ ମାସ ପରେ ଏକ ଅପରିପକ୍ୱ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଡାକ୍ତରମାନେ ଶିଶୁ କନ୍ୟାକୁ ଯନତ୍ର ସହ ଚିକିତ୍ସା କରୁଛନ୍ତି। କିନ୍ତୁ ଏହି ନବଜାତ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଦୁର୍ବଳ ଥିବା ଏବଂ ଅଧିକ ଦିନ ଚିକିତ୍ସା ଆବଶ୍ୟକ କରୁଥିବା ଜାଣି ମାତାପିତା ଏହାକୁ ଘରକୁ ନେଇ ଯିବାକୁ ମଙ୍ଗୁ ନାହାନ୍ତି। ଅନ୍ୟପକ୍ଷେ ସେମାନେ ଗରିବ ହୋଇଥିବାରୁ ଶିଶୁଟିର ଚିକିତ୍ସା କରାଇ ଲାଳନ ପାଳନ କରିବା ସେମାନଙ୍କ ପକ୍ଷେ ଅସମ୍ଭବ ବୋଲି କହିଛନ୍ତି। ଆନନ୍ଦପୁର ବ୍ଲକ ଗୟଳମୁଣ୍ଡା ପଞ୍ଚାୟତ ଧବଣୀ ଗ୍ରାମର ଚମ୍ପା ବୁକିଉଲି ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ସ୍ବାମୀ ସାଗର ବୁକିଉଲି ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ। ବୁଧବାର ରାତିରେ ଚମ୍ପା ୫ ମାସର ଗର୍ଭଧାରଣ କରିଥିବା ଅପରିପକ୍ୱ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

ଫେରିବ ବୟନ କଳାର ଗୌରବ

ଫେରିବ ବୟନ କଳାର ଗୌରବ

ଭଦ୍ରକ ଅଫିସ,୧୮।୫-ଭଦ୍ରକ ଜିଲା ସଦର ବ୍ଲକ କାଉପୁର ପଞ୍ଚାୟତର ଜିରାଗମ୍ଭୀରା ଓ ଆରଜିପାଟଣାର ବୁଣାକାରମାନେ କୁଳ ବେଉସା ବଞ୍ଚାଇ ରଖିବା ଲାଗି ଏପର୍ଯ୍ୟନ୍ତ ସଂଘର୍ଷ ଚଳାଇଛନ୍ତି। ପୁରୁଷାନୁକ୍ରମିକ ପୁରୁଣା ତନ୍ତ ସାହାଯ୍ୟରେ ସେମାନେ ଗାମୁଛା, ଲୁଙ୍ଗି, ଧୋତି ବୁଣି ସ୍ଥାନୀୟ ହାଟ ବଜାରରେ ବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି। ଅନ୍ୟତ୍ର ପୁରାତନ ତନ୍ତକୁ ଆଧୁନିକୀକରଣ କରାଯାଇ ଉନ୍ନତମାନର ହସ୍ତତନ୍ତ ପ୍ରସ୍ତୁତ କରାଯାଉଥିବା ବେଳେ ଏହି ଦୁଇ ଗଁ।ର ବୁଣାକାରମାନେ କୌଣସି ସରକାରୀ ସହାୟତା କିମ୍ବା ପ୍ରୋତ୍ସାହନ ପାଇପାରି ନାହାନ୍ତି। ଏଭଳି ସ୍ଥିତିରେ ବୟନ ଶିଳ୍ପ ଉପନିର୍ଦ୍ଦେଶିକା ଗୋଲାପୀ ଗୋପାରାଣୀ ମୁର୍ମୁ ଏବଂ ଓରମାସ ସହକାରୀ ନିର୍ଦ୍ଦେଶକ ଗୁଣ୍ଡିଚା ବେହେରା, ଓଡ଼ିଶା ଜୀବିକା ମିଶନର ଜିଲା ପ୍ରକଳ୍ପ ପରିଚାଳକ ସଞ୍ଜୟ କୁମାର ବାରିକ ପ୍ରମୁଖ ଗୁରୁବାର ଏହି ଦୁଇ ଗଁ। ବୁଲି ଦେଖିବା ପରେ ବୁଣାକାରମାନେ ଉତ୍ସାହିତ ହୋଇ ଉଠିଛନ୍ତି। ବୟନ କଳାକୁ ବିକଶିତ କରି ସେମାନେ ଗଁ।ର ପୁରୁଣା ଗୌରବ ଫେରାଇ ଆଣିବେ ବୋଲି ମତବ୍ୟକ୍ତ କରିଛନ୍ତି।

