ମେଟ୍ରୋ

ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ

ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ

ପୁରୀ ଅଫିସ, ୬ା୬: ବିକାଶ ଓ ପର୍ଯ୍ୟାବରଣ ଅଙ୍ଗାଙ୍ଗୀ ଭାବେ ଜଡିତ। କାହାକୁ ଛାଡି ହେବ ନାହିଁ। ମଣିଷ ତଥା ମାନବ ସଭ୍ୟତା ପ୍ରକୃତି ଓ ପରିବେଶକୁ ଛାଡି ତିଷ୍ଠି ପାରିବ ନାହିଁ। ସମ୍ପ୍ରତି ବିକାଶ ମଧ୍ୟ ଜରୁରୀ। ତେଣୁ ପରିବେଶ ଏବଂ ବିକାଶ ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ। ମଣିଷ ବି ନିଜେ ପରିବେଶକୁ ବୁଝିବା ଆବଶ୍ୟକ ବୋଲି ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି।

ପୁରୀରୁ କୋଣାର୍କ ସାଇକେଲ ଯାତ୍ରା

ପୁରୀରୁ କୋଣାର୍କ ସାଇକେଲ ଯାତ୍ରା

ପୁରୀ ଅଫିସ, ୬ା୬: ବିଶ୍ୱ ପରିବେଶ ଦିବସ ଅବସରରେ ଝାଡେଶ୍ୱର କ୍ଲବ, ମିଶନ୍‌ ଓଡ଼ିଶା, ରୁଟ୍‌ସ ଅଫ ଫାଉଣ୍ଡେଶନ ଏବଂ ଇଣ୍ଟରନ୍ୟାଶନାଲ ସାଇକ୍ଲୋଥୋନ୍‌ର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ଏକ ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଟିମ୍‌ ପରିବେଶ ସୁରକ୍ଷା, ଚାରାରୋପଣ ଏବଂ ପ୍ଲାଷ୍ଟିକ ବର୍ଜନ ବାର୍ତ୍ତା ନେଇ ୩୬ କି.ମି. ଯାତ୍ରା କରିଥିଲେ। ରାସ୍ତାରେ ଯିବା ବେଳେ ବିଭିନ୍ନ ସ୍ଥାନରେ ବୃକ୍ଷ ଚାରା ବଣ୍ଟନ କରିଥିଲେ। ପ୍ରତ୍ୟେକ ପରିବାର ଅନ୍ତତଃ ଗୋଟିଏ ଚାରା ନିଜ ବାରିରେ ଲଗାଇବା ଲାଗି ଆହ୍ବାନ କରିଥିଲେ। ଶତାଧିକ ଯୁବକ, ଖେଳାଳି, ସ୍ବେଚ୍ଛାସେବୀ ଏହି ସାଇକେଲ ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା ସଭା ଆୟୋଜନ କରାଯାଇଥିଲା। ଗିନିଜ୍‌ ବୁକ୍‌ ଅଫ ଓ୍ବାର୍ଲଡ ରେକର୍ଡଧାରୀ ଦମ୍ପତି ଦୁର୍ଗାଚରଣ ମିଶ୍ର ଓ ଜ୍ୟୋତ୍ସ୍ନାରାଣୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ, କାଉନସିଲର ପ୍ରୀତମ ଜଗଦ୍ଦେବ, କ୍ରୀଡା ପ୍ରଶାସକ କୃଷ୍ଣଚନ୍ଦ୍ର ପଣ୍ଡା, ଯୁବନେତା ବିଶ୍ୱନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। କୋଣାର୍କରେ ଓଡ଼ିଶା ଯୁବ ଚେତନା ସଂଗଠନର ଆବାହକ ବଦ୍ରି ମିଶ୍ର ଯାତ୍ରା ଦଳକୁ ସ୍ବାଗତ କରିଥିଲେ। କୋଣାର୍କର ବିଭିନ୍ନ ସ୍ଥାନରେ ଚାରାରୋପଣ କରାଯାଇଥିଲା। ଏଥିସହିତ ଚନ୍ଦ୍ରଭାଗା ଓ ପୁରୀ ବେଳାଭୂମି ସଫେଇ କରାଯାଇଥିଲା।

ପୋଲ ମାଲଖମ୍ବରେ ଶ୍ରୀଲତାଙ୍କୁ ସ୍ବର୍ଣ୍ଣ

ପୋଲ ମାଲଖମ୍ବରେ ଶ୍ରୀଲତାଙ୍କୁ ସ୍ବର୍ଣ୍ଣ

ପୁରୀ ଅଫିସ, ୬ା୬: ମୁମ୍ବାଇ ମାଲଖମ୍ବ ଆସୋସିଏଶନ ଆନୁକୂଲ୍ୟରେ ବମ୍ବେଠାରେ ଆୟୋଜିତ ୨୮ତମ ଜାତୀୟସ୍ତରୀୟ ମାଲଖମ୍ବ ଚାମ୍ପିୟନଶିପ୍‌ରେ ପୁରୀର ଶ୍ରୀଲତା ରାୟ ପୋଲ୍‌ ମାଲଖମ୍ବ ମହିଳା ବର୍ଗରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଏହି ଚାମ୍ପିୟନଶିପ୍‌ ଗତ ମେ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ଭାରତରୁ ୩୦ଟି ଗ୍ରୁପ୍‌ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ତରଫରୁ ଡିଭାଇନ୍‌ ସ୍ପିରିଟ୍‌ ମାଲଖମ୍ବ ଗ୍ରୁପ୍‌ ପକ୍ଷରୁ ଶ୍ରୀଲତା ଏକାକୀ ଅଂଶଗ୍ରହଣ କରି ଏହି ଯୋଗ୍ୟତା ହାସଲ କରିଛନ୍ତି। ୨୦୧୯ ଫେବୃୟାରୀରେ ବମ୍ବେଠାରେ ଅନୁଷ୍ଠିତ ହେବାକୁଥିବା ଅନ୍ତର୍ଜାତୀୟସ୍ତରୀୟ ମାଲଖମ୍ବ ଚାମ୍ପିୟନଶିପ୍‌ରେ ଶ୍ରୀଲତା ଅଂଶଗ୍ରହଣ କରିବେ। ଏନେଇ ବମ୍ବେରେ କିଛି ଦିନ ଧରି ପ୍ରଶିକ୍ଷଣ ନେବା ପରେ ସେ ଏବେ ପୁରୀ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୦ଟି ଜାତୀୟ ସ୍ତରୀୟ ରୋପ ମାଲଖମ୍ବ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରି ସଫଳତା ସାଉଁଟିଥିବା ଶ୍ରୀଲତା ପ୍ରଥମ ଥର ଲାଗି ପୋଲ ମାଲଖମ୍ବରେ ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଶ୍ରୀଲତା କୁହନ୍ତି, ମୋର ଏହି ସଫଳତା ପଛରେ ମୋ ଗୁରୁ ତଥା ପିତା ମଧୁସୂଦନ ରାୟଙ୍କ ପ୍ରେରଣା ଓ ଆଶୀର୍ବାଦ ରହିଛି।

