ସମ୍ପାଦକୀୟ

ଓଷାର ନାଁ ଜାଗର

ଓଷାର ନାଁ ଜାଗର

ଡ. ଭାଗ୍ୟଲିପି ମଲ୍ଲ / ଶିବ ହେଉଛନ୍ତି ଭାରତୀୟ ମନୀଷାର ଏକ ରହସ୍ୟମୟ ପରିକଳ୍ପନା। ବୈଦିକ ଯୁଗରେ ସେ ମହାରୁଦ୍ର। ଅମରକୋଷରେ ତାଙ୍କ ନାଁର ସଂଖ୍ୟା ଅଠଚାଳିଶ। ସେ ଗୃହୀ ପୁଣି ସନ୍ନ୍ୟାସୀ, ଯୋଗୀ ପୁଣି ଭୋଗୀ। ଭୋଳାନାଥ ତେଣୁ ଆଶୁତୋଷ। ସଦା ଶକ୍ତିସଂଲଗ୍ନ ପୁଣି ଜିତେନ୍ଦ୍ରିୟ। ଘର କୈଳାସ ପର୍ବତ। ଆଉ ଏକ ଘର ବି ତାଙ୍କର ରହିଛି- ମଶାଣି। ମାତ୍ର ଭବଘୂରା, ସବୁଠି ରହି ପାରନ୍ତି। ସୌମ୍ୟଦର୍ଶନ, ପୁଣି ଭସ୍ମବିଲେପିତ। ଦେହରେ ସାପର ପଇତା, ଅଣ୍ଟାରେ ବାଘଛାଲ, ହାତରେ ତ୍ରିଶୂଳ ଓ ଡମ୍ବରୁ। ମଥାରେ ଜଟାଭାର। ତେଣୁ ରହସ୍ୟମୟ ନୁହନ୍ତି ତ ଆଉ କ’ଣ? ତାଙ୍କର ପ୍ରିୟ ଫୁଲ ଦୁଦୁରା, ଗଈଶ, ଅରଖ ଓ ବେଲପତ୍ର। ବାହନ ବୃଷଭ। ଆଉ ଏକ ବିଶେଷ ପରିଚୟ ତାଙ୍କର ରହିଛି। ସେ ମହାଜ୍ଞାନୀ ଓ ତ୍ରିକାଳଦର୍ଶୀ ସହ ନୃତ୍ୟପଟୁ। ‘ମହାଶକ୍ତି’ ତାଙ୍କର ପତ୍ନୀ। ଶିବ ଓ ଶକ୍ତିଙ୍କ ସମ୍ମେଳନରେ ସୃଷ୍ଟି ହୁଏ ପବିତ୍ର ଓ ଉତ୍ତରିତ। ସାଧକମାନେ ତାଙ୍କୁ କୃଚ୍ଛ୍ର ତପସ୍ୟା ମାଧ୍ୟମରେ ସନ୍ତୁଷ୍ଟ କରିବାର ପ୍ରୟାସ କରନ୍ତି। ତପସ୍ୟାରେ ତୁଷ୍ଟ ହେଲେ, ଯାହା ମାଗିଲେ ଦେବାରେ ସେ କାର୍ପଣ୍ୟ କରନ୍ତି ନାହିଁ। ତାଙ୍କର ଧର୍ମପତ୍ନୀ ପାର୍ବତୀଙ୍କୁ ମଧ୍ୟ ତାଙ୍କୁ ପାଇବା ପାଇଁ କଠୋର ତପସ୍ୟା କରିବାକୁ ପଡ଼ିଥିଲା। ଏ ସବୁ ଅତି ସୁନ୍ଦର ଭାବରେ କାଳିଦାସଙ୍କ ‘କୁମାର ସମ୍ଭବମ୍‌’ ମହାକାବ୍ୟରେ ବର୍ଣ୍ଣିତ। ଶିବଙ୍କୁ ନେଇ କେତେ କୌତୁକ କଥା ରହିଛି। କିଏ ତିଆରିଛି ଏତେ ସବୁ ମଜା କଥା? ପୁଣି କାହିଁକି? ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଦିନେ କାଳେ କେହି ଜଣେ ରାଗିଯାଇ ତାଙ୍କ ମୁଣ୍ଡରେ ଶୁଖୁଆ ପାଛିଆ ଅଜାଡ଼ି ଦେବାକୁ ଗଲାବେଳେ ଶିବ ତାକୁ ଅଟକାଇ କହିଲେ- ରହ ରହ, ତୋର ଯାହା ଇଚ୍ଛା ମାଗିନେ। ସେ ଯାହା ମାଗିଲା, ପାଇଗଲା ତତ୍‌କ୍ଷଣାତ୍‌। ତେଣୁ ତାଙ୍କୁ କୁହାଯାଏ ଭୋଳାନାଥ, ଆଶୁତୋଷ। ଯିଏ, ଯେମିତି ଚାହିଁଲା- ତାଙ୍କୁ ସେମିତି ସଜ କରି ଦେଲା, ସେମିତି ପୂଜା କଲା। କିଏ ତାଙ୍କୁ ଗଞ୍ଜେଇ ଦେଲା, କିଏ ମଦରେ ଗାଧୋଇ ଦେଲା, କିଏ ମଶାଣି-ପାଉଁଶ ବୋଳିଦେଲା ତ ପୁଣି କିଏ ରାଗୀ-ଦେବତାଟାର ମୁଣ୍ଡ ଥଣ୍ଡା କରିବା ପାଇଁ ମୁଣ୍ଡରେ ନବାତ, କଦଳୀ ଘଷି କ୍ଷୀର ଢାଳିଦେଲା। ଏମିତି ଜଣେ ଦେବତା ରହସ୍ୟମୟ ନିଶ୍ଚୟ।...

ଏଇ ଭାରତରେ

ପିଲା ପାଇଁ ମା’ ସବୁବେଳେ ମମତାମୟୀ। କିନ୍ତୁ ବିଭିନ୍ନ କାରଣ ଯୋଗୁ କେତେକ ମା’ ସେମାନଙ୍କ ଶିଶୁଠାରୁ ଦୂରେଇ ଯାଉଛନ୍ତିି। ଅପନିନ୍ଦାରୁ ବର୍ତ୍ତିବା ଲାଗି କୁମାରୀ ମା’ମାନେ ଏଭଳି ପଦକ୍ଷେପ ନେଉଥିବା ବେଳେ ଶିଶୁକନ୍ୟା ଜନ୍ମ ଦେଇଥିବା ମା’ ପିଲାକୁ ବୁଦା ମୂଳେ କିମ୍ବା ରାସ୍ତାକଡ଼େ ଛାଡ଼ି ଦେଉଥିତ୍ବା ଖବର ଶୁଣିବାକୁ ମିଳିଥାଏ। ହେଲେ ଏବେ କର୍ନାଟକର ଚିକାବାଲାପୁରଠାରେ ଭିନ୍ନ ଏକ କାରଣ ଯୋଗୁ ଜଣେ ମା’ ତାଙ୍କ ଶିଶୁକୁ ଡାକ୍ତରଖାନାରେ ଛାଡ଼ି ଦେଇଥିବା ଦେଖିବାକୁ ମିଳିଛି। ୫ ଦିନର ଏହି ଶିଶୁର ଗୋଡ଼ ସ୍ବାଭାବିକଠାରୁ ଲମ୍ବା ଥିବା ଅନୁଭବ କରିବା ପରେ ମା’ ତାକୁ ସ୍ତନ୍ୟପାନ କରାଇ ନ ଥିଲେ। କିଛିଦିନ ପରେ ଶିଶୁ ଶରୀରରେ ଦେଖାଦେଇଥିବା ଅସ୍ବାଭାବିକତା ଦୂର ହୋଇଯିବ ବୋଲି ଡାକ୍ତରମାନେ ଯେତେ ବୁଝାଇଥିଲେ ମଧ୍ୟ ସେ ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ଡୋଡା କିରୁଗାନ୍ଦି ଗ୍ରାମର ଏହି ମହିଳା ଶିଶୁ ଜନ୍ମ ଦେବାର ୫ ଦିନ ପରେ କ୍ଲିନିକ୍‌ର ଡାକ୍ତରଙ୍କୁ ଜଣାଇ ଦେଇଥିଲେ ଯେ ସେ ତା’ର ଯତ୍ନ ନେଇପାରିବେ ନାହିଁ। ଏହାପରେ ଡାକ୍ତରଖାନା କର୍ତ୍ତୃପକ୍ଷ ମହିଳା ଓ ଶିଶୁ ମଙ୍ଗଳ ବିଭାଗକୁ ଏ ବିଷୟ ଜଣାଇଥିଲେ। ସରକାରୀ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସମ୍ପୃକ୍ତ ଦମ୍ପତିଙ୍କୁ ବୁଝାଶୁଝା କରିଥିଲେ। ଏହାସତ୍ତ୍ୱେ ଶିଶୁଟିକୁ ମା’ କ୍ଷୀର ମିଳିପାରି ନ ଥିଲା। ଶେଷରେ ମହିଳା ଓ ଶିଶୁ ବିଭାଗ ୩ ମାସ ପାଇଁ ପିଲାଟିର ଯତ୍ନ ନେବ । ଏହାପରେ ଯଦି ମାତାପିତା ତାକୁ ନ ନିଅନ୍ତି ତେବେ ବାଙ୍ଗାଲୋରସ୍ଥିତ ଏକ ବେସରକାରୀ ସଂସ୍ଥାକୁ ପିଲାକୁ ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ସେହି ବିଭାଗ ସହ ଜଡ଼ିତ ଥିବା ଜଣେ ଆଇନ ଅଧିକାରୀ କହିଛନ୍ତି, ଦମ୍ପତି ଅତ୍ୟନ୍ତ ଗରିବ ଥିବାରୁ ଶିଶୁକୁ ନେବାକୁ ଚାହୁଁ ନ ଥିଲେ।

ସମ୍ପାଦକୀୟ/ ୨୭ ଜାଗାରେ ୧୬

ସମ୍ପାଦକୀୟ/ ୨୭ ଜାଗାରେ ୧୬

ଓଡ଼ିଶା ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ, ୯ ଫେବୃୟାରୀ ୨୦୧୮ ସୁଦ୍ଧା ଉଚ୍ଚ ନ୍ୟାୟାଳୟରେ ସର୍ବମୋଟ ୧ ଲକ୍ଷ ୬୯ ହଜାର ୧୫୦ ମାମଲା ପଡ଼ିରହିଛି। ହେଲେ ଓଡ଼ିଶା ହାଇକୋର୍ଟରେ ୨୭ ବିଚାରପତି ଆବଶ୍ୟକ ଥିବା ବେଳେ ଅଛନ୍ତି ମାତ୍ର ୧୬ ଜଣ। ୧୧ ଜଣ ବିଚାରପତି କମ୍‌ ରହିବା ନିଶ୍ଚିତ ଭାବେ ମାମଲା ପରିଚାଳନାରେ ପାର୍ଥକ୍ୟ ପଡ଼ିବା ସ୍ବାଭାବିକ। ଲୋକସଂଖ୍ୟା ବୃଦ୍ଧି ପାଇବା ସହ ମାମଲାଗୁଡ଼ିକ ବଢ଼ିବାରେ ଲାଗିଛି। ସେହି ଅନୁଯାୟୀ ବିଚାରପତି ନିଯୁକ୍ତ ହୋଇପାରୁ ନ ଥିବାରୁ ବକେୟା ମାମଲା ସହ ନୂଆ ଯୋଡ଼ି ହୋଇଚାଲିଛି। ଦେଶର ଉଚ୍ଚତର ବିଚାର ବ୍ୟବସ୍ଥା ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ନିଯୁକ୍ତି ‘କଲେଜିୟମ୍‌ ବ୍ୟବସ୍ଥା’ ଦ୍ୱାରା କରାଯାଉଛି। ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟର ଅନ୍ୟ ଚାରିଜଣ ବରିଷ୍ଠ ବିଚାରପତିଙ୍କୁ ମିଶାଇ ୫ ଜଣିଆ କଲେଜିୟମ ରହିଛି। ଯେହେତୁ ନିକଟରେ ଶୀର୍ଷ ଅଦାଲତରେ ଝଡ଼ ବହିଯାଇଛି, ସେହେତୁ ନିଯୁକ୍ତି ପ୍ରକ୍ରିୟା ଧିମେଇ ଯାଇଛି ବୋଲି କୁହାଯାଉଛି। ଝଡ଼ ସମ୍ପର୍କରେ ସମସ୍ତଙ୍କର ମନେଥିବ। ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ୧୨ ଜାନୁୟାରୀ ୨୦୧୮ ଏକ ଅଭୂତପୂର୍ବ ଦିବସ ଭାବେ ଉଭା ହୋଇଥିଲା। ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଏକ ଖବରଦାତା ସମ୍ମିଳନୀରେ ପ୍ରଧାନ ବିଚାରପତିଙ୍କ ବିରୋଧରେ ସଙ୍ଗିନ୍‌ ଅଭିଯୋଗ ଆଣିଥିଲେ। ସର୍ବୋଚ୍ଚ ଅଦାଲତର ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା କନିଷ୍ଠ ବିଚାରପତିଙ୍କୁ ଦିଆଯାଉଛି ବୋଲି କହି ଅଭିଯୋଗକାରୀମାନେ କ୍ଷୋଭ ପ୍ରକାଶ କରିଥିଲେ। ତେବେ ପଡ଼ି ରହିଥିବା ଅସଂଖ୍ୟ ମାମଲାର ସହଜ ଫଇସଲା କିଭଳି ହେବ, ତା’ ଉପରେ ଆଦୌ ଦୃଷ୍ଟିପାତ କରି ନ ଥିଲେ। ବୋଧହୁଏ ଏହିଭଳି କେତେଗୁଡ଼ିକ କାରଣ ପାଇଁ ସେମାନଙ୍କୁ ସବୁଆଡ଼ୁ ସମାଲୋଚିତ ହେବାକୁ ପଡ଼ିଥିଲା। କିଏ କେଉଁ ମାମଲା ପରିଚାଳନା କରିବେ ତାହା ମୁଖ୍ୟଙ୍କ ଉପରେ ନିର୍ଭର କରେ। କିନ୍ତୁ ଯାହାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି, ତାହାକୁ ସୁଚାରୁ ରୂପେ ପାଳନ କରିବାରେ ଦକ୍ଷତା ଜଣାପଡ଼ିଥାଏ। ନ୍ୟାୟ ବ୍ୟବସ୍ଥାରେ ଶୀଘ୍ର ମାମଲାଗୁଡ଼ିକର ରାୟ ପ୍ରକାଶ ପାଇଗଲେ କୋର୍ଟ ଉପରୁ ବୋଝ କମିଯାଇପାରନ୍ତା। ଉଲ୍ଲେଖ କରାଯାଇପାରେ ଯେ, ଏବେ ସମଗ୍ର ଦେଶରେ ନିମ୍ନ ଅଦାଲତରୁ ଶୀର୍ଷ କୋର୍ଟ ଯାଏ ୩ କୋଟିରୁ ଊର୍ଦ୍ଧ୍ୱ ମାମଲା ପଡ଼ି ରହିଛି। ବର୍ତ୍ତମାନର ପରିସ୍ଥିତି ଦେଖିଲେ ଯେଉଁ ଉଚ୍ଚତର ନ୍ୟାୟ ବ୍ୟବସ୍ଥାରେ ବିଚାରପତି ଅବସର ନେଉଛନ୍ତି, ସେଠାରେ ତତ୍‌କ୍ଷଣାତ୍‌ ନିଯୁକ୍ତି ସମ୍ଭବ ହୋଇପାରୁ ନାହିଁ। ଓଡ଼ିଶା ହାଇକୋର୍ଟରେ ବିଚାରପତି ସଙ୍କଟ ଦେଖାଦେଇଥିବା ବେଳେ ରାଜ୍ୟ ସରକାର ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌) ଉଚ୍ଛେଦ କରିବାକୁ ନେଇଥିବା ନିଷ୍ପତ୍ତି ପରିସ୍ଥିତିକୁ ଅଧିକ ଜଟିଳ ଆଡ଼କୁ ନେଉଯାଉଛି। ଏପରିକି ସ୍ୟାଟ୍‌ରେ ପ୍ରଶାସନିକ ଅଧିକାରୀମାନେ ଅବସର ଗ୍ରହଣ କରିବା ପରେ ମଧ୍ୟ ନୂତନ ନିଯୁକ୍ତି ଦିଆଯାଉ ନାହିଁ। ଏଭଳି ସ୍ଥଳେ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେଲେ ପ୍ରଥମେ ଆବଶ୍ୟକ ବିଚାରପତି ପଦବୀ ପୂରଣ। ନଚେତ୍‌ ଯେଭଳି ବକେୟା ମାମଲା ବଢ଼ିଚାଲିଛି ତାହା ଅସ୍ବାଭାବିକ ସ୍ତରକୁ ଚାଲିଯିବ। ସେତେବେଳେ ନ୍ୟାୟକୁ ନେଇ ରହିଥିବା ଆପ୍ତବାଣୀ ‘ବିଳମ୍ବିତ ନ୍ୟାୟ ବିଡ଼ମ୍ବିତ’ ବୋଲି ପ୍ରମାଣିତ ହେବ।