ଧୂପ ତିଆରି ଶିଳ୍ପ ମହିଳାଙ୍କୁ କରିବ ରୋଜଗାରକ୍ଷମ

ଧୂପ ତିଆରି ଶିଳ୍ପ ମହିଳାଙ୍କୁ କରିବ ରୋଜଗାରକ୍ଷମ

ଭଦ୍ରକ ଅଫିସ,୧୮।୫-ଧୂପ ତିଆରି କାର୍ଯ୍ୟର ପ୍ରସାର ଘଟାଇ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲାଗି ସରକାରୀ ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ଭଦ୍ରକ ଜିଲାରେ ଧୂପ ତିଆରି କାର୍ଯ୍ୟ ମହିଳାଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି। ଜିଲାର ବିଭିନ୍ନ ବ୍ଲକରେ ଅଗରବତି ତିଆରି କରୁଥିବା ୧୫ଟି ଉତ୍ପାଦକ ଗୋଷ୍ଠୀ ଗଢ଼ି ଉଠିଛି। ଏହି ଗୋଷ୍ଠୀ ସଦସ୍ୟାମାନଙ୍କୁ ନେଇ ବୁଧବାର ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମହିଳା ସଙ୍ଗଠନ ଜରିଆରେ ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରାଯାଇଥିଲା।

ହୁଣ୍ଡିରୁ ମିଳିଲା ୯ ଲକ୍ଷ ଟଙ୍କା,୧୪୯ ଗ୍ରାମ ସୁନା

ହୁଣ୍ଡିରୁ ମିଳିଲା ୯ ଲକ୍ଷ ଟଙ୍କା,୧୪୯ ଗ୍ରାମ ସୁନା

ଘଟଗଁ।,୧୮।୫(ଡି.ଏନ୍‌.ଏ.)-ମା’ ତାରିଣୀଙ୍କ ହୁଣ୍ଡି ଗଣତି ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରୁ ନଗଦ ଅର୍ଥ ୯ ଲକ୍ଷ ୩ ହଜାର ୯୫୦ ଟଙ୍କା ମିଳିଥିବାବେଳେ ୧୪୯ ଗ୍ରାମ ୨୯୦ ମିଲିଗ୍ରାମ ସୁନା ଅଳଙ୍କାର, ୬୬୬ ଗ୍ରାମ ୪ଶହ ମିଲିଗ୍ରାମ ରୁପା ଅଳଙ୍କାର ମିଳଛି। ମନ୍ଦିର ପରିସରରେ ଥିବା ୧୦ଟି ଦାନବାକ୍ସକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ପୂର୍ବାହ୍ନ ୧୧ଟା ବେଳେ ଖୋଲାଯାଇ ଟ୍ରଷ୍ଟବୋର୍ଡ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ଗଣତି କାର୍ଯ୍ୟରେ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ଟ୍ରଷ୍ଟବୋର୍ଡ ସଦସ୍ୟ ଆନନ୍ଦଚନ୍ଦ୍ର ସିଂହ, ଦୟାନିଧି ମହାନ୍ତ, ନିର୍ମଳ କୁମାର ମହାନ୍ତି, ଦେବୋତ୍ତର ନିରୀକ୍ଷକ କେନ୍ଦୁଝର ତ୍ରିଲୋଚନ ନାୟକ, ମନ୍ଦିର ଆକାଉଣ୍ଟାଣ୍ଟ ଅକ୍ଷୟ ବେହେରା ପ୍ରମୁଖ ସାମିଲ ହୋଇଥିଲେ।