ବିକାଶ ଏସ୍‌ସି ସେଲ୍‌ ରାଜ୍ୟ ସାଧାରଣ ସମ୍ପାଦକ ନିଯୁକ୍ତ:ପ୍ରଭାତ ମୟୂରଭଞ୍ଜ ଜିଲା କମିଟି ଉପସଭାପତି

ଭୁବନେଶ୍ୱର, ୬।୬(ବ୍ୟୁରୋ)- ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଅନୁସୂଚିତ ଜାତି(ଏସ୍‌ସି) ସେଲ୍‌ର ସାଧାରଣ ସମ୍ପାଦକ ଭାବେ ବ୍ରହ୍ମଗିରିର ବିକାଶ କୁମାର ମଲ୍ଲିକଙ୍କୁ ନିଯୁକ୍ତି ଦେଇଛନ୍ତି। ଦଳର ଏସ୍‌ସି ସେଲ୍‌ର ରାଜ୍ୟ ଆବାହକ ବିଷ୍ଣୁଚରଣ ଦାସ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲା କମିଟିର ଉପସଭାପତି ଭାବେ ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରଭାତ କୁମାର ଜେନାଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟ ସମ୍ପାଦକ ବିଜୟ ନାୟକ ଏ ନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।

ବିଶ୍ୱ ପରିବେଶ ଦିବସ ପାଳିତ:ମୃତ୍ତିକାକୁ ପ୍ଲାଷ୍ଟିକମୁକ୍ତ କରିବାକୁ ପରାମର୍ଶ

ଭୁବନେଶ୍ୱର, ୬।୬(ବ୍ୟୁରୋ)- ମଣିଷର ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଛି। ବର୍ତ୍ତମାନ ପ୍ଲାଷ୍ଟିକ ପ୍ରଦୂଷଣ ସାରା ବିଶ୍ୱରେ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହୋଇଛି। ଆଗାମୀ ପିଢ଼ି ମୃତ୍ତିକାକୁ ପ୍ଲାଷ୍ଟିକମୁକ୍ତ କରିବା ଏବଂ ପ୍ଲାଷ୍ଟିକ ପ୍ରଦୂଷଣକୁ ପ୍ରତିହତ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ବିଶ୍ୱ ପରିବେଶ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ପ୍ଲାଷ୍ଟିକ ଆବର୍ଜନାକୁ ଏଣେତେଣେ ନ ଫିଙ୍ଗି ନିର୍ଦ୍ଦିଷ୍ଟ ସ୍ଥାନରେ ଏକତ୍ର କରି ରଖିବା ଓ ଏହାର ପୁନଃ ବ୍ୟବହାର ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି କହିଛନ୍ତି।

ହିତାଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ କଥା ହେଲେ ପ୍ରଧାନମନ୍ତ୍ରୀ:ପିଏମ୍‌ଏଓ୍ବାଇରେ ମହିଳାଙ୍କୁ ଅଧିକ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଅଧିକ ମହିଳା ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଏମସିର ଅତିରିକ୍ତ କମିଶନର ଏବଂ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏନ୍‌ଆଇସି (ନ୍ୟାଶନାଲ ଇନ୍‌ଫର୍ମେଟିକ୍ସ ସେଣ୍ଟର) ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ଭିଡିଓ କନ୍‌ଫରେନ୍ସିଂରେ ମୋଦି ଏହା କହିଥିଲେ। ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନାବେଳେ ଅଧିକାରୀମାନଙ୍କ ସହିତ ଭୁବନେଶ୍ୱରର ୨୦ ମହିଳା ଓ ପୁରୁଷ ହିତାଧିକାରୀ ଉପସ୍ଥିତ ଥିଲେ। ପିଏମ୍‌ଏଓ୍ବାଇରେ ଘର ତିଆରି ବେଳେ ପୁରୁଷ ରାଜମିସ୍ତ୍ରିଙ୍କ ଭଳି ମହିଳା ମିସ୍ତ୍ରିମାନେ ମଧ୍ୟ ଭାଗନେବାକୁ ପ୍ରଧାନମନ୍ତ୍ରୀ ମୋଦି ଉପସ୍ଥିତ ମହିଳା ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ମହିଳା ନିର୍ମାଣ ଶ୍ରମିକଙ୍କ ଲାଗି ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଥିବା ମୋଦି କହିଥିଲେ। ଭିଡିଓ କନଫରେନସିଂକୁ ଆସିଥିବା ହିତାଧିକାରୀଙ୍କ ସହିତ ମୋଦି ଆଲୋଚନା କରି ଯୋଜନାରୁ କିପରି ଲାଭ ମିଳୁଛି ସେନେଇ ପଚାରି ବୁଝିଥିଲେ।