ସରକାରୀ ଭାଷା ବନାମ ଭାଷା ସାହିତ୍ୟ

ସରକାରୀ ଭାଷା ବନାମ ଭାଷା ସାହିତ୍ୟ

ସହଦେବ ସାହୁ/ ଡିସେମ୍ବର ୨୬ରେ ଜଗନ୍ନାଥ ଧାମ ସହିତ ଜଡିତ ଓଡିଆଙ୍କ ମନ ଜିଣିବା ଲାଗି ପୁରୀର ସର୍କିଟ୍‌ ହାଉସ୍‌ରେ କ୍ୟାବିନେଟ୍‌ ବୈଠକ ଡାକି ରାଜ୍ୟ ସରକାର ଏକ ହେରିଟେଜ୍‌ କ୍ୟାବିନେଟ୍‌ ତିଆରି କରିଛନ୍ତି, ଯାହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ କାମ କରିବ। କଲେଜ ଓ ବିଶ୍ୱବିଦ୍ୟାଳୟରେ ମାଗଣାରେ ଓଡ଼ିଆ ସାହିତ୍ୟ ପଢା ହେବ, ଗବେଷଣା ପାଇଁ ପ୍ରୋତ୍ସାହନ ଦିଆଯିବ। ଓଡ଼ିଆ ବହି ସବୁ ସ୍ମାର୍ଟ ଲାଇବ୍ରେରୀରେ ମିଳିବ। ପ୍ରତି ୫ ବର୍ଷରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କରାଯିବ। ସରକାରଙ୍କ ଏ ନିଷ୍ପତ୍ତିକୁ ଓଡ଼ିଶାର ଲେଖକମାନେ ସ୍ବାଗତ କରିଛନ୍ତି ବୋଲି ଖବରକାଗଜରେ ପ୍ରକାଶ ପାଇଛି। ଲେଖକମାନେ ସାଧାରଣ ଓଡ଼ିଆ ନୁହନ୍ତି। ଓଡ଼ିଆ ସରକାରୀ ଭାଷା ହେଉ କି ନ ହେଉ ଓଡିଆ ସାହିତ୍ୟକୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେମାନଙ୍କ ରଚନା ସବୁ ସରକାର କିଣିନେବେ। ସେଗୁଡିକ ଗଦା ଗଦା ବନ୍ଧା ହୋଇ ପାଠାଗାର ବା ବିଦ୍ୟାଳୟର ଚଟାଣରେ ଉଇର ଖାଦ୍ୟ ହେଉ ପଛେ। ଅଣଓଡିଆମାନେ ଓଡିଆ ସାହିତ୍ୟ ଓ ସଂସ୍କୃତି ଜାଣିଲେ କ’ଣ ଓଡିଆଙ୍କ ଦୁଃଖ (ସରକାରୀ ଅବହେଳା) ସରକାରଙ୍କ କାନକୁ ଆସିଯିବ? ପଞ୍ଚବାର୍ଷିକ ବିଶ୍ୱ ଓଡିଆ ସମ୍ମିଳନୀରେ ଯୋଗଦେବେ ସାହିତି୍ୟକମାନେ। ଓଡିଶାର ସାଢେ ଚାରିକୋଟି ଜନତାରୁ ମାତ୍ର ହଜାରେରୁ ଚାରି ହଜାର ଭିତରେ। ଅଧିକାଂଶ ଓଡିଶା ବାହାରୁ, ଯେଉଁମାନେ ଓଡିଆ ସରକାରୀ ଭାଷା ନ ହେଲେ ବି ସରକାରୀ ଫାଇଦା ପାଉଛନ୍ତି ବା ପାଇପାରିବେ। ...

ପ୍ରେମର ପ୍ରତୀକ ହେଉ ପ୍ରେମ ଦିବସ

ପ୍ରେମର ପ୍ରତୀକ ହେଉ ପ୍ରେମ ଦିବସ

ଡ. ପ୍ରଫୁଲ୍ଲ କୁମାର ସାହୁ/ ଭାରତୀୟ ସଂସ୍କୃତି ହେଉଛି ଆଧ୍ୟାମତ୍ିକ ଚେତନା ଅନୁପ୍ରେରିତ ଏକ ଆଚାରବୋଧ। ମୂଲ୍ୟବୋଧ ଭିତ୍ତିକ ଏକ ଜୀବନଶୈଳୀ। ଆମ ଉସତ୍ବ ପରଂପରା ସେହି ସଂସ୍କୃତିରୁ ଉନ୍ମେଷ ଏକ ପ୍ରବହମାନ ଧାରା। ଉଜ୍ଜ୍ୱଳ ବ୍ୟକ୍ତିତ୍ୱ, ଆଦର୍ଶ ପରିବାର, ସମୃଦ୍ଧ ସମାଜ ତଥା କଲ୍ୟାଣମୟ ବିଶ୍ୱ ଗଠନ ହିଁ ତା’ର ଆଭିମୁଖ୍ୟ। ମାତ୍ର ପାଶ୍ଚାତ୍ୟ ସଭ୍ୟତାର ମୋହମୁଦ୍‌ଗର ମାଡ଼ରେ ହଜିଗଲାଣି ଆମ ପାରଂପରିକ ପର୍ବପର୍ବାଣିର ମହକ। ଘରେ ଶିଶୁଟିଏ ଜନ୍ମନେଲେ, ନୂତନ ଅତିଥିକୁ ସ୍ବାଗତ କରିବା ପାଇଁ ଆଉ ଆବଶ୍ୟକ ହେଉନି ଷଷ୍ଠୀପୂଜା, ଏକୋଇଶିଆ ଓ ସତ୍ୟନାରାୟଣ ପାଲା ଆଦି ସଂସ୍କାର କର୍ମ। ଜନ୍ମଦିନରେ ଏବେ କଟାଯାଉଛି କେକ୍‌। ହେଟେଲରେ ଜମୁଛି ନାଚଗୀତର ଆସର। ବିବାହ ଭଳି ଶୁଭକର୍ମରେ ଆଉ ଶୁଭୁନି ଶଙ୍ଖ, କାହାଳି ଓ ହୁଲହୁଳି ଧ୍ୱନି। ବଡ଼ଦିନ ହେଉ କି ଇଂଲିଶ ନୂଆବର୍ଷ ହେଉ, ଏସବୁ ବିଦେଶୀ ଉସତ୍ବ ଆୟୋଜନର ଉଦ୍ଦାମତା ଆଗରେ କୌଣସି ମୂଲ୍ୟ ବହନ କରୁନି ଆପଣା ସଂସ୍କୃତି ଓ ପରଂପରାର ମହତ୍ତ୍ୱ। ବିଶେଷକରି ଆମ ଯୁବପିଢିକୁ ଏବେ ଘାରିଛି ଭାଲେଣ୍ଟଇନ୍‌ ଡେ ବା ପ୍ରେମଦିବସ ମନେଇବାର ଉକତ୍ଟ ନିଶା। ଏହି ବିଦେଶୀ ପର୍ବ ପାଳନର ତରିକାକୁ ଦେଖିଲେ ମନେହୁଏ, ସତେ ଯେପରି ବ୍ୟଭିଚାର ବନ୍ଦୀଶାଳାରେ ବନ୍ଧା ପଡ଼ିଛି ବ୍ୟକ୍ତିର ସଂଯମ ଓ ଶୃଙ୍ଖଳା। ‘ଭାଲେଣ୍ଟାଇନ ଡେ’ ଇତିହାସ କହେ ସୈନ୍ୟବାହିନୀରେ ଯୁବକମାନଙ୍କ ସାମର୍ଥ୍ୟର ପୂର୍ଣ୍ଣ ବିନିଯୋଗ ବିନା ଯୁଦ୍ଧଜୟ ଅସମ୍ଭବ ବୋଲି ଏକଦା ଅନୁଭବ କରିଥିଲେ ରୋମ୍‌ର ସମ୍ରାଟ୍‌ ଗ୍ଲାଡ଼ିୟନ ଦ୍ୱିତୀୟ। ତେଣୁ ବିବାହ ଓ ପ୍ରେମ ବ୍ୟାପାରଠାରୁ ଯୁବକମାନଙ୍କୁ ଦୂରେଇ ରଖିବା ପାଇଁ ତାଙ୍କ ନିର୍ଦ୍ଦେଶରେ ଦେଶରେ ଜାରି ହୋଇଥିଲା କଟକଣା। ଯୁବକମାନଙ୍କ ପ୍ରତି ଏଭଳି ଅନ୍ୟାୟ ଆଦେଶକୁ ଆଦ ଗ୍ରହଣ କରିପାରିଲେନି ସନ୍ଥ ଭାଲେଣ୍ଟାଇନ। ମନେମନେ ଖୋଜିଲେ ପ୍ରତିବାଦର ଉପାୟ। ସେ ଚର୍ଚ୍ଚର ପାଦ୍ରି ଥିବାରୁ ତାଙ୍କ ସହାୟତାରେ ଗୁପ୍ତରେ ସଂପନ୍ନ ହୋଇଚାଲିଲା ଶହ ଶହ ପ୍ରେମୀଯୁଗଳଙ୍କ ବିବାହ କାର୍ଯ୍ୟ। ଏକଥା ଜଣାପଡ଼ିବା ପରେ ସମ୍ରାଟ୍‌ଙ୍କ ଆଦେଶରେ ବନ୍ଦୀ ହେଲେ ସନ୍ଥ ଭାଲେଣ୍ଟାଇନ। ବିଚାରରେ ଦେଶଦ୍ରୋହୀ ସାବ୍ୟସ୍ତ ହୋଇଥିବା ସନ୍ଥଙ୍କୁ ମିଳିଲା ପ୍ରାଣଦଣ୍ଡ। ବନ୍ଦୀ ଭାଲେଣ୍ଟାଇନଙ୍କୁ ଦେଖିବାପାଇଁ ଛୁଟିଲା ଯୁବତୀଯୁବକମାନଙ୍କ ସୁଅ। ସେମାନଙ୍କ ମଧ୍ୟରେ ଥିଲେ ଜେଲ ରକ୍ଷକ ଆଷ୍ଟିରସ୍‌ଙ୍କ ଅନ୍ଧୁଣୀ କନ୍ୟା ଜୁଲିଆ। ସମବେଦନା ଜଣାଇବା ପାଇଁ ଜେଲକୁ ନିୟମିତ ଆସୁଥିବା ଅନ୍ଧୁଣୀ ଜୁଲିଆର ଆନ୍ତରିକତାକୁ ଅନୁଭବ କରି ଭାବଗଦ୍‌ଗଦ ହେଲେ ଭାଲେଣ୍ଟାଇନ। ଉଭୟଙ୍କ ମଧ୍ୟରେ ଗଢିଉଠିଲା ନିବିଡ଼ ସମ୍ପର୍କ। ଶେଷରେ ସେ ସଂପର୍କ ନେଲା ପ୍ରଣୟର ରୂପ ଏବଂ ଭାଲେଣ୍ଟାଇନଙ୍କ ଅଲୌକିକ ଶକ୍ତି ବଳରେ ଜୁଲିଆ ଫେରି ପାଇଲା ଚକ୍ଷୁର ଜ୍ୟୋତି। ଆମ ପୁରାଣରେ ଯେମିତି ସତ୍ୟବାନ ଅଳ୍ପାୟୁ ବୋଲି ଜାଣିଲା ପରେ ବି ତାଙ୍କୁ ବିବାହ କରିବା ନିଷ୍ପତ୍ତିରେ ଅଟଳ ଥିଲେ ସତୀ ସାବିତ୍ରୀ, ସେମିତି ମୃତ୍ୟୁର ଦିନ ଗଣୁଥିବା ଭାଲେଣ୍ଟାଇନଙ୍କ ପାଖରୁ ମୁହଁ ଫେରାଇ ନେଇ ନ ଥିଲା ଜୁଲିଆ। ପ୍ରେମର ଏହି ମହନୀୟତାର ଉତ୍ତର ଦେବାକୁ ଯାଇ ମୃତ୍ୟୁର ଠିକ୍‌ ପୂର୍ବରୁ ଭାଲେଣ୍ଟାଇନ ପ୍ରେମିକା ଜୁଲିଆ ପାଖକୁ ଲେଖିଥିବା ଚିଠିର ଶେଷଧାଡ଼ିଟି ଥିଲା - ‘ଉଇଥ୍‌ ଲଭ୍‌ ଫ୍ରମ୍‌ ୟୋର୍‌ ଭାଲେଣ୍ଟାଇନ’। କେବଳ ଶେଷ ଧାଡ଼ି ନୁହେଁ, ସେ ଚିଠିରେ ଲେଖାଥିବା ପ୍ରତ୍ୟେକଟି ଶବ୍ଦ ଏତେ ପ୍ରଭାବଶାଳୀ ଥିଲା ଯେ, ତାହା ସାର୍ବଜନୀନ ହେଲାପରେ ସମଗ୍ର ବିଶ୍ୱର ପ୍ରେମିକାପ୍ରେମିକଙ୍କ ହୃଦୟରେ ସୃଷ୍ଟିକଲା ଗଭୀର ଆଲୋଡ଼ନ। ପ୍ରେମୀମାନଙ୍କ ପାଇଁ ସମ୍ରାଟ୍‌ଙ୍କ ଆଦେଶକୁ ଅବମାନନା କରି ଜୀବନ ଉସତ୍ର୍ଗ କରିଥିବା ଭାଲେଣ୍ଟାଇନ ପାଲଟିଗଲେ ପ୍ରେମର ପ୍ରତୀକ। ତାଙ୍କ ମହାପ୍ରୟାଣ ଦିବସ (ଫେବୃୟାରୀ ୧୪ ତାରିଖ)କୁ ପ୍ରେମ ଦିବସ ଭାବେ ପାଳନ କଲେ ରୋମ୍‌, ଜାପାନ ଓ ଇରାନ ଆଦି ଦେଶର ଯୁବତୀଯୁବକମାନେ। ବିଗତ ଶତାବ୍ଦୀର ନବେ ଦଶକରେ ଭାରତକୁ ପ୍ରବେଶ କରିଥିବା ଏହି ପର୍ବକୁ ନେଇ ସଂପ୍ରତି ଯୁବସମାଜ ଭିତରେ ଯେଉଁ ଉଚ୍ଛୃଙ୍ଖଳତା ପ୍ରକାଶ ପାଇଛି ତାହା ହିଁ ଆମ ମହାନ୍‌ ସଂସ୍କୃତି ପାଇଁ ଚିନ୍ତାର କାରଣ।...