ପିଲେଟ ଆତଙ୍କ, ବଢୁଛି ଦୁର୍ଘଟଣା

ପିଲେଟ ଆତଙ୍କ, ବଢୁଛି ଦୁର୍ଘଟଣା

ଯୋଡା,୧୮।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ପିଲେଟ (ଲୁହାପଥର ଗୋଲି) ଆତଙ୍କ ଖେଳାଇଛି। ବାମେବାରୀ ଥାନା ଅନ୍ତର୍ଗତ କାଳିମାଟି, ଦୁବୁନା, ନୟାଗଡ଼ ପ୍ରଭୃତି ଅଞ୍ଚଳରେ ଟ୍ରକରେ ପିଲେଟ ପରିବହନ ବେଳେ ରାସ୍ତାରେ ପିଲେଟ ଗୁଡ଼ିକ ପଡ଼ୁଥିବାରୁ ଦୁର୍ଘଟଣା ଏକ ଦୈନନ୍ଦିନର ଘଟଣା ହୋଇଛି। ପୂର୍ବରୁ ଯୋଡ଼ା ସହର ଦେଇ ପିଲେଟ ପରିବହନ ହେଉଥିଲା। ପିଲେଟରେ ଖସିପଡ଼ି ବାଇକ ଆରୋହୀ, ପଥଚାରୀ ଆହତ ହେବା ପରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ କିଛିକାଂଶରେ କାର୍ଯ୍ୟାନୁଷ୍ଠାନ ହେବା ପରେ ଏଥିରେ ଆଂଶିକ ସ୍ଥିତି ସୁଧାର ହୋଇଥିଲା। ପିଲେଟ ପରିବହନ ବେଳେ ଟ୍ରକର ଡ଼ାଲାକୁ ଘୋଡ଼ଣୀ ମାଧ୍ୟମରେ ଘୋଡ଼ାଇ ପରିବହନର ନିୟମ ରହିଥିଲେ ହେଁ ବାମେବାରୀ ଅଞ୍ଚଳରେ ଏହି ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ଫଳରେ ପିଲେଟ ବିଚ୍ଛୁରିତ ହୋଇ ରାସ୍ତାରେ ପଡ଼ୁଛି।

୨ୟ କ୍ୟାମ୍ପସ: ଭିତ୍ତିଭୂମି ବିକାଶ ନାହିଁ

୨ୟ କ୍ୟାମ୍ପସ: ଭିତ୍ତିଭୂମି ବିକାଶ ନାହିଁ

କେନ୍ଦୁଝର, ୧୮।୫ (ସ୍ବ.ପ୍ର.)- ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା କେନ୍ଦୁଝର ଜିଲାରେ ବହୁ ଦାବି ଓ ଆନ୍ଦୋଳନ ପରେ ଏଠାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଖୋଲାଯାଇ ପାଠପଢା ଯାଉଛି। ବର୍ତ୍ତମାନ ଅସ୍ଥାୟୀ କ୍ୟାମ୍ପସରେ ପାଠପଢା ଯାଉଛି। ସ୍ଥାୟୀ ଭିତ୍ତିଭୂମି ଲାଗି ପଦକ୍ଷେପ ନିଆଯାଉଥିବା କଥା କୁହାଯାଉଥିଲେ ମଧ୍ୟ ଚିହ୍ନଟ ଜାଗାରେ ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି। ହଷ୍ଟେଲ ନ ଥିବାରୁ ଛାତ୍ରୀଛାତ୍ରମାନେ ଅସୁବିଧାରେ ରହି ପାଠ ପଢୁଛନ୍ତି। ଆବଶ୍ୟକ ପ୍ରାଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ କି ନୂଆ ବିଷୟ ଖୋଲାଯାଉ ନାହିଁ । ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ନ ଥିବାରୁ ଅନେକ ମେଧାବୀ ପିଲା ଏଠାରେ ପଢିବାକୁ ଆଗ୍ରହ କରୁନାହାନ୍ତି। ଏଭଳି ସ୍ଥିତିରେ ଏହି ୨ୟ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେବା ଲାଗି ମସୁଧା ଚାଲିଥିବା ଅଭିଯୋଗ ହେଉଛି, ଯାହାକୁ ନେଇ ଜିଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ବାଳିକାବାଳକଙ୍କ ପାଇଁ ଟେନିସ ପ୍ରଶିକ୍ଷଣ