୧୯୪୫ ଯୁକ୍ତ୩, ୫୮୭ ପିଜି ମେଧାବୀଙ୍କୁ ମିଳିବ ମେଧାବୃତ୍ତି

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ୨୦୧୫-୧୬ ଏବଂ ୨୦୧୬-୧୭ ଶିକ୍ଷାବର୍ଷରେ ମେଧାବୃତ୍ତି ପାଇଁ ଚୟନ କରାଯାଇଥିବା ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ଚଳିତବର୍ଷ ମେଧାବୃତ୍ତି ପ୍ରଦାନ କରାଯିବ। ମୋଟ ୧୯୪୫ ଛାତ୍ରୀଛାତ୍ରଙ୍କୁ ୯୭ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟପାଳ ଅନୁଦାନ ମଞ୍ଜୁର କରିଥିବା ଜଣାପଡିଛି। ମେଧାବୀଙ୍କ ପିଛା ବାର୍ଷିକ ୫ ହଜାର ଟଙ୍କା ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ସେହିପରି ୨୦୧୬-୧୭ ଶିକ୍ଷା ବର୍ଷ ପାଇଁ ମୋଟ ୫୮୭ ସ୍ନାତକୋତ୍ତର(ପିଜି) ଛାତ୍ରୀଛାତ୍ରଙ୍କୁ ଚଳିତବର୍ଷ ମେଧାବୃତ୍ତି ପ୍ରଦାନ କରାଯିବ। ମେଧାବୀଙ୍କ ପିଛା ବାର୍ଷିକ ୧୦ ହଜାର ଟଙ୍କା ହାରରେ ମୋଟ ୫୮ ଲକ୍ଷ ୭୦ ହଜାର ଟଙ୍କା ପ୍ରଦାନ କରିବାକୁ ରାଜ୍ୟପାଳ ଅନୁଦାନ ମଞ୍ଜୁର କରିଛନ୍ତି। ଏଥିରେ ୭୮ ଛାତ୍ରୀ ଥିବାବେଳେ ୫୦୯ ଛାତ୍ର ଅଛନ୍ତି। ଏହି ଟଙ୍କା ମେଧାବୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯିବ।

୮ ଜିଲାକୁ ଘୂର୍ଣ୍ଣିଝଡ଼ ସତର୍କତା

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ ଜିଲାରେ ଘୂର୍ଣ୍ଣିଝଡ଼ ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହି ଜିଲାଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡା, ଜଗତ୍‌ସିଂହପୁର, ଗଜପତି ଓ ଗଞ୍ଜାମ। ଏସବୁ ଜିଲାରେ ଘଣ୍ଟାକୁ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ୬ ତାରିଖରୁ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ପରିମାଣ ବଢିବ। ମାଲକାନଗିରି, କୋରାପୁଟ, ଜଗତ୍‌ସିଂହପୁର, ମୟୂରଭଞ୍ଜ, ବାଲେଶ୍ୱର ଏବଂ କେନ୍ଦୁଝର ଜିଲାରେ ବର୍ଷା ପରିମାଣ ବୃଦ୍ଧି ପାଇବ। ମଙ୍ଗଳବାର ଉପକୂଳରେ ଆକାଶ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ତଳକୁ ଖସିଯାଇଛି।

ଓଡ଼ିଶା ପରିବେଶ ସମିତି ପକ୍ଷରୁ ପରିବେଶ ଦିବସ ପାଳନ:ବର୍ଷକୁ ୧୩ ନିୟୁତ ଟନ ପ୍ଲାଷ୍ଟିକ ସମୁଦ୍ରରେ ମିଶୁଛି

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ପୃଥିବୀରେ ବାର୍ଷିକ ୩୦ ହଜାର ଟନ୍‌ ପ୍ଲାଷ୍ଟିକ୍‌ ପଦାର୍ଥ ଉତ୍ପାଦିତ ହେଉଥିବା ବେଳେ ଏହାର ମାତ୍ର ୧୦ ପ୍ରତିଶତରୁ କମ୍‌ ପୁନଚକ୍ରୀକରଣ ହୋଇ ର୍ବ୍ୟବହାର ହେଉଛି। ଅବଶିଷ୍ଟ ପ୍ଲାଷ୍ଟିକ୍‌ ସ୍ଥଳଭାଗ ଏବଂ ଜଳୀୟ ପରିସଂସ୍ଥାନଗୁଡ଼ିକରେ ଶହ ଶହ ବର୍ଷ ପଡିରହି ତାହାକୁ ପ୍ରଦୂଷିତ କରୁଛି, ଯାହା ସମଗ୍ର ଜୀବଜଗତ ପାଇଁ ବିପଦ ସୃଷ୍ଟି କରୁଛି। ବର୍ଷକୁ ୧୩ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ପଦାର୍ଥ ସାମୁଦ୍ରିକ ପରିସଂସ୍ଥାକୁ ପ୍ରବେଶକରି ଜଳଚର ଜୀବମାନଙ୍କର ବହୁବିଧ କ୍ଷତି କରୁଛି। ତେଣୁ ସମୟ ଥାଇ ପ୍ଲାଷ୍ଟିକ୍‌ର ଉତ୍ପାଦନ, ବିକ୍ରି ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ଓଡ଼ିଶା ପରିବେଶ ସମିତି ଆନୁକୂଲ୍ୟରେ ମଙ୍ଗଳବାର ଅନୁଷ୍ଠିତ ବିଶ୍ୱ ପରିବେଶ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବକ୍ତାମାନେ କହିଛନ୍ତି। ସମିତିର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟଜୀବ) ଏବଂ ଅର୍‌ସାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସନ୍ଦୀପ ତ୍ରିପାଠୀ ଯୋଗଦେଇ ପ୍ଲାଷ୍ଟିକର ବହୁଳ ବ୍ୟବହାର ଉପରେ ରୋକ ଲଗାଇବାକୁ କହିଥିଲେ। ସମ୍ମାନିତ ଅତିଥିଭାବେ ଜାପାନ ହିରୋସୀମା ବିଶ୍ୱବିଦ୍ୟାଳୟର ଭିଜିଟିଂ ପ୍ରଫେସର ଡ. ନଚିକେତା ଦାସ ଯୋଗଦେଇ ଓଡ଼ିଶାର ଜଳସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ। ଡ. ଲାଲା ଏ.କେ. ସିଂହ ସ୍ବାଗତଭାଷଣ ଦେଇଥିବା ବେଳେ ସମ୍ପାଦକ ଜୟକୃଷ୍ଣ ପାଣିଗ୍ରାହୀ ‘ପ୍ଲାଷ୍ଟିକ୍‌ ପ୍ରଦୂଷଣ ପ୍ରତିହତ କର’ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ସୁଦର୍ଶନ ଦାସଙ୍କୁ ଚଳିତବର୍ଷ ଲାଗି ପରିବେଶବିତ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା।