ରେଡିଓ ଗଣଙ୍କର

ରେଡିଓ ଗଣଙ୍କର

ବସନ୍ତ କୁମାର ଦାସ/ ଦିନ ଥିଲା ଗାଁର ଧନୀଲୋକଙ୍କ ଘରେ ରେଡିଓ ଥିଲା। ସାବେଳେ ତାଙ୍କ ଘର ପିଣ୍ଡାରେ ସାହିର ଆବାଳବୃଦ୍ଧବନିତାଙ୍କର ଭିଡ଼ ଜମୁଥିଲା। ସେଥିରୁ ସଙ୍ଗୀତ, କୃଷି, ନାଟକ ଓ ଖବର ଇତ୍ୟାଦି ଶୁଣୁଥିଲେ। ଚାଷବାସ, ପାଣିପାଗ ବିଷୟରେ ଜାଣୁଥିଲେ। ୧୮୯୫ ମସିହାରେ ମାର୍କୋନୀ ରେଡିଓ ଉଦ୍ଭାବନ କରିଥିଲେ। କିନ୍ତୁ ଭାରତର ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷ ରେଡିଓ ପ୍ରଥମେ ଉଦ୍ଭାବନ କରିଥିଲେ ହେଁ ସେ ପ୍ରଚାରଧର୍ମୀ ନ ଥିବାରୁ ତାଙ୍କୁ କ୍ୱଚିତ୍‌ ଲୋକ ରେଡିଓର ଉଦ୍ଭାବକ ବୋଲି ଜାଣନ୍ତି। ଆମ ଦେଶରେ ପ୍ରଥମେ ୧୯୪୭ ମସିହାରେ ୬ଟି ସହର ଯଥା ଦିଲ୍ଲୀ, ବମ୍ବେ, କଲିକତା, ମାଡ୍ରାସ, ଲକ୍ଷ୍ନୌ ଓ ତ୍ରିଚିନାପଲ୍ଲୀରେ ରେଡିଓ ଷ୍ଟେଶନ ସ୍ଥାପନ କରାଯାଇଥିଲା। ୧୯୩୬ ଜୁନ୍‌ ୮ ତାରିଖରେ ଅଲ୍‌ ଇଣ୍ଡିଆ ରେଡିଓର ନାମ ପରିବର୍ତ୍ତନ କରାଯାଇ ‘ଆକାଶବାଣୀ’ ରଖାଗଲା। ୧୯୫୬ ମସିହାରେ ଆକାଶବାଣୀ ପୂର୍ଣ୍ଣମାତ୍ରାରେ ‘ବହୁଜନହିତାୟ, ବହୁଜନସୁଖାୟ’ ଭୂମିକା ନିଭାଇଚାଲିଲା। ୧୯୫୭ରେ ବିବିଧ ଭାରତୀ ଆରମ୍ଭ ହେଲା। ଆଜିକାଲି ଏଫ୍‌ଏମ୍‌ ପ୍ରସାରଣ ସେବା ସବୁଠି ବଢ଼ିଚାଲିଛି। ୧୯୭୭ରେ ମାଡ୍ରାସଠାରେ ଦେଶର ପ୍ରଥମ ଏଫ୍‌ଏମ୍‌ ପ୍ରସାରଣ ସେବା ଆରମ୍ଭ ହୋଇଥିଲା। ଚଳିତବର୍ଷ ବିଶ୍ୱ ରେଡିଓ ଦିବସର ମୁଖ୍ୟ ବିଷୟ ହେଉଛି ‘ରେଡିଓ ଓ ସ୍ପୋର୍ଟସ’।...

ଏଇ ଭାରତରେ

କେତେକ ବ୍ୟକ୍ତି ଏମିତି ନିର୍ଦ୍ଦୟ ହୋଇଯାଆନ୍ତି କିପରି କେଜାଣି, ମଣିଷ ପ୍ରତି ସେମାନେ ପଶୁଙ୍କ ଭଳି ଆଚରଣ କରନ୍ତି। ଅନ୍ୟକୁ ନୂ୍ୟନ ଭାବିବାକୁ ଯାଇ ନିଜେ ଅତ୍ୟନ୍ତ ଅମଣିଷ ହୋଇଯାଆନ୍ତି। କାହାକୁ ନିର୍ଯାତନା ଦେବା, ମାନସିକ ଆଘାତ ଦେବା ଏପରି କି ସର୍ବସମ୍ମୁଖରେ ଅପମାନିତ କରିବା କେତେ କ୍ଷତିକାରକ ହୋଇଥାଏ ତାହା ସେମାନେ ବୁଝନ୍ତି ନାହିଁ। ଶୁକ୍ରବାର ଦକ୍ଷିଣ ବମ୍ବେର କୁଫେ ପରେଡ ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି, ଯାହାକି ଜଣେ ୩୫ବର୍ଷ ବୟସ୍କ ଯୁବକଙ୍କୁ ସର୍ବସାଧାରଣରେ ଅପମାନିତ କରିବାର ଫଳ। କାଶୀମ ଶେଖ୍‌ ନାମକ ଏହି ଯୁବକ ଜଣକ ଅପମାନ ସହ୍ୟ କରି ନ ପାରି ଆତ୍ମହତ୍ୟାର ପଥ ବାଛିନେଲେ। କାଶୀମ ଛାଡିଯାଇଥିବା ସୁଇସାଇଡ ନୋଟ୍‌ ଅନୁଯାୟୀ ତାଙ୍କୁ ୪ଜଣ ଯୁବକ କୌଣସି କାରଣରୁ କୁଫେ ପରେଡ୍‌ ଅଞ୍ଚଳରେ ମିଳିତ ଭାବେ ଆକ୍ରମଣ କଲେ। ନିସ୍ତୁକ ମାଡ ମାରି ମଧ୍ୟ ସେମାନଙ୍କର ମନ ଶାନ୍ତି ହେଲାନାହିଁ, ଯୋତାକୁ ଜିଭରେ ଚାଟିବାକୁ ବାଧ୍ୟ କଲେ। ତନ୍ମଧ୍ୟରୁ ଜଣେ ଯୋତା ଉପରେ ଛେପ ପକାଇ କାଶୀମଙ୍କୁ ଚାଟିବା ପାଇଁ କହିଲେ। ଏତକ କରିବା ପରେ କାଶୀମ କୌଣସି ଭାବରେ ସେହି ଚାରି ଅସାମାଜିକଙ୍କ କବଳରୁ ଖସିଆସିବାରେ ସଫଳ ହୋଇଥିଲେ। କିନ୍ତୁ ତାଙ୍କର ମନ ଅପମାନରେ ଭାଙ୍ଗିପଡିଥିଲା। ଏଭଳି ଅପମାନିତ ହେବା ପରେ କାହା ଆଗରେ ମୁହଁ ଦେଖାଇବାର ସାହସ କରି ନ ପାରି ସେ ଆତ୍ମହତ୍ୟା କରିଦେଲେ। ପୋଲିସ ସୁଇସାଇଡାଲ ନୋଟ୍‌ ଆଧାରରେ ସେହି ୪ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଜଣେ ବ୍ୟକ୍ତିଙ୍କୁ ଏଭଳି ଅପମାନିତ କରିବା ଅମାନବୀୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଗଣାଚାଲିଛି

ଗଣାଚାଲିଛି

ନଭେମ୍ବର ୮, ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ବିମୁଦ୍ରୀକରଣ ଘୋଷଣା କରିଥିଲେ। ଏହାକୁ ୧୫ ମାସ ପୂରିଗଲାଣି। ତଥାପି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଗଣତି କାର୍ଯ୍ୟ ଶେଷ କରିପାରିନାହିଁ। ଗଣତି ସହିତ ଅସଲ ଓ ଜାଲ୍‌ ନୋଟ୍‌ ବାଛିବାରେ ସମୟ ଲାଗୁଛି ବୋଲି ଆର୍‌ବିଆଇ ତରଫରୁ ସୂଚନା ଅଧିକାର (ଆର୍‌ଟିଆଇ) ବଳରେ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ଏହା କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଗଣତି ସରିବା ପରେ ଜାଲ ନୋଟର ପରିମାଣ ସହିତ କେତେ ମାତ୍ରାର କଳାଧନ ଠାବ କରାଗଲା ତାହା ଜାଣିବା ସରକାରଙ୍କ ପାଇଁ ସମ୍ଭବପର ହୋଇପାରେ। ଏଠାରେ ଆହୁରି ମଧ୍ୟ କହିହେବ ଯେ ଅତି ନିକଟ ଅତୀତରେ ଦେଶର ବିଭିନ୍ନ ପ୍ରାନ୍ତରେ ରଦ୍ଦ ହୋଇଯାଇଥିବା ପୁରୁଣା କାଗଜ ଟଙ୍କାକୁ ସ୍ବୀକାର କରି ତା’ ବଦଳରେ ନୂଆ ଟଙ୍କା ଦେଉଥିବା ବ୍ୟବସାୟୀ ଧରାପଡ଼ୁଛନ୍ତି। ଅର୍ଥାତ୍‌ ବିମୁଦ୍ରୀକରଣ ସତ୍ତ୍ୱେ ସେହି ଅଚଳ ନୋଟ ସ୍ବୀକାରଯୋଗ୍ୟ ହେବାର ଅର୍ଥ ହେଉଛି ତାହା କୌଣସି ଏକ ଲୁକ୍କାୟିତ ବାଟରେ ପୁନର୍ବାର ଆର୍‌ବିଆଇକୁ ଯାଇପାରୁଛି।

ଈଶ୍ୱର ଏକ ଅନୁଭବ

ଈଶ୍ୱର ଏକ ଅନୁଭବ

କେତେକ କହନ୍ତି ଈଶ୍ୱର ନାହାନ୍ତି, ଆଉ କେତେକ କହନ୍ତି ଈଶ୍ୱର ଅଛନ୍ତି। ନାହାନ୍ତି ବା ଅଛନ୍ତି ବୋଲି କହିବା ଦ୍ୱାରା ଈଶ୍ୱରଙ୍କର କିଛି କ୍ଷତି ବା ଲାଭ ହୁଏନାହିଁ କାରଣ ଈଶ୍ୱର କଥାର କଥା ନୁହନ୍ତି, ଈଶ୍ୱର ଏକ ଅନୁଭବ, ଅନ୍ତର ଓ ହୃଦୟର ଅନୁଭବ। ଏଇ ଅନ୍ତର, ଏଇ ହୃଦୟ ମନ ରାଜ୍ୟକୁ ଡେଇଁଲେ ପଡେ। ଅନ୍ତର ଯାହା ମନ ତାହା ନୁହେଁ, ହୃଦୟ ଯାହା ମନ ତାହା ନୁହେଁ। ମନରେ ଈଶ୍ୱର ଅନୁଭୂତ ହୁଅନ୍ତି ନାହିଁ, ତେଣୁ ତ ମାନସର ଅଗୋଚର ବୋଲି କଥିତ ହୋଇଛନ୍ତି। ହୃଦୟର ରାଜ୍ୟ ମନଠାରୁ ଅଧିକ ସ୍ବଚ୍ଛ, ନିର୍ମଳ, ଗଭୀର ଓ ପରିବ୍ୟାପ୍ତ। ଏଥିରେ ଅନୁମାନ ନୁହେଁ ଅନୁଭବ ଶକ୍ତି ଥାଏ। ମନରେ ଅନୁମାନ ଶକ୍ତି ଥାଏ। ଈଶ୍ୱରଙ୍କୁ ଅନୁମାନ ଶକ୍ତି ଦ୍ୱାରା ବୁଝିହୁଏ ନାହିଁ, ତେଣୁ ମନ ଦ୍ୱାରା ବୁଝିହୁଏ ନାହିଁ। ଈଶ୍ୱରାନୁଭବ ବଚନର ବିଷୟ ନୁହେଁ। ତାଙ୍କ ପାଇଁ ଯେଉଁ ଭାଷା ଲୋଡା ତାହା ହେଉଛି ନୀରବତାର ଭାଷା, କୃତଜ୍ଞତାର ଭାଷା।