ବାଳିକାବାଳକଙ୍କ ପାଇଁ ଟେନିସ ପ୍ରଶିକ୍ଷଣ

ବାରିପଦା ଅଫିସ,୧୮।୫-ମୟୂରଭଞ୍ଜ ଟେନିସ ଆସୋସିଏସନ ଆନୁକୂଲ୍ୟରେ ଗ୍ରୀଷ୍କକାଳୀନ ଟେନିସ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ବାରିପଦା କ୍ଲବ ପରିସରରେ ଥିବା ସିନ୍ଥେଟିକ ଟେନିସ କୋର୍ଟରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ୫ରୁ ୧୬ବର୍ଷ ପର୍ଯ୍ୟନ୍ତ ଉଭୟ ବାଳିକାବାଳକଙ୍କୁ ଏହି ଶିବିରରେ ପ୍ରଶିକ୍ଷଣ ଦିଆଯାଇଛି। ଏହି ଶିବିର ଆସନ୍ତା ଜୁନ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଶିବିରରେ ପ୍ରଶିକ୍ଷିତ ବାଳକ ଓ ବାଳିକାଙ୍କୁ ଆଗାମୀ ଦିନରେ ନିୟମିତ ସ୍ବତନ୍ତ୍ର ତାଲିମ ପ୍ରଦାନ ନିମନ୍ତେ ବିଶେଷ ବ୍ୟବସ୍ଥା ମୟୂରଭଞ୍ଜ ଟେନିସ ଆସୋସିଏସନ ପକ୍ଷରୁ କରାଯାଇଛି।

ବୁଣାକାରଙ୍କ ପାଇଁ   ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବୁଣାକାରଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଖୁଣ୍ଟା,୧୮।୫(ଡି.ଏନ୍‌.ଏ.)-ଖୁଣ୍ଟା ବ୍ଲକ ଅଧୀନ କରକଚିଆ ଗ୍ରାମରେ ବୁଣାକାରମାନଙ୍କ ପାଇଁ ହସ୍ତତନ୍ତ ଉନ୍ନୟନ ଯୋଜନାରେ ପ୍ରାଥମିକ ବୟନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ କରକଚିଆ ଗ୍ରାମର କଖୁରେଶ୍ୱା ତନ୍ତବାୟ ସହଯୋଗ ସମିତିର ୨୦ଜଣ ସଦସ୍ୟ ସାମିଲ ହୋଇଥିଲେ। ଆସନ୍ତା ୬ ମାସ ଧରି ଦକ୍ଷ ପ୍ରଶିକ୍ଷକଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଚାଲୁରହିବ। ଏଥିରେ ସାମିଲ ହୋଇଥିବା ବୁଣାକାରଙ୍କୁ ଷ୍ଟାଇପେଣ୍ଡ ପ୍ରଦାନ କରାଯିବ ବୋଲି ବାରିପଦାର ଟେକ୍ସଟାଇଲ୍ସ ସହକାରୀ ନିର୍ଦ୍ଦେଶକ ମଧୁସ୍ମିତା ଦାସ କହିଛନ୍ତି। ଇତିଅବସରରେ ଅନୁଷ୍ଠିତ ସଭାକାର୍ଯ୍ୟରେ ମୁଖ୍ୟଅତିଥି ଭାବେ ଖୁଣ୍ଟା ବିଡିଓ ଦେବଦତ୍ତ ପଣ୍ଡା ଉପସ୍ଥିତ ହୋଇ ଉକ୍ତ ତାଲିମ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବୟନ ନିରୀକ୍ଷକ ପ୍ରଭାକର ମଣ୍ଡଳ ଓ ବୈଷୟିକ ସହାୟକମାନେ ଯୋଗ ଦେଇଥିଲେ।