ଆଲୋଚନାଚକ୍ରରେ ବକ୍ତାଙ୍କ ମତ:ପ୍ରଚଳିତ ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ ଜରୁରୀ

ଭୁବନେଶ୍ୱର, ୬।୬(ବ୍ୟୁରୋ)- ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ପକ୍ଷରୁ ମଙ୍ଗଳବାର ‘ପରୀକ୍ଷା ପଦ୍ଧତିର ସଂସ୍କାର ଓ ଗୁଣାତ୍ମକ ଶିକ୍ଷା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଇଡ୍‌କଲ୍‌ ଅଡିଟୋରିୟମଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମାହାପାତ୍ର ଯୋଗଦେଇ ପ୍ରଚଳିତ ପରୀକ୍ଷା ପଦ୍ଧତିରେ କିଛି ପରିବର୍ତ୍ତନ ଆଣିବା ନିହାତି ଜରୁରୀ ବୋଲି ମତ ଦେଇଛନ୍ତି। ନିଜ ଅଭିଜ୍ଞତା ବିଷୟରେ ସେ କହିଥିଲେ, ନିଜେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରୁ ପାଠପଢି ଆଇଏଏସ୍‌ ପାଇପାରିଛନ୍ତି ଏବଂ ଓଡ଼ିଶାର ବିଭିନ୍ନ ବିଭାଗରେ ପ୍ରଶାସନିକ ଅଧିକାରୀଭାବେ କାମ କରି ଆଜି ପ୍ରମୁଖ ଶାସନ ସଚିବ ହୋଇ ପାରିଛନ୍ତି। ଶିକ୍ଷାର କେନ୍ଦ୍ରବିନ୍ଦୁ ହେଉଛନ୍ତି ଛାତ୍ରୀଛାତ୍ର। ଉତ୍ତମ ଛାତ୍ରୀଛାତ୍ର ତିଆରି କରିବା ସମସ୍ତଙ୍କ ଉଦ୍ଦେଶ୍ୟ ହେବା ଆବଶ୍ୟକ ବୋଲି ସଚିବ କହିଛନ୍ତି। ପ୍ରାରମ୍ଭରେ ଓଷ୍ଟା ଦ୍ୱାରା ପ୍ରସ୍ତୁତ ଭିତ୍ତିପତ୍ର ସଂଗଠନର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଉପସ୍ଥାପନ କରିଥିଲେ।

ଶର୍ଟସର୍କିଟରୁ ଜଳିଗଲା କାର

ଭୁବନେଶ୍ୱର, ୬।୬(ବ୍ୟୁରୋ)- ସିଆରପି ଛକ ନିକଟରେ ଏକ କାର ଶର୍ଟସର୍କିଟ ଯୋଗୁ ଜଳିଯାଇଛି। କାରରେ ଥିବା ଚାଳକ ପ୍ରଫୁଲ୍ଲ କୁମାର ଦାସଙ୍କର କୌଣସି କ୍ଷତି ହୋଇ ନ ଥିବାବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚତ୍ ନିଅଁାକୁ ଲିଭାଇଛନ୍ତି। ପ୍ରଫୁଲ୍ଲ ଏକ ଅଲ୍‌ଟୋ କାରରେ ଯାଉଥିବାବେଳେ ଷ୍ଟିଓ୍ବାର୍ଟ ସ୍କୁଲ ନିକଟରେ ଗାଡି ବନେଟ ଭିତରୁ ପ୍ରଚୁର ଧୂଅଁା ବାହାରିଥିଲା। କିଛି ସମୟ ମଧ୍ୟରେ ଗାଡ଼ିଟି ଜଳିଯାଇଥିଲା।

ରଥଯାତ୍ରା ପାଇଁ ସୁରକ୍ଷା ଚିନ୍ତା:ପୁରୀ ସହର ଉପରେ ଉଡ଼ିପାରିବନି ବିମାନ

ଭୁବନେଶ୍ୱର, ୬।୬(ବ୍ୟୁରୋ)- ଆଗକୁ ଆସୁଛି ରଥଯାତ୍ରା। ଏହାକୁ କିଭଳି ଶାନ୍ତିଶୃଙ୍ଖଳାରେ ଶେଷ କରାଯିବ ସେନେଇ ଓଡିଶା ପୋଲିସକୁ ଚିନ୍ତା ଘାରିଛି। ରଥଯାତ୍ରାରେ ରାଜ୍ୟ ସମେତ ଦେଶବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏହି ସମୟରେ ଯେକୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ଲାଗି ସୁରକ୍ଷା ବ୍ୟବସ୍ଥାକୁ ପୋଲିସ ବିଭାଗ ପ୍ରାଥମିକତା ଦେଇଛି। ସୁରକ୍ଷା ଦୃଷ୍ଟିରୁ ରଥଯାତ୍ରା ସମୟରେ ପୁରୀ ସହର ଉପରେ କୌଣସି ବିମାନ ଉଡ଼ିବ ନାହିଁ। ଏଥିଲାଗି ସହରକୁ ନୋ ଫ୍ଲାଇଙ୍ଗ ଜୋନ୍‌ ଭାବେ ଘୋଷଣା କରାଯିବା ଦିଗରେ ପଦକ୍ଷେପ ନିଆଯିବ। ମଙ୍ଗଳବାର ଇଣ୍ଟର ସିକ୍ୟୁରିଟି ଏଜେନ୍ସି ଏବଂ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ମଧ୍ୟରେ ଡିଜିପି କ୍ୟାମ୍ପ ଅଫିସରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଏନ୍‌ଏସ୍‌ଜି, ଆର୍‌ପିଏଫ୍‌, କୋଷ୍ଟ ଗାର୍ଡ, ଏୟାରପୋର୍ଟ କର୍ତ୍ତୃପକ୍ଷ, ଭାରତୀୟ ନୌସେନା ଏବଂ ଗୋଇନ୍ଦା ବ୍ୟୁରୋର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ସହ ଶ୍ରଦ୍ଧାଳୁମାନଙ୍କ ଗମନାଗମନ ସୁବିଧା ନେଇ ବୈଠକରେ ଆଲୋଚନା ହୋଇଥିଲା। କେନ୍ଦ୍ରୀୟ ସୁକ୍ୟୁରିଟି ଏଜେନ୍ସିଗୁଡିକ ସମ୍ପୂର୍ଣ୍ଣଭାବେ ଓଡିଶା ପୋଲିସକୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