ଭୂତାତ୍ତ୍ୱିକ ଗବେଷଣାର ଗତି

ଭୂତାତ୍ତ୍ୱିକ ଗବେଷଣାର ଗତି

ଭୂତତ୍ତ୍ୱ ବିଜ୍ଞାନ ଏକ ସର୍ବପୁରାତନ ବୈଜ୍ଞାନିକ ଚିନ୍ତାଧାରା ଓ କ୍ରମବିକଶିତ ବିଷୟ ଭାବେ ପରିଗଣିତ। ପୃଥିବୀପୃଷ୍ଠରେ ମଣିଷର ଆବିର୍ଭାବ ଏବଂ ତା’ର କ୍ରମବିକାଶରେ ଯେଉଁସବୁ ସମସ୍ୟା ଗତିରୋଧ କରିଥିଲା, ତା’ଉପରେ ଚିନ୍ତନ, ତା’ର ସମାଧାନର ପନ୍ଥା ନିର୍ଦ୍ଧାରଣ କରୁ କରୁ ଧ୍ରୁବିତ ଜ୍ଞାନର ପରିପ୍ରକାଶ ଘଟିଥିଲା ଭୂବିଜ୍ଞାନ ଆକାରରେ। ଭୂତତ୍ତ୍ୱ ବିଜ୍ଞାନ ଅନ୍ତର୍ଗତ ସର୍ବପୁରାତନ ଚିନ୍ତାଧାରା-ବିଚାରର ମନ୍ଥର ଗତି ଆଢୁଆଳରେ ଆଧୁନିକ ଭୂବିଜ୍ଞାନର ବିକାଶକୁ ଅନ୍ତତଃପକ୍ଷେ ୫୦୦ ବର୍ଷ ଲାଗିଯାଇଛି।

ଏଇ ଭାରତରେ

ଶାରୀରିକ ଓ ମାନସିକ ଭିନ୍ନକ୍ଷମ ଛାତ୍ରୀଛାତ୍ର ପରୀକ୍ଷା ଦେବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବିଶେଷକରି ଦୃଷ୍ଟିହୀନ ଓ ମାନସିକ ସ୍ତରରେ ଦୁର୍ବଳ ଥିବା ପରୀକ୍ଷାର୍ଥୀଙ୍କ ଖାତାରେ ଲେଖିବା ପାଇଁ ଲେଖକଙ୍କୁ ଅନୁମତି ଦିଆଯାଇଥାଏ। ପରୀକ୍ଷାର୍ଥୀ ଯାହା ଡାକନ୍ତି ଲେଖକ ତାହା ଖାତାରେ ଲେଖିଥାନ୍ତି। କର୍ନାଟକ ରାଜଧାନୀ ବାଙ୍ଗାଲୋରଠାରେ ଏନ୍‌ ଏମ୍‌ ପୁଷ୍ପା ପ୍ରେୟା ନାମ୍ନୀ ଜଣେ ମହିଳା ୧୦ ବର୍ଷ ମଧ୍ୟରେ ୬୫୭ଟି ପରୀକ୍ଷାରେ ଅନ୍ୟମାନଙ୍କ ପାଇଁ ଲେଖି ଉଦାହରଣ ପାଲଟିଛନ୍ତି।

କଶ୍ମୀର ହିଂସା

କଶ୍ମୀର ହିଂସା

ଆକାର ପଟେଲ/ ମୁଁ କଶ୍ମୀର ହିଂସା ବିଷୟରେ ଲେଖୁଛି ଏବଂ ବିଶେଷତଃ ଭାରତୀୟ ତରୁଣମାନଙ୍କୁ ସମ୍ବୋଧିତ କରିବାକୁ ଚାହୁଁଛି, ଯେଉଁମାନେ ଏକପାଖିଆ କାହାଣୀ ଶୁଣିଛନ୍ତି। ଗତ କିଛିଦିନ ହେଲା କଶ୍ମୀରର ତିନିଜଣ ଲୋକଙ୍କୁ ହତ୍ୟାକରିବା ଅଭିଯୋଗରେ କେତେକ ସେନା କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିବାକୁ କେନ୍ଦ୍ର କରି କ୍ରୋଧ ଓ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିକ୍ରିୟାରେ ସୈନିକମାନଙ୍କର କେତେକ ପିଲା ମଧ୍ୟ ପଦକ୍ଷେପ ନେବା ପାଇଁ ଆଗେଇ ଆସିଛନ୍ତି। ଯବାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦିଆଯିବା ଏବଂ ପଥର ଫିଙ୍ଗାଳିଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ଯେତେବେଳେ ଜମ୍ମୁ-କଶ୍ମୀରରେ ଏକ ସରଗରମ ପ୍ରସଙ୍ଗରେ ପରିଣତ ହୋଇଛି, ସେତେବେଳେ ଦୁଇଜଣ ସେନା ଅଧିକାରୀଙ୍କ ପିଲା ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଯବାନଙ୍କ ମାନବାଧିକାର ସୁରକ୍ଷା ପାଇଁ ଦାବି କରିଛନ୍ତି, କାରଣ ପଥର ଫିଙ୍ଗାଳିଙ୍କ ଦ୍ୱାରା ଏହି ଅଧିକାର ପ୍ରତିଦିନ ଉଲ୍ଲଂଘନ ହେଉଛି। ପ୍ରୀତି, କାଜଲ ଓ ପ୍ରଭବ ହେଉଛନ୍ତି ଦୁଇଜଣ ଲ୍ୟୁଟନାଣ୍ଟ କଲୋନେଲ ଓ ଜଣେ ଅବସରପ୍ରାପ୍ତ ନାଏବ ସୁବେଦାରଙ୍କ ଝିଅପୁଅ। ସେମାନେ ଜାତୀୟ ମାନବାଧିକାର କମିଶନ ମୁଖ୍ୟ ଜଷ୍ଟିସ୍‌ ଏଚ୍‌.ଏଲ୍‌. ଦତ୍ତୁଙ୍କ ଆଗରେ ଯେଉଁ ଅଭିଯୋଗ ଦାଖଲ କରିଛନ୍ତି, ସେଥିରେ କମିଶନ ତଥା ଆମ୍‌ନେଷ୍ଟି ଇଣ୍ଟରନ୍ୟାଶ୍‌ନାଲ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କ ମାନବାଧିକାର ସୁରକ୍ଷା ନେଇ ଯେଉଁ ପଦକ୍ଷେପ ନିଆଯାଉଛି, ତାକୁ ସ୍ବାଗତ କରିଛନ୍ତି। କିନ୍ତୁ ପଥର ଫିଙ୍ଗାଳିମାନଙ୍କ ଦ୍ୱାରା ସେନା କର୍ମଚାରୀଙ୍କ ଜୀବନ ପ୍ରତିଦିନ ବିପନ୍ନ ହେଉଥିଲେ ମଧ୍ୟ ମାନବାଧିକାର ସଂସ୍ଥା ତାହାକୁ ଅଣଦେଖା କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ, ସ୍ବାଧୀନତା ପରଠାରୁ ଜମ୍ମୁ-କଶ୍ମୀରରେ ଏକ ପ୍ରକାର ଛୋଟକାଟର ଯୁଦ୍ଧ ଚାଲିଛି ଏବଂ ରାଜ୍ୟର ଆଇନଶୃଙ୍ଖଳା ରକ୍ଷା କରିବା ଓ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସେନା ମୁତୟନ ସହ ଆଫ୍‌ସ୍ପା ଆଇନ ଲାଗୁ କରାଯାଇଛି। ...

ପରୋପକାରଃ ସ୍ବର୍ଗାୟ

ପରୋପକାରଃ ସ୍ବର୍ଗାୟ

ପ୍ରକାଶ ତ୍ରିପାଠୀ/ ଗତ ଏପ୍ରିଲ ମାସର କଥା। ସମୟ ପୂର୍ବାହ୍ନ ସାଢେ ଏଗାରଟା। ମୁଣ୍ଡଫଟା ଖରା ସାଙ୍ଗକୁ ଗରମପବନରେ ଦେହ-ମୁହଁ ପୋଡିଯାଉଥାଏ। ରାମ ମନ୍ଦିର ଛକରୁ ବାଣୀବିହାର ରାସ୍ତାରେ ମୁଁ ଯାଉଥାଏ। ରୁପାଲିଛକ ଟ୍ରାଫିକରେ ଅଟକିବାକୁ ପଡିଲା। ମୋର ଡାହାଣପଟେ ଗୋଟିଏ ବାଇକ ଅଟକିଲା। ସେଥିରେ ବସିଥାନ୍ତି ଦୁଇଜଣ ଯୁବକ। ବୟସ ଅତି ବେଶି ହେଲେ କୋଡିଏ କିମ୍ବା ଏକୋଇଶ ହେବ। କାନ୍ଧରେ ଏକ ଝୁଲାମୁଣି ଓ ହାତରେ କେତୋଟି ଲମ୍ବା ଡଟ୍‌ପେନ୍‌ ଧରି ଜଣେ ବୃଦ୍ଧା ସେହି ଯୁବକଦ୍ୱୟଙ୍କୁ ଡଟ୍‌ପେନ୍‌ କିଣିବାକୁ ଅନୁରୋଧ କଲେ। ଆଜିକାଲି ଟ୍ରାଫିକ ପୋଷ୍ଟ ପାଖରେ ବହୁ ଜିନିଷ କିଣିବାକୁ ମିଳୁଛି। ବାଇକ ପଛରେ ବସିଥିବା ଯୁବକ ଜଣକ ପଚାରିଲେ-ମାଉସୀ, ତୁମ ପାଖରେ ଥିବା ସବୁ ଡଟ୍‌ପେନ୍‌ ମୋତେ ଦେଇଦିଅ ଓ କେତେଟଙ୍କା ଦେବି ଶୀଘ୍ର କୁହ। ବୃଦ୍ଧା ଜଣକ ନିଜ ଝୁଲାମୁଣିରେ ଥିବା ସମସ୍ତ ପ୍ୟାକେଟ ଓ ହାତରେ ଧରିଥିବା ପେନ୍‌ ତକ ଯୁବକଙ୍କୁ ଧରାଇଦେଇ ୯୮୦ ଟଙ୍କା ହେଉଛି ବୋଲି କହିଲେ। ତତ୍‌କ୍ଷଣାତ୍‌ ନିଜ ପର୍ସରୁ ଦୁଇଟି ପାଞ୍ଚଶହ ଟଙ୍କିଆ ନୋଟ୍‌ କାଢି ବୃଦ୍ଧାଙ୍କୁ ଧରାଇଦେଲେ ଓ ବଳକା ଟଙ୍କାରେ ସେ ଅନ୍ୟ କେଉଁଦିନ ପେନ୍‌ ନେଇଯିବେ ବୋଲି ଯୁବକ ଜଣକ କହିଲାବେଳକୁ ଟ୍ରାଫିକ ପୋଷ୍ଟରେ ଗ୍ରୀନ୍‌ ଲାଇଟ ଜଳିସାରିଥିଲା। ରୁପାଲିଛକରୁ କିଛିବାଟ ମୁଁ ସେହି ଯୁବକଦ୍ୱୟଙ୍କ ବାଇକ ସହ ସମାନ୍ତରାଳ ଭାବେ ଗାଡି ଚଳାଇଥିଲି ଓ ପେନ୍‌ କିଣା ପରବର୍ତ୍ତୀ ସେମାନଙ୍କର କଥୋପକଥନ ଶୁଣିବାକୁ ଚେଷ୍ଟା କଲି। ସେମାନଙ୍କ କଥା ଶୁଣି ମୋର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଏତେ ଛୋଟ ବୟସରେ ଏତେ ଉତ୍କୃଷ୍ଟ ଚିନ୍ତା, ଉନ୍ନତ ଭାବନା। ସେମାନଙ୍କ କଥାବାର୍ତ୍ତାର ସାରାଂଶ ଥିଲା ଏହିପରି। ଏପ୍ରିଲ ମାସ ଖରାରେ ଫ୍ୟାନ୍‌ ତଳେ ଘରେ ରହିହେଉନି। ସତୁରିବର୍ଷର ବୁଢ଼ୀଟିଏ କିପରି ଗୋଟିଏ ଛକ ଉପରେ ବିନା ଛତାରେ ଠିଆହୋଇ ଟ୍ରାଫିକରେ ଅଟକୁଥିବା ଯାତ୍ରୀମାନଙ୍କୁ ଡଟ୍‌ପେନ୍‌ ବିକ୍ରି କରିପାରୁଛି। ଗୋଟିଏ ଦିନ ପାଇଁ ହେଲେ ମଧ୍ୟ ସମସ୍ତ ଡଟ୍‌ପେନ୍‌ କିଣିନେଇ ବୃଦ୍ଧାଙ୍କୁ ବିଶ୍ରାମ କରାଇବାକୁ ପରୋକ୍ଷ ଭାବେ ବାଧ୍ୟ କରିଥିଲେ ଯୁବକ। ହଜାର ଟଙ୍କାର ଡଟ୍‌ପେନ୍‌କୁ ସେ ନିଜ କଲେଜ ହଷ୍ଟେଲର ଅନ୍ତେବାସୀମାନଙ୍କୁ ଦେଇ ପଇସା ଫେରିପାଇଯିବେ। ସାଙ୍ଗମାନେ ନିଜ ରୁମ୍‌ରେ ରହି ପେନ୍‌ ପାଇପାରିଲେ, ଯୁବକ ଜଣକ ନିଜ ପଇସା ବି ଫେରିପାଇଲେ ଓ ଖରାରେ ଦିନଯାକ ଠିଆହୋଇ ପେନ୍‌ ବିକୁଥିବା ବୃଦ୍ଧା ବି ଖରାଜନିତ ଯନ୍ତ୍ରଣାରୁ ଗୋଟିଏ ଦିନ ମୁକ୍ତି ପାଇଗଲେ। ବାଃ, କି ଚମତ୍କାର ଚିନ୍ତାଧାରା। ଯୁବକ ଜଣକ କାହାକୁ କିଛି ଦାନ କରିନାହାନ୍ତି। କେବଳ ଏକ ମହତ୍‌ ଉଦ୍ଦେଶ୍ୟରେ ଜଣେ ସତୁରିବର୍ଷର ବୃଦ୍ଧାଙ୍କୁ ଛୋଟ ଉପକାରଟିଏ କରିଛନ୍ତି। ...

କ୍ରୀଡ଼ା ପ୍ରଶାସିକା

କ୍ରୀଡ଼ା ପ୍ରଶାସିକା

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ହେବା ପାଇଁ ଦରକାର କଠୋର ଅଧ୍ୟବସାୟ। ଜୀବନରେ ଯେଉଁମାନେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆଗେଇ ଚାଲିଥାନ୍ତି, ସେହିମାନେ ହିଁ ସଫଳତା ପାଇଥାନ୍ତି। ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ତଥା ପେପ୍‌ସିକୋ ଅଧ୍ୟକ୍ଷା ଇନ୍ଦ୍ରା ନୁୟି ଏବେ ଚର୍ଚ୍ଚାକୁ ଆସିଛନ୍ତି। ବ୍ୟବସାୟିକ ସଂସ୍ଥାର ମୁଖ୍ୟ ଭାବେ ନୁହେଁ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପ୍ରଥମ ସ୍ବାଧୀନ ମହିଳା ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇବା ପରେ ତାଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଛି। ଆଇସିସିର ନିୟମ ଅନୁଯାୟୀ ସ୍ବାଧୀନ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଦୁଇ ବର୍ଷ। ଅବଧି ବଢ଼ାଯାଇ ଜଣେ ଏହି ପଦବୀରେ ୬ ବର୍ଷ ରହିପାରିବାର ବ୍ୟବସ୍ଥା ରହିଛି। ନୁୟିଙ୍କ ନିଯୁକ୍ତି ପରେ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର କହିଛନ୍ତି ଯେ ତାଙ୍କ ଭଳି ଜଣେ ଦକ୍ଷ ମହିଳା ଅନ୍ତର୍ଜାତୀୟ କ୍ରିକେଟ ପ୍ରଶାସନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଇନ୍ଦ୍ରା କ୍ରିଷ୍ଣାମୂର୍ତ୍ତି ନୁୟି ୧୯୫୫ ଅକ୍ଟୋବର ୨୮ରେ ତାମିଲନାଡୁ ରାଜଧାନୀ ମାଡ୍ରାସର ଏକ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ। ହୋଲି ଏଞ୍ଜେଲ୍‌ ଆଙ୍ଗ୍‌ଲୋ ଇଣ୍ଡିଆନ୍‌ ହାୟର ସେକେଣ୍ଡାରୀ ସ୍କୁଲରୁ ପଢ଼ା ସାରି ମାଡ୍ରାସ ଖ୍ରୀଷ୍ଟିଆନ୍‌ କଲେଜରୁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ୧୯୭୬ରେ କଲିକତାସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌)ରୁ ଏମ୍‌ବିଏ ଡିଗ୍ରୀ ଅର୍ଜନ କରିଥିଲେ। ବୃତ୍ତିଗତ ଶିକ୍ଷାରେ ଉତ୍କର୍ଷ ଲାଭ କରିବା ପରେ ସେ ଭାରତରେ ଜନ୍‌ସନ ଆଣ୍ଡ୍‌ ଜନ୍‌ସନ ଏବଂ ବୟନ କମ୍ପାନୀ ମେଟୁର ବର୍ଡସେଲ୍‌ରେ ପ୍ରଡକ୍ଟ ମ୍ୟାନେଜର ପଦବୀରେ ଅବସ୍ଥାପିତ ହୋଇଥିଲେ। ୧୯୭୮ରେ ଆମେରିକାର ୟେଲ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟରେ ନାମ ଲେଖାଇ ପବ୍ଲିକ୍‌ ଆଣ୍ଡ୍‌ ପ୍ରାଇଭେଟ ମ୍ୟାନେଜମେଣ୍ଟ ଡିଗ୍ରୀ କରିଥିଲେ। ପରେ ବୁଜ୍‌ ଏଲେନ୍‌ ହାମିଲ୍‌ଟନରେ ଇଣ୍ଟର୍ନଶିପ୍‌ କରିବାର ସୁଯୋଗ ପାଇଥିଲେ। ୧୯୮୦ରେ ନୁୟି ବୋଷ୍ଟନ କନ୍‌ସଲ୍ଟିଂ ଗ୍ରୁପ୍‌ (ବିସିଜି)ରେ ଯୋଗଦେଇଥିଲେ। ବାଣିଜ୍ୟ ଦୁନିଆର ବିଭିନ୍ନ ବିଭାଗରେ ଅଭିଜ୍ଞତା ହାସଲ କରିଚାଲିଥିବା ନୁୟି ମୋଟୋରୋଲା ଓ ବ୍ରାଉନ୍‌ ବେଭେରିର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମଣ୍ଡନ କରି ଜଣେ କର୍ପୋରେଟ ମହିଳା ଭାବେ ପାରଦର୍ଶିତା ଲାଭ କରିଥିଲେ। ୧୯୯୪ରେ ତାଙ୍କୁ ପେପ୍‌ସିକୋରେ ଯୋଗଦେବାର ସୁଯୋଗ ମିଳିଥିଲା। ୨୦୦୧ରେ ସେ ଏହାର ସିଏଫ୍‌ଓ ହୋଇଥିଲେ। ତେବେ ୨୦୦୬ରେ ଷ୍ଟିଭେନ୍‌ ରିନେମଣ୍ଡ୍‌ଙ୍କ ସ୍ଥାନରେ ନୁୟି ପେପ୍‌ସିକୋର ଅଧ୍ୟକ୍ଷା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀକୁ ଉନ୍ନୀତ ହୋଇଥିଲେ। କାର୍ଯ୍ୟ ପ୍ରତି ଐକାନ୍ତିକ ନିଷ୍ଠା ବ୍ୟବସାୟିକ ଦୁନିଆରେ ତାଙ୍କୁ ପ୍ରସିଦ୍ଧି ଆଣିଦେଇଥିଲା। ଫଳରେ ୨୦୧୪ରେ ଫର୍ଚୁନ୍‌ ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ତୃତୀୟ ଶ୍ରେଷ୍ଠ କ୍ଷମତାଶାଳୀ ମହିଳା ହେବାର ଗୌରବ ଅର୍ଜନ କରିଥିଲେ। କେବଳ ସେତିକି ନୁହେଁ, ବିଭିନ୍ନ ସମୟରେ ଫୋର୍ବସ ପତ୍ରିକାଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସ୍ତରରେ ବହୁ ପୁରସ୍କାର ଓ ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। ...

ଏଇ ଭାରତରେ

ଏଇ ଭାରତରେ

ସରକାରଙ୍କ ଆଧାର ଭୂତ ସମ୍ଭବତଃ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଘାରିଛି। ସୁପ୍ରିମକୋର୍ଟରେ ଆଧାର ମାମଲା ଝୁଲୁଥିବାବେଳେ ସରକାର ସର୍ବତ୍ର ଏହାକୁ ପ୍ରାୟତଃ ବାଧ୍ୟତାମୂଳକ କରିସାରିଲେଣି। ଆଧାର ନମ୍ବର ସଂଯୋଗ ନ ହେଲେ କିମ୍ବା ଆଧାର କାର୍ଡ ନ ଦେଖାଇ କୌଣସି କାମ ହେଉନାହିଁ। ଏପରି କି ଅସହ୍ୟ ପ୍ରସବ କଷ୍ଟ ଭୋଗ କରୁଥିବା ମହିଳାଙ୍କୁ ମଧ୍ୟ ପ୍ରସୂତି କୋଠରିକୁ ଯିବାକୁ ଅନୁମତି ମିଳୁନାହିଁ । ଏମିତି ଘଟଣା ଘଟିଛି ଗୁର୍‌ଗାଓଁସ୍ଥିତ ଏକ ହସ୍ପିଟାଲରେ। ଆଧାର କାର୍ଡ ନ ଥିବାରୁ ଜଣେ ଆସନ୍ନପ୍ରସବାଙ୍କୁ ପ୍ରସୂତି ଗୃହକୁ ପଶାଇ ଦିଆ ନ ଯିବାରୁ ସେ ଡାକ୍ତରଖାନାର ଜରୁରିକାଳୀନ ଓ୍ବାର୍ଡ ବାହାରେ ସନ୍ତାନ ଜନ୍ମ ଦେଇଛନ୍ତି। ଶନିବାର ସକାଳେ ମୁନି କଓ୍ବୋଟ ନାମକ ଜଣେ ମହିଳା ପ୍ରସବ କଷ୍ଟ ପାଇ ଉକ୍ତ ହସ୍ପିଟାଲକୁ ଆସିଥିଲେ। ଲେବର ରୁମ୍‌ରେ ତାଙ୍କୁ ଭର୍ତ୍ତି କରିବା ସକାଶେ ଡାକ୍ତର ଆଧାର କାର୍ଡ ଦେଖାଇବାକୁ ବାଧ୍ୟ କରିଥିଲେ। ମାତ୍ର ତାଙ୍କ ନିକଟରେ ଆଧାର କାର୍ଡ ନ ଥିଲା। ମୁନିଙ୍କ ସ୍ବାମୀ ଅରୁଣ ଆଧାର ନମ୍ବର ଦେଇପାରିବେ ବୋଲି କହିଥିଲେ ଏବଂ ପରେ ଆଧାରକାର୍ଡର ନକଲ ଦାଖଲ କରିଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସ ତାହା ମାନିଲେ ନାହିଁ। କାର୍ଡର ଜେରକ୍ସ କପି ଦରକାର ବୋଲି ଡାକ୍ତର ଅଡିବସିଲେ। ଶେଷରେ ଅରୁଣ ତାଙ୍କ ଆଧାରକାର୍ଡର ନକଲ ଆଣିବା ସକାଶେ ନିକଟବର୍ତ୍ତୀ ଏକ କମ୍ପ୍ୟୁଟର ଦୋକାନକୁ ଯାଇଥିଲେ। ଏହି ସମୟରେ ହିଁ ମୁନି ଜରୁରିକାଳୀନ ଓ୍ବାର୍ଡ ସମ୍ମୁଖରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ଏ ସମ୍ପର୍କରେ ଗୁର୍‌ଗାଓଁ ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ସେହି ଡାକ୍ତର ଓ ନର୍ସଙ୍କୁ ନିଲମ୍ବିତ କରାଯାଇଛି।

କ୍ଷେତ୍ରାଧିକାର ଲଢ଼େଇ

କ୍ଷେତ୍ରାଧିକାର ଲଢ଼େଇ

ଦିଲ୍ଲୀକା ବାବୁ-ଦିଲୀପ ଚେରିଏନ୍‌/ ମହାରାଷ୍ଟ୍ରରେ ପରିବହନ କମିଶନର ଓ ଅବକାରୀ କମିଶନର ପଦବୀକୁ ନେଇ ଦୁଇମାସ ହେଲା ଆଇଏଏସ୍‌ ଓ ଆଇପିଏସ୍‌ ଲବି ମଧ୍ୟରେ ଲଢ଼େଇ ଲାଗି ରହିଛି। ଆଇପିଏସ୍‌ ଲବି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ ଦେଇଥିବା ବିବୃତି ଅନୁସାରେ, ଅନ୍ୟ କେତେକ ରାଜ୍ୟ ପରି ଏହି ପଦବୀଗୁଡ଼ିକରେ ଆଇପିଏସ୍‌ ଅଫିସର ନିଯୁକ୍ତି ପାଇବା ଉଚିତ। କିନ୍ତୁ ଆଇଏଏସ୍‌ ଲବି ଦଖଲ ଛାଡ଼ିବାକୁ ନାରାଜ। ସୂଚନା ଅନୁସାରେ, ଦୁଇମାସ ତଳେ ପୋଲିସ ମହାନିର୍ଦ୍ଦେଶକ ସତୀଶ ମାଥୁର ଆଇପିଏସ୍‌ ଅଫିସରଙ୍କ ନିଯୁକ୍ତି ସପକ୍ଷରେ ପ୍ରସ୍ତାବ ଦେଇଥିଲେ। ମାଥୁରଙ୍କ ଯୁକ୍ତି ଥିଲା ପରିବହନ ଓ ଅବକାରୀ ଉଭୟ ସେବା ଏକା ପ୍ରକାରର, ପୋଲିସ ସେବା ପରି। ଏଥିରେ ମଧ୍ୟ ଆଇନଶୃଙ୍ଖଳା ରକ୍ଷା କରିବାକୁ ପଡ଼ିଥାଏ। ତେଣୁ ଆଇନଶୃଙ୍ଖଳା ରକ୍ଷାର ଅଭିଜ୍ଞତା ଥିବା ଅଫିସରଙ୍କ ଦ୍ୱାରା ଏହି ବିଭାଗଗୁଡ଼ିକ ଅଧିକ ଭଲ ଭାବରେ ପରିଚାଳିତ ହୋଇପାରିବ। କିନ୍ତୁ ଆଇଏଏସ୍‌ ଲବି ନିଜ କ୍ଷେତ୍ରାଧିକାରକୁ ସୁରକ୍ଷା ଦେବାକୁ ସତତ ଚେଷ୍ଟିତ। ତାଙ୍କର ଯୁକ୍ତି ହେଲା, ଯେହେତୁ ପରିବହନ ଓ ଅବକାରୀ କମିଶନର ପଦବୀ ଆଇଏଏସ୍‌ ଅଫିସରଙ୍କୁ ଦିଆଯାଇଛି, ଏଥିରେ କିଛି ପରିବର୍ତ୍ତନ କରିବାକୁ ହେଲେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର ଅନୁମତି ଦରକାର। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ପ୍ରସଙ୍ଗରେ ସତର୍କତାର ସହ ପଦକ୍ଷେପ ନେଉଛନ୍ତି। ତେବେ ପ୍ରୋଟୋକଲ ବିଭାଗରେ ଜଣେ ଆଇପିଏସ୍‌ ଅଫିସରଙ୍କ ପାଇଁ ଏକ ପଦବୀ ସୃଷ୍ଟି କରିବା ଏବଂ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରେ ଜଣେ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ ନିଯୁକ୍ତି ଦେବା ପ୍ରସ୍ତାବ ଗୃହୀତ ହୋଇସାରିଛି। ...