୪ ଚୋରା ବାଇକ ଜବତ, ୨ ଗିରଫ

ବାଲିଅନ୍ତା, ୬।୬(ଡି.ଏନ.ଏ.)- ବାଲିଅନ୍ତା ପୋଲିସ ମଙ୍ଗଳବାର ୪ ଚୋରା ବାଇକ୍‌ ଜବତ କରିବା ସହିତ ୨ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଡି. ଶ୍ରୀନିବାସ ଓ ଆହୁଲା ପ୍ରସାଦ। ସେମାନଙ୍କ ଘର ଗଞ୍ଜାମ ଜିଲା ଆସିକା ଅଞ୍ଚଳରେ। ସୋମବାର ରାତିରେ ରାମଚନ୍ଦ୍ରପୁର କାଜ ଉପରେ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ ଚାଲିଥିଲା। ଏହି ସମୟରେ ଅଭିଯୁକ୍ତଦ୍ୱୟଙ୍କ ଉପରେ ପୋଲିସର ସହେନ୍ଦ ହୋଇଥିଲା। ସେମାନଙ୍କ ବାଇକ୍‌ ଯାଞ୍ଚ ବେଳେ ତାହା ଚୋରା ଗାଡ଼ି ବୋଲି ଜଣାପଡ଼ିଥିଲା। ସେମାନଙ୍କୁ ପଚରାଉଚରା ପରେ ଆଉ ୩ଟି ବାଇକ ଜବତ ହୋଇଥିଲା। ଏ ନେଇ ଏକ ମାମଲା(୧୪୪/୧୮) ରୁଜୁ ହୋଇଛି।

ବର୍ଜ୍ୟବସ୍ତୁ ସମ୍ପର୍କରେ ସଚେତନ କରିବ ଇ-ରାବଣ

ବର୍ଜ୍ୟବସ୍ତୁ ସମ୍ପର୍କରେ ସଚେତନ କରିବ ଇ-ରାବଣ

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ସହରର ପରିମଳ ହିଁ ସୁସ୍ଥତା। ତେଣୁ ଭୁବନେଶ୍ୱର ସହରକୁ ସ୍ବଚ୍ଛ ରଖିବାକୁ ହେଲେ ସରକାରୀ, ବେସରକାରୀ ସଂସ୍ଥା ସହିତ ଜନସାଧାରଣଙ୍କ ମିଳିତ ସହଯୋଗ ଦରକାର। ଏହା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମଙ୍ଗଳବାର ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି। ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଭୁବନେଶ୍ୱର ସହରକୁ ଇ-ବର୍ଜ୍ୟବସ୍ତୁ ମୁକ୍ତ କରିବା ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମଙ୍ଗଳବାର ବିଏମ୍‌ସି ଓ ଇଣ୍ଟରନ୍ୟାଶନାଲ ଫାଇନାନ୍ସ କର୍ପୋରେଶନ(ଆଇଏଫ୍‌ସି) ମିଳିତ ଉଦ୍ୟମରେ ଜୟଦେବ ବିହାରଠାରେ ଇ-ରାବଣ ଉଦ୍‌ଘାଟିତ ହୋଇଯାଇଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମେୟର ଜେନା ଯୋଗଦେଇ ଇ-ରାବଣକୁ ଉଦ୍‌ଘାଟନ କରିବା ସହ ଉପରୋକ୍ତ ମତ ଦେଇଥିଲେ।

ବିଜୁ ଯୁବବାହିନୀ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ଭୁବନେଶ୍ୱର ସହରର ଯୁବତୀ ଯୁବକମାନଙ୍କୁ ନେଇ ଗଠିତ ବିଜୁ ଯୁବବାହିନୀ ପକ୍ଷରୁ ମଙ୍ଗଳବାର ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ସଭ୍ୟା/ସଭ୍ୟମାନେ ନିଜ ନିଜ ଓ୍ବାର୍ଡରେ ବୃକ୍ଷରୋପଣ କରିଛନ୍ତି। ସହରକୁ ପ୍ଲାଷ୍ଟିକ୍‌ମୁକ୍ତ ସହରରେ ପରିଣତ କରାଯିବ ବୋଲି ବିଜୁ ଯୁବବାହିନୀ ପକ୍ଷରୁ କୁହାଯାଇଛି। ଓ୍ବାର୍ଡ ନମ୍ବର ୧୫ ଓ ୨୫ର ସଂଯୋଜକ ଜିତେନ୍ଦ୍ରୀୟ ଦାଶ, ୧୮ନଂ. ଓ୍ବାର୍ଡ ସଂଯୋଜକ ସୁରଜ୍‌ କୁମାର ପାତ୍ର, ୩୭ ନଂ. ଓ୍ବାର୍ଡ ସଂଯୋଜକ ପ୍ରଣୟ କେଶରୀ ମହାପାତ୍ର, ୪୩ ନଂ. ଓ୍ବାର୍ଡ ସଂଯୋଜକ ଲାଲ୍‌ଟି ବବିସ୍ମିତା, ୬୫ ନଂ. ଓ୍ବାର୍ଡ ସଂଯୋଜକ ଶୀତଲ ପଟ୍ଟନାୟକ ଓ ପ୍ରକଳ୍ପ ଅଧିକାରୀ ପ୍ରସାଦ ମହାପାତ୍ର ଏବଂ ସରୋଜ କୁମାର ହୋତା ଉପସ୍ଥିତ ଥିଲେ।

୨୦ ଫୁଟ ତଳକୁ ଖସିଲା ଜିପ୍‌: ୪ ଆହତ

୨୦ ଫୁଟ ତଳକୁ ଖସିଲା ଜିପ୍‌: ୪ ଆହତ

ଖୋର୍ଦ୍ଧା ଅଫିସ/ନିରାକାରପୁର(ଡି.ଏନ୍‌.ଏ.),୬।୬: ଟାଙ୍ଗିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଖୋର୍ଦ୍ଧା ଜିଲା ଟାଙ୍ଗି ତହସିଲଦାରଙ୍କ ଜିପ୍‌ (ଓଡି୦୨ଏଏନ୍‌୪୮୪୮) ରତାମାଟିଛଟ ନିକଟ କଲିକତା-ମାଡ୍ରାସ ୧୬ ନଂ. ଜାତୀୟ ରାଜପଥରେ ବୁଧବାର ପୂର୍ବାହ୍ନ ୯.୫୦ରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିପଡ଼ିଛି।