ଶିବଙ୍କ ସାପ

ଶିବଙ୍କ ସାପ

ମନମାନଚିତ୍ର-ଡ. ନରହରି ବେହେରା/ ଶିବଙ୍କ ପରିବାରକୁ ଦେଖି କେହି ଜଣେ ପଣ୍ଡିତ ନିଜ ମଗଜରୁ ଶ୍ଳୋକଟିଏ ଲେଖିଥିଲେ- ‘ସ୍ମାରଂ ସ୍ମାରଂ ସ୍ବଗୃହଚରିତଂ ଶିଳାଭୂତୋ ମହେଶଃ।’ ଅର୍ଥାତ୍‌ ଘର ଭିତରେ ବିଭିନ୍ନ ବିପରୀତଧର୍ମୀ ଚରିତ୍ରମାନଙ୍କ ବିଷୟରେ ଚିନ୍ତା କରି କରି କାଳେ ଶିବ ମହାପୁରୁ ପଥର ପାଲଟିଗଲେଣି। ଶିବଙ୍କ ଗଳାରେ ସାପ, ତାଙ୍କ ବାହନ ବୃଷଭ, ମାଆ ପାର୍ବତୀଙ୍କ ବାହନ ସିଂହ, ସାନପୁଅ ଗଣେଶଙ୍କ ବାହନ ମୂଷା ପୁଣି ବଡ଼ପୁଅ କାର୍ତ୍ତିକେୟଙ୍କ ବାହନ ମୟୂର ଗୋଟିଏ ପରିବାର ଭିତରେ ଅଛନ୍ତି। ସାପ-ମୂଷା, ବୃଷଭ-ସିଂହ ଏବଂ ମୟୂର-ସାପ ମଧ୍ୟରେ ଖାଦ୍ୟ-ଖାଦକ ସମ୍ପର୍କ। ସେମାନେ ପରସ୍ପରର ଶତ୍ରୁ। ତେଣୁ ଏମାନଙ୍କୁ ସମ୍ଭାଳିବା ବହୁତ କଷ୍ଟକର ବ୍ୟାପାର। ଆମ ଘରେ ଗୋଟିଏ ରକ୍ତର ହୋଇ ବି ଭାଇଭଉଣୀ, କକାଖୁଡ଼ୀଙ୍କ ସହିତ ପ୍ରତ୍ୟେକ ଦିନ ମାରପିଟ୍‌ କଳିତକରାଳ ଲାଗୁଛି। ଶିବ ତାଙ୍କ ପରିବାରରେ ଏପରି ବିରୋଧୀ ଚରିତ୍ରଗୁଡ଼ିକ କଥା ଭାବି ଭାବି ଚିନ୍ତାରେ ପଥର ପରି ନିଶ୍ଚୟ ହୋଇ ଯାଉଥିବେ। ପଣ୍ଡିତଙ୍କ ମଗଜ ପରି ଆମର ବହଳିଆ ମଗଜ ନାହିଁ। ଆମେ ଜାଣୁ, ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ସୁଖରେ ଜିଇବା ହିଁ ମହାପୁରୁଷଙ୍କର ଧର୍ମ- ଜଗତ୍‌ବାସୀଙ୍କୁ ଏ ଶିକ୍ଷା ଦେବା ପାଇଁ ଶିବ ମହାପୁରୁଙ୍କର ହିଁ ଏହି ପରିବାର। ଶିବ ତ ଭୋଳା ଲୋକ। ଜପଧ୍ୟାନରେ ତାଙ୍କର ମନ। ସେ କାହିଁକି ବା ଏମିତି ବାଉଳା ହେବେ? ସେ ତ ସ୍ଥିର ଧ୍ୟାନମଗ୍ନ। ଶିବବାବା ସିନା ସ୍ଥିର ହେଲେ ତାଙ୍କ ଗଳାରେ ଥିବା ସାପଟା ସବୁବେଳେ ଏଣେତେଣେ ଚାହିଁ ଫଁ ଫଁ ହେଉଥାଏ। ଏମିତି ହେବା ସ୍ବାଭାବିକ। ସେ ପରା ଶିବଙ୍କର ସାପ! ପଣ୍ଡିତେ ଆଜ୍ଞା ସିନା ଶିବଙ୍କ କଥା ଲେଖିପକାଇଲେ ହେଲେ ତାଙ୍କ ଗଳାରେ ଥାଇ ନିଜର ବହପ ଦେଖାଉଥିବା ସାପ କଥାଟିକୁ ଭୁଲିଗଲେ। ଓଲଟି ସେ ପ୍ରଶ୍ନ କରିପାରନ୍ତି ସାପ ତ ସାପ ଫେର୍‌ ଏ ଶିବଙ୍କ ସାପ କ’ଣ ଯେ ତାଙ୍କ ବିଷୟରେ ପୁଣି ଲେଖିବୁ? ଆମେ ଜାଣୁ ଦେଶ ବିଦେଶରେ ଅନେକ ପ୍ରଜାତିର ସାପ ଅଛନ୍ତି। ସେମାନେ ସମସ୍ତେ ଶିବଙ୍କ ଗଳାରେ ସ୍ଥାନ ପାଇ ନାହାନ୍ତି। ତେଣୁ ସେମାନେ ଶିବଙ୍କ ସାପ ହୋଇ ନ ପାରି ଭୟରେ କୋଉ ଗାତ କି ଗଛ କୋରଡ଼ରେ ଜୀବନ ବିତାଉଛନ୍ତି। କିନ୍ତୁ ଯେଉଁମାନେ ଶିବଙ୍କ ଦୟାରୁ ତା’ଙ୍କ ଗଳାରେ ସ୍ଥାନ ପାଇଗଲେ ସେମାନେ ଶିବଙ୍କ ସାପର ମାନ୍ୟତା ପାଇଗଲେ, ତାଙ୍କର ବହପ ବଢ଼ିଗଲା। ସେମାନେ କାହାକୁ ଡରିବେ କିଆଁ? ନିପଟ ମଫସଲରୁ ଆସି ହାକିମ କି ନାମକରା ଡାକ୍ତରଙ୍କ ଦୁଆର ଜଗୁଥିବା ନଡ଼ବଡ଼ିଆ ଟୋକାଟାଠାରୁ ଯେଉଁମାନେ ତା’ର ପାନଖିଆ ଦାନ୍ତ ଦେଖିଥିବେ, ଆଉ ତାଙ୍କଠାରୁ ଖିଙ୍କାରି ହୋଇ ମରମଜଳା କଥା ଶୁଣିଥିବେ ସେମାନେ ନିଶ୍ଚୟ ଏ ଶିବଙ୍କ ସାପ କଥା ଅନୁମାନ କରି ପାରୁଥିବେ। ସାଧାରଣ ମଣିଷ ସଂସ୍ପର୍ଶରେ ଆସି ଯଦି ଏ ଟୋକାଟା ଏପରି ବହପ ଦେଖାଇପାରେ, ସ୍ବୟଂ ମହାଦେବ, ବିଶ୍ୱକୁ ମୁହୂର୍ତ୍ତକ ମଧ୍ୟରେ ପାଉଁଶ କରିଦେବାର କ୍ଷମତା ଯାହାଙ୍କର ଅଛି, ତାଙ୍କ ଗଳାରେ ହାରପରି ଶୋଭାପାଉଥିବା ସାପବାପୁଡ଼ାର କି ବହପ ହେଉ ନ ଥିବ ଏକଥା ଅନୁମାନ କରିବା କଥା। ପଣ୍ଡିତେ ସିନା ଏତେବଡ଼ ଦୃଶ୍ୟଟାକୁ ଅଣଦେଖା କରିଦେଲେ, କିନ୍ତୁ ଓଡ଼ିଶାର କବିବର ରାଧାନାଥଙ୍କ ଆଖିରୁ ସେ ଦୃଶ୍ୟଟା ଖସିଗଲା ନାହିଁ। ସେ ଦେଖିଲେ ଏବଂ ଲେଖିଲେ- ‘ଗରୁଡ଼ ଉପରେ ଦେଖାନ୍ତି ପ୍ରତାପ, ସେ ଯେଣୁ ଅଟନ୍ତି ଶିବଙ୍କର ସାପ।’ ...

ସତ୍‌ସଙ୍ଗ ଚାହେଁ ମଣିଷ

ସତ୍‌ସଙ୍ଗ ଚାହେଁ ମଣିଷ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ/ ଭାରତବର୍ଷକୁ ଧର୍ମଭୂମି ବା ଦେବଭୂମି କୁହାଯାଏ। ପ୍ରାଚୀନ ଭାରତୀୟ ସଂସ୍କୃତି ଥିଲା ଗୁରୁକୈନ୍ଦ୍ରିକ ବା ଆଦର୍ଶକୈନ୍ଦ୍ରିକ। ସେହି ଋଷିପ୍ରତୀମ ଗୁରୁମାନଙ୍କୁ ବାସ୍ତବ ଜୀବନରେ ଅନୁସରଣ କରି ଧର୍ମର ନୀତିନିୟମଗୁଡିକ ଭାରତୀୟମାନଙ୍କ ଜୀବନ ଏବଂ ଚରିତ୍ରରେ ବାସ୍ତବାୟିତ ହୋଇଉଠିଥିଲା। ଫଳରେ ସେମାନେ ସମ୍ପଦରେ, ସମୃଦ୍ଧିରେ, ଜ୍ଞାନରେ, ବିଜ୍ଞାନରେ, ଶୌର୍ଯ୍ୟ-ବୀର୍ଯ୍ୟରେ, ଆଚାର-ଆଚରଣରେ, ସର୍ବୋପରି ଚରିତ୍ରରେ ମହାନ୍‌ ହୋଇଉଠିଥିଲେ। କାରଣ ଧର୍ମ ହିଁ ଜୀବନକୁ ଧରି ରଖେ ଏବଂ ବୃଦ୍ଧିପଥରେ ନେଇଯାଏ, ତେଣୁ ଧର୍ମର ପାଳନ ଯଥାର୍ଥ ହେଲେ ଧର୍ମର ଅନୁଚର ଅର୍ଥାତ୍‌ ଅର୍ଥ, ଐଶ୍ୱର୍ଯ୍ୟ, ବୀର୍ଯ୍ୟ ଏବଂ ଅଭିବୃଦ୍ଧି ସ୍ବତଃ ହୋଇଉଠେ। ଆଜି କିନ୍ତୁ ଆମେ ଯେଉଁ ପୂଜାଉପାସନା ଏବଂ ଅନୁଷ୍ଠାନ-ସର୍ବସ୍ବ ଧର୍ମକୁ ସମ୍ବଳ କରିନେଇଛୁ, ତାହାକୁ ପ୍ରକୃତ ଧର୍ମର ସ୍ବରୂପ କୁହାଯାଇ ନ ପାରେ। ତେଣୁ ଆମର ଜୀବନ ଏବଂ ସମାଜର ଏହି ଦୟନୀୟ ଅବସ୍ଥାର ପରିବର୍ତ୍ତନ ପାଇଁ ବହୁ ଚିନ୍ତା କରି ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ମଣିଷର ବ୍ୟକ୍ତିଗତ, ପାରିବାରିକ ଏବଂ ସାମାଜିକ ଜୀବନରେ ଧର୍ମ ବା ଜୀବନବର୍ଦ୍ଧନର ନୀତିନିୟମଗୁଡିକ ବାସ୍ତବାୟିତ କରିବା ଉଦ୍ଦେଶ୍ୟରେ ସତ୍‌ସଙ୍ଗ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେ କହିଛନ୍ତି- ”ଧର୍ମ ଯଦି ନ ଫୁଟିଲା ତୋର ଜୀବନର ପ୍ରତି କର୍ମେ/ବାତିଲ କରି ରଖିଲୁ ତାକୁ, କି ହେବ ସେପରି ଧର୍ମେ?“ ଆମ ଜୀବନର ଛୋଟ ଛୋଟ କଥା ଭିତରେ ଲୁଚିରହିଛି ଧର୍ମର ପ୍ରକୃତ ତତ୍ତ୍ୱ। ଉଦାହରଣ ସ୍ବରୂପ ନିଜର ମାତାପିତାଙ୍କୁ ଶ୍ରଦ୍ଧା, ଭକ୍ତି, ସେବାଯତ୍ନ କଲେ ମଣିଷ ନିଜର କୃତଜ୍ଞତା ଧର୍ମ ପାଳନ କରି ଉନ୍ନତ ଜୀବନ ଓ ଚରିତ୍ରର ଅଧିକାରୀ ହୁଏ, କିନ୍ତୁ ମାତାପିତାଙ୍କୁ ଅବଜ୍ଞା ବା ଅବହେଳା କଲେ ଅକୃତଜ୍ଞତା ଦୋଷରୁ ତାହାର ଜୀବନ ଏବଂ ଚରିତ୍ରରେ ଅବକ୍ଷୟ ଘଟିଥାଏ। ଈଶ୍ୱର ହେଲେ ଧର୍ମସ୍ବରୂପ ଏବଂ ଈଶ୍ୱରାନତ ଆଚାର୍ଯ୍ୟ ବା ସଦ୍‌ଗୁରୁ ହିଁ ତାଙ୍କର ବ୍ୟକ୍ତମୂର୍ତ୍ତି। ଶ୍ରୀଶ୍ରୀଠାକୁର ସହଜ ଭାବରେ ପ୍ରତିଟି ମଣିଷକୁ ଜୀବନ ଧର୍ମର ଶିକ୍ଷା ଦେଇଛନ୍ତି- ପୁତ୍ରକନ୍ୟାଙ୍କୁ ଶିଖାଇଛନ୍ତି ପିତୃମାତୃ ଭକ୍ତି, ମାତାପିତାଙ୍କୁ ଶିଖାଇଛନ୍ତି ସନ୍ତାନଚର୍ଯ୍ୟା, ସ୍ତ୍ରୀକୁ ଶିଖାଇଛନ୍ତି ସ୍ବାମିନିଷ୍ଠା, ସ୍ବାମୀକୁ ଶିଖାଇଛନ୍ତି ପତ୍ନୀପ୍ରେମ, ଛାତ୍ରକୁ ଶିଖାଇଛନ୍ତି ଗୁରୁଭକ୍ତି, ଶିକ୍ଷକକୁ ଶିଖାଇଛନ୍ତି ଶିକ୍ଷକତା, କୃଷକକୁ କୃଷି, ବ୍ୟବସାୟୀକୁ ବ୍ୟବସାୟ, ନେତାକୁ ରାଜନୀତି, ରାଷ୍ଟ୍ରନୀତି, ଅର୍ଥନୀତି, ବୈଜ୍ଞାନିକକୁ ବିଜ୍ଞାନ, ଶାସକକୁ ଶାସନ, ବିଚାରକକୁ ବିଚାର, ଗୁରୁକୁ ଗୁରୁତ୍ୱ, ଶିଷ୍ୟକୁ ଶିଷ୍ୟତ୍ୱ, ତାପସକୁ ଶିଖାଇଛନ୍ତି ତପସ୍ୟା, ଅଧ୍ୟାତ୍ମବାଦୀକୁ ଅଧ୍ୟାତ୍ମଜ୍ଞାନ- ଏହିପରି ସମସ୍ତଙ୍କୁ ସବୁକିଛି। ତାଙ୍କର ଧର୍ମ-ଆନ୍ଦୋଳନ ହେଲା- ଏକ ଯୁକ୍ତିଯୁକ୍ତ, ବାସ୍ତବଧର୍ମୀ, ବିଜ୍ଞାନସମ୍ମତ, ଉଦାର, ପାରସ୍ପରିକ ପ୍ରୀତିସୌହାର୍ଦ୍ଦ୍ୟପୂର୍ଣ୍ଣ ମାନବିକତାର ଆନ୍ଦୋଳନ। ସେଥିରେ ସଂକୀର୍ଣ୍ଣ ସାମ୍ପ୍ରଦାୟିକତା ବା ଭେଦବୁଦ୍ଧିର ସ୍ଥାନ ନାହିଁ। ...