ରାଜଭବନ ପରିସରରେ ବୃକ୍ଷରୋପଣ

ଭୁବନେଶ୍ୱର, ୬।୬(ବ୍ୟୁରୋ)- ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମଙ୍ଗଳବାର ରାଜଭବନ ପରିସରରେ ବୃକ୍ଷରୋପଣ କରାଯାଇଛି। ରାଜ୍ୟପାଳଙ୍କ ଅତିରିକ୍ତ ସଚିବ ସୁକାନ୍ତ ପ୍ରଧାନ, ଚିତ୍ତରଞ୍ଜନ ମହାନ୍ତି, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ ଓ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କୁଳସଚିବ ମହେଶ୍ୱର ଅଗସ୍ତିଙ୍କ ସମେତ ରାଜଭବନର ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଉଦ୍ୟାନବିତ୍‌ ବସନ୍ତ କୁମାର ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜ୍ୟପାଳଙ୍କ ପରାମର୍ଶକ୍ରମେ ଆଗାମୀ ବନ ମହୋତ୍ସବ ସମୟରେ ରାଜଭବନ ପରିସରରେ ୫୦ ପ୍ରକାରର ଆମ୍ବ ଗଛ ଲଗାଯିବ ଓ ଏଥିପାଇଁ ସ୍ଥାନ ଚିହ୍ନଟ ହୋଇଛି। ଆମ୍ରପଲ୍ଲୀ, ତୋଟାପୁରୀ, ଲାଟସୁନ୍ଦରୀ, ଦସେରି, ସୁବର୍ଣ୍ଣରେଖା, ଫଜିଲ, ଗୁଲାବଖାସ୍‌, ନୀଳାଚଳ କେଶରୀ, ହିମସାଗର, ବମ୍ବେଗ୍ରୀନ୍‌, ଲାଂଗ୍ରା, କେଶର, ନିଲେଶାନ, ଆଲ୍‌ଫାନ୍‌ସୋ, ଚଉଷା, ପ୍ରଭାଶଙ୍କର, ବଳଦେବ, କୁଆଁରି ଆଦି କିସମର ଆମ୍ବ ଗଛ ଲଗାଯିବ। ରାଜ୍ୟପାଳ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି।

ଓୟୁଏଟି ପ୍ରାକ୍‌ ସ୍ନାତକ ପାଠ୍ୟକ୍ରମରେ ନାମଲେଖା

ଭୁବନେଶ୍ୱର, ୬।୬(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ ମହାବିଦ୍ୟାଳୟରେ ପ୍ରାକ୍‌ ସ୍ନାତକ(ଅଣ୍ଡର ଗ୍ରାଜୁଏଟ୍‌) ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଫର୍ମ-ବି ପୂରଣ କରିବା ପାଇଁ ଆସନ୍ତା ୧୦ ତାରିଖ ଶେଷ ଦିବସ। ଏଥି ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇଥିବା ଓ ଯୁକ୍ତ୨ ବିଜ୍ଞାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରମାନେ www.ouat.nic.in କିମ୍ବା www.lokaseba-odisha.in ଓ୍ବେବ୍‌ସାଇଟ୍‌ରେ ଫର୍ମ-ବି ପୂରଣ କରିପାରିବେ। ପ୍ରାର୍ଥୀମାନେ ପୂରଣ କରିଥିବା ଫର୍ମ-ବି ରେ ଯଦି ତ୍ରୁଟି ଥାଏ, ତେବେ ୧୧ରୁ ୧୩ ତାରିଖ ମଧ୍ୟରେ ଏହି ତ୍ରୁଟି ଅନ୍‌ଲାଇନ୍‌ରେ ସଂଶୋଧନ କରିପାରିବେ। ଏ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଓୟୁଏଟି ୱେବସାଇଟ୍‌ www.ouat.nic.inରେ ଉପଲବ୍ଧ ଅଛି। ନାମଲେଖା ନିମନ୍ତେ ଆସନ୍ତା ୨୩ ରୁ ୨୭ ତାରିଖ ମଧ୍ୟରେ ଓୟୁଏଟିରେ କାଉନ୍‌ସେଲିଂ କରାଯିବ ବୋଲି ସୂଚନା ଦିଆଯାଇଛି।

ମହାନଗର ରାଜନୀତି:ବିଜେଡିରେ ମିଶିଲେ ୨ କର୍ପୋରେଟର

ଭୁବନେଶ୍ୱର, ୬।୬(ବ୍ୟୁରୋ)- ସାଧାରଣ ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପୂର୍ବରୁ ବିଜେଡି ଘର ସଜଡା କାର୍ଯ୍ୟ ଆରମ୍ଭ କରିବା ସହ ଅନ୍ୟ ଦଳର ପ୍ରମୁଖ ନେତାଙ୍କୁ ଦଳରେ ସାମିଲ କରୁଛି। ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟରେ ବିଏମ୍‌ସି ୧୯ନଂ. ୱାର୍ଡର କଂଗ୍ରେସ କର୍ପୋରେଟର ଜ୍ୟୋତ୍ସ୍ନାରାଣୀ ରାଉତରାୟ ଏବଂ ୬୫ ନଂ. ୱାର୍ଡର ଭାଜପା କର୍ପୋରେଟର ଜ୍ୟୋତ୍ସ୍ନାମୟୀ ଜେନା ବିଜେଡିରେ ସାମିଲ ହୋଇଛନ୍ତି। ଉଭୟ କର୍ପୋରେଟର ନିଜ ନିଜ ୱାର୍ଡର ଶତାଧିକ କର୍ମୀଙ୍କ ସହିତ ବିଜେଡିରେ ମିଶିଛନ୍ତି। ଦୁଇ ଜଣଙ୍କ ଯୋଗଦାନ ସ୍ଥାନୀୟ ଅଞ୍ଚଳରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଜେଡିରେ ସାମିଲ ହୋଇଥିବା ଅନ୍ୟ ନେତାମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କର୍ପୋରେଟର ପ୍ରତାପ କୁମାର ରାଉତରାୟ, ସାମାଜିକ କର୍ମୀ ବିଚିତ୍ରାନନ୍ଦ ଖୁଣ୍ଟିଆ, ଅଭିକ୍ଷା ଟ୍ରଷ୍ଟ ଅଧ୍ୟକ୍ଷା ମାନସୀ ଶତପଥୀ, ରାଜେଶ ରାଉତରାୟ, ରିଙ୍କୁ ରାଉତରାୟ ପ୍ରମୁଖ।