ଏଇ ଭାରତରେ

ଅବୋଧ ଶିଶୁର ଦରୋଟି ଓଠର ଖିଲିଖିଲି ହସ ଦେଖିବାକୁ ସୁନ୍ଦର। ଅବାଧ୍ୟ ଶିଶୁର ଅଝଟ, ଅଳିଅର୍ଦ୍ଦଳି ମଧ୍ୟ ମା’ ପାଇଁ ସୁଖ ଆଉ ସମ୍ପଦ। କିନ୍ତୁ ଶିଶୁ କୌଣସି କାରଣ ପାଇଁ ଯଦି ଅଝଟିଆ ହୋଇ କାନ୍ଦେ ତା’ ମନର କଥା ଆଉ ବ୍ୟଥାକୁ ବୁଝେ କିଏ? ମା’ ଛଡା ତା’ର ବା କିଏ ଅଛି ଅତି ଆପଣାର, ଅତି ନିଜର। କିନ୍ତୁ ଶିଶୁ କାନ୍ଦ କେତେକ ମା’ଙ୍କ ପାଇଁ ସମସ୍ୟାର କାରଣ ହୋଇଥାଏ। ସେଥିପାଇଁ ମା’ ଶତ୍ରୁ ପାଲଟିଯାଏ। ମା’ ଏତେମାତ୍ରାରେ ରାଗିଯାଏ ଯେ, ନିଜ ଛୁଆକୁ ମାରିଦେବାକୁ ମଧ୍ୟ ପଛାଏ ନାହିଁ। ଏପରି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଧର୍‌ ଜିଲାରେ। ଏହି ଜିଲା ଅନ୍ତର୍ଗତ ତାଲଓ୍ବାଡି ଗଁାର ଘଟଣା। ବର୍ଷକର ଏକ ଶିଶୁକନ୍ୟା ବାରମ୍ବାର କାନ୍ଦିବାରୁ ତା’ର ମା’ ତାକୁ ମାରୁମାରୁ ମାରିଦେଇଛି। ଉକ୍ତ ମହିଳାଙ୍କ ନାମ ଅନୀତା ସିଂ (୨୫)। ଫେବୃୟାରୀ ୭ରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ଅତିରିକ୍ତ ଏସ୍‌ପି ରାୟସିଂ ନରଭରିଆ ପ୍ରକାଶ କରିଛନ୍ତି। ଉକ୍ତ ମହିଳାଙ୍କ ଶାଶୁଙ୍କ କହିବାନୁଯାୟୀ, ଗେହ୍ଲା ନାତୁଣୀ ତା’ ମା’ କୋଳକୁ ଯିବାକୁ ରାହା ଧରୁଥିଲା। ଏଥିରେ ଅନୀତା ରାଗିଯାଇ ଘର ଭିତରକୁ ନେଇଗଲା। ନାତୁଣୀର କାନ୍ଦ ବନ୍ଦ ହୋଇଯିବା ପରେ ସେ ତରବର ହୋଇ ବାହାରକୁ ଚାଲିଆସିଲା। ସନ୍ଦେହ ହେବାରୁ ଯାଇ ଦେଖିବା ବେଳକୁ ସବୁକିଛି ସରିଯାଇଥିଲା। ନାତୁଣୀ ଆଉ ଜୀବନରେ ନ ଥିଲା। ଏ କଥା ଶୁଣି ପାଖପଡୋଶୀ ଲୋକେ ଠୁଳ ହୋଇଗଲେ। ଶିଶୁକନ୍ୟାର ଗଳା ଦଉଡ଼ିରେ ଭିଡାଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ପୋଲିସ ଅନୀତାକୁ ଗିରଫ କରିଛି। ବାରମ୍ବାର ଝିଅ କାନ୍ଦିବାରୁ ଏଥିରେ ଅସହ୍ୟ ହୋଇ ତାକୁ ମାରିଦେଇଥିବା ଅନୀତା ସ୍ବୀକାର କରିଛି। ପରବର୍ତ୍ତୀ ତଦନ୍ତ ଜାରି ରହିଛି।

ଆଜିର ଅର୍ଥନୀତି/ ଏମ୍‌ଏସ୍‌ପି ଢିଙ୍କିଆ

ଆଜିର ଅର୍ଥନୀତି/ ଏମ୍‌ଏସ୍‌ପି ଢିଙ୍କିଆ

କେନ୍ଦ୍ର ସରକାର କୃଷକଙ୍କ ଉତ୍ପାଦିତ ଖାଦ୍ୟଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉତ୍ପାଦନ ମୂଲ୍ୟର ଦେଢ଼ଗୁଣକୁ ବୃଦ୍ଧି କରିବାକୁ ଯାହା ଘୋଷଣା କରିଛନ୍ତି, ତାହା ଲୋକଦେଖାଣିଆ ଓ ବାସ୍ତବତାଠାରୁ ଦୂରରେ। ଏହି ନିଷ୍ପତ୍ତି କେବେଠାରୁ କାର୍ଯ୍ୟକାରୀ ହେବ, ତା’ର ନିଶ୍ଚୟତା ନାହିଁ। ଏଥିରେ ଯେଉଁସବୁ ଜଟିଳତା ରହିଛି, ସେଥିରୁ ମନେହୁଏ ଏହା ଆଗାମୀ ଖରିଫ ଋତୁରେ କାର୍ଯ୍ୟକାରୀ ହେବାର ସମ୍ଭାବନା ନାହିଁ। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏ ବାବଦ ଅର୍ଥବ୍ୟବସ୍ଥା ବିଷୟରେ କିଛି ଘୋଷଣା କରିନାହାନ୍ତି। ଏଥିପାଇଁ ବଜେଟ୍‌ରେ ନିର୍ଦ୍ଦିଷ୍ଟ ପାଣ୍ଠି ବ୍ୟବସ୍ଥା କରାଯାଇ ନ ଥିବାରୁ ଏହା ହିତାଧିକାରୀମାନଙ୍କ ମନରେ ଭରସା ଆଣିପାରୁ ନାହିଁ। ଯୋଜନାର ସଫଳତା ପାଇଁ ପ୍ରାଥମିକ ଆବଶ୍ୟକତା ହେଉଛି, ଉତ୍ପାଦନ ମୂଲ୍ୟ ନିର୍ଦ୍ଧାରଣ ନିମନ୍ତେ ଏକ ସ୍ବଚ୍ଛ ସଂଯନ୍ତ୍ରର ବ୍ୟବସ୍ଥା କରିବା। ବର୍ତ୍ତମାନ ଉତ୍ପାଦନ ମୂଲ୍ୟ ନିର୍ଦ୍ଧାରଣ ଏକ ଗୋଳମାଳିଆ ବିଷୟ ହୋଇ ରହିଛି। ବିଭିନ୍ନ କୃଷିଜାତ ପଦାର୍ଥର ସହାୟକ ମୂଲ୍ୟ ନିର୍ଦ୍ଧାରଣରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ମଧ୍ୟରେ ରାଜିନାମା ନାହିଁ। କମିଶନ ଫର୍‌ ଏଗ୍ରିକଲ୍‌ଚରାଲ କଷ୍ଟସ୍‌ ଆଣ୍ଡ୍‌ ପ୍ରାଇସେସ୍‌ (ସିଏସିପି) କୃଷିଜାତ ପଦାର୍ଥର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଯେଉଁ ମାପଦଣ୍ଡ ଗ୍ରହଣ କରିଛି, ତାହା ପ୍ରକୃତ ଉତ୍ପାଦନ ମୂଲ୍ୟଠାରୁ ଫରକ ରହୁଛି। ବର୍ତ୍ତମାନ ବଜେଟ୍‌ରେ ନୀତି ଆୟୋଗକୁ ଏମ୍‌ଏସ୍‌ପି ନୀତି ନିର୍ଦ୍ଧାରଣର ଦାୟିତ୍ୱ ଦିଆଯାଇଛି। ତେବେ ଆୟୋଗ ପ୍ରକୃତ ଉତ୍ପାଦନ ମୂଲ୍ୟ ଅନୁସାରେ ଏମ୍‌ଏସ୍‌ପି ହିସାବ କରିବ କି ସ୍ବାମୀନାଥନ୍‌ ଆୟୋଗଙ୍କ ସୁପାରିସ ଭିତ୍ତିରେ ଏକ ସର୍ବଗ୍ରାହ୍ୟ ମୂଲ୍ୟ ନିର୍ଦ୍ଧାରଣ କରିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ସରକାର ଏମ୍‌ଏସ୍‌ପି ବୃଦ୍ଧି କରିବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ କାର୍ଯ୍ୟକାରୀ କରିବାକୁ ଗଲାବେଳେ କୃଷକମାନଙ୍କ ପାଇଁ ତଥା ରାଜ୍ୟ ସରକାରଗୁଡ଼ିକ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ। ପ୍ରଥମତଃ ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ଏମ୍‌ଏସ୍‌ପି ବଳବତ୍ତର ରହିପାରେ। ଏପରି କି ଗୋଟିଏ ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ଉତ୍ପାଦନ ମୂଲ୍ୟ ଭିନ୍ନ ଭିନ୍ନ ହୋଇଥିବାରୁ ଏମ୍‌ଏସ୍‌ପି ମଧ୍ୟ ଅଲଗା ଅଲଗା ନିର୍ଦ୍ଧାରଣ କରାଯାଇପାରେ। ଉତ୍ପାଦନ ମୂଲ୍ୟ ବିଭିନ୍ନ କାରକ ଉପରେ ନିର୍ଭର କରେ, ଯଥା- କୃଷି ଶ୍ରମିକଙ୍କ ମଜୁରି, ଜମିର ମୂଲ୍ୟ, ବିହନ, ସାର, ଜଳ ଓ ପରିବାର ଲୋକଙ୍କ ସମ୍ପୃକ୍ତି। ଯେହେତୁ କେନ୍ଦ୍ର ସରକାର ଖାଦ୍ୟଶସ୍ୟର ମୌଳିକ ମୂଲ୍ୟ ଉପରେ ଏମ୍‌ଏସ୍‌ପି ଘୋଷଣା କରିଛନ୍ତି, ବିଭିନ୍ନ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଉତ୍ପାଦନ ମୂଲ୍ୟ ନିର୍ଦ୍ଧାରଣ କରିବେ। କେନ୍ଦ୍ର ସରକାର ଖାଦ୍ୟଶସ୍ୟର ଏମ୍‌ଏସ୍‌ପି ବାବଦକୁ ଖର୍ଚ୍ଚ ରାଜ୍ୟଗୁଡ଼ିକୁ ଦେଇଥାନ୍ତି। ଯେହେତୁ କୃଷି ଏକ ରାଜ୍ୟ ବିଷୟ, ପ୍ରତ୍ୟେକ ରାଜ୍ୟ ସରକାର ନିଜ କୃଷକଙ୍କ ପାଇଁ ଅଧିକ ଏମ୍‌ଏସ୍‌ପି ଆଦାୟ କରିବାକୁ ଉତ୍ପାଦନ ମୂଲ୍ୟକୁ ବଢ଼େଇ ଚଢ଼େଇ କହିବାର ସମ୍ଭାବନା ଅଛି। ପୁଣି ଭୋଟରମାନଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଶାସକ ଦଳର ନେତାମାନେ ଏମ୍‌ଏସ୍‌ପି କାର୍ଯ୍ୟକ୍ରମକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରିପାରନ୍ତି। ...