ଅପରାଧ ରୋକିବାକୁ ସବୁ ଥାନା ଅଧିକାରୀଙ୍କୁ ତାଗିଦ:କମିଶନରେଟ ମୁଖ୍ୟାଳୟରେ ବୈଠକ

ଭୁବନେଶ୍ୱର, ୬।୬(ବ୍ୟୁରୋ)- କିଛିଦିନ ହେବ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ଅପରାଧ ବଢିବାରେ ଲାଗିଛି। ଏହାକୁ ରୋକିବାରେ ଥାନା ଅଧିକାରୀମାନେ ବିଫଳ ହୋଇଛନ୍ତି। ତମାଣ୍ଡୋ ଥାନା ଓ କ୍ୟାପିଟାଲ ଥାନା ଅଞ୍ଚଳରେ ବୋମାମାଡ ଘଟଣା ହେଉ ଅବା ସହରରେ ଚଳିତବର୍ଷ ଘଟିଥିବା ହତ୍ୟାକାଣ୍ଡ, କୌଣସି ଘଟଣାରେ ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ଫଳରେ ପୋଲିସ ବିଭାଗ ବଦନାମ ହେଉଛି। ଏହାକୁ ନେଇ ପୋଲିସ କମିଶନର ଓ୍ବାଇ. ବି. ଖୁରାନିଆ ଥାନା ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି। ଏସବୁ ମାମଲାରେ ତଦନ୍ତ ଯଥାଶୀଘ୍ର ସାରିବାକୁ କମିଶନରେଟ ମୁଖ୍ୟାଳୟରେ ମଙ୍ଗଳବାର ଆୟୋଜିତ ସାଧାରଣ ବୈଠକରେ କମିଶନର ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ କିଭଳି ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ, ଟ୍ରାଫିକ ସମସ୍ୟା ଦୂର କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ବିଭିନ୍ନ ଥାନାର ସମସ୍ୟା ବିଷୟରେ ପୋଲିସ କମିଶନର ପଚାରି ବୁଝିଥିଲେ। ଥାନାଗୁଡିକର ସମସ୍ୟା ଶୁଣିବା ପରେ ଏହାର ସମାଧାନ ପାଇଁ କମିଶନର ଥାନା ଅଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ନୂତନ ଫାଣ୍ଡି ନିର୍ମାଣ ପାଇଁ କେତେକ ଥାନା ଅଧିକାରୀ ନିଜର ମତ ରଖିଥିଲେ।

ହୋଟେଲ ଶିଳ୍ପରେ ଓଡ଼ିଶା ପଛୁଆ

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ହୋଟେଲ ଶିଳ୍ପ କ୍ଷେତ୍ରରେ ପଛରେ ପଡିଛି ଓଡ଼ିଶା। ପର୍ଯ୍ୟଟନ ସମ୍ବଳରେ ଭରପୂର ଥିବା ସତ୍ତ୍ୱେ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ହୋଟେଲ ନାହିଁ। ଉପକୂଳ ଓଡ଼ିଶାରେ ହାତଗଣତି ତାରକା ହୋଟେଲ ଏବଂ କ୍ଲାସିଫାଏଡ୍‌ ହୋଟେଲ ରୁମ୍‌ ରହିଥିବା ବେଳେ ପଶ୍ଚିମ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ ହେଲେ ବି ତାରକା ହୋଟେଲ ନାହିଁ। ତାରକା ହୋଟେଲ ତ ଦୂରର କଥା, ଜଙ୍ଗଲ ଓ ପରିବେଶ ବିଭାଗର ସ୍ଥାନୀୟ ଆକୋମୋଡେଶନକୁ ଛାଡିଦେଲେ ପର୍ଯ୍ୟଟକ ରହିବା ଭଳି ଗୋଟିଏ ହେଲେ ବି ଭଲ ହୋଟେଲ ଏଠାରେ ନାହିଁ। ଅଧିକ ସଂଖ୍ୟକ ଷ୍ଟାର୍‌ ହୋଟେଲ ଥିବା ଗୋଆ, କେରଳ, ମହାରାଷ୍ଟ୍ର ଭଳି ରାଜ୍ୟଗୁଡିକ ବହୁମାତ୍ରାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଥିବା ବେଳେ ଓଡ଼ିଶା ଏକ୍ଷେତ୍ରରେ ପଛରେ ପଡିଯାଉଛି।

ଅପହୃତ ଛାତ୍ର ଉଦ୍ଧାର, ଅପହର୍ତ୍ତା ଗିରଫ

କଟକ ଅଫିସ, ୬।୬- ପୁରୀଘାଟ ଥାନା ଅନ୍ତର୍ଗତ ନିମସାହିରେ ରହୁଥିବା ରଞ୍ଜିତ ଶୁକ୍ଳାଙ୍କ ପୁଅ ଆୟୁଷଙ୍କୁ ଅପହରଣର ୩ଦିନ ପରେ ମଧୁପାଟଣା ପୋପରଡ଼ାରୁ ପୋଲିସ ଉଦ୍ଧାର କରିଛି। ଏଥିସହ ଅପହରଣକାରୀ ପୋପରଡ଼ାର ନିଖିଲ ସ୍ବାଇଁଙ୍କୁ ଗିରଫ କରିଛି। ଏଥିରେ ସମ୍ପୃକ୍ତ ୨ ଜଣ ନାବାଳକଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନାଥାଉକି, ଦଶମ ଶ୍ରେଣୀର ଛାତ୍ର ଆୟୁଷ ରବିବାର ସନ୍ଧ୍ୟାରେ ଚୌଧୁରୀବଜାର ଅଞ୍ଚଳକୁ ଟ୍ୟୁଶନ ଯାଇ ଘରକୁ ଫେରୁଥିବା ବେଳେ ଫୁଲବଜାର ନିକଟରୁ କେତେଜଣ ଦୁର୍ବୃତ୍ତ ବାଇକରେ ଆସି ଅପହରଣ କରି ନେଇଥିଲେ। ଏହାର କିଛି ସମୟ ପରେ ଦୁର୍ବୃତ୍ତମାନେ ରଞ୍ଜିତଙ୍କ ମୋବାଇଲକୁ କଲ୍‌ କରି ୪୦ହଜାର ଟଙ୍କା ଦାବି କରିବା ସହ ଟଙ୍କା ନ ମିଳିଲେ ପୁଅକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ସଂକ୍ରାନ୍ତରେ ରଞ୍ଜିତ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ପୁରୀଘାଟ ଥାନା ପୋଲିସ ମୋବାଇଲକୁ ଟ୍ରାକିଂ କରି ଅପହହୃତ ଛାତ୍ର ଓ ଅଭିଯୁକ୍ତଙ୍କୁ ଠାବ କରିଥିଲା। ଆୟୁଷଙ୍କୁ ତାଙ୍କ ପରିବାର ଜିମା ଦିଆଯାଇଥିବା ପୋଲିସ କହିଛି।

ଗୋପାଳପୁର ସରପଞ୍ଚ ଅଯୋଗ୍ୟ ଘୋଷିତ:୩ ସନ୍ତାନ ପାଇଁ ପଦ ହରାଇଲେ

କଟକ ଅଫିସ, ୬।୬- ୩ଟି ସନ୍ତାନ ପାଇଁ ଜଣେ ମହିଳା ସରପଞ୍ଚ ପଦ ହରାଇଛନ୍ତି। ଓଡ଼ିଶା ଗ୍ରାମପଞ୍ଚାୟତ ଆଇନର ଧାରା ୨୬ ଅନୁଯାୟୀ ସମ୍ପୃକ୍ତ ମହିଳା ସରପଞ୍ଚଙ୍କୁ ଜିଲାପାଳ ସୁଶାନ୍ତ ମହାପାତ୍ର ଅଯୋଗ୍ୟ ଘୋଷିତ କରିଛନ୍ତି। ସେ ହେଲେ ମାହାଙ୍ଗା ପଞ୍ଚାୟତ ସମିତି ଅଧୀନସ୍ଥ ଗୋପାଳପୁର ପଞ୍ଚାୟତର ମଞ୍ଜୁଲତା ଜେନା। ୨୦୧୭ ପଞ୍ଚାୟତ ନିର୍ବାଚନରେ ମଞ୍ଜୁଲତା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ମାତ୍ର ସେ ୩ ସନ୍ତାନର ଜନନୀ ହୋଇଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତଦନ୍ତ ପାଇଁ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ଓ ମାହାଙ୍ଗା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ଦାୟିତ୍ୱ ଦିଆଯାଇଥିଲା। ତଦନ୍ତ ରିପୋର୍ଟରେ ମଞ୍ଜୁଙ୍କର ୩ଟି ସନ୍ତାନ ଥିବା ପ୍ରମାଣ ମିଳିଥିଲା। ଏହି ଅନୁଯାୟୀ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିବା ଜିଲାପାଳ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମାହାଙ୍ଗା ବ୍ୟତୀତ ସାଲେପୁର ପଞ୍ଚାୟତ ସମିତି ଅଧୀନ ଏକ ପଞ୍ଚାୟତର ଜଣେ ସମିତି ସଭ୍ୟ ଓ ନିଆଳି ପଞ୍ଚାୟତ ସମିତି ଅଧୀନ ଏକ ପଞ୍ଚାୟତର ଜଣେ ୱାର୍ଡମେମ୍ବରଙ୍କ ବିରୋଧରେ ସମାନ ଅଭିଯୋଗର ମାମଲା ଚାଲିଥିବା ଜିଲା ପଞ୍ଚାୟତ ଅଧିକାରୀ ରଜନୀକାନ୍ତ ସାହୁ କହିଛନ୍ତି।

ଜାତୀୟ ସଫେଇ କର୍ମଚାରୀ ଆୟୋଗ ସଦସ୍ୟାଙ୍କ ସମୀକ୍ଷା:ଚିକିତ୍ସା, ଇପିଏଫ୍‌, ବୀମା ଉପରେ ଗୁରୁତ୍ୱ

କଟକ ଅଫିସ, ୬।୬- ସହର ସମେତ ଜିଲାରେ ଥିବା ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକରେ ସଫେଇ କର୍ମଚାରୀମାନେ ନିଯୁକ୍ତ ହୋଇଛନ୍ତି। ସ୍ବଚ୍ଛ ଭାରତ ଅଭିଯାନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କର୍ମଚାରୀମାନଙ୍କ ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ସଂକ୍ରାନ୍ତରେ ମଙ୍ଗଳବାର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ବିଭାଗ ଅଧୀନ ଜାତୀୟ ସଫେଇ କର୍ମଚାରୀ ଆୟୋଗ ସଦସ୍ୟା ମଞ୍ଜୁ ଡାଇଲର, ଜିଲାପାଳ ସୁଶାନ୍ତ ମହାପାତ୍ର, ସିଏମ୍‌ସି କମିଶନର ବିକାଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବିଭାଗୀୟ ଅଧିକାରୀ, ସୁପରଭାଇଜର ଓ କର୍ମଚାରୀମାନେ ଯୋଗଦେଇଥିଲେ। ସଫେଇ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। କର୍ମକ୍ଷେତ୍ରରେ କର୍ମଚାରୀମାନେ ଗ୍ଲୋଭ୍‌ସ୍‌, ମୁଖା, ଉଦ୍ଦିଷ୍ଟ ୟୁନିଫର୍ମ ପୋଷାକ ପିନ୍ଧିବାକୁ ନିଶ୍ଚିତ କରାଯିବା ଉପରେ ଆଲୋଚନା ହୋଇଥିଲା।