ଦାମ୍ପତ୍ୟ ପ୍ରେମର ବୈଜ୍ଞାନିକ ରହସ୍ୟ

ଦାମ୍ପତ୍ୟ ପ୍ରେମର ବୈଜ୍ଞାନିକ ରହସ୍ୟ

ଡ. ରମେଶ ଚନ୍ଦ୍ର ପରିଡ଼ା/ ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନଟିଏ କେବେକେବେ ମନକୁ ଆନ୍ଦୋଳିତ କରିଥାଏ- କାହିଁକି ଏହା ଏତେ ନିବିଡ ? ବିବାହ ବିଚ୍ଛେଦ ବଢି ବଢି ଚାଲିଥିବା ବର୍ତ୍ତମାନ ଯୁଗରେ ମଧ୍ୟ କେବଳ ମା’-ପୁଅ ସମ୍ପର୍କକୁ ବାଦ୍‌ ଦେଲେ ସମ୍ଭବତଃ ତହିଁରୁ ଦୃଢତର ସମ୍ପର୍କ ଅନ୍ୟ କିଛି ନାହିଁ। ମା’ବାପାଙ୍କ ସହିତ ପୁଅଝିଅ ତଥା ଭାଇଭଉଣୀ ମଧ୍ୟରେ ସମ୍ପର୍କର ନିବିଡତାକୁ ଜିନୀୟ ବ୍ୟାଖ୍ୟା ପ୍ରଦାନ କରିବାକୁ ପ୍ରୟାସ ହୋଇଛି। କିନ୍ତୁ ପତି-ପତ୍ନୀଙ୍କ ସମ୍ପର୍କ ରହିଯାଇଛି ଏ ଦିଗରୁ ସମ୍ପୂର୍ଣ୍ଣ ଅବୋଧ। ଅଧିକାଂଶ ସମୟରେ କଳହରତ ରହୁଥିଲେ ହେଁ ଏବଂ ଉଭୟ ପରସ୍ପରର ମତକୁ ବିରୋଧ କରୁଥିଲେ ହେଁ ସେମାନେ କେହି କାହାରିକୁ ଛାଡି ରହିବାକୁ ଚାହାନ୍ତି ନାହିଁ- କମିକ୍‌ ଚରିତ୍ର ଟମ୍‌ ଓ ଜେରୀଙ୍କ ଭଳି। ୟା’ମୂଳରେ କି ରହସ୍ୟ ଲୁକ୍କାୟିତ? ଯଦି କେବଳ ଯୌନ ସମ୍ପର୍କ ଏହା ବ୍ୟାଖ୍ୟା କରିବାକୁ ଯଥେଷ୍ଟ ତା’ହେଲେ ପଶୁମାନଙ୍କଠାରେ ତାହା ଏତେ ଦୃଢ ନୁହେଁ କାହିଁକି ? ପରମ୍ପରାବାଦୀମାନେ ବିଶ୍ୱାସ କରନ୍ତି ଯେ, ଏ ସମ୍ପର୍କ ସ୍ବର୍ଗରେ ତିଆରି ହୋଇଥାଏ, ଯାହାକି ସାତ ଜନ୍ମ ପାଇଁ ଅତୁଟ ରହିବାକୁ ଅଭିପ୍ରେତ। ଏହିଭଳି ବିଶ୍ୱାସ ବା ଅନ୍ଧବିଶ୍ୱାସ କ’ଣ ଆମ ଚିନ୍ତାଧାରାରେ ଏପରି କିଛି ଜୈବିକ ପରିବର୍ତ୍ତନ ଆଣେ, ଯାହାକୁ କି ଏଥିପାଇଁ ଦାୟୀ କରାଯାଇପାରିବ ? କୌଣସି ଯୁକ୍ତି ଯଥାର୍ଥତା କିମ୍ବା ବୈଜ୍ଞାନିକ ବ୍ୟାଖ୍ୟା ମାଧ୍ୟମରେ ଏହାର ସ୍ବୟଂସମ୍ପୂର୍ଣ୍ଣ ଉତ୍ତରଟିଏ ଏଯାବତ୍‌ ମିଳିପାରି ନାହିଁ। ଏଣୁ ଏ ସମ୍ପର୍କର ଅସୀମ ଗଭୀରତାକୁ କେବଳ ଏକ ବିସ୍ମୟ ବୋଲି କୁହାଯାଇପାରିବ। ଏହି ପ୍ରସଙ୍ଗରେ ନିମ୍ନୋକ୍ତ ଦୁଇଟି ଘଟଣାର ଅବତାରଣା।...

ଧାଡ଼ିଠିଆର ଯୁଗ

ଧାଡ଼ିଠିଆର ଯୁଗ

ସୁଧୀର କୁମାର ନାୟକ/ ବାବୁ ଆଉ କେତେ ସମୟ ଠିଆ ହେବି, ଆଣ୍ଠୁ, ଅଣ୍ଟା ବିନ୍ଧିଲାଣି। ଜଣେ ବୟୋଜ୍ୟେଷ୍ଠ ଭଦ୍ରବ୍ୟକ୍ତି ବ୍ୟାଙ୍କ କାଉଣ୍ଟର ସମ୍ମୁଖରେ ଦୀର୍ଘ ସମୟ ଠିଆହେବା ପରେ ଅକ୍ଷମତା ପ୍ରକାଶ କରି ତଳେ ବସିପଡ଼ିଲେ। ତାଙ୍କ ପଛକୁ ଧାଡ଼ିରେ ଠିଆ ହୋଇଥିବା ଅନ୍ୟ ଜଣେ ମଧ୍ୟବୟସ୍କ ବ୍ୟକ୍ତି କାଉଣ୍ଟରରେ କାମ କରୁଥିବା କର୍ମଚାରୀଙ୍କୁ ବିରକ୍ତି ସହକାରେ କହିଲେ, ଯଦି ଗୋଟାଏ କାମକୁ ଏତେ ସମୟ ନିଆ ହୁଏ, ଦିନରେ ଅନ୍ୟାନ୍ୟ କାମ କିପରି ହେବ। କର୍ମଚାରୀ ବାବୁ ପାଟିରେ ପାନଛେପ ଢୋକି ସରଳ ଭାବେ କହିଲେ, ଆଜ୍ଞା! ମଁୁ ଜଣେ ଲୋକ, ତାହା ସହିତ ମଝିରେ ମଝିରେ ନେଟ୍‌ ପ୍ରୋବ୍ଲେମ, ସରଭର ଡାଉନ୍‌, ଲିଙ୍କ୍‌ ଫେଲ୍‌ ଇତ୍ୟାଦି ଇତ୍ୟାଦି। କାମ କେମିତି ହେବ। ବାସ୍ତବରେ ଆମର କର୍ମବହୁଳ ନିତିଦିନିଆ ଜୀବନରେ ଏପରି ସମସ୍ୟା କିଛି ନୂଆ କଥା ନୁହେଁ। ଯେଉଁ କାମଟି ପାଞ୍ଚ ମିନିଟ୍‌ରୁ ଦଶ ମିନିଟ୍‌ ଭିତରେ ସମ୍ପାଦିତ ହେବା କଥା, ସେଠି ବେଳେ ବେଳେ ଆମକୁ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ିଥାଏ। ଏହାଦ୍ୱାରା କେବଳ ମାନସିକ ଯନ୍ତ୍ରଣା, ଶାରୀରିକ ପୀଡ଼ା ଭୋଗ ହୋଇ ନ ଥାଏ। ବହୁ ଦୁର୍ମୂଲ୍ୟ ସମୟ ମଧ୍ୟ ନଷ୍ଟ ହୁଏ।...

ଏଇ ଭାରତରେ

ଇଏ କେମିତିକା ଦେଶପ୍ରେମ କେଜାଣି। ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ ପାଇଁ ଦିଆଯାଇଥିବା ଦାୟିତ୍ୱକୁ ଅନ୍ୟ ଉପରେ ପକାଇଦେଇ ଘରେ ବସିରହିବାକୁ କ’ଣ ଦେଶପ୍ରେମ କୁହାଯାଇପାରିବ? ବାବୁ କିନ୍ତୁ ସେହି ପ୍ରକାର ଜାତୀୟତା ଦେଖାଇ ସରକାରୀ ପଦବୀରୁ ନିଲମ୍ବିତ ହୋଇଛନ୍ତି। ସରକାରୀ ବାବୁ ଜଣକ ୨୬ ଜାନୁୟାରୀ ଛୁଟି ଦିବସକୁ ମନଭରି ଉପଭୋଗ କରିବା ସକାଶେ ନିଜର ଅଧସ୍ତନ କର୍ମଚାରୀଙ୍କୁ ପଠାଇ ଦେଇଥିଲେ ପତାକା ଉତ୍ତୋଳନ ପାଇଁ । କଶ୍ମୀରର ପ୍ରଚଣ୍ଡ ଶୀତ ଏବଂ ତୁଷାରପାତ ମଧ୍ୟରେ କିଏ ସକାଳୁ ଉଠି ପତାକା ଉଡାଇବାକୁ ଯିବ? ସମ୍ଭବତଃ ସେହି କାରଣରୁ ସେ ଅନ୍ୟ ଜଣଙ୍କୁ ପଠାଇଥିଲେ। ସେ କ’ଣ ଜାଣିଥିଲେ ପରିଣତିସ୍ବରୂପ ତାଙ୍କୁ ଦଣ୍ଡିତ ହେବାକୁ ପଡିବ ବୋଲି। ଘଟଣାଟି ଘଟିଛି ଜମ୍ମୁ-କଶ୍ମୀରର ଦୁରୁ ତହସିଲ ସଦର ଦପ୍ତରରେ। ମୁଜାଫର ଅହମଦ ମାଲ୍ଲିକ ନାମକ ଜଣେ ସରକାରୀ ବାବୁଙ୍କୁ ଏହି ତହସିଲ ସଦର ଦପ୍ତରରେ ପତାକା ଉତ୍ତୋଳନ ଦାୟିତ୍ୱ ଦିଆଯାଇଥିଲା। ମାଲ୍ଲିକ କିନ୍ତୁ ସେଠାକୁ ନ ଯାଇ ତାଙ୍କର ଜଣେ ଅଧସ୍ତନଙ୍କୁ ପଠାଇ କାମ ସାରିଦେଇଥିଲେ। ଜଣେ ଅଧିକାରୀଙ୍କର ଏହା ନିଶ୍ଚିତ ଭାବେ କର୍ତ୍ତବ୍ୟରେ ଅବହେଳା। ଘଟଣା ସମ୍ପର୍କରେ ଫଟୋ ଭାଇରାଲ ହୋଇଯିବା ପରେ କଶ୍ମୀରର ଡିଭିଜନାଲ କମିଶନର ବସୀର ଅହମଦ ଖାଁ ତୁରନ୍ତ ପଦକ୍ଷେପ ନେଇ ମାଲ୍ଲିକଙ୍କୁ ବୁଧବାର ନିଲମ୍ବିତ କରିଛନ୍ତି। ଏହି ଅଧିକାରୀଙ୍କ କର୍ତ୍ତବ୍ୟରେ ଅବହେଳା ସମ୍ପର୍କରେ ତଦନ୍ତ ପାଇଁ ଜିଲାର ଡେପୁଟି କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ୧୦ ଦିନ ମଧ୍ୟରେ ତାଙ୍କର ରିପୋର୍ଟ ଦାଖଲ କରିବେ ବୋଲି କୁହାଯାଇଛି। ଅଫିସରଙ୍କ ଅଳସୁଆମିର ଏହା ଏକ ନମୁନା ବୋଲି ଉକ୍ତ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ହଲାଲ, ହରାମ ଓ ମକରୁହ

ହଲାଲ, ହରାମ ଓ ମକରୁହ

ପରିବେଶ ପରିଚିନ୍ତା-ମାନେକା ଗାନ୍ଧୀ/ ହାଇଦ୍ରାବାଦରେ ୧୮୭୬ରେ ପ୍ରତିଷ୍ଠିତ ମୁସଲିମ୍‌ ଶିକ୍ଷାଳୟ ଜାମିଆ ନିଜାମିଆ ପକ୍ଷରୁ ନିକଟରେ ଚିଙ୍ଗୁଡ଼ି ଓ କଙ୍କଡ଼ା ଖାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। କୁହାଯାଇଛି, ଏହା କୁଆଡ଼େ ମକରୁହ ତାହରିମ୍‌ (ଅତି ଘୃଣ୍ୟ)। ଇସ୍‌ଲାମ ମତରେ ଖାଦ୍ୟ ତିନି ପ୍ରକାର: ହଲାଲ (ଅନୁମୋଦିତ), ହରାମ (ନିଷିଦ୍ଧ) ଓ ମକରୁହ (ଘୃଣ୍ୟ ଓ ବର୍ଜନୀୟ)। ଅଧିକାଂଶ ମୁସଲମାନ ମାଂସ ଖାଆନ୍ତି, ଯଦିଚ ରସୁଲ ମହମ୍ମଦ ନିଜେ ଜଣେ ଶୁଦ୍ଧ ନିରାମିଷାଶୀ ଥିଲେ, ଯେ କି ପିଆଜ ଓ ରସୁଣ ମଧ୍ୟ ଖାଉ ନ ଥିଲେ। ତେବେ ଅଧିକାଂଶ ମୁସଲମାନ ସେମାନଙ୍କୁ ଧର୍ମଶାସ୍ତ୍ରରେ କ’ଣ ଖାଇବାକୁ ଅନୁମତି ଦିଆଯାଇଛି, ତାହା ଜାଣନ୍ତି ନାହିଁ। ସେମାନେ କେବଳ ଏତିକି ଜାଣିଛନ୍ତି ଯେ, ପଶୁ ମାରି ମାଂସ ଖାଇବା ଦୁଇ ପ୍ରକାର- ମୁସଲମାନମାନେ ଯାହା ଖାଆନ୍ତି, ତାହା ହଲାଲ ଏବଂ ଅଣ-ମୁସଲମାନ ଯାହା ଖାଆନ୍ତି, ତାହା ଝଟ୍‌କା। ବାସ୍ତବରେ ଭାରତରେ ପ୍ରାଣୀମାନଙ୍କୁ ଯେପରି ମରାଯାଉଛି, ତାହା ହଲାଲ ନୁହେଁ ବା ଝଟ୍‌କା ବି ନୁହେଁ।...